Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ୱେଲ୍ସ ବିପକ୍ଷରେ ପଡିଆକୁ ଓହ୍ଳାଇବ ଟିମ୍ ଇଣ୍ଡିଆ, ଜାଣନ୍ତୁ ସିଧା ପ୍ରସାରଣ ସହିତ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ଵର: ଆଜି ଭାରତୀୟ ଦଳ ହକି ବିଶ୍ୱକପରେ ୱେଲ୍ସ ସହ ମୁହାଁମୁହିଁ ହେବ। ଏଥି ସହିତ ଏହା ଭାରତୀୟ ଦଳର ତୃତୀୟ ମ୍ୟାଚ୍ ହେବ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ସ୍ପେନ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଡ୍ର ଥିବାବେଳେ ଟିମ୍ ଇଣ୍ଡିଆ ସ୍ପେନକୁ ପରାସ୍ତ କରିଛି। ବର୍ତ୍ତମାନ ୱେଲ୍ସ ବିପକ୍ଷରେ ଭାରତ ପୁଲ୍ ର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳିବ। ଭାରତୀୟ ଦଳ କ୍ରସ୍ ଓଭର ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି, ତେଣୁ ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ରହି ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ୱେଲ୍ସ ବିପକ୍ଷ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ସିଧା ପ୍ରସାରଣ ଏବଂ ଷ୍ଟ୍ରିମିଂ:

ଭାରତ ଏବଂ ୱେଲ୍ସ ମଧ୍ୟରେ ଏହି ମ୍ୟାଚ୍ ଆଜି ଭାରତୀୟ ସମୟ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। ଏହି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ପ୍ରଥମ, ଷ୍ଟାର ସ୍ପୋର୍ଟସ ସିଲେକ୍ଟ ୨ ଏଚଡି ଏବଂ ଷ୍ଟାର ସ୍ପୋର୍ଟସ ସିଲେକ୍ଟ ୨ ଏଚଡ଼ି ରେ କରାଯିବ। ଏହା ବ୍ୟତୀତ ପ୍ରଶଂସକମାନେ ଡିସ୍ନି + ହଟଷ୍ଟାର ଆପରେ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ।

ପୁଲରେ ପଏଣ୍ଟ ତାଲିକା:

ଯଦି ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିବାକୁ ପଡିବ, ତେବେ ୱେଲ୍ସ ଉପରେ ଏକ ବଡ଼ ବିଜୟ ପଞ୍ଜିକରଣ ଉପରେ ଧ୍ୟାନ ଦେବାକୁ ପଡିବ। ଯଦି ବିଜୟ ଛୋଟ, ତେବେ ତାଙ୍କୁ ଇଂଲଣ୍ଡ ଏବଂ ସ୍ପେନ୍‌ ମ୍ୟାଚ୍‌ରେ ଡ୍ର ପାଇଁ ଆଶା କରିବାକୁ ପଡ଼ିବ। ଯଦି ଭାରତୀୟ ଦଳ ୱେଲ୍ସକୁ ହରାଇବ, ତେବେ ଏହା ଶୀର୍ଷକୁ ଆସିପାରିବ ନାହିଁ ଏବଂ କ୍ରସ୍ ଓଭର ମ୍ୟାଚ୍ ଅନ୍ତର୍ଗତ କ୍ୱାର୍ଟର ଫାଇନାଲକୁ ଯିବାକୁ ପଡିବ। ଏଥି ସହିତ ଇଂଲଣ୍ଡ ପୁଲ-ଡିରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ଭାରତୀୟ ଦଳ ମଧ୍ୟ ୪ ପଏଣ୍ଟ ପାଇଥିବା ବେଳେ ଗୋଲ ପାର୍ଥକ୍ୟ ହେତୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ଏହି ପୁଲ୍ ର ଶେଷ ଦୁଇଟି ମ୍ୟାଚ୍ ବାକି ଅଛି। ତେବେ ଭାରତ ଏବଂ ୱେଲ୍ସ ମଧ୍ୟରେ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

Categories
ଆଜିର ଖବର ଖେଳ ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ହକି ବିଶ୍ୱକପ ଫିବର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ସୀତାରାମ ଅଗ୍ରୱାଲ

ଚିଲିକା: ପୁରୁଷ ହକି ବିଶ୍ୱକପକୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିଅମ ରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ୧୩ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ବିଶ୍ୱକପ ରାଉରକେଲା ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ଜାରି ରହିବ। ତେଣୁ ସାରା ଓଡ଼ିଶା ହକି ବିଶ୍ୱକପକୁ ସ୍ୱାଗତ କରିବା ନିମନ୍ତେ ଆଜି ଉତ୍ସବମୁଖର। ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବିପୁଳ ଭାବରେ ହକି ବିଶ୍ୱକପକୁ ସ୍ୱାଗତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ବାଣପୁର ଏନଏସି ଏବଂ ବାଣପୁର ବ୍ଲକ ତରଫରୁ ହକି ବିଶ୍ୱକପକୁ ଆଜି ଜୋରଦାର ସ୍ୱାଗତ କରାଯାଇଛି। ସକାଳୁ ଏକ ବିଶାଳ ପଦଯାତ୍ରା ଆଇ ଲଭ ବାଣପୁର ସେଲ୍ଫି ପଏଣ୍ଟରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ପଲଟନ ପଡିଆରେ ଶେଷ ହୋଇଥିଲା। ଉକ୍ତ ପଦଯାତ୍ରାରେ ତହସିଲଦାର କୁଞ୍ଜବିହାରି ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧକ୍ଷ ମିଟୁ ନାୟକଙ୍କ ସମେତ ଏନଏସି ର ସମସ୍ତ କାଉନସିଲର, ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

ତତସହିତ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନସିସ ଓ ସ୍କାଉଟର ଛାତ୍ରଛାତ୍ରୀ, ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ମଧ୍ୟ ଉକ୍ତ ପଦଯାତ୍ରାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ପଲଟନ ପଡିଆରେ ବ୍ଲକ ଓ ଏନଏସି ପ୍ରଶାସନ ତରଫରୁ ଦିନ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥିଲା। କୁନିକୁନି ପିଲା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା, ଫ୍ୟାନସି ଡ୍ରେସ, ଦୌଡ଼ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପାଲା, ଦାସକାଠିଆ ଓ ପାଇକ ଆଖଡା ଭଳି ଲୁଚି ଯାଉଥିବା କଳାକୁ ପ୍ରଦର୍ଶିତ କରାଯାଇଥିଲା।

ଅନୁରୂପ ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସହିତ କରିଥିଲେ। ଅପରାହ୍ନରେ ଏଲଇଡି ମାଧ୍ୟମରେ ସମସ୍ତ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ପୁରୁଷ ହକି ବିଶ୍ୱକପ ଉଦଘାଟନ ଉତ୍ସବର ସିଧା ପ୍ରସାରଣକୁ ଉପଭୋଗ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଫଳରେ ଓଡ଼ିଶା ଦୁଇ ଦୁଇ ଥର ବିଶ୍ୱ ହକି କପର ଆୟୋଜନ କରି ଢେର ପ୍ରଶଂସା ସାଉଁଟିଥିବା ବେଳେ ବାଣପୁର ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମକୁ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ସରସ ସୁନ୍ଦର ଭାବେ ପରିଚାଳିତ କରିଥିବାରୁ ବାଣପୁରବାସୀ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସେହିପରି ଭାବେ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତରେ ମଧ୍ୟ ଦିନତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ସମେତ ଉଦଘାଟନ ଉତ୍ସବ ପାଇଁ ଏଲଇଡ଼ି ସ୍କ୍ରିନର ବ୍ୟବସ୍ଥା କରାଯାଇଥିଲା।

ଅନୁରୂପ ଭାବେ ହକି ବିଶ୍ୱକପ ଉଦଘାଟନୀ ଦିବସରେ ବାଲୁଗାଁ ଏନଏସି ରେ ଆଜି ସକାଳେ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ ପତାକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର, ଅଗ୍ନିଶମ ବିଭାଗ, ପୋଲିସ ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି,ଏନ ଏସି କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା, ବାଲୁଗାଁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ତତସହିତ ଏନଏସି କଲ୍ୟାଣି ମଣ୍ଡପ ଏବଂ ଅଡିଟୋରୀୟମ ହଲ ଠାରେ ଏଲଇଡି ସ୍କ୍ରିନ ମାଧ୍ୟମରେ ଉଦଘାଟନ ଉତ୍ସବ ର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା।

ସେହିପରି ଭାବେ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ହକି ବିଶ୍ୱକପ ଉଦଘାଟନ ଉତ୍ସବ ଉପଲକ୍ଷେ ହରିପୁର ପଞ୍ଚାୟତ ଖେଳ ପଡିଆ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଶାଳ ଏଲଇଡ଼ି ସ୍କ୍ରିନ ମାଧ୍ୟମରେ ଜନସାଧାରଣ ହକି ଉଦଘାଟନ ଉତ୍ସବକୁ ଉପଭୋଗ କରିଥିଲେ। ଏହାକୁ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା ସହଯୋଗ କରିଥିଲେ। ସେହିପରି ଭାବେ ଚିଲିକା ବ୍ଲକର ସମସ୍ତ ପଞ୍ଚାୟତ ରେ ମଧ୍ୟ ଦିନତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ସମେତ ଉଦଘାଟନ ଉତ୍ସବ ପାଇଁ ଏଲଇଡ଼ି ସ୍କ୍ରିନ ର ବ୍ୟବସ୍ଥା କରାଯାଇଥିଲା।

Categories
Hockey Worldcup23 ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ହକି ବିଶ୍ୱକପ ଉଦଘାଟନ ନିମନ୍ତେ ଆସନ୍ତାକାଲି ଦୁଲୁକିବ ଚିଲିକା: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ପୁରୁଷ ହକି ବିଶ୍ୱକପକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିଅମ ପରିସରରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ହକି ବିଶ୍ୱକପ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶା ଉକ୍ତ ହକି ବିଶ୍ୱକପର ଆୟୋଜନ କରୁଛି।

ଏହି ପରିପ୍ରେକ୍ଷୀରେ ହକି ବିଶ୍ୱକପ ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏକାଧିକ ଉଦ୍ୟମ ହାତକୁ ନେଇଛନ୍ତି। ପୁରପଲ୍ଲୀ ଠୁ ସହରର ଜନସାଧାରଣ ମାନେ କିପରି ଉଦଘାଟନ ଉତ୍ସବକୁ ଆଭାସୀ ମାଧ୍ୟମରେ ଦେଖିପାରିବେ, ତାହାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ଏଥି ଲାଗି ସରକାରଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳକୁ ଅର୍ଥ ଅନୁମୋଦନ କରାଯାଇଛି। ପଞ୍ଚାୟତ ସ୍ତରରେ ବିଡ଼ିଓ ଏବଂ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ/କମିଶନର ମାନେ ନିର୍ବାଚିତ ଜନପ୍ରତିନିଧିଙ୍କ ସହଯୋଗରେ ଉକ୍ତ ହକି ବିଶ୍ୱକପର ପ୍ରଚାର ପ୍ରସାର କରିବେ।

ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳ। ବାଣପୁରରେ ଉଭୟ ବ୍ଲକ ଓ ଏନଏସି ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆସନ୍ତାକାଲି ପୁରୁଷ ହକି ବିଶ୍ୱକପ ଉଦଘାଟନ ଉତ୍ସବ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଏଥି ନିମନ୍ତେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ମିଳିତ ତତ୍ୱାବଧାନରେ ଏବଂ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ସହଯୋଗରେ ଆସନ୍ତାକାଲି ବାଣପୁର ପଲଟନ ପଡିଆରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ।

କାର୍ଯ୍ୟକ୍ରମ ସୂଚନା:

ସକାଳ ୭.୩୦ ରୁ ୯ ଘଟିକା- ମିନି ମାରାଥନ (ବିସରପାଟଣା ଆଇ ଲଭ ବାଣପୁର ସେଲ୍ଫି ପଏଣ୍ଟରୁ ପଲଟନ ପଡିଆ ପର୍ଯ୍ୟନ୍ତ ଭାୟା ମା’ ଭଗବତୀ ମନ୍ଦିର)

ସକାଳ ୯ ରୁ ୧୦ ଘଟିକା- ପଲଟନ ପଡିଆଠାରେ ମୁରୁଜ ପ୍ରତଯୋଗୀତା

ସକାଳ ୧୦ ରୁ ୧୧ ଘଟିକା- ଫ୍ୟାନସି ଡ୍ରେସ ପ୍ରତିଯୋଗିତା

ସକାଳ ୧୧ ରୁ ମଧ୍ୟାହ୍ନ ୧୨ ଘଟିକା- ଖେଳକୁଦ ପ୍ରତଯୋଗୀତା

ମଧ୍ୟାହ୍ନ ୧୨ ରୁ ଅପରାହ୍ନ ୧ ଘଟିକା- ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୧ ରୁ ୧.୩୦ ଘଟିକା- ଦାସକାଠିଆ ନୃତ୍ୟ ପରିବେଷଣ

ଅପରାହ୍ନ ୧.୩୦ ଘଟିକାରୁ ୨ ଘଟିକା- ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୨ ଘଟିକାରୁ ୩ ଘଟିକା- ଭଗବତୀ କଳା ନିକେତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୩ ଘଟିକାରୁ ୩.୩୦ ଘଟିକା- ପାଇକ ଆଖଡ଼ା ପରିବେଷଣ

ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ।

ସେହିପରି ଭାବେ ପୁରୁଷ ହକି ବିଶ୍ୱକପ ପାଇଁ ବାଲୁଗାଁ ଏନଏସି ପକ୍ଷରୁ ମଧ୍ୟ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ ଘଟିକାରେ ମା’ ଉତ୍ତରାୟୀଣୀ ମନ୍ଦିର ଠାରୁ ଅଡିଟୋରିଅମ ହଲ ପର୍ଯ୍ୟନ୍ତ ଏକ ମିନି ମାରାଥନ ଅନୁଷ୍ଠିତ ହେବ, ଯାହାକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ କାର୍ଯ୍ୟନିବାହି ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀ ମିଳିତ ଭାବେ ଉଦଘାଟନ କରିବେ। ଏହା ପରେ ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ଏନଏସି କଲ୍ୟାଣ ମଣ୍ଡପ ଏବଂ ଅଡିଟୋରିଅମ ହଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ସେହିଭଳି ଚିଲିକା ବ୍ଲକରେ ମଧ୍ୟ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯିବ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ କାର୍ଯ୍ଯାଳୟ ନିକଟସ୍ଥ ପଡିଆରେ ଏଲଇଡି ମାଧ୍ୟମରେ ଅପରାହ୍ନ ୩ ଟା ସମୟରେ ସିଧା ପ୍ରସାରଣ କରାଯିବ ବୋଲି ବ୍ଲକ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।

Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ଭାରତର ପ୍ରସିଦ୍ଧ ହକି ଗାଁ ସଉନାମରାରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଏବଂ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ

ସୁନ୍ଦରଗଡ଼: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଉତ୍ସବମୁଖର ହୋଇଉଠିଛି। ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ଆଗେଇ ଆସିଛି। ଭାରତୀୟ ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକର ସଉନାମରା ଗାଁରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତ ସ୍ତରରେ ଏକାସାଙ୍ଗେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତକୁ ଯୋଡ଼ି ଏହି ବ୍ୟାପକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ହକି ଲାଗି ୮୦୦ରୁ ଅଧିକ ଏବଂ ଫୁଟବଲ ଲାଗି ୧୧୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି। ପ୍ରାୟ ୧ ମାସ ଧରି ଏହି ପ୍ରତିଯୋଗିତା ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ସଉନାମରା ହାଇସ୍କୁଲ ପଡ଼ିଆଠାରେ ମଙ୍ଗଳବାର ଦିନ ଏହି ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଉତ୍ସବରେ ସଉନାମରା ଗାଁର ପୁଅ ତଥା ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଗାଁର ଝିଅ ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘‘ଆମ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ହେବାକୁ ଯାଉଛି। ଏଥିପାଇଁ ରାଉରକେଲାରେ ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ବିଶ୍ୱକପ ହେବା ଫଳରେ ସୁନ୍ଦରଗଡ଼ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପାଇବ। ଗାଁ ଗହଳିରେ ହକି ଖେଳୁଥିବା ପିଲାଙ୍କ ସୁବିଧା ପାଇଁ ବ୍ଲକ ସ୍ତରରେ ହକି ଟର୍ଫ କରାଯାଉଥିବାରୁ ଆଗାମୀ ଦିନରେ ଅନେକ ପ୍ରତିଭାବାନ ଖେଳାଳି ବାହାରିପାରିବେ’’, କହିଛନ୍ତି ଶ୍ରୀଯୁକ୍ତ ଜୁଏଲ ଓରାମ।
‘‘ମୁଁ ଆଜି ଯେଉଁ ବିଶେଷ ପରିଚୟ ପାଇଛି ତାହା କେବଳ ମୋ’ ଜନ୍ମ ମାଟି ସଉନାମରା ପାଇଁ। ଏଇ ଗାଁ ପଡ଼ିଆରେ ହକି ଖେଳି ଦିନେ ମୁଁ ଭାରତୀୟ ଟିମରେ ସାମିଲ ହୋଇପାରିଥିଲି। ଏବେ ସଉନାମରା ସହ ଜିଲ୍ଲାର ଅନ୍ୟ ଗାଁର ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ସୁନ୍ଦରଗଡ଼ ଏବଂ ଓଡ଼ିଶା ପାଇଁ ଗୌରବ ଆଣିପାରିଛନ୍ତି’’, ଏହି ଅବସରରେ କହିଛନ୍ତି ଦିଲ୍ଲୀପ ତିର୍କୀ।

‘‘ହକି ବିଶ୍ୱକପକୁ ସ୍ୱାଗତ କରିବା ପାଇଁ ଜିଲ୍ଲାବ୍ୟାପି ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ସ୍କୁଲ, କଲେଜ ସ୍ତରରେ ମଧ୍ୟ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯିବ। ଜନସାଧାରଣଙ୍କ ସହଯୋଗରେ ବିଶ୍ୱକପକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ଜିଲ୍ଲାବ୍ୟାପି ହେଉଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଡ଼ି ହେବା ଲାଗି ଜିଲ୍ଲାପାଳ ଏହି ଅବସରରେ ଅନୁରୋଧ କରିଛନ୍ତି।

ସଉନାମରାଠାରେ ଅନୁଷ୍ଠିତ ଉତ୍ସବରେ ତଲସରାର ମାନ୍ୟବର ବିଧାୟକ ଭବାନୀଶଙ୍କର ଭୋଇ, ବଣାଇଁର ମାନ୍ୟବର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଏସପି ସାଗରିକା ନାଥ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ହକି ଷ୍ଟିକରେ ବଲକୁ ମାରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ପରେ ପରେ ମହିଳା ଓ ପୁରୁଷ ଉଭୟ ବର୍ଗରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ କରାଯାଇଥିଲା।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଆଦିବାସୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ତା’ଛଡ଼ା ‘ହକି ଭିଲେଜ’ ଭାବେ ପରିଚିତ ସଉନାମରା ଗାଁର କ୍ରୀଡ଼ା ଇତିହାସ ଉପରେ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଦର୍ଶନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ଜୟନ୍ତୀ ଏକ୍କା ଓ ବେଲମତି ଧରୁଆ, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷ କୁଞ୍ଜଲତା ଭିତିରିଆ, ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ, ସଉନାମରା ସରପଞ୍ଚ ଚୁଲୁ ବାର୍ଲାଙ୍କ ସହିତ ସ୍କୁଲ ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ହକି ବିଶ୍ୱକପ ପାଇଁ ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ଛାତ୍ରଛାତ୍ରୀଙ୍କ ଭିତରେ ବ୍ୟାଡମିଣ୍ଟନ, ଭଲିବଲ, କବାଡ଼ି, ଖୋଖୋ, ହକି ଏବଂ ଫୁଟବଲ ପ୍ରତିଯୋଗିତା କରାଯାଇ ଜିଲ୍ଲାବ୍ୟାପି ଏକ କ୍ରୀଡ଼ାର ପରିବେଶ ସୃଷ୍ଟି କରାଯିବ। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ସର୍ଜନାତ୍ମକ ପ୍ରତିଯୋଗିତା ମଧ୍ୟ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଆଦିବାସୀ ନୃତ୍ୟ, ଲୋକନୃତ୍ୟ ଏବଂ ଲୋକସଙ୍ଗୀତ ଦଳ ରହିଛନ୍ତି। ହକି ବିଶ୍ୱକପ ଅବସରରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯିବ। ଏହି ସାଂସ୍କୃତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ।