Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ “ସ୍ୱର୍ଣ୍ଣିମ ବିଜୟ ମଶାଲ” କୁ ସ୍ୱାଗତ

ଭୁୁବନେଶ୍ୱର: ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତି ଉପଲକ୍ଷେ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ “ସ୍ୱର୍ଣ୍ଣିମ ବିଜୟ ମଶାଲ”କୁ ଆଜି ସକାଳେ ଭୁବନେଶ୍ୱର ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପରିସରରେ ସ୍ୱାଗତ କରାଯାଇଛି ।

ଆଜି ୧୨୦ ବାଟାଲିୟନସ୍ଥିତ ଆର୍ମି ଷ୍ଟେସନ ହେଡ୍‌କ୍ୱାର୍ଟର୍ସଠାରୁ ବିଜୟ ମଶାଲ ଯାତ୍ରା କରି ଓ.ୟୁ.ଓ.ଟିରେ ପହଁଚିବା ପରେ ଓଡିଶା ଏନ.ସି.ସି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ କମୋଡର ସୋମେନ୍ ବାନାର୍ଜୀ ଏବଂ ବିଶ୍ୱବ୍ୟିାଳୟର କୁଳପତି ଡଃ. ପୱନ କୁମାର ଅଗ୍ରୱାଲଏହାକୁ ଗ୍ରହଣ କରିଥିଲେ । ଦେଶର ସୁରକ୍ଷା ଏବଂ ପଡୋଶୀ ବାଂଗଲା ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଶ୍ୱବ୍ୟିାଳୟର କୁଳପତିଙ୍କ ସମେତ ଅନ୍ୟ ଅତିଥିମାନେ ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ନିକଟରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପରେ ପରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ଉପଲକ୍ଷେ ବିଶ୍ୱବିଦ୍ୟାଳୟର ଏମ୍‌.ଏସ୍‌.ସ୍ୱାମୀନାଥନ ହଲ୍ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କୁଳପତି ଡଃ. ଅଗ୍ରୱାଲ କହିଲେ ଯେ, ସ୍ୱର୍ଣ୍ଣିମ ବିଜୟ ମଶାଲ ବିଶ୍ୱ ବିଦ୍ୟାଳୟକୁ ଆସିବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ପ୍ରତିରକ୍ଷା ବିନା ଦେଶର ସୁରକ୍ଷା ଓ ଉନ୍ନତି ସମ୍ଭବ ନୁହେଁ । ଦେଶପାଇଁ ୧୯୭୧ ଯୁଦ୍ଧରେ ଯେଉଁ ବୀର ଯବାନମାନେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ଆତ୍ମୋତ୍ସର୍ଗ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବୀର ଯୋଦ୍ଧାଙ୍କ ବୀରତ୍ୱ ଓ ଯୁଦ୍ଧର ସଫଳତା ପାଇଁ ଆମେ ସେମାନଙ୍କୁ ସଶ୍ରଦ୍ଧ ସମ୍ମାନ ଜଣାଉଛୁ ବୋଲି କୁଳପତି ଡଃ ଅଗ୍ରୱାଲ ପ୍ରକାଶ କରିଥିଲେ ।

କମୋଡର ଏସ୍‌.ବାନାର୍ଜୀ ୧୯୭୧ ଯୁଦ୍ଧ ସଂପର୍କରେ ବିଶଦ୍ ଭାବେ ବର୍ଣ୍ଣନା କରି କହିଲେ ଯେ, ଆମ୍ଭେମାନେ କେବଳ ଉତ୍ସବ ପାଳନରେ ସୀମିତ ନରହି ଯେଉଁ ବୀର ଯବାନମାନେ ଦେଶପାଇଁ ପ୍ରାଣବଳି ଦେଇଛନ୍ତି ଏବଂ ଦେଶର ସୁରକ୍ଷାରେ ନିୟୋଜିତ ରହିଛନ୍ତି, ସେମାନଙ୍କୁ ପ୍ରତିଦିନ ମନେ ପକାଇବାର ଆବଶ୍ୟକତା ରହିଛି । ଅନ୍ୟମାନଙ୍କ ମଧ୍ୟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଶିବକୁମାର ମିଶ୍ର( ବିଶ୍ୱ ବିଦ୍ୟାଳୟର ଆଲୁମିନି), ଓୟୁଏଟିର ରେଜିଷ୍ଟ୍ରାର ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି , ଡିନ୍ ,ଷ୍ଟୁଡେଣ୍ଟସ୍ େଓଲ୍ୱଫେୟାର ଡଃ. ଏଲ୍‌.କେ.ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ଓ ବିଜୟ ମଶାଲକୁ ସ୍ୱାଗତ ପରିପ୍ରେକ୍ଷୀରେ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୧୯୭୧ ଯୁଦ୍ଧ ସଂପର୍କିତ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ସହିତ ଅନୁଷ୍ଠିତ ଓଡିଆ ପ୍ରବନ୍ଧ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏନ୍‌,ସି.ସି ସ୍ୱେଚ୍ଛାସେବୀ, ଏନ୍‌.ଏସ୍‌.ଏସ୍ ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳନ କରାଯାଇଥିଲା । ପରେ ପରେ ବିଜୟ ମଶାଲକୁ ଭବ୍ୟ ସମ୍ମାନର ସହିତ ୧୨୦ ବାଟାଲିୟନକୁ ପ୍ରତ୍ୟାବର୍ତନ କରାଯାଇଥିଲା ।

ଅପରାହ୍ଣରେ ବିଜୟ ମଶାଲ ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ୫ ଜଣ ବୀର ଯୋଦ୍ଧା ଯଥା ଉଇଙ୍ଗ କମାଣ୍ଡର ଅଶୋକ କୁମାର ମହାନ୍ତି, ସ୍ୱର୍ଗତ ବ୍ରିଗେଡିୟର ନାରାୟଣ ନାୟକଙ୍କ ପତ୍ମୀ ଶ୍ରୀମତୀ ସୁନନ୍ଦା ନାୟକ, ସ୍ୱର୍ଗତ କର୍ଣ୍ଣେଲ ମହୀ ପ୍ରସାଦ ମହାନ୍ତିଙ୍କ ପତ୍ମୀ ଶ୍ରୀମତୀ ବିଜୟଲକ୍ଷ୍ମୀ ମହାନ୍ତି, ଲେଫଟନାଣ୍ଟ କର୍ଣ୍ଣେଲ ଶରତ କୁମାର ମହାପାତ୍ର ଏବଂ ବ୍ରିଗେଡିୟର ରାଜ ପଣ୍ଡାଙ୍କ ବାସଗୃହକୁ ଯାତ୍ରା କରିଥିଲା । ସମସ୍ତ ସ୍ଥାନରେ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯିବା ସହିତ ବୀର ଯୋଦ୍ଧାମାନେ ସେମାନଙ୍କର ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ ସମୟର ଓ ଅନୁଭୂତି ସଂପର୍କରେ ବ୍ୟାଖ୍ୟା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ (ସ୍ୱତନ୍ତ୍ର ଅପରେସନ) ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ପୂର୍ବାହ୍ଣରେ ବିଜୟ ମଶାଲକୁ ୧୨୦ ବାଟାଲିୟନ ତରଫରୁ କର୍ଣ୍ଣେଲ ଯଶୱନ୍ତ ସିଂ ସାମରିକ ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ସେନା ସୁରକ୍ଷାବଳ(ବି.ଏସ୍‌.ଏଫ) କାର୍ଯ୍ୟାଳୟରେ ପହଁଚାଇଥିଲେ। ସୀମା ସୁରକ୍ଷା ବଳର ଉପ ମହା ନିରୀକ୍ଷକ (ବି.ଏସ୍‌.ଏଫ୍‌) ଧୀରେନ୍ଦ୍ର କୁମାର ମଶାଲକୁ ଭବ୍ୟ ସମ୍ମାନର ସହ ଗ୍ରହଣ କରିବା ପରେ ଏହାକୁ କାର୍ଯ୍ୟାଳୟ ଠାରେ ଅବସ୍ଥାପିତ କରାଯାଇଥିଲା।

ଏଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପ ମହାନିରୀକ୍ଷକ କୁମାର ବି.ଏସ୍‌.ଏଫ୍ ର ଯବାନମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସୀମା ସୁରକ୍ଷା ବଳ, ଭାରତୀୟ ପଦାତିକ ବାହିନୀ ସହ ସମ ତାଳରେ ବାୟୁସେନା ଏବଂ ନୌସେନା ସହିତ ସାମିଲ ହୋଇ ବୀରତ୍ୱର ଉଲ୍ଲେଖନୀୟ ପରାକାଷ୍ଟା ବଳରେ ପାକିସ୍ତାନକୁ ପରାସ୍ତ କରିଥିଲେ। ଏହି ବିଜୟ ଫଳରେ ବାଂଲାଦେଶ କିପରି ଏକ ନୂତନ ରାଷ୍ଟ୍ର ଭାବେ ଜନ୍ମ ନେଇଥିଲା, ସେ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଯୁଦ୍ଧରେ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଥିବା ବାୟୁସେନା, ନୌସେନା ସହ ସୀମା ସୁରକ୍ଷା ବଳର ବୀର ଯବାନମାନଙ୍କୁ ବୀର ଚକ୍ର, ପରମବୀରଚକ୍ର ଆଦି ସମ୍ମାନରେ ଭୂଷିତ କରାଯାଇଥିବା ସଂପର୍କରେ ସେ ବିଶେଷ ଭାବେ ବର୍ଣ୍ଣନା କରିଥିଲେ। ଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ବୀର ଯବାନମାନଙ୍କର ତ୍ୟାଗ ଓ ଆତ୍ମୋତ୍ସର୍ଗ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସେନା ବଳ ଦରଫରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱର୍ଣ୍ଣିମ ବିଜୟ ବର୍ଷ ପୂର୍ତ୍ତି: ଚିଲିକାର ବିଭିନ୍ନ ସ୍ଥାନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ଚିଲିକା: ୧୯୭୧ ମସିହାର ଭାରତ ଓ ପାକିସ୍ତାନ ଯୁଦ୍ଧ ହେଉଛି ଏକ ସ୍ବର୍ଣ୍ଣିମ ଇତିହାସ। ଯେଉଁ ଯୁଦ୍ଧଦ୍ୱାରା ବାଂଲାଦେଶ ପାଇଥିଲା ନୂତନ ଜୀବନ। ଉକ୍ତ ଯୁଦ୍ଧ ୧୯୭୧ ମସିହା ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ସମାପ୍ତ ହୋଇଥିଲା। ଚୁରମାର ହୋଇଯାଇଥିଲା ପାକିସ୍ତାନର ଗର୍ବ ଓ ଅହଂକାର।

ଯୁଦ୍ଧର ଇତିହାସକୁ ଭାରତ ବାସୀଙ୍କ ମନରେ ଉଜ୍ଜୀବିତ ରଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୬ ତାରିଖ ୨୦୨୦ ମସିହାରେ ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲ ହଲ ଠାରେ ବିଜୟ ମଶାଲ ରେ ପ୍ରଥମେ ଅଗ୍ନି ସଂଯୋଗ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯାହାକି ଭାରତର କୋଣ ଅନୁକୋଣରେ ଭାରତ ବିଜୟର ଗାଥା ଲୋକମାନଙ୍କ ମନରେ ଉଜ୍ଜୀବିତ କରିବା ସହ ଭାରତବାସୀ ଗର୍ବ ଅନୁଭବ କରିବେ।

ମଶାଲ ଶୋଭାଯାତ୍ରା ୨୦୨୧ ମସିହା ଡିସେମ୍ବର ୧୬ ତାରିଖରେ ଶେଷ ହେବାକୁ ଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକାଠାରେ ଥିବା ଆଇଏନଏସ ଚିଲିକାର କମାଣ୍ଡିଙ୍ଗ ଅଫିସର, କମୋରେଡ଼ ଏନ ପି ପ୍ରଦୀପଙ୍କ ନିର୍ଦ୍ଦେଶକ୍ରମେ ଆଇଏନଏସ ଚିଲିକାର ପ୍ରିନସିପାଲ ମେଡିକାଲ ଅଫିସର ସର୍ଜନ କମାଣ୍ଡର ସ୍ମିତାରାଣୀ ନାୟକଙ୍କ ନେତୃତ୍ୱରେ ବଡ଼କୂଳ ପାନ୍ଥନିବାସ ଠାରେ ପହଞ୍ଚିଥିଲା ସ୍ୱର୍ଣ୍ଣିମ ବିଜୟ ମଶାଲ। ସେଠାରେ ମତ୍ସ୍ୟଜୀବୀ ସଂଘ ଉକ୍ତ ମଶାଲକୁ ସ୍ବାଗତ କରିଥିଲେ।

ଏହା ପରେ ଅପରାହ୍ନରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ପହଞ୍ଚିଥିଲା ସ୍ବର୍ଣ୍ଣିମ ବିଜୟ ମଶାଲ। ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଏନସିସି ର ଛାତ୍ର ଛାତ୍ରୀମାନେ ମଶାଲକୁ ସ୍ୱାଗତ କରିବା ସହ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ ମଧ୍ୟ କରିଥିଲେ। ସଭାରେ ସର୍ଜନ କମାଣ୍ଡର ସ୍ମିତା ନାୟକ ୧୯୭୧ ମସିହା ଯୁଦ୍ଧର ସେହି ସ୍ବର୍ଣ୍ଣିମ ବିଜୟ ଇତିହାସକୁ ସମସ୍ତଙ୍କ ଆଗରେ ଉପସ୍ଥାପନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଆଗରେ ସହିଦ ହୋଇଥିବା ବୀର ଜବାନ ମାନଙ୍କର ବଳିଦାନକୁ ମନେପକାଇଥିଲେ ଏବଂ ଏହି ବିଜୟ ମଶାଲ ପୁଣି ବାଣପୁରର ଆଦିବାସୀ ବହୁଳ ଅଞ୍ଚଳ ନୀଳାଦ୍ରି ପ୍ରସାଦକୁ ଯାତ୍ରା କରିବା ସହ ପରିଶେଷରେ ସଂନ୍ଧ୍ୟାରେ ବାଣପୁର ପୋଲିସ ଥାନା ପହଞ୍ଚିଥିଲା।

ସ୍ଥାନୀୟ ବିଇଓ କାର୍ଯ୍ୟାଳୟ ନିକଟରୁ ବାଣପୁର ଥାନା ପର୍ଯ୍ୟନ୍ତ ବିଜୟ ମଶାଲକୁ ଗର୍ବର ସହ ପାଛୋଟିନେଇଥିଲେ ସ୍ଥାନୀୟ ବୁଦ୍ଧିଜୀବୀମାନେ। କୋଭିଡ଼ କଟକଣାକୁ ଅନୁପାଳନ କରି ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ବାଣପୁର ଥାନା ପରିସରରେ ଏକ କ୍ଷୁଦ୍ର ସାଧାରଣ ସଭାର ଆୟୋଜନ କରାଯାଇଥିବା ବେଳେ ଏହାକୁ ବାଣପୁର ଆଇଆଇସି ପରିଚାଳନା କରିଥିଲେ।

ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମକବୋଧ ସଂଗୀତ ଗାନ କରାଯିବା ସହ ସ୍ୱର୍ଣ୍ଣିମ ବିଜୟ ଇତିହାସକୁ ଜନସାଧାରଣଙ୍କ ସମ୍ମୁଖରେ ଅବଗତ କରାଯାଇଥିଲା। ତେବେ ଉକ୍ତ ମଶାଲ ଆସନ୍ତାକାଲି ଓଡ଼ିଶାର ରାଜଭବନ ପହଞ୍ଚିବ ବୋଲି ଆଇଏନଏସ ଚିଲିକା ପକ୍ଷରୁ ସୂଚନା ମିଳିଛି।