Categories
ଜାତୀୟ ଖବର ବିଶେଷ ଖବର

ଲକ୍ଷ୍ମୀପୁର ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି ଦଳ, ରାହୁଲ-ପ୍ରିୟଙ୍କା ସମେତ ୫ ନେତା ସାମିଲ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଆଜି ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ ପ୍ରତିନିଧୀ ଏହି ଘଟଣାର ସତ୍ୟପାଠ ସହ ଜଡିତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିବେ।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଏହି ପାଞ୍ଚ ଜଣିଆ କଂଗ୍ରେସ ପ୍ରତିନିଧି ଦଳରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେ, ବରିଷ୍ଠ ନେତା ଏ.କେ ଆଣ୍ଟୋନି, ଗୁଲାମ ନବୀ ଆଜାଦ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ଅଛନ୍ତି।

ଏଥିସହ ଲକ୍ଷ୍ମୀପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗିରଫ ହେବା ପରେ ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ର ଜାତୀୟ ମୁଖପାତ୍ର ରାକେଶ ଟିକାଏତ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ଅଜୟ ମିଶ୍ର ତାଙ୍କ ପଦରେ ରହିଛନ୍ତି, ସେ ପର୍ଯ୍ୟନ୍ତ ନ୍ୟାୟଯୁକ୍ତ ଅନୁସନ୍ଧାନ କରିବା ସମ୍ଭବ ନୁହେଁ ବୋଲି ରାକେଶ ଟିକାଏତ କହିଛନ୍ତି। ଏଥି ସହ ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ଆନ୍ଦୋଳନ କରାଯିବ ବୋଲି ରାକେଶ ଚେତାବନୀ ଦେଇଛନ୍ତି।

ଲକ୍ଷ୍ମୀପୁର ଖେରୀରେ ରାକେଶ ଟିକାଏତ କହିଛନ୍ତି, “ଯଦି କେନ୍ଦ୍ର ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ଆମେ ଏଠାରୁ ଆନ୍ଦୋଳନ ଘୋଷଣା କରିବୁ। ଏ ସମ୍ପର୍କରେ ଲକ୍ଷ୍ନୌରେ ଏକ ବଡ ପଞ୍ଚାୟତ ହେବ ବୋଲି ସେ କହିଛନ୍ତି। ଲକ୍ଷ୍ମୀପୁର ମାମଲାରେ ରାକେଶ ଟିକାଏତ ତାଙ୍କ ଯୋଜନା ବିଷୟରେ କହିଛନ୍ତି ଯେ, ହିଂସାରେ ନିହତ ହୋଇଥିବା ଚାଷୀଙ୍କ ପାଉଁଶ ଦେଶର ପ୍ରତ୍ୟେକ ଜିଲ୍ଲାକୁ ଯିବ ଏବଂ ଲୋକମାନେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଅରଦାସରେ କୃଷକଙ୍କ ୫ ଟି ବଡ ନିଷ୍ପତ୍ତି:

– ଅକ୍ଟୋବର ୧୫ ତାରିଖରେ, ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ।

– ଅକ୍ଟୋବର ୧୮ ତାରିଖରେ ଟ୍ରେନ୍ ବନ୍ଦ କରାଯିବ।

– ଅକ୍ଟୋବର ୨୪ ତାରିଖରେ ଅସ୍ଥି ବୁଡ଼ ପକାଯିବ।

– ମୃତ ୫ କୃଷକଙ୍କ ଶହୀଦ ସ୍ମୃତି ସ୍ମାରକୀ ନିର୍ମାଣ କରାଯିବ।

– ୨୬ ତାରିଖରେ ଲକ୍ଷ୍ନୌରେ ଏକ ମହାପଞ୍ଚାୟତ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ମଧ୍ୟବିତ୍ତବର୍ଗଙ୍କ ମୌଳିକ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟବିତ୍ତ ମହାସଂଘ ପକ୍ଷରୁ ସ୍ମାରକପତ୍ର

ଭୁବେନଶ୍ୱର: ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମହାସଂଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟବିତ୍ତବର୍ଗଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

କରୋନା ମହାମାରୀ ସମୟରେ ଜୀବନ ଜୀବିକା ହରାଇ ଭୋକ ଉପାସରେ ରହିଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ସାହାଯ୍ୟ ସହଯୋଗ ନ କରିବା ଓ ସମସ୍ତ ସରକାରୀ ଯୋଜନାରେ ମଧ୍ୟବିତ୍ତବର୍ଗଙ୍କୁ ସରକାର ଅଣଦେଖା କରୁଥିବା ମହାସଂଘର ସଭାପତି ପ୍ରଦୀପ ମିଶ୍ର ଅଭିଯୋଗ କରିଛନ୍ତି।

ମଧ୍ୟବିତ୍ତବର୍ଗଙ୍କୁ ସାମାଜିକ ସମାନତା ଓ ଆର୍ଥିକ ସୁରକ୍ଷାକୁ ଅଗ୍ରାଧିକାର ଦେବା ସହିତ ମଧ୍ୟବିତ୍ତ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଚିହ୍ନଟ ପାଇଁ ଥିବା ଆଇନକୁ ତର୍ଜମା କରି ନୂତନ ଆଇନ ପ୍ରଣୟନ କରିବା, ଭାରତବର୍ଷରେ ଥିବା ମଧ୍ୟବିତ୍ତବର୍ଗଙ୍କ ସଂଖ୍ୟା ନିରୂପଣ କରିବା, ଦେଶରେ ମଧ୍ୟବିତ୍ତ କମିଶନ ଗଠନ କରିବା, ଶିକ୍ଷା ଓ ସରକାରୀ ଚାକିରୀ କ୍ଷେତ୍ରରେ ମଧ୍ୟବିତ୍ତବର୍ଗଙ୍କ ପାଇଁ ୧୨ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସହିତ ସମସ୍ତ ମଧ୍ୟବିତ୍ତ ପିରବାରମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ମଧ୍ୟବିତ୍ତ ପରିବାର ମହାସଂଘର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ କେ. ବାଲାରାଜୁ ଆଚାରୀ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହଙ୍ଗା ଭତ୍ତା ଦାବିରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ୧୫ ଜୁଲାଇରୁ ଜାତୀୟ ପ୍ରତିରୋଧ ଦିବସ

ଭୁବନେଶ୍ୱର: ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନରେ ତିନି କିସ୍ତି ମହଙ୍ଗା ଭତ୍ତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଆଜି ଦେଶବ୍ୟାପୀ ‘ଜାତୀୟ ପ୍ରତିରୋଧ ଦିବସ’କୁ ଓଡ଼ିଶାରେ ‘ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି’ ନେତୃତ୍ୱରେ ପାଳନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବିଳମ୍ବେ ୩ କିସ୍ତି ମହଙ୍ଗା ଭତ୍ତା ନଗଦ ଆକାରରେ ପ୍ରଦାନ କରିବାକୁ ଦାବି କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଏନେଇ ସମନ୍ୱୟ ସମିତିର ସଭାପତି ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସାହୁ, ସୁଦର୍ଶନ ପ୍ରଧାନ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାଦଗ୍ଦ ଓ ହେଡ୍‌କ୍ୱାର୍ଟର ସମ୍ପାଦକ କାହ୍ନୁଚରଣ ମଲ୍ଲିକ ଏକ ପ୍ରେସ୍ ନୋଟରେ ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଭିଡ଼ ମହାମାରୀର ଆଳ ନେଇ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାର କର୍ମଚାରୀଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ୨୦୨୦ ଜାନୁୟାରୀ ଠାରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ୧୮ ମାସର ୩ କିିସ୍ତି ମହଙ୍ଗା ଭତ୍ତା ନଦେଇ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆର୍ଥିକ ଦୁର୍ବିସହ ମଧ୍ୟକୁ ଠେଲି ଦେଇଛନ୍ତି।

ଏହି ୧୮ ମାସ ମଧ୍ୟରେ ପେଟ୍ରୋଲ, ଡ଼ିଜେଲ, ରନ୍ଧନଗ୍ୟାସ୍‌, ଔଷଧ, ଖାଇବା ତେଲ ଠାରୁ ଆରମ୍ଭ କରି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ପ୍ରକୃତ ଦରମାର ମୂଲ୍ୟ ହ୍ରାସ ହୋଇଚାଲିଛି। କରୋନା ମହାମାରୀ ସମୟରେ ସରକାରଙ୍କ ସମସ୍ତ କାର୍ଯ୍ୟ ଓ ଯୋଜନାଗୁଡ଼ିକ ଚାଲୁ ରହିଥିବା ବେଳେ ଦୀର୍ଘ ୧୮ ମାସ ଧରି ୩ କିିସ୍ତି ମହଙ୍ଗା ଭତ୍ତା ପୋଷଣ କରାନଯାଇ, ନିଜ ଜୀବନକୁ ବାଜି ଲଗାଇ କୋଭିଡ଼ ମହାମାରୀରେ ଜଣେ କର୍ମଚାରୀ ସର୍ବନିମ୍ନ ମାସିକ ୧୦ ହଜାର ଟଙ୍କା କ୍ଷତି ସହିବାକୁ ପଡୁଛି।

ଆଜିର ଆର୍ଥିକ ଅବସ୍ଥାକୁ ବିଚାର କରି କର୍ମଚାରୀଟି ହାତକୁ ଏହି ଟଙ୍କା ଆସିଲେ ବଜାର ଚଳଚଞ୍ଚଳ ହେବ ଓ ମାନ୍ଦା ଆର୍ଥିକ ଅବସ୍ଥାରେ ସଚଳତା ଆସିବ। କର୍ମଚାରୀ ଓ ଶିକ୍ଷକମାନଙ୍କ କାର୍ଯ୍ୟର ଗୁରୁତ୍ୱକୁ ବିଚାର କରି ଅବିଳମ୍ବେ ୩ କିସ୍ତି ମହଙ୍ଗା ଭତ୍ତା ଘୋଷଣା କରିବାକୁ ଦାବି କରି ଆଜି ରାଜ୍ୟ ସରକାରୀ କର୍ମଚାରୀ ପକ୍ଷରୁ ବ୍ରହ୍ମପୁର, କୋରାପୁଟ, ଭୁବନେଶ୍ୱର, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଓ କଟକ ସମେତ ବହୁ ଜିଲ୍ଲାରେ ସ୍ମାରକପତ୍ର ଦିଆଯାଇଛି ବୋଲି କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ କାହ୍ନୁଚରଣ ମଲ୍ଲିକ ଜଣାଇଛନ୍ତି।

ଏଥିସହିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଶାଖା ତରଫରୁ ସଭାପତି ଅକ୍ଷୟ କୁମାର ଜେନା, ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଓ ଉପଦେଷ୍ଟା କ୍ଷେତ୍ରମୋହନ ଦାସ ଓ ଅନ୍ୟାନ୍ୟ ସହକର୍ମୀଙ୍କ ସହିତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ଶ୍ରମିକ, କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ନେଇ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ଶ୍ରମିକ, କୃଷିକ୍ଷେତ୍ର ଓ କୃଷକଙ୍କ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ଏକ ଦାବିପତ୍ରଙ୍କୁ ଶ୍ରମଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ସେମାନେ ଅଭିଯୋଗ କରିଛନ୍ତି ରାଜ୍ୟରେ ୨୨ ବର୍ଷ ବିଜେଡ଼ି ଶାସନରେ ମଧ୍ୟ ଜିଲ୍ଲାରେ କୌଣସି ଶିଳ୍ପ, କାରଖାନା ଓ କୃଷିର ବିକାଶ ହୋଇନାହିଁ। ପ୍ରାୟ ୭ ଲକ୍ଷ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କୃଷକ ଏବଂ ଶ୍ରମିକଙ୍କ ପାଇଁ ଯେଉଁ ଆଇନମାନ ରହିଛି ତାହାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ବେଖାତିର କରୁଛନ୍ତି।

ଅନ୍ୟ ରାଜ୍ୟରେ ଶ୍ରମିକଙ୍କୁ କରୋନା ସମୟରେ ୧୨ହଜାର ସାହାଯ୍ୟ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାରେ ମାତ୍ର ୧୫ଶହ ଟଙ୍କା ଦେଇ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ଜିଲ୍ଲାରେ ଜମିକୁ ପାଣିର ଅଭାବ, ଶୀତଳଭଣ୍ଡାର ଅଭାବ ଓ ଚାଷୀଙ୍କୁ ବିହନ ସୁଲଭ ଦରରେ ଯୋଗାଇଦେବାରେ ସରକାର ବିଫଳ।

ଜିଲ୍ଲାରେ ମଦବେପାର ବେଧଡ଼କ ଚାଲିଥିବାବେଳେ ଶିଳ୍ପ ପ୍ରତିଷ୍ଠାନ ଶୂନ ରହିଛି। ମଦ ମାଫିଆ, ବାଲିମାଫିଆମାନେ ଜିଲ୍ଲାରେ ସମାନ୍ତରାଳ ଶାସନ ବ୍ୟବସ୍ଥା ଚଳାଇଛନ୍ତି। ଖଣିଜ ସଂପଦ ଲୁଣ୍ଠନ ହେବା ସହ ସାମାଜିକ ସୁରକ୍ଷା ବାଧାପ୍ରାପ୍ତ ହୋଇଛି। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ୪୪ଟି ଶ୍ରମ ଆଇନ ବାତିଲ ସହ ୪ଟି ଲେବର କୋଡ଼ରେ ସୀମିତ କରି ଶ୍ରମିକଙ୍କ ଅଧିକାରକୁ ଜବତ କରିବାକୁ ହୀନ ଚକ୍ରାନ୍ତ କରାଯାଇଛି।

ତେଣୁ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତରଫରୁ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଶ୍ରମିକ, କୃଷି, କୃଷକ, ବେକାରୀ, ଦାଦନ ଓ ଗରିବଲୋକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ରଂଜନ ତରେଇ, ସୌଭାଗ୍ୟ ସାସମଲ, ଆରତୀ ପଟ୍ଟନାୟକ, ସ୍ମୃତିମୟୀ ପଟ୍ଟନାୟକ, ରଂଜିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ସତ୍ୟବ୍ରତଙ୍କ ଅଭିନବ ପ୍ରୟାସ: ଦୀର୍ଘ ୯୦୦୦ କିମି ପଦଯାତ୍ରା କରି ବାଣପୁର ବିଡିଓଙ୍କୁ ଦେଲେ ସ୍ମାରକପତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାଲାଗି ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତି ରାଜ୍ୟସାରା ପଦଯାତ୍ରା ଆରମ୍ଭ କରିଥିବାବେଳେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ପହଁଚି ଏବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯୁବ ସମାଜସେବୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳର ସତ୍ୟବ୍ରତ ଦାସ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନକରି ଏକ ଭିନ୍ନ ଧରଣର ପ୍ରତିବାଦ ଆରମ୍ଭ କରିଛନ୍ତି। ଏ ନେଇ ବାଣପୁର ସହରରେ ସତ୍ୟବ୍ରତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଛି।

ସତ୍ୟବ୍ରତ ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକଠାରୁ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିଲେ। ସେ ରାଜ୍ୟର ୩୧୪ ବ୍ଲକରେ ପହଞ୍ଚି  ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାର ଲକ୍ଷ ରଖିଛନ୍ତି। ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା ୫୨୫ ଦିନରେ ୨୯୪ଟି ବ୍ଲକରେ ପହଁଚି ୯୦୦୦ କିମି ରୁ ଉର୍ଦ୍ଧ୍ଵ ପଥ ଅତିକ୍ରାନ୍ତ କରିବା ସହ ଆଗାମୀ ୨୦୨୧ ମସିହା ଜାନୁଆରୀ ୨୩ ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏହି ଯାତ୍ରାର ସମାପନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅବସରରେ ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକ ପହଁଚି ଏବିଡ଼ିଓ ସୀମାଦ୍ରୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ଶେଖ ମୋଇନୁଲ ହକ ସତ୍ୟବ୍ରତଙ୍କୁ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରିଥିବା ସ୍ଥଳେ ସାମ୍ବାଦିକ ପ୍ରସନ୍ନ ମିଶ୍ର, ସୀତାରାମ ଅଗ୍ରୱାଲ, ସୁଧୀର ପାତ୍ର, ଚନ୍ଦନ ସୁନ୍ଦରାୟ ଏବଂ ନୀଲେଶ ବରାଳ ଆଦି ଉପସ୍ଥିତି ଥାଇ ଉତ୍ସାହିତ କରିଥିଲେ। ସୂଚନାଥାଉକି ଗତ ଦୁଇ ଦିନ ତଳେ ଅନୁରୂପ ଭାବେ ସତ୍ୟବ୍ରତ ଚିଲିକା ବିଡ଼ିଓଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏଭଳି ପ୍ରୟାସ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବିମାନେ ସତ୍ୟବ୍ରତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।