Categories
ବିଶେଷ ଖବର ରାଜ୍ୟ ଖବର

ଥଇଥାନ ହେବେ ରାସ୍ତାକଡର ଶିଶୁ , ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକରେ ନିଷ୍ପତି

ଭୁବନେଶ୍ୱର: ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର‌୍ୟ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇ କାର‌୍ୟ୍ୟ କରୁଛି । ଆଇନ୍ ସହାୟତା ଆବଶ୍ୟକ କରୁଥିବା ପ୍ରତ୍ୟକ ଶିଶୁଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ମିଳିତ ଜାତି ସଂଘର ଶିଶୁ ଅଧିକାର ସମ୍ମିଳନୀ ନିର‌୍ୟ୍ୟାସ ଅନୁସାରେ ଆମ ରାଜ୍ୟ ଶିଶୁମାନଙ୍କର ଉନ୍ନତି ଓ ସେମାନଙ୍କର ସୁରକ୍ଷା ନିମନ୍ତେ ବିଭିନ୍ନ ନୀତି ପ୍ରଣୟନ କରି ତାହାକୁ କାର‌୍ୟ୍ୟକାରୀ କରୁଛନ୍ତି ।

ପ୍ରତି ଶିଶୁ ଯେପରି ସୁରକ୍ଷିତ ରହିବେ, ସୁସ୍ଥ ଜୀବନ ଯାପନ କରିବେ, ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସେବା ପ୍ରଦାନ କାରୀ ସଂସ୍ଥା, ବିଭିନ୍ନ ସଂଗଠନ, କମିଟି ଓ ନେଟଓ୍ୱାର୍କ ଜରିଆରେ ଏ ଦିଗରେ ବିଭିନ୍ନ ଅନୁଷ୍ଠାନଗୁଡିକୁ ସଂପୃକ୍ତ କରାଯାଇକାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ ସହଯୋଗରେ ଆଜି ପୂର୍ବାହ୍ଣରେ ସ୍ୱସ୍ତି ପ୍ରିମିୟମ ହୋଟେଲ ପରିସରରେ ଏକ ରାଜ୍ୟସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାକଡର ଶିଶୁମାନଙ୍କର ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗ ତଥା ସବୁସ୍ତରରେ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହିତ ବିଭିନ୍ନ ସମୟରେ ଶିଶୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତିସମ୍ବେଦନଶୀଳ ହୋଇ ପୁଲିସ୍ ଶୂନ ସହନଶୀଳତା ନୀତି ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ ।

ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱରକୁ ଶିଶୁ ମିତ୍ର କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶ୍ରମ କମିଶନର ଡଃ. ଏନ୍. ତିରୁମଲ ନାୟକ ଯୋଗଦେଇ ରାସ୍ତାକଡର ଶିଶୁଙ୍କ ଥଇଥାନ ଏକାନ୍ତ ଜରୁରୀ ବୋଲି ମତଦେବା ସହ ଏଥିପାଇଁ ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ‘ଦିଶା’ ନିର୍ଦ୍ଦେଶ ଉପରେ ଶିଶୁ ସୁରକ୍ଷା ବିଶେଷଜ୍ଞ ଶ୍ରୀ ପ୍ରଭାତ କୁମାର ଆଲୋଚନା କରିଥିଲେ ।

ପ୍ରାରମ୍ଭରେ କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ , ରାସ୍ତାକଡର ଶିଶୁମାନଙ୍କର ବିପଦ ସଂକୁଳତା ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭିକ ପର‌୍ୟ୍ୟାୟରେ ବିଭିନ୍ନ ବିଭାଗର ସହଯୋଗରେ ଭୁବନେଶ୍ୱରକୁ ଶିଶୁ ମିତ୍ର (ଚାଇଲ୍ଡ ଫ୍ରେଣ୍ଡଲି) କରାଯିବା ସହ ରାସ୍ତାକଡରେ ଯେପରି କେହି ଶିଶୁ ରହିବେନି, ତାହାକୁ ସୁନିଶ୍ଚିତ କରିବା ଆଜିର ଏହି ବୈଠକର ଉଦ୍ଦେଶ୍ୟ ବୋଲି ସୁଶ୍ରୀ ପ୍ରଧାନ କହିଥିଲେ । ଏ ଦିଗରେ ସବୁ ଅନୁଷ୍ଠାନ ଓ ସମାଜର ସବୁବର୍ଗର ଜନସାଧାରଣଙ୍କ ସେ ସହଯୋଗ କାମନା କରିଥିଲେ ।

ୟୁନିସେଫ୍ ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଶିଶୁମାନେ ରାସ୍ତା ଉପରକୁ ଆସିବାର କାରଣ ସମସ୍ୟା ଉପରେ ଆଲୋଚନା କରିବା ସହିତ ଏହାର ନିରାକରଣ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ଭୁବନେଶ୍ୱରରେ ଥିବା ରାସ୍ତାକଡର ଶିଶୁମାନଙ୍କ ଥଇଥାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

କାର‌୍ୟ୍ୟକ୍ରମକୁ ଶ୍ରୀ ଘାସିରାମ ପଣ୍ଡା ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବିଭାଗର ପ୍ରତିନିଧି , ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ନିଶାମୁକ୍ତ ଅଭିଯାନରେ ବାର୍ତ୍ତାବହ ହୁଅନ୍ତୁ ସୋଆ ଛାତ୍ରଛାତ୍ରୀ: ପୋଲିସ୍ କମିଶନର

ଭୁବନେଶ୍ୱର: ଧଳା ଜହର ବଳୟରେ ସମାଜ କଳୁଷିତ ହେବାରେ ଲାଗିଛି। ଅନେକ ପରିବାର ଧ୍ୱଂସ ହୋଇଯାଉଛି। ତେବେ ସମାଜକୁ ନିଶାମୁକ୍ତ କରିବାରେ ଯୁବଗୋଷ୍ଠୀଙ୍କର ଅନେକ ଆବଶ୍ୟକତା ରହିଛି। ସେମାନେ ହିଁ ନିଶା କବଳରୁ ସମାଜକୁ ସୁରକ୍ଷିତ ରଖିପାରିବେ ବୋଲି କହିଛନ୍ତି ଦ୍ୱୈତନଗରୀର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍‌ସେସ୍  କଲେଜ ପରିସରରେ କମିଶନରେଟ୍‌ ପୋଲିସର ତତ୍ୱାବଧାନ ଏବଂ ଦିଗ୍‌ଦର୍ଶନ ଓ ଡ୍ରିମ୍ସ ମିଶନ୍‌ର ପ୍ରକଳ୍ପ ଜରିଆରେ ଆୟୋଜିତ “ଯୁବଗୋଷ୍ଠୀ ପାଇଁ ନିଶାମୁକ୍ତ ସମାଜ: ଆହ୍ୱାନ ଓ ଆଭିମୁଖ୍ୟ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ନିଶାମୁକ୍ତ ଅଭିଯାନ ନେଇ ଆମେ ଯେଉଁ ବାର୍ତା ଦେବାକୁ ଯାଉଛୁ ସେଥିରେ ସୋଆ ଛାତ୍ରଛାତ୍ରୀ ବାର୍ତାବହ ହୁଅନ୍ତୁ।

ଏକ ଅପରାଧିକ ତଥ୍ୟ ଉପସ୍ଥାପନ କରି ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ କିଛି ମାସ ତଳେ ଲୁଟ ଓ ରାହଜାନୀ ମାମଲାରେ ୩୦୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୮ ଜଣ ନିଶା ସେବନ କରୁଥିଲେ ଏବଂ ସେମାନେ ବସ୍ତିରେ ରହୁଥିବା ଯୁବକ ବୋଲି ଜଣାପଡ଼ିଥିଲା। ରାଜଧାନୀକୁ ନିଶାମୁକ୍ତ ଓ ଅପରାଧ କରିବା ଲକ୍ଷ୍ୟରେ ଡ୍ରିମ୍ସ ମିଶନ୍ ଏବଂ କିମଶନରେଟ୍ ପୋଲିସ୍ ମିଳିତ ଭାବରେ ଦୀର୍ଘ ୨ମାସ ହେବ ଅଭିଯାନ ଚଳାଇଥିବା ବେଳେ ଏହି ନିଶାଶକ୍ତ ଅପରାଧିମାନଙ୍କୁ କେବଳ ନିଶା ଠାରୁ ଦୂରେଇ ରଖିବା ନୁହେଁ ବରଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ମଧ୍ୟ ଆମର ଲକ୍ଷ୍ୟ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡେପୁଟି କମିଶନର ଅଫ୍ ପୋଲିସ୍ ଡକ୍ଟର ଉମାଶଙ୍କର ଦାଶ କହିଥିଲେ ଯେ ନିଶା ଏବଂ ଅପରାଧ ଅଙ୍ଗାଙ୍ଗୀ ଭାବେ ଜଡିତ। ତେଣୁ ସମାଜକୁ ଅପରାଧ ଠାରୁ ଦୂରେଇ ରଖିବା ପାଇଁ ସମସ୍ତେ ଏହି ଅଭିଯାନରେ ସାମିଲ ହେବା ଉଚିତ୍।

ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର ସମାଜ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଆଶା ପ୍ରକାଶ କରିଥିଲେ ଏବଂ ଆବଶ୍ୟକୀୟ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଡ୍ରିମ୍ସ ମିଶନ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଶିଶିର କୁମାର ଦାସ ଧଳା ଜହର ବିରୁଦ୍ଧରେ ସଚେତନତା ଏବଂ ନିଶାରେ କବଳିତ ବ୍ୟକ୍ତିମାନଙ୍କୁ ଅପରାଧ ଦୁନିଆରୁ ଦୂରେଇ ରଖିବା ପାଇଁ ଉପଯୁକ୍ତ ଚିକିତ୍ସା, ପରାମର୍ଶ ଏବଂ ଆବଶ୍ୟକ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରିବା ସମ୍ପର୍କରେ ତଥ୍ୟ ରଖିଥିଲେ। ଶ୍ରୀ ଦାସ ଡ୍ରିମ୍ସ ମିଶନ୍‌ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଧଳା ଜହରର ମଣିଷ ଶରୀର ଉପରେ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସଭାରେ ଯୁବଛାତ୍ରମାନଙ୍କୁ ନିଜ ଅଭିଭାଷଣରେ ପ୍ରେରଣା ଯୋଗାଇଥିଲେ ମାନବ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ହରପ୍ରସନ୍ନ ଦାସ ଏବଂ ଟାଲେଂଟ ଷ୍ଟିଗ୍‌ମାର ନିର୍ଦ୍ଦେଶକ ଡକ୍ଟର ପରେଶ ଚନ୍ଦ୍ର ମହାନ୍ତି।

ସୋଆ ଉପକୁଳପତି ଡକ୍ଟର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଡିନ୍ ଡକ୍ଟର ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପିଜି ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଲୋଗାନ୍ କ୍ୟାମ୍ପେନ୍ ପ୍ରତିଯୋଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ପୁରସ୍କୃତ ହୋଇଛି। “ରୋଗକୁ ଡକାଏ ନିଶା, ଘରେ ଅଭାବ ହୁଅଇ ପଇସା, ଛଡାଇ ନିଏ କୂଳ ବେଉସା, ନିଶା ଯେବେ କରେ ମୁଣ୍ଡରେ ବସା ‘ଏହି ସ୍ଳୋଗାନ ଲେଖିବା ନିମନ୍ତେ ସୋଆ ରେଡ଼ିଓ ଆର୍‌ଜେ ଶୁଭ୍ରସିମା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ପୁରସ୍କାରକୁ ଗ୍ରହଣ କରିଥିଲେ ସୋଆ ରେଡ଼ିଓର ଇନଚାର୍ଜ ହନି ପଟ୍ଟନାୟକ। କାର୍ଯ୍ୟକ୍ରମ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକମ ପରିବେଷଣ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ପେଶାଲ ସ୍କ୍ବାଡ଼ ପଞ୍ଝାରେ ସାଇବର ଠକ ଗ୍ୟାଙ୍ଗ: ୧୭ ହଜାର ସିମ ସହ ୭ ଗିରଫ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସ ଏକ ବଡ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ୭ ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ସ୍ପେଶାଲ ସ୍କ୍ବାଡ଼ ଗିରଫ କରିଛି। ଏହା ସହ ୧୫୦ ଟି ମୋବାଇଲ ଏବଂ ୧୭ ହଜାର ସିମ କାର୍ଡ ପୋଲିସ ଜବତ କରିଛି।

କଟକରେ ଅଫିସ କରି ଏହି ଗ୍ୟାଙ୍ଗ ସାଇବର ଠକେଇ କାର୍ଯ୍ୟ କରୁଥିଲେ। ପ୍ରି-ଆକ୍ଟିଭେଟେଡ ସିମ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ। ଲୋକଙ୍କ ଠାରୁ ଟଙ୍କା ଲୁଟିବା ପରେ ସେମାନେ ସିମଗୁଡିକୁ ନଷ୍ଟ କରିଦେଉଥିଲେ। ଏମାନେ କେବଳ ରାଜ୍ୟରେ ସକ୍ରିୟ ନଥିଲେ ରାଜ୍ୟ ବାହାରେ ମଧ୍ୟ ଏହି ଗ୍ୟାଙ୍ଗ ସକ୍ରିୟ ରହିଥିଲା। କିଛି ଦିନ ତଳେ ଭୁବନେଶ୍ବରର ସହୀଦନଗର ସ୍ଥିତ ଜଣେ ମହିଳାଙ୍କ ଠାରୁ ଏହି ଗ୍ୟାଙ୍ଗ ୫ ଲକ୍ଷ ଟଙ୍କା ଲୁଟିଥିଲେ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତେଲେଙ୍ଗନାରୁ ଗିରଫ ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର

ଭୁବନେଶ୍ଵର: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ତେଲେଙ୍ଗନାରୁ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି।

ହାଇଦର କଟକ ଏସସିବିରୁ ଗତ ୧୦ ତାରିଖରେ ଫେରାର ହୋଇଥିଲା। ଫଳରେ ଏନେଇ ବହୁ ପ୍ରଶ୍ନ ଉଠିଥିଲା।ହାଇଦରକୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଲାଗିରହିଥିଲା। ଫଳରେ ଆଜି ତେଲେଙ୍ଗନା ପୋଲିସ ସହାୟତାରେ ଗ୍ୟାଙ୍ଗଷ୍ଟାରକୁ କଟକ ପୋଲିସ ଧରିବାରେ ସକ୍ଷମ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ: ଟୁଇନ୍ ସିଟିର ନୂଆ ପୋଲିସ କମିଶନର ହେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ୧୯୯୫ ବ୍ୟାଚର ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଟୁଇନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ଵ ଦିଆଯାଇଛି। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ଟୁଇନ୍ ସିଟିର ପୋଲିସ୍‌ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସୁଧାଂଶୁ ଷଡଙ୍ଗୀଙ୍କୁ ଏବେ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ।ପୋଲିସ୍‌ କମିଶନର ହେବା ପୂର୍ବରୁ ସେ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ସେହିପରି ଏମ. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ଵ ମିଳିଛି।