Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ ଉଦଘାଟିତ

ଭୁବନେଶ୍ୱର: ମହିମା ପରମ୍ପରା କାହା ପାଇଁ ଧର୍ମ ହୋଇପାରେ, କାହା ପାଇଁ ସେମାନଙ୍କ ଠାରୁ ମିଳୁଥିବା ବାଉଁଶ ଛତା ଉପହାରର ବସ୍ତୁ ହୋଇପାରେ କିନ୍ତୁ ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ଓ ମହିମା ସଂସ୍କୃତିର ପରମ୍ପରାର ମାହାତ୍ମ୍ୟ ଉପରେ ଆୟୋଜିତ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଓଡ଼ିଶାର ଆତ୍ମା, ତା’ର ସାଧୁ ସଜ୍ଜନ ଓ ସନ୍ନ୍ୟାସୀମାନଙ୍କ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଏ ଦେଶର ଅନ୍ଧକାରାଚ୍ଛନ୍ନ ମଣିଷ ସମାଜକୁ ସେମାନେ ନିଜ ମହାନ୍‌ ଚିନ୍ତାଧାରା ଏବଂ ଭାବଧାରାରେ ଅନୁପ୍ରାଣିତ କରିଥାନ୍ତି। ଯେତେବେଳେ ସମାଜ ଅନ୍ଧକାରରେ ଥିଲା, ରାଜାରାଜୁଡା ଓ ଇଂରେଜ ଶାସନ ସହ ପ୍ରତିପ୍ରତ୍ତିଶାଳୀଙ୍କ ହାତରେ ସମାଜର ଦାୟିତ୍ୱ ଥିଲା, ସେ ସମୟରେ ମୃଷ୍ଟିମେୟ ଲୋକମାନେ ଏକ ବୃହତ ସମାଜକୁ ଉପେକ୍ଷା କରିଥିଲେ। ସେହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପରବ୍ରହ୍ଣ ଓ ନିରାକାରଙ୍କୁ ଆଖ୍ୟା ଦେବା ପାଇଁ ମହିମା ଗୋସାଇଙ୍କ ଅନନ୍ୟ ଭକ୍ତ ସନ୍ଥ କବି ଭୀମ ଭୋଇଙ୍କ ଆବିର୍ଭାବ ଓଡ଼ିଶାରେ ହୋଇଥିଲା।  ଭୀମ ଭୋଇ ସମାଜର କୁସ୍କାର, ଅନ୍ଧବିଶ୍ୱାସ, ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ। ତାଙ୍କ ସମୟରେ ଓଡ଼ିଶା ସାହିତ୍ୟରେ ସମାଜିକ ଉତ୍ଥାନର ନବଜାଗରଣର ସୁବର୍ଣ୍ଣ ଯୁଗର ଅଭ୍ୟୁଦୋୟ ହୋଇଥିଲା। ପ୍ରଜାତନ୍ତ୍ରିକ ସମାଜ ଗଣତନ୍ତ୍ରରେ ବିଶ୍ୱାସ କରେ। ଆଜି ବି ଅନେକ ଲୋକମାନେ ସମସ୍ୟାର ବାଟ ବନ୍ଧୁକର ତାକତରେ ଅଛି ବୋଲି କହୁଥିବା ବେଳେ ଓଡ଼ିଶାରେ ଦୀର୍ଘ ବର୍ଷ ପୂର୍ବେ ମହିମା ଗୋସାଇଁ ଓ ଭୀମ ଭୋଇଙ୍କ ପରି କ୍ରାନ୍ତିକାରୀମାନେ ସମାଜବାଦର ସଠିକ୍ ପ୍ରତିନିଧିତ୍ୱ କରିଥିଲେ। ଏମାନେ ଦାର୍ଶନିକ କାର୍ଲ ମାର୍କସଙ୍କ ଠାରୁ ବଡ ସମାଜବାଦୀ ଥିଲେ। ଅନ୍ୟ କାହାକୁ ଗାଳି ନ ଦେଇ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେବା ଭଳି କଳ୍ପନା କରିଥିଲେ।  ମହିମା ଧର୍ମର ମୁଁ ଅନୁୟାୟୀ, ଏହି ଧର୍ମ ମୋ ପାଇଁ ସଂସ୍କାର, ଉତ୍କଳୀୟ ପରମ୍ପରାକୁ ବିଶ୍ୱକୁ ନେବା ଦିଗରେ ମହିମା ଧର୍ମ ହେବ ସର୍ବଶ୍ରେଷ୍ଠ ମାଧ୍ୟମ।

ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ, ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ବାଜି ରାଉତ, ଧର୍ମପଦ, ଗୋପବନ୍ଧୁ ଦାସଙ୍କ ସହ ଦାସିଆ ବାଉରୀ, ବାଇମୁଣ୍ଡିଙ୍କ ପରି ସମାଜରେ କୀର୍ତ୍ତି ସ୍ଥାପନ କରିଥିବା ଲୋକମାନେ ସର୍ବଦା ନିଜ ଜାତି ଓ ସମାଜ ପାଇଁ ଆଗଭର ହୋଇଛନ୍ତି। ଓଡ଼ିଆ ଲୋକ ସମୟ ସମୟରୁ ସଂକୀର୍ଣ୍ଣ ବିଚାରରେ ନିଜକୁ ସୀମିତ ରଖିନାହିଁ। ଏଥିପାଇଁ ଓଡ଼ିଆ ଜାତିର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସମାଜର ଦୃଷ୍ଟିକୋଣ ସମାଜ କଲ୍ୟାଣ।

ସନ୍ଥ କବି ବଳରାମ ଦାସଙ୍କ ଲିଖିତ ଲକ୍ଷ୍ମୀ ପୂରାଣ ଓ ସନ୍ଥ କବିଙ୍କ ତତ୍ତ୍ୱ ସମାନ। ଗରିବ, ବଞ୍ଚିତ , ନିଷ୍ପେସିତ, ସମାଜର ତଳ ଲୋକମାନଙ୍କ ସେବା କଲେ ହିଁ ଭଗବାନ ମିଳିବେ, ଏହା ଓଡ଼ିଆ ଜାତିର ପରମ୍ପରା ଓ ସଂସ୍କାରରେ ଦୀର୍ଘଦିନରୁ ରହିଆସିଛି। ମହିମା ଧର୍ମର ସଂସ୍କୃତି ଓ ପରମ୍ପରା ଅନନ୍ୟ। ମହିମା ବିଚାର ତତ୍ତ୍ଵ ପାଞ୍ଚ ମୁଠା ନୁହେଁ, ମୁଠେ ଖାଇବାରେ ବିଶ୍ୱାସ କରେ। ମାତ୍ର ଆଜିର ଏ ସମ୍ମିଳନୀର ବମର୍ଷ କଣ ପାଇଁ? ଗାନ୍ଧିଜୀ ଖଦୀ ବସ୍ତ୍ର ପିନ୍ଧି ସ୍ୱଦେଶୀ ବସ୍ତ୍ରର ଆହ୍ୱାନ ଦେଇ ସମସ୍ତଙ୍କ ଆଦର୍ଶ ହୋଇଥିବା ବେଳେ ଶହେ ବର୍ଷ ପୂର୍ବରୁ ଜାତିପ୍ରଥା ବିରୋଧରେ କଷ୍ଟ ସହି ଏବଂ ମୁଠେ ଖାଇ ବଞ୍ଚିଥିବା ସନ୍ଥ କାହିଁକି ଅନାଲୋଚିତ? ମହିମା ଗୋସାଇଁ ଓ ସନ୍ଥ କବିଙ୍କ ବିଚାର ପ୍ରଭାବଶାଳୀ ଥିବା କାରଣରୁ ଜାତି ସଂଘର କାନ୍ଥରେ ଲେଖାଗଲା। ଏହା ବିଚାରକୁ ସେ ପର୍ଯ୍ୟନ୍ତ କିଏ ନେଲା? ଏହାକୁ ଜାଣିବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ପ୍ରଣାଳୀର ସଂସ୍କାରରେ ମହିମା ଗୋସାଇଁ ଏବଂ ଭୀମ ଭୋଇଙ୍କ ବିଚାର ଅନ୍ତର୍ନିହିତ। ଆଜି ସବକା ସାଥ-ସବକା ବିକାଶ- ସବକା ପ୍ରୟାସ-ସବକା ବିଶ୍ୱାସ ମୋଦିଙ୍କ ମୂଳ ମନ୍ତ୍ର ହୋଇଛି।

ସମାଜ ପାଇଁ ଉତ୍ସର୍ଗୀକୃତ ବିଚାରକୁ ନୂଆପିଢି ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଶ୍ୱବିଦ୍ୟାଳୟ ନେବା ଦରକାର। ସନ୍ଥକବି ଭୀମଭୋଇ ଚେୟାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଭାରତର ଦକ୍ଷିଣାଞ୍ଚଳରେ ଏବଂ ଦେଶ ବାହାରେ ମହିମା ଗୋସାଇଁଙ୍କ ନାଁରେ ଚେୟାର ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯିବ। ଆଜି ପ୍ରଥମ ଥର ପାଇଁ ହିନ୍ଦି ଭାଷାରେ ମହିମା ଧର୍ମ ସମ୍ପର୍କରେ ଲୋକାର୍ପିତ ପୁସ୍ତକଟିକୁ ସମାଜର ସବୁ ବର୍ଗର ଲୋକମାନେ ପଢନ୍ତୁ, ବିମର୍ଷ କରନ୍ତୁ ଓ ନିଜର ଅଭିବ୍ୟକ୍ତି ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବରେ ମହିମା ବିଚାରକୁ ସବୁ ଭାରତୀୟ ଭାଷାରେ ପହଞ୍ଚାଇବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ମହିମା ସାଧୁ ସନ୍ଥମାନେ ଓଡ଼ିଶାର ପୁଞ୍ଜି, ସଂସ୍କାର, ଓଡ଼ିଶାର ସ୍ପନ୍ଦନ। ସେମାନଙ୍କ ମାର୍ଗଦର୍ଶନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାର ସଂସ୍କୃତିକୁ ସୁରକ୍ଷିତ ରଖିବ। ବଞ୍ଚିତ ବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସରେ ଭରି ସମାଜର ମୂଳଧାରା ସହ ଯୋଡିବା ନେତୃତ୍ୱ ଦେଉଥିବାର ମହିମା ପରମ୍ପରା ସର୍ବଦା ବଜାୟ ରହୁ ବୋଲି ଶ୍ରୀ ପ୍ରଧାନ କାମନା କରିଥିଲେ। ମହିମା ସମାଜର ଆଶା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ସହଯୋଗୀ ହେବେ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ, ବିଜୟନଗରମ, କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ କୋରାପୁଟ, ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଲେଖକ, କବି, ସାହିତ୍ୟିକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାଗ ନେଇଛନ୍ତି। ସମ୍ମିଳନୀରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଯୋଡିହୋଇଥିବା ବ୍ୟକ୍ତିବିଶେଷଙ୍କୁ ଶୂନ୍ୟ ମନ୍ଦିର ଓ ମହିମା ଗାଦି ବୁଲିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏସସିଏସଟିଆରଟିଆଇ ପକ୍ଷରୁ ‘ଜନଜାତୀୟ ଗୌରବ ଦିବସ’ ପାଳନ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଆଦିବାସୀ ଜୀବନର ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୫କୁ ଦେଶବ୍ୟାପି ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଶୁଭାରମ୍ଭ  କରାଯାଇଛି।

ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗରେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଆୟୋଜିତ ବିଶେଷ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

‘‘ବିଳ୍ପବୀ ବିର୍ସା ମୁଣ୍ଡାଙ୍କ ବଳିଦାନ କେବଳ ଜନଜାତି ସଂପ୍ରଦାୟ ଲାଗି ପ୍ରେରଣା ନୁହେଁ, ବରଂ ସେ ସାରା ଦେଶ ପାଇଁ ଗର୍ବ ଓ ଗୌରବ। ତେଣୁ ତାଙ୍କ ବିଷୟରେ ଆଗାମୀ ପିଢ଼ିଙ୍କୁ ଜଣାଇବା ସହ ଏହି ଅବସରରେ ଆମ ଜନଜାତିଙ୍କ ଜୀବନ ତଥା ସେମାନଙ୍କ ଅନନ୍ୟ କଳା ଓ ସଂସ୍କୃତି ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆମେ ଜନଜାତି ବର୍ଗର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ ଓ ପ୍ରସାର କରିପାରିବା”, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଓଡ଼ିଶା ଜନଜାତି ଐତିହ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଆଦିବାସୀ କଳା ଓ କଳାକୃତିର ଲାଇଭ୍‌ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି କାର୍ଯ୍ୟକ୍ରମ କରାଯାଉଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ରୁପାରୋଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ଜନଜାତି ବର୍ଗଙ୍କ ଜୀବନ ଓ ସାଂସ୍କୃତିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ସ୍ୱାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଜନଜାତିଙ୍କ ଯୋଗଦାନ ସାରା ଦେଶରେ ଅଗ୍ରଣୀ ଥିଲା। ଜମି, ଜଙ୍ଗଲ ଓ ଜଳ ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ଆନ୍ଦୋଳନ ଆଜି ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି।’’ ଏହି ଅବସରରେ ସେ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଜନଜାତିଙ୍କ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ ଅବସରରେ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଏହା ପରିସରରେ ଚାଲିଥିବା ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତିର ଲାଇଭ୍‌ ଡେମୋ ଦେଖି ଆଦିବାସୀ ଶିଳ୍ପୀଙ୍କ ସହ କଥା ହୋଇଥିଲେ। ଶେଷରେ ଅନସୂଚିତ ଜାତି (କଲ୍ୟାଣ) ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଗଣ୍ଡ ଓ ପରଜା ଜନଜାତି ଉପରେ ଆଧାରିତ ଦୁଇଟି ପ୍ରାମଣିକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯରାଇଥିଲା।

ବରିଷ୍ଠ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲା ଟେଣ୍ଡା ସରକାରୀ ହାଇସ୍କୁଲର ଛାତ୍ରୀ ମାଣିକ ସିଂ ପ୍ରଥମ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ମେଘଡେଗା ସରକାରୀ ହାଇସ୍କୁଲର ଛାତ୍ରୀ ଜେନମଣି ମିଞ୍ଜ ଦ୍ୱିତୀୟ ଏବଂ ରାୟଗଡ଼ା କୁମ୍ଭିକୋଟା ସରକାରୀ ହାଇସ୍କୁଲର ଛାତ୍ର ନିଲୁ ପଡ଼ିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି କନିଷ୍ଠ ବର୍ଗରେ ସମ୍ବଲପୁର ସୁଣ୍ଢିମୁଣ୍ଡି ସରକାରୀ ହାଇସ୍କୁଲର ଛାତ୍ରୀ ଗାଙ୍ଗୀ ସଠ ପ୍ରଥମ, କୋରାପୁଟ ପୋଡ଼ାଗଡ଼ ସରକାରୀ ହାଇସ୍କୁଲର ଛାତ୍ରୀ ଲୀଲାବତୀ ମୁଦୁଲି ଦ୍ୱିତୀୟ ଏବଂ ବାଲେଶ୍ୱର ଢେଲିପାଳ ସରକାରୀ ହାଇସ୍କୁଲର ଛାତ୍ର ରାଜେନ୍ଦ୍ର ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମେରି ମାଟି ମେରା ଦେଶ ଅଭିଯାନ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି: ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ପ୍ରସାରଣ ଓ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ମୁମ୍ବାଇ ଠାରେ ମେରି ମାଟି ମେରା ଦେଶ ଅଭିଯାନ ଅଧୀନରେ ନେହରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଅମୃତ କଳସ ଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ନେହରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଠାକୁର ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନରେ ଅଂଶଗ୍ରହଣ କରିବା ଏବଂ ଆମ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ସହିଦ କରିଥିବା ସାହସୀ ଆତ୍ମାମାନଙ୍କୁ ସମ୍ମାନିତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ଏହି ପ୍ରୟାସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଦେଶ ନିର୍ମାଣ କାର୍ଯ୍ୟରେ ଯୋଗଦାନ କରିବାକୁ ନିବେଦନ କରିଥିଲେ ।

ସମଗ୍ର ଭାରତରୁ ସଂଗୃହୀତ ଏହି ପବିତ୍ର ମାଟି ଦିଲ୍ଲୀର ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାକୁ ଆକାର ଦେବ ବୋଲି ସେ କହିଛନ୍ତି । ଏହା ଆମର ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସବୁଠାରୁ ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି । ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ପାଇଁ ନିଜକୁ ସମର୍ପିତ କରିବାକୁ ସେ ନାଗରିକ ମାନଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

“ମେରୀ ମାଟି ମେରା ଦେଶ” ଅଭିଯାନର ପ୍ରଥମ ପର୍ଯ୍ୟାୟରେ ବିପୁଳ ଜନସାଧାରଣଙ୍କ ଅଂଶଗ୍ରହଣ

ଭୁବନେଶ୍ଵର: “ମେରୀ ମାଟି ମେରା ଦେଶ” ନାମକ ଏକ ଦେଶବ୍ୟାପୀ ଅଭିଯାନ 9 ଅଗଷ୍ଟ 2023 ରେ ଆରମ୍ଭ ହୋଇଥିଲା ଯେଉଁଥିରେ ଦେଶ ପାଇଁ ଜୀବନ ଦେଇଥିବା ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅଭିଯାନ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଉଦଯାପନୀ କାର୍ଯ୍ୟକ୍ରମ, ଯାହା 12 ମାର୍ଚ୍ଚ 2021 ରେ ଆରମ୍ଭ ହୋଇଥିଲା ଏବଂ ସାରା ଭାରତରେ 2 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜନସାଧାରଣଙ୍କ ଅଂଶଗ୍ରହଣ (ଜନ ଭାଗିଦାରୀ) ର ସାକ୍ଷୀ ରହିଥିଲା।

ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମୀ ତଥା ସୁରକ୍ଷା ବାହିନୀ ପାଇଁ ଉତ୍ସର୍ଗୀକୃତ ଶିଳାଫଳକମ ପ୍ରତିଷ୍ଠା ସହିତ ପଞ୍ଚ ପ୍ରଣ ଶପଥ ପାଠ, ବସୁଧା ବନ୍ଦନ, ବୀର ମାନଙ୍କର ବନ୍ଦନ ଅର୍ଥାତ ଆମର ବୀରମାନଙ୍କର ସାହସିକତା ଓ ବଳିଦାନକୁ ସମ୍ମାନ ଭଳି କାର୍ଯ୍ୟକ୍ରମ ରହିଛି।

ମେରୀ ମାଟି ମେରା ଦେଶ ଅଭିଯାନର ପ୍ରଥମ ପର୍ଯ୍ୟାୟ ବ୍ୟାପକ ବିସ୍ତାର ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଏକ ଅଭୂତପୂର୍ବ ସଫଳତା ବୋଲି ପ୍ରମାଣିତ ହୋଇଛି।  ଆଜି ପର୍ଯ୍ୟନ୍ତ 36 ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ 2.33 ଲକ୍ଷରୁ ଅଧିକ ଶିଳାଫଳକମ ନିର୍ମାଣ କରାଯାଇଛି। ଆଜି ପର୍ଯ୍ୟନ୍ତ ପ୍ରାୟ 4 କୋଟି ପଞ୍ଚ ପ୍ରଣ ଶପଥ ପାଠ ସେଲଫି ୱେବସାଇଟରେ ଅପଲୋଡ୍ ହୋଇଛି। ସାରା ଦେଶରେ 2 ଲକ୍ଷରୁ ଊର୍ଦ୍ଧ୍ଵ ବୀରଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବସୁଧା ବନ୍ଦନ ଥିମ୍ ଅନ୍ତର୍ଗତ 2.36 କୋଟିରୁ ଅଧିକ ସ୍ୱଦେଶୀ ଚାରା ରୋପଣ କରାଯାଇଛି ଏବଂ 2.63 ଲକ୍ଷ ଅମୃତ ଭାଟିକା ସୃଷ୍ଟି କରାଯାଇଛି।

ବର୍ତ୍ତମାନ ଏହି ଅଭିଯାନ ସାରା ଦେଶରେ ଅମୃତ କଳଶ ଯାତ୍ରା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ସାରା ଭାରତରେ ହେବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଘରକୁ ସାମିଲ୍ କରିବା। ଗ୍ରାମାଞ୍ଚଳର 6 ଲକ୍ଷରୁ ଅଧିକ ଗାଁରୁ ଏବଂ ଭାରତର ସହରାଞ୍ଚଳର ୱାର୍ଡରୁ ମାଟି ଏବଂ ଚାଉଳ ଶସ୍ୟ ସଂଗ୍ରହ କରାଯାଉଛି।

ଗ୍ରାମାଞ୍ଚଳରେ ଏହା ବ୍ଲକ ସ୍ତରରେ ମିଳିତ ହୋଇ ବ୍ଲକ ସ୍ତରୀୟ କଳଶ ସୃଷ୍ଟି କରିବ।  ରାଜ୍ୟ ରାଜଧାନୀରୁ ଏହାକୁ ଆନୁଷ୍ଠାନିକ ଭାବରେ ପଠାଇବା ପରେ ଏହି କଲଶ ଜାତୀୟ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଆସିବ। ସହରାଞ୍ଚଳରେ ମାଟି ୱାର୍ଡରୁ ସଂଗୃହିତ ହୋଇ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ମିଶ୍ରଣ ଏବଂ ପରିବହନ ପାଇଁ ଏହାକୁ ବୃହତ ସହରାଞ୍ଚଳକୁ ଅଣାଯାଉଛି। ଅନ୍ତିମ କାର୍ଯ୍ୟକ୍ରମ ପାଇଁ ଅକ୍ଟୋବର ଶେଷ ସୁଦ୍ଧା 8500 ରୁ ଅଧିକ କଲଶ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣ ଅନୁକୋଣରୁ ସଂଗୃହିତ ମାଟି ଅମୃତ ଭାଟିକା ଏବଂ ଅମୃତ ମେମୋରିଆଲରେ ରଖାଯିବ ଏବଂ ଆଜାଦି କା ଅମୃତ ମହୋତ୍ସବଙ୍କୁ ସ୍ମରଣ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ।

Categories
ଆଜିର ଖବର ରାଜ୍ୟ ଖବର

ସଂଗ୍ରାମୀ ମକର ଚରଣ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାରେ ହେବ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ। ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ ଭାବରେ ସେ ସାମାଜିକ ବିକାଶରେ ମଧ୍ୟ ମହତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି। ତାଙ୍କର ତ୍ୟାଗପୂତ ସରଳ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି।

ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟମର୍ଯ୍ୟଦା ସହ ସମ୍ପର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କରି କହିଛନ୍ତି ଯେ, ‘ଦେଶର ମହାନ ସୁପୁତ୍ର ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ। ମାତୃଭୂମିର ରକ୍ଷା ପାଇଁ ତାଙ୍କ ବଳିଦାନର କାହାଣୀ ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ।’

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସକାଳେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତି୍ରପାଠୀଙ୍କ କ୍ୟାପିଟାଲ ହସ୍‌ପିଟାଲ ଛକସ୍ଥିତ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ ପୂର୍ବକ ଏହି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନା ଖାଁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍‌ ଦାଶ, ସହକାରୀ ନିର୍ଦ୍ଦେଶିକା(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶବରୀ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତି୍ରପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସେ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଭାବେ ସମଗ୍ର ଦେଶରେ ପରିଚିତ ବୋଲି ପ୍ରକାଶ କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଆଦିବାସୀମାନଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳନ କରିଥିଲେ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ସେ ସରଳ ଜୀବନଯାପନ କରୁଥିଲେ। ତେଣୁ ଓଡ଼ିଶାବାସୀ ତାଙ୍କୁ ବହୁତ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ। ଜମିଦାରୀ ଉଚ୍ଛେଦ, ଓଡ଼ିଶା ଭୂସଂସ୍କାର ଆଇନ, ଶିକ୍ଷା, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଚିର ଅମର ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ସ୍ୱାଧୀନତା ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁରର ଶେଷ ସ୍ୱାଧୀନତା ସଂଗ୍ରାମୀ ରାଧାକାନ୍ତ ନାୟକଙ୍କ ଦ୍ଵାଦଶ କ୍ରିୟାରେ ଆଜି ସନ୍ଧ୍ୟାରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରକାଶ ଥାଉକି ରାଧାକାନ୍ତ ନାୟକ ୧୯୨୧ ମସିହାରେ ଐତିହାସିକ ପାଲଟଣ ପଡିଆ ନିକଟ ସାନହନ୍ତୁଆଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦେଶ ପରାଧୀନ ଥିବାବେଳେ ଯୁବକ ଅବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବାଣପୁର ଅଞ୍ଚଳର ତତ୍କାଳୀନ ସମୟରେ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ପର୍ଶୁରାମ ହରିଚନ୍ଦନ ଓ ପୂର୍ବତନ ବିଧ୍ୟାୟକ ରାମଚନ୍ଦ୍ର ପ୍ରହରାଜଙ୍କ ପ୍ରରୋଚନାରେ ସ୍ୱାଧୀନତା ଆନ୍ଦୋଳନରେ ରାଧାକାନ୍ତ ସାମିଲ ହୋଇଥିଲେ।

ତେବେ ଗତ ଫେବୃଆରୀ ୧୯ ତାରିଖ ରବିବାର ଦିନ ରାଧାକାନ୍ତ ତାଙ୍କ ପରିବାରବର୍ଗଙ୍କୁ ଛାଡି ଇହଲୀଳା ସମ୍ବରଣ କରିଥିଲେ। ଆଜି ତାଙ୍କର ଦ୍ୱାଦଶ କାର୍ଯ୍ୟରେ ଚିଲିକାର ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ପ୍ରମୁଖ ଯୋଗ ଦେଇ ରାଧାନାଥଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

Categories
ବିଶେଷ ଖବର

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ୱାଧୀନତା ସଂଗ୍ରାମୀ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’

ପ୍ରଦୀପ ସେନାପତି
ଭାରତର ସ୍ୱାଧୀନତା ସଂଗ୍ରାମର ମହାନ୍ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥାଆନ୍ତୁ ବା ବୀରଗତି ଲାଭକରିଥାଆନ୍ତୁ, ସମଗ୍ର ବିଶ୍ୱବାସୀଙ୍କ ନିକଟରେ ସେ ଅମର। ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ତାଙ୍କର ଜୟନ୍ତୀ ହିଁ ପାଳନ କରି ଆସିଛି। ତାଙ୍କର ମୃତ୍ୟୁ ନାହିଁ। ସେ ମୃତ୍ୟୁଞ୍ଜୟୀ ବୀର। ତାଙ୍କର ମହାନ୍ ଆଦର୍ଶ, ପୌରୁଷ, ବୀରତ୍ୱ, ବ୍ୟକ୍ତିତ୍ୱ ଓ ଚରିତ୍ର ଏ ଜାତିର ପାଥେୟ ତାଙ୍କର ଅମର ଜୀବନୀ ଭାରତୀୟ ମୁକ୍ତି ସଂଗ୍ରାମର ଅମର କାହାଣୀ।

ଭାରତର ସ୍ୱାଧୀନତାପ୍ରାପ୍ତିକୁ ତ୍ୱରାନ୍ନିତ କରିବା ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଆନ୍ତର୍ଜାତିକ କ୍ଷେତ୍ରରେ ସେ ଜଣେ ଅପ୍ରତିଦ୍ୱନ୍ଦି ନେତା। ସ୍ୱାଧୀନତା ସଂଗ୍ରାମର ମହାନ୍ ଐତିହ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଉଲ୍ଲେଖଯୋଗ୍ୟ।

ଏହି ମହାନ୍ ଜନନାୟକଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ, ଜାତିପ୍ରୀତି, ଦେଶପ୍ରେମ ଏବଂ ଶାଶ୍ୱତ ଆତ୍ମୋତ୍ସର୍ଗ ଅବର୍ଣ୍ଣନୀୟ। ସେ ଥିଲେ ଜଣେ ଅନନ୍ୟ ପ୍ରଜ୍ଞାସଂପନ୍ନ, ସମନ୍ୱୟବାଦୀ, ବୌଦ୍ଧିକ ପ୍ରତିଭାଦୀପ୍ତ ସୃଜନାତ୍ମକ ଯୁଗପୁରୁଷ। ଏହି ପ୍ରଚଣ୍ଡ ପ୍ରତିଭାଧାରୀ ଯୁଗ ବିପ୍ଳବୀଙ୍କର ଜୀବନ ଦର୍ଶନ ହିଁ ଜାତୀୟ ଜୀବନର ଉତ୍ସ। ସେ ଯଥାର୍ଥରେ ଥିଲେ ଭାରତୀୟ ଯୁବ ଶକ୍ତିର ପ୍ରତୀକ, ସ୍ୱାଧୀନତାର ଅଗ୍ରଦୂତ ତଥା ମାତୃଭୂମିର ଅଖଣ୍ଡମୁକ୍ତି ନିମିତ୍ ଏକ ଜୀବନ୍ତ ଆକ୍ରମଣୋତ୍ମତ୍ତ ସିଂହ। ନିର୍ଭୀକତା ଥିଲା ତାଙ୍କ ଚରିତ୍ରର ପ୍ରଧାନ ବୈଶିଷ୍ଟ୍ୟ। ସମଗ୍ର ବିଶ୍ୱ ଦୃଷ୍ଟିରେ ସେ ଥିଲେ ଏକ ପ୍ରଜ୍ଜ୍ୱଳିତ ଅଗ୍ନିଶିକ୍ଷା। ତାଙ୍କ ଦୁଦ୍ଦ୍ୱର୍ମନୀୟ ବୀରତ୍ୱ ହିଁ ପ୍ରତ୍ୟେକ ଭାରତୀୟଙ୍କର ଗର୍ବ ଓ ଗୌରବ।

ଐତିହାସିକ ପ୍ରବାଦପୁରୁଷ ସୁଭାଷ ଚନ୍ଦ୍ରଙ୍କର ଜନ୍ମ ୧୮୯୭ ମସିହା ଜାନୁଆରୀ ମାସ ୨୩ ତାରିଖ ଶନିବାର ମଧ୍ୟାହ୍ନ ଘ. ୧୨.୧୮ ମି ସମୟରେ କଟକ ନଗରୀସ୍ଥିତ ଓଡ଼ିଆ ବଜାରରେ ହୋଇଥିଲା। ତାଙ୍କର ସ୍ନେହମୟୀ ଜନନୀ ଥିଲେ ପ୍ରଭାବତୀ ଦେବୀ ଏବଂ ପୂଜନୀୟ ଜନକ ଥିଲେ ପ୍ରସିଦ୍ଧ ଆଇନଜୀବୀ ରାୟବାହାଦୂର ଜାନକୀନାଥ ବୋଷ। ବାଲ୍ୟକାଳରେ ସୁଭାଷଙ୍କର ମାନସିକସ୍ତର ସାଧାରଣ ବାଳକମାନଙ୍କଠାରୁ ଉନ୍ନତ ଥିଲା। ବୟସ ତୁଳନାରେ ବୟସାଧିକ୍ୟ ସମସ୍ୟାର ସମାଧାନ ସେ ସୂକ୍ଷ୍ମ ଭାବରେ କରିପାରୁଥିଲେ।

୧୯୦୨ ଖ୍ରୀଷ୍ଟାଦ୍ଦରେ କଟକ ପ୍ରୋଟେଷ୍ଟାଣ୍ଟ ସ୍କୁଲରେ ସେ ବିଦ୍ୟାଧ୍ୟୟନ ଆରମ୍ଭ କରିଥିଲେ। ଏହି ମିଶନାରୀ ବିଦ୍ୟାଳୟର ପରିଚାଳନା ନିୟମାନୁଯାୟୀ ଭାରତୀୟ ବଂଶୋଦ୍ଭବ ଛାତ୍ରମାନଙ୍କୁ କେତେକ ବିଶେଷ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିଲା। ଏହି ବିଭୋଦତା କୋମଳମତି ବାଳକ ସୁଭାଷଙ୍କ ମନରେ ବିଶେଷ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସେ ଜୀବନରେ ପ୍ରଥମେ ଅନୁଭବ କଲେ ଯେ, ଇଂରେଜମାନେ ଭାରତୀୟ ମାନଙ୍କୁ ହୀନଦୃଷ୍ଟିରେ ଦେଖୁଛନ୍ତି।

୧୯୦୯ ମସିହାରେ ସେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ। ଓଡ଼ିଶାର ଏହି ପ୍ରାଚୀନ ବିଦ୍ୟାପୀଠରେ ଭାରତୀୟ ସଂସ୍କୃତିର ମର୍ଯ୍ୟାନୁଯାୟୀ ଶିକ୍ଷା ପ୍ରଦାନ କରାଯାଉଥିଲା। ଫଳତଃ ଏଠାରେ ସୁଭାଷଙ୍କର ଆଭ୍ୟନ୍ତରୀଣ ରୁଚି ପରିମାର୍ଜିତ ହୋଇଥିଲା। ସର୍ବୋପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୀ ମାଧବ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଜଣେ ଚରିତ୍ରବାନ୍ ମେଧାବୀ, ବିନୟୀ, ବାଗ୍ମୀ, କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ ଛାତ୍ରରୁପେ ସୁଖ୍ୟାତି ଅର୍ଜନ କରିଥିଲେ।

ବିଦ୍ୟାଳୟର ଅନୁଶାସନରୁ ସେ ସମନ୍ୱୟାତ୍ମକ ଜାତୀୟବୋଧ ହୃଦୟଙ୍ଗମ କରିପାରିଥିଲେ। ଜାତୀୟ ଗୌରବ ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶନ ତାଙ୍କୁ ବିଶେଷଭାବେ ପ୍ରଭାବିତ କରିଥିଲା। ଜଣେ ଦକ୍ଷଛାତ୍ର ସଂଗଠକ ରୂପେ ଛାତ୍ର ମହଲରେ ସେ ସ୍ୱାଧୀନ ଚେତନାର ଧାରା ପ୍ରବାହିତ କରିପାରିଥିଲେ। ତାଙ୍କ ନେତୃତ୍ୟରେ ଜାତୀୟ ବିପ୍ଳବୀ ଖୁଦିରାମଙ୍କର ଫାଶୀ ଦିବସଟିକୁ ଛାତ୍ରମାତେ ଜାତୀୟ ସ୍ମୃତିଦିବସ ରୂପେ ପାଳନ କରି ଉପବାସ ରହିଥିଲେ। ଏହି ଅବସରରେ ଶହୀଦ ଖୁଦିରାମଙ୍କର ସ୍ମୃତିଚାରଣକରି ସୁଭାଷ ଯେଉଁ ଅଗ୍ନିବର୍ଷୀ ଭାଷଣ ପ୍ରଦାନ କରିଥିଲେ, ତହିଁରୁ ତାଙ୍କର ଯଥାର୍ଥ ଦେଶାତ୍ମବୋଧର ପରିଚୟ ମିଳିଥିଲା।

୧୯୧୩ ମସିହାରେ ମାଟ୍ରିକୁଲେସନ ପରିକ୍ଷାରେ ସମଗ୍ର ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟସ୍ଥାନ ଅଧିକାର ପୂର୍ବକ ସେ କଲିକତାର ପ୍ରେସିଡେନସି କଲେଜରେ ଅଧ୍ୟୟନ କରିଥିଲେ। ଜାତୀୟ ବୀରବୃନ୍ଦଙ୍କ ଅମରକୃତି, ନାଟକ ମେବାର ପତନ ଉପନ୍ୟାସ, ଆନନ୍ଦମଠ ଏବଂ ଶ୍ରୀ ଅରବିନ୍ଦଙ୍କ ସମ୍ପାଦନାରେ ପ୍ରକାଶିତ ଆର୍ଯ୍ୟ ପତ୍ରିକାର ଚେତନାଦ୍ୟୋତକ ଲେଖାପାଠ ପୂର୍ବକ ସେ ଜାତୀୟତାବୋଧରେ ଉଦ୍‌ବୋଧ ହୋଇଥିଲେ।

ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଲୋକପ୍ରିୟ ଦେଶାତ୍ମବୋଧକ ‘ବଙ୍ଗ ଆମାର ଜନନୀ ଆମାର’ ସଂଙ୍ଗୀତଟି ଗାନ କରାଯିବାରୁ ସଭାପତିତ୍ୱ କରୁଥିବା ଇଂରାଜୀ ଅଧ୍ୟାପକ ଏଡ଼ୱାର୍ଡ଼ ଫାର୍ଲି ଓଟେନ୍ ବଙ୍ଗାଳିମାନଙ୍କ ପ୍ରତି କେତେକ ଅପମାନ ସୂଚକ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବାକୁ ଛାତ୍ର ମହଲରେ ବିଶେଷ ଉତ୍ତେଜନା ପ୍ରକାଶ ପାଇଲା। ଏପରିକି କେତେକ ଛାତ୍ର ଉତ୍‌କ୍ଷିପ୍ତ ହୋଇ ଅଧ୍ୟାପକ ଓଟେନ୍‌ଙ୍କୁ ମାଡ଼ ମାରିବାକୁ ପଶ୍ଚାତପଦ ହୋଇନଥିଲେ। ଏହି ଘଟଣାର ଛାତ୍ରନେତା ସୁଭାଷଙ୍କୁ ଅଧ୍ୟକ୍ଷ ମହୋଦୟ କଲେଜରୁ ବହିଷ୍କାର କରିଦେଲେ। ସେ ଏହି ପ୍ରଥମ ବଳିଦାନରେ ଜଣେ ଦେଶପ୍ରେମୀ ଛାତ୍ରନେତାରୂପେ ସର୍ବତ୍ର ପରିଚିତ ହୋଇଗଲେ। ତାଙ୍କର ଆତ୍ମପ୍ରତ୍ୟୟ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଉଠିଲା।

ପାଠପଢ଼ା ବନ୍ଦହେବାରୁ ସେ କଟକ ପ୍ରତ୍ୟାବର୍ତ୍ତନ ପୂର୍ବକ ନିଜକୁ ରୋଗୀ ଓ ପୀଡ଼ିତ ବ୍ୟାକ୍ତିମାନଙ୍କ ସେବାରେ ଉତ୍ସର୍ଗ କରିଦେଲେ। ଅଗଣିତ ଦୁଃସ୍ଥ, ବୁଭୂକ୍ଷିତ, ରୋଗଗ୍ରସ୍ତ। ଦୀନ, ଦରିଦ୍ର ଭାରତୀୟଙ୍କୁ ଦେଖି ସେ ପରାଧୀନ ଭାରତର ମର୍ମବେଦନାକୁ ଉତ୍ତମ ରୂପେ ହୃଦୟଙ୍ଗମ କରି ପାରିଥିଲେ। ସ୍ୱକୀୟ ଭୋଗବିଳାସ ଓ ପ୍ରାଚୁର୍ଯ୍ୟ ତାଙ୍କୁ ଏକ ଅପରାଧ ସଦୃଶ୍ୟ ବୋଧ ହେଲା।

ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଅଗଣିତ ବ୍ୟକ୍ତିଙ୍କ ସେବା କରିବାଦ୍ୱାରା ତାଙ୍କଠାରେ ବିଶ୍ୱପ୍ରେମର ଧାରା ପ୍ରବାହିତ ହୋଇଥିଲା। ଆନ୍ତର୍ଜାତିକ କ୍ଷେତ୍ରରେ ସେ ଜଣେ ଅପ୍ରତିଦ୍ୱନ୍ଦି ନେତା ଭାବରେ ଖ୍ୟାତି ଅର୍ଜନ କରିପାରିଥିଲେ। ଏହି ପ୍ରତିଭାଧର ଯୁଗପୁରୁଷ ଆପଣା ସୈାରଭରେ ଅନନ୍ତକାଳ ନିମିତ୍ତ ସୈାରଭମୟ। ଯଥାର୍ଥରେ ସେ ଏକ ଅମ୍ଳାନ ପ୍ରତିଭା। ଆଜି ତାଙ୍କ ଚରଣରେ ଏ ଜାତିର ସଶ୍ରଦ୍ଧ ପୁଷ୍ପାଞ୍ଜଳି।

ଲେଖକ ଜଣେ କଠୋର ପନ୍ଥୀ ଦେଶଭକ୍ତ, ରାଜ୍ୟସଭାପତି ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ,ଜାତୀୟସ୍ତର ସାମ୍ବାଦିକ ଇଣ୍ଡିଆନ୍ ନିୟଜ ସାଇଟ୍‌, ଆନ୍ଦର୍ଜାତିୟ ସ୍ତମ୍ଭକାର ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର-୨
ମୋ-୭୮୪୮୮୯୮୪୫୬

Categories
ଆଞ୍ଚଳିକ

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମହାନ୍ ଦେଶପ୍ରେମୀ ବୀର ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ସକାଳେରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ପ୍ରମୁଖ ଯୋଗ ଦେଇ ପ୍ରଥମେ ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡିଆଠାରେ ଓ ପରେ ପରେ କଳିଙ୍ଗ ହସ୍ପିଟାଲ ଛକ ଠାରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଏସ୍.ସି.ଏସ୍.ଟି.ଆର୍.ଟି.ଆଇ)ର ଉପଦେଷ୍ଟା ତଥା ସ୍ୱତନ୍ତ୍ର ଶାସନ ସଚିବ ଡଃ.ଅଖିଳ ବିହାରୀ ଓତା,ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ, ରାଜ୍ୟ ସଂସ୍କୃତି ବିଭାଗର ଅନୁ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା, ଅନ୍ୟ ଅତିଥିଏବଂ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର କର୍ମକର୍ତ୍ତାମାନେ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ତରଫରୁ ମାନ୍ୟବର ମନ୍ତ୍ରୀ ଓ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ମାଟିର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଉନ୍ମୋଚନ ହେବ ସ୍ୱତନ୍ତ୍ର ଲଫାପା

ଭୁବନେଶ୍ବର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କ ସ୍ମୃତିରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯିବ। ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ସହିଦ ବାଜି ରାଉତ, ସହିଦ ଜୟୀ ରାଜଗୁରୁ, ଚାଖି ଖୁଂଟିଆ, ଚକରା ବିଷୋୟୀ ଏବଂ ପାର୍ବତୀ ଗିରିଙ୍କ ଉପରେ ଏହି ଲଫାପା ଉନ୍ମୋଚନ କରାଯିବ।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କେନ୍ଦ୍ର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଉଭୟ କେନ୍ଦ୍ର ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀମାନଙ୍କ ଦ୍ୱାରା ୬ଟି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ ହେବା ପରେ ପ୍ରଥମ ଆଲବମ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବେ।

ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ସଚିବ ବିନୀତ ପାଣ୍ଡେ ସ୍ୱାଗତ ଭାଷଣ ପ୍ରଦାନ କରିବେ। ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ। ଡାକ ବିଭାଗ ମହାନିର୍ଦ୍ଦେଶକ ଆଲୋକ ଶର୍ମା ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱିତୀୟ ପିଢ଼ିର ଦାୟାଦ ଭରତ କୁମାର ଗିରି, ଚକରା ବିଷୋଇଙ୍କର କେହି ବଂଶଜ ନଥିବାରୁ ଚକରା ବିଷୋଇ ସାଂସ୍କୃତିକ ଏକାଡେମୀର ସଭାପତି ଜଗବନ୍ଧୁ ଜେନା, ସହିଦ ବକ୍ସି ଜଗବନ୍ଧୁଙ୍କ ଷଷ୍ଠ ପିଢ଼ିର ବଂଶଜ ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଚାଖି ଖୁଂଟିଆଙ୍କ ବଂଶର ଚତୁର୍ଥ ପିଢ଼ି ହଜୁରି ଭୀମସେନ ଖୁଂଟିଆ, ସହିଦ ବାଜି ରାଉତଙ୍କ ପୁତୁରା କୁଳମଣି ରାଉତ, ଜୟୀ ରାଜଗୁରୁଙ୍କ ବଂଶର ଷଷ୍ଠ ପିଢ଼ି ଦୟାନନ୍ଦ ମହାପାତ୍ର ଓ ତ୍ରିଦେବ ନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

Categories
ଆଞ୍ଚଳିକ

ଜଗତସିଂହପୁର ପୌରପରିଷଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁର ପୌରପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ପୌରପରିଷଦ ପରିସରରେ ଅବସ୍ଥିତ ଭାଗୀରଥି ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସହାୟକ ଦୀପକ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗାନ୍ଧୀମଣିଷ ଦୋଳଗୋବିନ୍ଦଙ୍କ ୯୬ତମ ଜୟନ୍ତୀରେ ବୁଦ୍ଧମନ୍ଦିରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୬ତମ ଜୟନ୍ତୀ ଉତ୍ସବ କୋଭିଡ଼ ନିୟମକୁ ପାଳନ କରି ସଂକ୍ଷିପ୍ତ ଭାବେ ତାଙ୍କ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀ ଐତିହ୍ୟ ସ୍ମାରକୀ ନ୍ୟାସ ପକ୍ଷରୁ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଆଜି ପୂର୍ବାହ୍ନରେ ବୁଦ୍ଧମନ୍ଦିର ଠାରେ ପାଳିତ ହୋଇଯାଇଛି।

ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଭଲ ମଣିଷମାନଙ୍କୁ ୨୦୨୦ ପୂର୍ବରୁ ପରମାତ୍ମା ନିଜ ପାଖକୁ ଡ଼ାକି ନେଇଛନ୍ତି। ବୁଦ୍ଧମନ୍ଦିରର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଓ ପ୍ରଫେସର ବୁଦ୍ଧଦେବ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସାଢେ ୩ବର୍ଷ ଜେଲ୍ ଭିତରେ ସେ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ, ଭାରତ ସ୍ୱାଧୀନତା ହେବା ପରେ ସେ ସେହି ଜ୍ଞାନକୁ ସମାଜିକ ଜୀବନରେ ପ୍ରୟୋଗ କରି ସଫଳ ହୋଇଥିଲେ।

ଯୁବ ସମାଜସେବୀ ସର୍ବେଶ୍ୱର ସାମଲ, ଅରବିନ୍ଦ ବିଶୋଇ ଓ ଦେବରାଜ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇ, ସମାଜରୁ କୁସଂସ୍କାର ବିଲୋପ ପାଇଁ ତାଙ୍କର କାର୍ଯ୍ୟ ବର୍ତ୍ତମାନ ଯୁବକମାନଙ୍କ ପାଇଁ ଉଦାହରଣ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହତ୍ମା ଗାନ୍ଧୀ ସ୍ମାରକୀ ଟ୍ରଷ୍ଟର ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ସ୍ୱାଗତ ଭାଷଣ ଓ ପ୍ରଜ୍ଞାରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଯୋଗଗୁରୁ ପୃଥୀରାଜ ପ୍ରଧାନ ଓ ବିଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ।

ଏହି ଉପଲକ୍ଷେ ସ୍ୱାମୀ ବ୍ରହ୍ମାନନ୍ଦ ଭବନରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଏକ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା। ସଞ୍ଜୟ ପ୍ରଧାନ ଜଜମାନ ଆସନ ଗ୍ରହଣ କରିଥିଲେ। ଶ୍ରୀମଦ୍ ବାବା ବଳିଆଙ୍କ ଶିଶୁ ଅନନ୍ତ ଆଶ୍ରମ, ଅରିଲୋ, ସୁଖଧାମ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ କମଳାକାନ୍ତ ପରିଡ଼ା, ମୁକେଶ ପ୍ରଧାନ, ପ୍ରତ୍ୟୁଷ ପ୍ରିୟଦର୍ଶନ, ରୀତେଶ ପ୍ରଧାନ, ସମ୍ବିତ ସାମଲ, ସ୍ଥିତପ୍ରଜ୍ଞା ପ୍ରଧାନ ଓ ସାଇମା ବିଶୋଇ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗତସିଂହପୁର ଜିଲ୍ଲାର ବରପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସହରର ବଙ୍ଗଳାଛକ ଓ ଖେରସ ଛକ ଠାରେ ଥିବା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ପୌରପରିଷଦ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସ୍ୱାଧୀନତା ସଂଗ୍ରାମୀ ରବିନ୍ଦ୍ର ନାଥ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମନ୍ତ୍ରୀ ଅଶୋକ ପଣ୍ଡା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ୱର୍ଗତ ରବିନ୍ଦ୍ରନାଥ ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶାର ବିଜ୍ଞାନ, କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗଦେଇ ରବିନ୍ଦ୍ରନାଥ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ନିଜର ବକ୍ତବ୍ୟରେ ରାଜ୍ୟ ସରକାର ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୌଭାଗ୍ୟର କଥା ସ୍ୱାଧୀନତା ସଂଗ୍ରାମୀ ରବିନ୍ଦ୍ରନାଥ ରାୟଙ୍କ ଏଇବର୍ଷ ଜନ୍ମ ଶତବାର୍ଷିକୀ ପାଳନ ହେଉଛି। ସ୍ୱର୍ଗତ ରବିନ୍ଦ୍ରନାଥ ରାୟ ବହୁବାର ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ କରି ଜେଲ୍ ଯିବା ସହିତ ସେ ପୂର୍ବତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହୋଇଛନ୍ତି। ଯୁବପିଢିଙ୍କୁ ତାଙ୍କର ବାର୍ତ୍ତା ଥିଲା “ଦେଶ ତୁମର ତୁମେହିଁ ଦେଶକୁ ରକ୍ଷାକର” ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଭାରତକୁ ଅଖଣ୍ଡ ରଖିବା।

ଏହି ଉତ୍ସବରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରବିନ୍ଦ୍ରନାଥ ରାୟ ତାଙ୍କ ପିଲାଦିନରୁ ଦୃଢ ମାନସିକତା ନେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଦେଶ ମାତୃକାର ରକ୍ଷା ପାଇଁ ନିଜକୁ ସମର୍ପଣ କରିଥିଲେ। ଯୁବପିଢିଙ୍କୁ ସବୁବେଳେ ଶୃଙ୍ଖଳିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଥିଲେ। ଗାଁ ପରିବେଶ ଜିଲ୍ଲା ଦେଶ ଓ ଜାତିକୁ ଆଗେଇ ନେବା ପାଇଁ ତାଙ୍କର ଯେଉଁ ସଙ୍କଳ୍ପ ଥିଲା ଯଦି ଆଜିର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢିବେ ତାହାଲେ ସେଇହେବ ମହାନ୍ ଆତ୍ମା ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଏହି ଦିବସରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଲେ ଯେତେବେଳେ ବ୍ରିଟିଶ୍ ପୋଲିସର ନାଁ ଶୁଣିଲେ ଭୟରେ ତାଟି କବାଟ ପଡିଯାଉଥିଲା, ସେତେବେଳେ ରାୟଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ମାନେ ସଂଗ୍ରାମ ଜାରି ରଖିଥିଲେ। ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଗୁରୁ କଲ୍ୟାଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦେବୀ ଚୌଧୁରୀ, ରବିନ୍ଦ୍ରନାଥ ରାୟଙ୍କ ପୁତ୍ର ଅଶୋକ କୁମାର ରାୟ ସ୍ୱାଧୀନତା ସଂଗ୍ରାମୀ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଉତ୍ସବରେ ମୁଖ୍ୟଅତିଥି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦାୟାଦ ଓ ସମାଜସେବୀ ଦେବୀ ଚୌଧୁରୀ, ପ୍ରମୋଦ କୁମାର ମଲ୍ଲିକ, ପ୍ରିୟନାଥ ରାୟ, ପ୍ରଦ୍ୟୁମ୍ନ କାନୁନଗୋ, କୈଳାଶ ଚନ୍ଦ୍ର ବେହେରା, ସମରେଶ ବେଉରା, ପ୍ରଦୀପ୍ତ କୁମାର ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରାରମ୍ଭରେ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀ ରବିନ୍ଦ୍ର ନାଥ ରାୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରି ମହାତ୍ମାଗାନ୍ଧୀ, ବିଜୁ ପଟ୍ଟନାୟକ ଓ ରବିନ୍ଦ୍ର ନାଥ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରବିନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦଧିବାମନଜୀୟୁ ସାଂସ୍କୃତିକ ସଂଗଠନର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଉତ୍ସବରେ ସ୍ୱାଧୀନତା ସଂଗ୍ରାମୀଙ୍କର ପରିବାର, ଗ୍ରାମବାସୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।