Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ପରିସରରେ ଆୟୋଜିତ ହେବ ଆଇକନିକ୍‌ ସପ୍ତାହ: ଜାଣନ୍ତୁ କାର୍ଯ୍ୟସୂଚୀ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ ପାଳନ କରାଯାଉଛି। ଆଜି ନେତାଜୀଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିଆରପିଏଫ, ଆଇଟିବିପି ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ନେତାଜୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଆଜି ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଠାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ସ୍ଥାନ ଆନନ୍ଦ ଭବନ ପର୍ଯ୍ୟନ୍ତ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସିଆରିପିଏଫ, ଆଇଟିବିପି ଏବଂ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେବେ।  ସେହିପରି ସକାଳ ସାଢ଼େ ୭ଟା ଠାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ କରାଯିବ। ଏହା କଟକ ଇନଡୋର ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ସାରଳ ଭବନ, ଡିୟର ପାର୍କ, ରିଙ୍ଗ ରୋଡ, ରିଙ୍ଗ ରୋଡ, କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନ, ସିଲଭର ସିଟି ବୋଟ କ୍ଲବ, ସେଣ୍ଟ ଯୋଶେଫ ସ୍କୁଲ, ବିଜୁ ପଟ୍ଟନାୟକ ଛକ, ଆନନ୍ଦ ଭବନ ଆଦି ସ୍ଥାନ ଦେଇ ପୁଣି ଇନଡୋର ଷ୍ଟାଡିୟମରେ ପହଞ୍ଚିବ। ଏଥିରେ ମଧ୍ୟ ୪୦ ଜଣ ସିଆରପିଏଫ ଯବାନ, ୨୦ ଜଣ ଆଇଟିବିପି ଯବାନ, ସାଧାରଣ ନାଗରିକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହାଛଡ଼ା ସମାନ ସ୍ଥାନରେ ସକାଳ ସାଢ଼େ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଇକେଲ ରାଲି ଆୟୋଜନ କରାଯିବ।

କଟକ ଷ୍ଟୁଆର୍ଟ ସ୍କୁଲ ପରିସରରେ ପରିସରରେ ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ କରାଯିବ। ରେଭେନ୍ସ କଲେଜିଏଟ୍‌ ସ୍କୁଲ କ୍ୟାମ୍ପସରେ ସକାଳ ୧୦ଟା ୨୦ରୁ ୧୧ଟା ମଧ୍ୟରେ ବୃକ୍ଷରୋପଣ କରାଯିବ। କଟକ ସହିଦ ଭବନ ପରିସରରେ ଡାକ ଟିକେଟ ପ୍ରଦର୍ଶନୀ, ଯୁଦ୍ଦାସ୍ତ୍ର ପ୍ରଦର୍ଶନୀ, କବି ସମ୍ମିଳନୀ ଆୟୋଜନ କରାଯିବ। ସେହିପରି ଅପରାହ୍ଣ ସାଢ଼େ ୫ଟାରେ ସହିଦ ଭବନ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଚଳିତ ବର୍ଷ ନେତାଜୀ ଜୟନ୍ତୀ ସମାରୋହକୁ ଜନଭାଗିଦାରୀ ମାଧ୍ୟମରେ ଦେଶବ୍ୟାପୀ ବ୍ୟାପକ ଆକାରରେ ଆୟୋଜନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇକନିକ୍‌ ସପ୍ତାହ: କଟକରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ ପାଳନ କରାଯାଉଛି। ଜାନୁଆରୀ ୨୦ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିଆରପିଏଫ, ଆଇଟିବିପି ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ନେତାଜୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତା ୨୦ ତାରିଖ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ହାଇକୋର୍ଟ ଠାରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସିଆରପିଏଫ, ଆଇଟିବିପି ଏବଂ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେବେ।  ସେହିପରି ସକାଳ ସାଢ଼େ ୭ଟା ଠାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ହାଇକୋର୍ଟରୁ ନେତାଜୀଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ କରାଯିବ। ଏଥିରେ ମଧ୍ୟ ସିଆରପିଏଫ ଓ ଆଇଟିବିପି ଯବାନ, ସାଧାରଣ ନାଗରିକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହାଛଡ଼ା ସମାନ ସ୍ଥାନରେ ସକାଳ ସାଢ଼େ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଇକେଲ ରାଲି ଆୟୋଜନ କରାଯିବ।

ଅନ୍ୟପକ୍ଷରେ ଖୋର୍ଦ୍ଧାସ୍ଥିତ ଆଇଟିବିପି ଶିବିର ଏବଂ ଭୁବନେଶ୍ବରସ୍ଥିତ ସିଆରପିଏଫ ଗ୍ରୁପ କେନ୍ଦ୍ର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କଟକ ଷ୍ଟିୱ।ର୍ଟ କଲେଜ ପରିସରରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ କରାଯିବ। ଅପରାହ୍ନ ୫ଟାରେ କଟକ ସାରଳା ଭବନ ପରିସରରେ ଆଇଟିବିପି ଏବଂ ସିଆରପିଏଫ ପକ୍ଷରୁ ସହିଦଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଠାରେ ସାଢ଼େ ୫ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।  କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଡାକ ଟିକଟ ପ୍ରଦର୍ଶନୀ ଏବଂ ନେତାଜୀଙ୍କ ଜୟନ୍ତୀ ଉପରେ ଡାକ ଟିକଟ ଉନ୍ମୋଚନ କରାଯିବ। ସେହିପରି ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। କଟକସ୍ଥିତ ଓଡ଼ିଶା ସାହିତ୍ୟ ଏକାଡେମୀ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।

ଚଳିତ ବର୍ଷ ନେତାଜୀ ଜୟନ୍ତୀ ସମାରୋହକୁ ଜନଭାଗିଦାରୀ ମାଧ୍ୟମରେ ଦେଶବ୍ୟାପୀ ବ୍ୟାପକ ଆକାରରେ ଆୟୋଜନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାଧୀନତାର ଅମୃତ ମହୋତ୍ସବର ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କାର ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍‌ଦର୍ଶନ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଆଜି ସନ୍ଧ୍ୟାରେ ରାଜଭବନଠାରେ ଅନୁଷ୍ଠିତ ସ୍ୱାଧୀନତାର ଅମୃତ ମହୋତ୍ସବ ରାଜ୍ୟ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ। ଏଥିରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ଏବଂ ଦେଶ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଦ୍ୱାରା ଅନେକ ସମ୍ଭାବନା ସୃଷ୍ଟି କରିଛନ୍ତି ଏବଂ ଆଗାମୀ ଦିନରେ ଏହି ସମ୍ଭାବନାର ସଦୁପଯୋଗ କରି ରାଜ୍ୟ ଓ ରାଷ୍ଟ୍ରର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ସେମାନଙ୍କର ପ୍ରତିଭା ରାଜ୍ୟ ପାଇଁ ବରଦାନ ସଦୃଶ ବୋଲି ରାଜ୍ୟପାଳ କହିଥିଲେ । ‘ଆଦିଶକ୍ତି’ର ସନ୍ତାନ ଭାବେ ସମସ୍ତେ ନିଜର ଅନ୍ତଃଶକ୍ତିର ବିକାଶ କରି ନିଜର ଜୀବନକୁ ଯଥାର୍ଥ କରିବା ପାଇଁ ପ୍ରୟାସରତ ରହିବେ ବୋଲି ସେ କହିଥିଲେ । ସମଗ୍ର ବ୍ରହ୍ମାଣ୍ଡ ପ୍ରେମ ଓ ସତ୍ୟ ଦ୍ୱାରା ସୃଷ୍ଟି ଓ ଏହାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟପାଳ ସମ୍ବାଦ ଗ୍ରୁପ୍‌କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିଜ ଅଭିଭାଷଣରେ ରାଜ୍ୟପାଳଙ୍କ ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବାଦ ଗ୍ରୁପ୍‌ର ପରିଚାଳନା ପ୍ରଶଂସନୀୟ ବୋଲି କହିଥିଲେ । ଏହିପରି କାର୍ଯ୍ୟକ୍ରମ ବର୍ତ୍ତମାନର ପିଲାମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ସେହି ମହନୀୟ ଗାଥା ସଂପର୍କରେ ଅଧିକ ପରିଚିତ କରାଇବ ବୋଲି କହିବା ସହ ଆଜିର ଛାତ୍ର ଆସନ୍ତାକାଲିର ସଫଳ ନାଗରିକ ହେବେ ବୋଲି ଦୃଢ଼ ଆଶାପୋଷଣ କରିଥିଲେ ଓ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ରାଜ୍ୟ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା, କ୍ରୀଡ଼ାର ରାଜଧାନୀ ଆଦି ଅନେକ କ୍ଷେତ୍ରରେ ପ୍ରଶଂସନୀୟ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।

‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଗୋଟିଏ ଗୋଟିଏ ରନି ବୋଲି ଅଭିହିତ କରିବା ସହ ସେମାନଙ୍କୁ ନେଇ ରାଜ୍ୟ ଗର୍ବିତ ବୋଲି କହିଥିଲେ । ଜିଲ୍ଲା ଓ ରାଜ୍ୟସ୍ତରରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଛାତ୍ରୀ, ଯାହା ନାରୀ ସଶକ୍ତିକରଣର ବାର୍ତ୍ତା ବହନ କରୁଛି ବୋଲି କହିଥିଲେ । ପ୍ରବନ୍ଧ ପ୍ରତିଯୋଗିତା ଅବସରରେ ପ୍ରତିଯୋଗୀମାନଙ୍କର ପ୍ରଶ୍ନ, ସ୍ୱପ୍ନ ଓ ବିଚାର ବାସ୍ତବିକ ବିଶେଷ ମହତ୍ତ୍ୱ ବହନ କରୁଛି ବୋଲି କହିଥିଲେ ଓ ପ୍ରତିଯୋଗିତାର ସଫଳ ଆୟୋଜନ କରି ‘ସମ୍ବାଦ ଗ୍ରୁପ୍‌’ ରାଜ୍ୟପାଳଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ରାଜ୍ୟ ସଂପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଅଭିଭାଷଣ ସହ ପ୍ରତିଯୋଗିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ପ୍ରଥମ ପୁରସ୍କାର ବିବେଚିତ ପ୍ରତିଯୋଗୀଙ୍କୁ ପଚାଶ ହଜାର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ତିରିଶ ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ କୋଡ଼ିଏ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ଇଂରାଜୀରେ ଶାଶ୍ୱତୀ ନାୟକ, ସୃଷ୍ଟି ସ୍ମରଣିକା ବିଶି, ସାଂଚି ଅଗ୍ରୱାଲ ଓ ଓଡ଼ିଆରେ କୁମାରୀ ସାଇପି୍ରୟା ଗିରି, ସ୍ୱପ୍ନଜିତ ନାୟକ, ସ୍ୱାଗତିକା ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥି ପୂର୍ବରୁ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରରେ କୃତି ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଉତ୍ସବରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଏବିଭିପି ପକ୍ଷରୁ ଜୁନାଗଡ ଠାରେ ୧୦୦ ଫୁଟର ତ୍ରିରଙ୍ଗା ଯାତ୍ରା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କଳାହାଣ୍ଡି ତରଫରୁ ଜୁନାଗଡରେ ଆଜି ଏକ ତ୍ରିରଙ୍ଗା ଶୋଭା ଯାତ୍ରା କରାଯାଇଛି। ଏହି ତ୍ରିରଙ୍ଗା ଯାତ୍ରାରେ ଏକ ୧୦୦ ଫୁଟର ତ୍ରିରଙ୍ଗାକୁ ବିଦ୍ୟାର୍ଥୀ ମାନେ ଧରି ଭାରତ ମାତାର ଜୟଗାନ କରି ଯାତ୍ରା କରିଥିଲେ।

ଏହି ଶୋଭାଯାତ୍ରା ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଜୁନାଗଡ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଭିନ୍ନ କଲେଜରୁ ୨୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଯୋଗ ଦେଇଥିଲେ। ଏଥିରେ ଏବିଭିପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜୁନାଗଡ ନଗର ସମ୍ପାଦକ ସୌରଭ ମିଶ୍ର, ଯୁବ ସମାଜ ସେବି ଦିବ୍ୟ ଦୀପ, ଭୂଷଣ ମେହେର, ସଞ୍ଜୀବ ମାଝି, ଶୋଭିତା କୈବର୍ତ୍ତଙ୍କ ନେତୃତ୍ୱରେ ହୋଇଥିଲା।

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ସହିତ ପୂର୍ଣ୍ଣ ବନ୍ଦେ ମାତରଂ ଗାନ ପରେ ଯାତ୍ରା ଟି ସମାପ୍ତ ହୋଇଥିଲା। ଏକ ଗାଁ ଏକ ତ୍ରିରଙ୍ଗା ପାଇଁ ଯୋଜନା ମଧ୍ୟ ଏହି ଥିଲା। ଏହି ଯୋଜନା ମାଧ୍ୟମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ୨୦୦ ରୁ ଉର୍ଦ୍ଧ୍ଵ ଗ୍ରାମରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିନ ତ୍ରିରଙ୍ଗା ଉଡ଼ା ଯିବ ବୋଲି ଜୁନାଗଡ ନଗର ସମ୍ପାଦକ ସୌରଭ ମିଶ୍ର ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜଭବନରେ ସ୍ୱାଧୀନତାର ଅମୃତ ମହୋତ୍ସବ ଚଉଦ ଚିତ୍ରଶିଳ୍ପୀ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାମହରି ଜେନା, ବଳଦେବ ମହାରଥା, ରବିନାରାୟଣ ରଥ, ପ୍ରବୋଧ କୁମାର ସାହୁ, ଚକ୍ରଧର ବେହେରା, ପ୍ରବୀର ଦଳାଇ, ଜନାର୍ଦ୍ଦନ ପରମଗୁରୁ, ମାନସ ରଞ୍ଜନ ଜେନା, ଚନ୍ଦ୍ରଶେଖର ସେଠୀ, ଶଶୀକାନ୍ତ ରାଉତ, ସୁବାସ ପୂଜାହାରୀ, ଅତସୀ ବସୁ, ବିଦୁ୍ୟତଲତା ପାଟ୍ଟଶାଣୀ ଓ ମୋନାଲିସା ବିଶ୍ୱାଳ ଅଂଶଗ୍ରହଣ କରିଥିଲେ।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶିଳ୍ପୀମାନଙ୍କ ସର୍ଜନା ପ୍ରକ୍ରିୟା ଓ ଅବବୋଧ ସଂପର୍କରେ ପ୍ରଚାରି ବୁଝିଥିଲେ। ଶିଳ୍ପୀମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ ଓଡ଼ିଶା ମାଟିର ମହକରେ ବିପୁଳ ଆନନ୍ଦ ଓ ପୁଲକ ରହିଛି ଯାହା କଳା ମାଧ୍ୟମରେ ସାରା ବିଶ୍ୱକୁ ପ୍ରସାରିତ ହେବା ଦରକାର।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର, ଚିତ୍ତରଞ୍ଜନ ମହାନ୍ତି, ଗୌତମ ଚୌଧୁରୀ ପ୍ରମୁଖ ରାଜଭବନର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୃଷକ ସମ୍ମାନନିଧି ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ତଥା କୃଷି ଓ କୃଷକ ମଙ୍ଗଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କୃଷକ ସମ୍ମାନ ନିଧି ହିତାଧିକାରୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ପ୍ରାୟ ୧୦ କୋଟି ହିତାଧିକାରୀଙ୍କୁ ଏକାଦଶତମ କିସ୍ତି ଭାବରେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଜନ ମଙ୍ଗଳ କାର୍ଯ୍ୟକ୍ରମ ଗୁଡ଼ିକ ଜନସାଧାରଣଙ୍କ ଜୀବନ ଶୈଳୀକୁ କିପରି ସରଳ କରିଛି ଏବଂ ସମ୍ମିଶ୍ରଣ ଓ ପରିପୃଷ୍ଠତାର ସମ୍ଭାବନାକୁ ଅନୁସନ୍ଧାନ କରିବା, ଏହି ଭାବ ବିନିମୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଗରିବ ମାନଙ୍କର ଉନ୍ନତି କଳ୍ପେ ପ୍ରଧାନମନ୍ତ୍ରୀଙ୍କ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଥିବାରୁ ଏହି କାର୍ଯ୍ୟକ୍ରମର ନାମ ଗରିବ କଲ୍ୟାଣ ସମ୍ମେଳନ ରଖାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ନିମନ୍ତେ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।

କୌଶଲ୍ୟାଗଂଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା ଏବଂ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୦ କୃଷକ ପ୍ରତ୍ୟେକ୍ଷ ଭାବରେ ଯୋଗଦାନ କରିଥିଲାବେଳେ ଶତାଧିକ ଲୋକ ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌, ଟ୍ୟୁଟର, ୟୁଟ୍ୟୁବ୍‌, ଇଂଷ୍ଟାଗ୍ରାମ ମାଧ୍ୟମରେ ଦେଖିଥିଲେ।

ଏହି ଚର୍ଚ୍ଚିତ କର୍ଯ୍ୟକ୍ରମ ସାରା ଭାରତର ପ୍ରତ୍ୟେକ ଜିଲ୍ଲାର କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଆବାସ, ପାନୀୟଜଳ, ଖାଦ୍ୟ, ସ୍ୱାସ୍ଥ୍ୟ ଓ ପୁଷ୍ଟି, ଜୀବିକା ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଜନକଲ୍ୟାଣ ଯୋଜନା ଗୁଡ଼ିକ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ସୁବିଧା ନେବା ପାଇଁ ହିତାଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ଶିମିଳା ଠାରେ ହିତାଧିକାରୀଙ୍କ ସହ ଭାବବିନିମୟ କରିବା ପରେ ଦେଶର ଅନ୍ୟାନ୍ୟ କୃଷକମାନଙ୍କ ସହିତ ଭାବ ବିନିମୟ କରିଥିଲେ। କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା (ସିଫା) ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟି ଦିନ ୧୧ଟା ବେଳେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ଜାତୀୟ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ କେଭିକେ, ଖୋର୍ଦ୍ଧାର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଶ୍ରୀ ଅଜୟ କୁମାର ଦାଶ ପରିଚାଳନା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ

ପିଏମ୍ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଦେଶରେ ବର୍ଷବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଥିବା ସମୟରେ ଏହା ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଗୁଡିକର ଏକ ବୃହତ ସଂଯୁକ୍ତ ଆୟୋଜନ ୩୧ ମେ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ଆତିଥ୍ୟତାରେ ଅନୁଷ୍ଠିତ ହେବ। ଶ୍ରୀ ମୋଦୀ ଶିମଲା (ହିମାଚଳ ପ୍ରଦେଶ) ରେ “ଗରିବ କଲ୍ୟାଣ ସମ୍ମିଳନୀ” ନାମକ ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ, ୯ ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭାଗ ଗୁଡିକ ଦ୍ୱାରା ସଂଚାଳିତ ୧୬ଟି  ଯୋଜନା ଗୁଡିକର/ କାର୍ଯ୍ୟକ୍ରମ ଗୁଡିକର ହିତାଧିକାରୀ  ମାନଙ୍କ ସହିତ ଭିଡିଓ କନ୍‌ଫରେନସିଂ ଦ୍ୱାରା ବାର୍ତ୍ତାଳାପ କରିବେ ଏବଂ ସେ ୧୦ କୋଟିରୁ ଅଧିକ କୃଷକ ମାନଙ୍କୁ ୨୧ ହଜାର କୋଟି ଟଙ୍କାରୁ ଅଧିକ ପିଏମ୍ କିଷାନ ସମ୍ମାନ ନିଧିର ୧୧ତମ କିସ୍ତି ମଧ୍ୟ ଜାରି କରିବେ।

ଏହା ସହିତ ବିଭିନ୍ନ ରାଜ୍ୟ ଗୁଡିକର ରାଜଧାନୀ ସମୂହ, ଜିଲ୍ଲା ମୁଖ୍ୟାଳୟ ଗୁଡିକ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ (କେଭିକେ)ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳା ଅନ୍ତର୍ଗତ କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ସମୂହ (କେଭିକେ) ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳାର ଅଂଶ ଭାବେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପୁସା (ଦିଲ୍ଲୀ) ରେ କୃଷକ ମାନଙ୍କ ସହିତ ସାମିଲ୍ ହେବେ।

ଏହି ସମ୍ମିଳନୀ ଦେଶରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ ଏକକ କାର୍ଯ୍ୟକ୍ରମ ହେବ, ଯାହା ଅନ୍ତର୍ଗତ ସମସ୍ତ ଜିଲ୍ଲା ଗୁଡିକରେ ରାଷ୍ଟ୍ର ବ୍ୟାପୀ ବାର୍ତ୍ତାଳାପ ଅନୁଷ୍ଠିତ ହେବ ଏବଂ ଯେଉଁଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସ୍ୱଚ୍ଛ ଭାରତ ମିଶନ (ଉଭୟ ଗ୍ରାମୀଣ ଏବଂ ସହରୀ), ଜଳ ଜୀବନ ମିଶନ ଏବଂ ଅମୃତ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ୱାନ୍ ନେସନ୍ – ୱାନ୍ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଆୟୁଷ୍ମାନ ଭାରତ ପିଏମ୍ ଜନ ଆରୋଗ୍ୟ ଯୋଜନା,  ଆୟୁଷ୍ମାନ ଭାରତ ହେଲ୍‌ଥ ଆଣ୍ଡ ୱେଲନେସ୍ ସେଂଟର, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀ  ମାନଙ୍କ ସହିତ ଯୋଜନା ଗୁଡିକ/ କାର୍ଯ୍ୟକ୍ରମ ଗୁଡିକର ସେମାନଙ୍କର ଜୀବନ ଉପରେ ଯେଉଁ ପ୍ରଭାବ ପଡିବ ସେଗୁଡିକ ସମ୍ପର୍କରେ ଆଲୋଚନା କରିବେ।

ଦୁଇ ପର୍ଯ୍ୟାୟ ସମ୍ପନ୍ନ କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟ/ ଜିଲ୍ଲା/ କେଭିକେ ସ୍ତରର ସମାରୋହ ସକାଳ ୯.୪୫ ସମୟରେ ଆରମ୍ଭ ହେବ ଏବଂ ପ୍ରାୟ ୧୧ଟା ବେଳକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହିତ ଜୋଡି ହୋଇଯିବ। ଜାତୀୟ କାର୍ଯ୍ୟକ୍ରମକୁ ଦୂରଦର୍ଶନର ଜାତୀୟ ଏବଂ ଆଂଚଳିକ ଚ୍ୟାନେଲ୍ ଗୁଡିକରେ ସିଧା ପ୍ରସାରଣ କରାଯିବ। ମାଇଁ ଗଭ୍ (MyGov) ମାଧ୍ୟମରେ ଜାତୀୟ କାର୍ଯ୍ୟକ୍ରମକୁ ୱେବ୍‌କାଷ୍ଟ ମଧ୍ୟ କରାଯିବ, ଯେଉଁଥିରେ ଲୋକ ମାନେ ପଞ୍ଜୀକୃତ  କରି ପାରିବେ। ଏହା ଅନ୍ୟ ସାମାଜିକ ଗଣ ମାଧ୍ୟମ ଚ୍ୟାନେଲ୍ ଗୁଡିକରେ, ଯଥା-: ୟୁଟ୍ୟୁବ୍‌, ଫେସବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ୍ ଆଦି ମାଧ୍ୟମରେ ମଧ୍ୟ ଦେଖା ଯାଇ ପାରିବ।

Categories
ବିଶେଷ ଖବର ବ୍ୟବସାୟ

ରପ୍ତାନୀକାରୀଙ୍କ ମହାସମ୍ମିଳନୀ: ଆସନ୍ତା ବର୍ଷ ସୁଦ୍ଧା ଓଡିଶାର ରପ୍ତାନୀରେ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆଜି ମେ ଫେୟାର କନ୍‌ଭେନ୍‌ସନ୍‌ ହଲଠାରେ ‘ବାଣିଜ୍ୟ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରପ୍ତାନୀ କ୍ଷେତ୍ରରେ ୨୦୨୧-୨୨ ସୁଦ୍ଧା ଧାର୍ଯ୍ୟ ୪୦୦ ବିଲିୟନ୍‌ ଡଲାରରେ ପହଞ୍ଚାଇବାକୁ ହେବ ବୋଲି କହିଥିଲେ ।

ସେ ଦେଶର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଓଡ଼ିଶା ଉଭୟ ରପ୍ତାନୀ ଓ ଆମଦାନୀରେ ପଛରେ ରହିଥିବା ଦର୍ଶାଇ ଏ ଦିଗରେ ଆହୁରି ପ୍ରଗତି କରିବାକୁ ହେବ ବୋଲି ସେ କହିଥିଲେ। ଏ କ୍ଷେତ୍ରରେ କେତେକ ମୌଳିକ ସୁବିଧା ସୁଯୋଗର ଉପଲବ୍‌ଧ କରାଇବା ଉପରେ ସେ ଗୁରୁତ୍ୱାରୋପ କରି ଓଡ଼ିଶା ଏକ ଆଲୁମିନିୟମ୍‌ ଉତ୍ପାଦକ ରାଜ୍ୟ ଭାବେ ବହୁତ ସୁଯୋଗ ରହିଥିବା ସେ ପ୍ରକାଶ କରିଥିଲେ । ବାଣିଜ୍ୟ ସଂପର୍କିତ ସମସ୍ତ ପରିଷଦ ତା’ର କାର୍ଯ୍ୟାଳୟ ରାଜ୍ୟରେ ଖୋଲିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆମର ଶିଳ୍ପ ଅନୁକୂଳ ନୀତି ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ କୋଭିଡ୍‌ ଅଚଳାବସ୍ଥା ସତ୍ତେ୍ୱ ଆମେ ରପ୍ତାନୀକୁ ଦୁଇଗୁଣା ବୃଦ୍ଧି କରିପାରିଛୁ ବୋଲି କହିଥିଲେ । ତେବେ କେନ୍ଦ୍ର ସରକାର ବିଦେଶ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକଠାରୁ କଲିକତାକୁ ସ୍ଥାନାନ୍ତର ହେବା ପରେ ରପ୍ତାନୀକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ସମସ୍ୟା ଉପୁଜୁଥିବା ସେ ଦର୍ଶାଇଥିଲେ ।

ବିଶେଷ ଭାବେ ଗୋପାଳପୁର, ଧାମରା ପରି ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ବନ୍ଦରଗୁଡ଼ିକରେ ସିପିଂ ଲାଇନ୍‌ର, ରିଫରି କଣ୍ଟେନରର ସୁବିଧା ଯୋଗାଇବା ବହିର୍ବାଣିଜ୍ୟ ଯୋଗ୍ୟତା ଥାଇ ଜଣେ ରପ୍ତାନୀ ପ୍ରୋତ୍ସାହନ ଅଧିକାରୀ ନିଯୁକ୍ତି କରିବା, ବନ୍ଦରଗୁଡ଼ିକରେ ଶୀତଳଭଣ୍ଡାର ନିର୍ମାଣ, ପ୍ୟାକେଜିଂ ଓ ପରିମଳ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ ଆଦିକୁ ତ୍ୱରାନ୍ୱିତ କରାଗଲେ ଓଡ଼ିଶା ୨୦୨୧-୨୨ ମସିହା ବେଳକୁ ଧାର୍ଯ୍ୟ ୧ ଲକ୍ଷ କୋଟିରେ ପହଞ୍ଚିପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଗୁଜୁରାଟ ଓ ମହାରାଷ୍ଟ୍ର ପରି ପ୍ରମୁଖ ରପ୍ତାନୀକାରୀ ରାଜ୍ୟଗୁଡ଼ିକର ରପ୍ତାନୀରେ ହ୍ରାସ ଘଟୁଥିବାବେଳେ ଓଡ଼ିଶାରେ ଏହା ବୃଦ୍ଧି ପାଇ ନିତି ଆୟୋଗର ରିପୋର୍ଟ ଅନୁଯାୟୀ ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀ ସାହୁ କହିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏହା ଅଭିବୃଦ୍ଧି ନିମନ୍ତେ ପ୍ରକୃଷ୍ଟ ସମୟ ବୋଲି କହିବା ସହ ଆଗାମୀ ୨୫ ବର୍ଷରେ କ’ଣସବୁ ବିକାଶ କରିବା ତାକୁ ପର୍ଯ୍ୟାୟ କ୍ରମେ ଯୋଜନାରେ ପ୍ରତିଫଳିତ କରି ସ୍ୱାଧୀନତାର ଏକ ଶତାବ୍ଦୀ ବେଳକୁ ଆମକୁ କ’ଣ ଉପଲବ୍ଧି ହାସଲ କରିବା ତାହା ସ୍ଥିର କରିବାକୁ ହେବ ବୋଲି କହିଥିଲେ । ରପ୍ତାନୀଜନିତ ଋଣ ଯୋଗାଣ, ବୀମା, କାର୍ଗୋ ପରିଚାଳନା ଆଦି ସେବା ଯୋଗାଇଲେ ଏହି କ୍ଷେତ୍ରରେ ଅଧିକ ଆଖିଦୃଶିଆ ପ୍ରଗତି କରିପାରିବ ବୋଲି
କହିଥିଲେ ।

ଭାରତ ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ପରିସଂଖ୍ୟାନ ଉପଦେଷ୍ଟା ଡ. ପି.ସି. ମିଶ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୪୦୦ ବିଲିୟନ୍‌ ଲକ୍ଷ୍ୟଧାର୍ଯ୍ୟ ହାସଲ କରିବା ଦିଗରେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ । ଏହି ଅବସରରେ ଭାରତୀୟ ତୈଳବୀଜ ଏବଂ ଉତ୍ପାଦ ରପ୍ତାନୀ ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଶ୍ରୀ ଖୁସ୍‌ୱନ୍ତ ଜୈନ ଓଡ଼ିଶାର ରପ୍ତାନୀ ଚିତ୍ର ଉପସ୍ଥାପନ କରି ଏହାକୁ ଆହୁରି ବୃଦ୍ଧି କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ସାବତ ଏକ୍ସପୋର୍ଟର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅମି୍ରତା ସାବତ୍‌ କହିଲେ ଯେ ୨୫ ହଜାରରୁ କମ୍‌ର ରପ୍ତାନୀ କରୁଥିବା ରପ୍ତାନୀକାରୀଙ୍କୁ କେନ୍ଦ୍ର ଦ୍ରବ୍ୟ ଓ ସେବା କର ଏବଂ ରାଜ୍ୟ ଦ୍ରବ୍ୟ ଓ ସେବା କରରେ ରିହାତି ପ୍ରଦାନ କରିବା ପ୍ରାବଧାନ ଥିବା ହେତୁ ସେସବୁ ସୁବିଧା ଉପଲବ୍ଧ କରିବା ଆବଶ୍ୟକ । ବି-ୱାନ୍‌ ନିର୍ଦ୍ଦେଶକ ଶ୍ରୀ ରାଜେନ୍‌ ପାଢ଼ୀ କହିଲେ ଯେ ରାଜ୍ୟରୁ ଆକାଶ ମାର୍ଗରେ ବିଦେଶକୁ ରପ୍ତାନୀ କରିବା ପାଇଁ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ । ଏହା ଦ୍ୱାରା ସ୍ଥାନୀୟ ରପ୍ତାନୀକାରୀ ଲାଭବାନ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଇଇପିସି, କଲିକତାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀମତୀ ଅନୀମା ପାଣ୍ଡେ ଭର୍ଚୁଆଲ ମାଧ୍ୟମରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରପ୍ତାନୀ ସହ ଜଡ଼ିତ ଶିଳ୍ପଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ଥିବାବେଳେ ଇପିଏମ୍‌ ନିର୍ଦ୍ଦେଶକ ଶ୍ରୀ ଶରଣ କୁମାର ଜେନା, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍‌ ଆଲାମ୍‌, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନ, ଏମ୍‌ଏସ୍‌ଏମ୍‌ଇ ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ସାମୁଦି୍ରକ ମତ୍ସ୍ୟ ରପ୍ତାନୀ ସଂଘର ସଭାପତି ଶ୍ରୀ କମଳେଶ ମିଶ୍ର, ଉପମହାନିର୍ଦ୍ଦେଶକ ଡିଜିଏଫ୍‌ଟି, କଲିକତା ଶ୍ରୀ ଆନନ୍ଦ ମୋହନ ମିଶ୍ର, ମେସର୍ସ ଜେ.ପି. ହ୍ୟାଣ୍ଡଲୁମ୍‌ର ସତ୍ତ୍ୱାଧିକାରୀ ଶ୍ରୀ ଜେ.ବି. ସିଂ ପ୍ରମୁଖ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ବିଶେଷ ଭାବେ ରପ୍ତାନୀକାରୀମାନେ ରପ୍ତାନୀ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ଅଧିକ ଆଲୋକପାତ କରି ସେସବୁ ସମାଧାନ ପାଇଁ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।