ହକି ବିଶ୍ୱକପ ଉଦଘାଟନ ନିମନ୍ତେ ଆସନ୍ତାକାଲି ଦୁଲୁକିବ ଚିଲିକା: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

Published: Jan 10, 2023, 7:26 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ପୁରୁଷ ହକି ବିଶ୍ୱକପକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିଅମ ପରିସରରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ହକି ବିଶ୍ୱକପ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଏବଂ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶା ଉକ୍ତ ହକି ବିଶ୍ୱକପର ଆୟୋଜନ କରୁଛି।

ଏହି ପରିପ୍ରେକ୍ଷୀରେ ହକି ବିଶ୍ୱକପ ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏକାଧିକ ଉଦ୍ୟମ ହାତକୁ ନେଇଛନ୍ତି। ପୁରପଲ୍ଲୀ ଠୁ ସହରର ଜନସାଧାରଣ ମାନେ କିପରି ଉଦଘାଟନ ଉତ୍ସବକୁ ଆଭାସୀ ମାଧ୍ୟମରେ ଦେଖିପାରିବେ, ତାହାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। ଏଥି ଲାଗି ସରକାରଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳକୁ ଅର୍ଥ ଅନୁମୋଦନ କରାଯାଇଛି। ପଞ୍ଚାୟତ ସ୍ତରରେ ବିଡ଼ିଓ ଏବଂ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ/କମିଶନର ମାନେ ନିର୍ବାଚିତ ଜନପ୍ରତିନିଧିଙ୍କ ସହଯୋଗରେ ଉକ୍ତ ହକି ବିଶ୍ୱକପର ପ୍ରଚାର ପ୍ରସାର କରିବେ।

ଏହି ପରିପ୍ରେକ୍ଷୀରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳ। ବାଣପୁରରେ ଉଭୟ ବ୍ଲକ ଓ ଏନଏସି ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆସନ୍ତାକାଲି ପୁରୁଷ ହକି ବିଶ୍ୱକପ ଉଦଘାଟନ ଉତ୍ସବ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଏଥି ନିମନ୍ତେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ମିଳିତ ତତ୍ୱାବଧାନରେ ଏବଂ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ସହଯୋଗରେ ଆସନ୍ତାକାଲି ବାଣପୁର ପଲଟନ ପଡିଆରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ।

କାର୍ଯ୍ୟକ୍ରମ ସୂଚନା:

ସକାଳ ୭.୩୦ ରୁ ୯ ଘଟିକା- ମିନି ମାରାଥନ (ବିସରପାଟଣା ଆଇ ଲଭ ବାଣପୁର ସେଲ୍ଫି ପଏଣ୍ଟରୁ ପଲଟନ ପଡିଆ ପର୍ଯ୍ୟନ୍ତ ଭାୟା ମା’ ଭଗବତୀ ମନ୍ଦିର)

ସକାଳ ୯ ରୁ ୧୦ ଘଟିକା- ପଲଟନ ପଡିଆଠାରେ ମୁରୁଜ ପ୍ରତଯୋଗୀତା

ସକାଳ ୧୦ ରୁ ୧୧ ଘଟିକା- ଫ୍ୟାନସି ଡ୍ରେସ ପ୍ରତିଯୋଗିତା

ସକାଳ ୧୧ ରୁ ମଧ୍ୟାହ୍ନ ୧୨ ଘଟିକା- ଖେଳକୁଦ ପ୍ରତଯୋଗୀତା

ମଧ୍ୟାହ୍ନ ୧୨ ରୁ ଅପରାହ୍ନ ୧ ଘଟିକା- ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୧ ରୁ ୧.୩୦ ଘଟିକା- ଦାସକାଠିଆ ନୃତ୍ୟ ପରିବେଷଣ

ଅପରାହ୍ନ ୧.୩୦ ଘଟିକାରୁ ୨ ଘଟିକା- ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୨ ଘଟିକାରୁ ୩ ଘଟିକା- ଭଗବତୀ କଳା ନିକେତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଅପରାହ୍ନ ୩ ଘଟିକାରୁ ୩.୩୦ ଘଟିକା- ପାଇକ ଆଖଡ଼ା ପରିବେଷଣ

ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ।

ସେହିପରି ଭାବେ ପୁରୁଷ ହକି ବିଶ୍ୱକପ ପାଇଁ ବାଲୁଗାଁ ଏନଏସି ପକ୍ଷରୁ ମଧ୍ୟ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ ଘଟିକାରେ ମା’ ଉତ୍ତରାୟୀଣୀ ମନ୍ଦିର ଠାରୁ ଅଡିଟୋରିଅମ ହଲ ପର୍ଯ୍ୟନ୍ତ ଏକ ମିନି ମାରାଥନ ଅନୁଷ୍ଠିତ ହେବ, ଯାହାକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ କାର୍ଯ୍ୟନିବାହି ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀ ମିଳିତ ଭାବେ ଉଦଘାଟନ କରିବେ। ଏହା ପରେ ଅପରାହ୍ନ ୩.୩୦ ଘଟିକାରୁ ଏଲଇଡ଼ି ମାଧ୍ୟମରେ ଏନଏସି କଲ୍ୟାଣ ମଣ୍ଡପ ଏବଂ ଅଡିଟୋରିଅମ ହଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରୁଷ ହକି ବିଶ୍ୱକପ ଉଦଘାଟନର ଲାଇଭ ଦୃଶ୍ୟ ପ୍ରଦର୍ଶନୀ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ସେହିଭଳି ଚିଲିକା ବ୍ଲକରେ ମଧ୍ୟ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯିବ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ କାର୍ଯ୍ଯାଳୟ ନିକଟସ୍ଥ ପଡିଆରେ ଏଲଇଡି ମାଧ୍ୟମରେ ଅପରାହ୍ନ ୩ ଟା ସମୟରେ ସିଧା ପ୍ରସାରଣ କରାଯିବ ବୋଲି ବ୍ଲକ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।

Related posts