ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ

Published: Nov 1, 2021, 6:15 pm IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ (ସ୍ୱତନ୍ତ୍ର ଅପରେସନ) ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ପୂର୍ବାହ୍ଣରେ ବିଜୟ ମଶାଲକୁ ୧୨୦ ବାଟାଲିୟନ ତରଫରୁ କର୍ଣ୍ଣେଲ ଯଶୱନ୍ତ ସିଂ ସାମରିକ ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ସେନା ସୁରକ୍ଷାବଳ(ବି.ଏସ୍‌.ଏଫ) କାର୍ଯ୍ୟାଳୟରେ ପହଁଚାଇଥିଲେ। ସୀମା ସୁରକ୍ଷା ବଳର ଉପ ମହା ନିରୀକ୍ଷକ (ବି.ଏସ୍‌.ଏଫ୍‌) ଧୀରେନ୍ଦ୍ର କୁମାର ମଶାଲକୁ ଭବ୍ୟ ସମ୍ମାନର ସହ ଗ୍ରହଣ କରିବା ପରେ ଏହାକୁ କାର୍ଯ୍ୟାଳୟ ଠାରେ ଅବସ୍ଥାପିତ କରାଯାଇଥିଲା।

ଏଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପ ମହାନିରୀକ୍ଷକ କୁମାର ବି.ଏସ୍‌.ଏଫ୍ ର ଯବାନମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସୀମା ସୁରକ୍ଷା ବଳ, ଭାରତୀୟ ପଦାତିକ ବାହିନୀ ସହ ସମ ତାଳରେ ବାୟୁସେନା ଏବଂ ନୌସେନା ସହିତ ସାମିଲ ହୋଇ ବୀରତ୍ୱର ଉଲ୍ଲେଖନୀୟ ପରାକାଷ୍ଟା ବଳରେ ପାକିସ୍ତାନକୁ ପରାସ୍ତ କରିଥିଲେ। ଏହି ବିଜୟ ଫଳରେ ବାଂଲାଦେଶ କିପରି ଏକ ନୂତନ ରାଷ୍ଟ୍ର ଭାବେ ଜନ୍ମ ନେଇଥିଲା, ସେ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଯୁଦ୍ଧରେ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଥିବା ବାୟୁସେନା, ନୌସେନା ସହ ସୀମା ସୁରକ୍ଷା ବଳର ବୀର ଯବାନମାନଙ୍କୁ ବୀର ଚକ୍ର, ପରମବୀରଚକ୍ର ଆଦି ସମ୍ମାନରେ ଭୂଷିତ କରାଯାଇଥିବା ସଂପର୍କରେ ସେ ବିଶେଷ ଭାବେ ବର୍ଣ୍ଣନା କରିଥିଲେ। ଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ବୀର ଯବାନମାନଙ୍କର ତ୍ୟାଗ ଓ ଆତ୍ମୋତ୍ସର୍ଗ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସେନା ବଳ ଦରଫରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Related posts