Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ ଢଙ୍ଗରେ ନପହଞ୍ଚିବା ପର୍ଯ୍ୟନ୍ତ ସରକାର ଡାଲି ଯୋଗାଇଦେବେ। ଅନଲାଇନ ନିଲାମୀ ଜରିଆରେ ଯୋଗ୍ୟ ମିଲର୍‌ମାନଙ୍କୁ ଡାଲି ଯୋଗାଣ ନିମନ୍ତେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ)କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଉପଭୋକ୍ତାଙ୍କ ଖାଇବା ପାଇଁ ଯଥେଷ୍ଟ ପରିମାଣରେ ହରଡ଼ ଡାଲି ମିଲିଂ ନିମନ୍ତେ ଉପଲବ୍ଧ ହୋଇପାରିବ।

ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଦରରେ ହରଡ଼ ଡାଲି ଯୋଗାଇ ଦେବା ପାଇଁ ଯଥେଷ୍ଟ ପରିମାଣରେ ଡାଲି ନିଲାମ କରାଯିବ। ବଜାରରେ ଡାଲି ଉପଲବ୍ଧତାର ପ୍ରଭାବକୁ ଆକଳନ କରାଯାଇ ସେହି ଆଧାରରେ ନିଲାମୀର ପୁନରାବୃତ୍ତି କରାଯିବ।

ଏଠାରେ ସୂଚନାଯୋଗ୍ୟ ଯେ ଜମାଖୋରୀ ଏବଂ ବେଆଇନ ମହଜୁଦକୁ ରୋକିବା ତଥା ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ଡାଲି ଉପଲବ୍ଧତାରେ ସୁଧାର ଆଣିବା ଲାଗି ୨ ଜୁନ୍‌ ୨୦୨୩ରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୯୫ କୁ ଲାଗୁ କରି ସରକାର ହରଡ଼ ଓ ବିରି ଡାଲିର ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରିଥିଲେ। ଏହି ଆଦେଶ ଅନୁଯାୟୀ, ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି।

ପ୍ରତ୍ୟେକ ଡାଲି ଉପରେ ଷ୍ଟକ୍‌ ସୀମା ଲାଗୁ ହେବ। ପାଇକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ଷ୍ଟକ୍‌ ସୀମା ୨୦୦ ମେଟ୍ରିକ ଟନ୍‌, ଖୁଚୁରା ବ୍ୟବସାୟୀଙ୍କ ପାଇଁ ୫ ମେଟ୍ରିକ ଟନ୍‌, ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ରରେ ୫ ମେଟ୍ରିକ ଟନ୍‌ ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବିକ୍ରୟ କେନ୍ଦ୍ରର ଡିପୋରେ ୨୦୦ ମେଟ୍ରିକ ଟନ୍‌ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ସେହିପରି ମିଲରଙ୍କ କ୍ଷେତ୍ରରେ ଶେଷ ତିନି ମାସର ଉତ୍ପାଦନ କିମ୍ବା ବାର୍ଷିକ ଉତ୍ପାଦନ କ୍ଷମତାର ୨୫% ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ବିଭାଗର ପୋର୍ଟାଲ (https://fcainfoweb.nic.in/psp)ରେ ଷ୍ଟକ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ଏସବୁ ସଂସ୍ଥାମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଷ୍ଟକ୍‌ ସୀମା ଆଦେଶକୁ କାର୍ଯ୍ୟକାରୀ କରିବା ଏବଂ ପୋର୍ଟାଲରେ ଷ୍ଟକ୍‌ ସମ୍ପର୍କରେ ସୂଚନା ଦେବା ସ୍ଥିତିକୁ ଉପଭୋକ୍ତା ବ୍ୟାପାର ବିଭାଗ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅନୁଧ୍ୟାନ କରାଯାଉଛି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲୁସି) ଓ ରାଜ୍ୟ ପଣ୍ୟାଗାର ନିଗମ (ଏସଡବ୍ଲୁସି)ର ଗୋଦାମରେ ବିଭିନ୍ନ ସଂସ୍ଥା ଦ୍ୱାରା ରଖାଯାଉଥିବା ଷ୍ଟକ୍‌ ଆଦିର ତଥ୍ୟକୁ ପୋର୍ଟାଲରେ ଘୋଷଣା କରାଯାଇଥିବା ମାତ୍ରା ସହିତ ତୁଳନା କରାଯାଇଛି।

ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ନିରନ୍ତର ଭାବେ ମୂଲ୍ୟ ଅନୁଧ୍ୟାନ କରୁଛନ୍ତି ଏବଂ ଷ୍ଟକ୍‌ ସୀମା ଆଦେଶର ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷ୍ଟକର ସ୍ଥିତିକୁ ଯାଞ୍ଚ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ ସରକାରଙ୍କ ସହିତ ନିବିଡ଼ ସମନ୍ୱୟ ସ୍ଥାପନ କରି ରପ୍ତାନିକାରୀ, ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ ପ୍ରମୁଖଙ୍କ ପାଖରେ ଗଚ୍ଛିତ ରହିଥିବା ହରଡ଼ ଡାଲି ଷ୍ଟକ ଅନୁଧ୍ୟାନ କରିବେ । ଯଥେଷ୍ଟ ପରିମାଣରେ ହରଡ଼ ଡାଲି ଆମଦାନୀ କରାଯାଉଥିଲେ ମଧ୍ୟରେ କିଛି ଅସାଧୁ ବ୍ୟବସାୟୀ ସେସବୁକୁ ଖୋଲା ବଜାରକୁ ଛାଡ଼ିବା ପରିବର୍ତ୍ତେ ଗଚ୍ଛିତ ରଖୁଛନ୍ତି । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଜାରରେ ଜମାଖୋର ଏବଂ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଗଚ୍ଛିତ ରଖିଥିବା ହରଡ଼ ଡାଲି ଷ୍ଟକକୁ ଯାଞ୍ଚ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର କମିଟି ଗଠନ କରିଛନ୍ତି । ଏହା ଆଗାମୀ ମାସଗୁଡ଼ିକରେ ହରଡ଼ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି । ସରକାର ଘରୋଇ ବଜାରରେ ଅନ୍ୟ ଡାଲିର ଗଚ୍ଛିତ ପରିମାଣ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି, ଯଦ୍ଦ୍ୱାରା ଆଗାମୀ ମାସଗୁଡ଼ିକରେ ଅହେତୁକ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅଧୀନରେ ଗଚ୍ଛିତ ହରଡ଼ ଡାଲିର ଷ୍ଟକ୍‌ ପରିମାଣ ପ୍ରକାଶ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଗତ ବର୍ଷ ଅଗଷ୍ଟ ୧୨ ତାରିଖରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାର୍ଗଦର୍ଶିକା ଜାରି କରିଥିଲେ । ଆହୁରି ହରଡ଼ ଡାଲି ଆମଦାନୀକୁ ସୁଗମ ଓ ବାଧାମୁକ୍ତ କରିବା ଲାଗି ସରକାର ଅଣ-ଏଲଡିସି ଦେଶରୁ ଏହି ଡାଲି ଆମଦାନୀ ଉପରେ ଲାଗୁ ହେଉଥିବା ୧୦ ପ୍ରତିଶତ ଶୁଳ୍କକୁ ଉଚ୍ଛେଦ କରିଥିଲେ, କାରଣ ଏଲଡିସି ଦେଶରୁ ନିଃଶୁଳ୍କ ଆବଦାନୀ କ୍ଷେତ୍ରରେ ମଧ୍ୟ ଏହି ଶୁଳ୍କ ପ୍ରକ୍ରିୟାଗତ ବାଧା ଉତ୍ପନ୍ନ କରୁଥିଲା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହରଡ ଡାଲିର ମହଜୁଦ ପରିମାଣ ଜଣାଇବା ବାଧ୍ୟତାମୂଳକ: ବଡ ବ୍ୟବସାୟୀ ଓ ମହଜୁଦକାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହରଡ ଡାଲି ସମେତ ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ମୂଲ୍ୟ ଉପରେ କେନ୍ଦ୍ର ସରକାରଙ୍କ ସତର୍କ ଦୃଷ୍ଟି ରଖିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଅଗଷ୍ଟ ୧୨ତାରିଖରେ ଏହି ମର୍ମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରେ ହରଡ ଡାଲିର ମହଜୁଦ (ଷ୍ଟକ୍) ପରିମାଣ ଜଣାଇବା ସବୁ ବଡ ବଡ ବ୍ୟବସାୟୀ (ଷ୍ଟକ୍ ହୋଲଡର)ଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୩ (୨) (ଏଚ୍) ଓ ୩(୨)(ଆଇ) ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଆଇନ ଅନୁସାରେ ସରକାରୀ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗ ଡାଲି ସହିତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ପରିମାଣ ଏବଂ ମୂଲ୍ୟ ତଦାରଖ କରିବାକୁ ଅଧିକୃତ। ସମ୍ପୃକ୍ତ ବଡ ବଡ ବ୍ୟବସାୟୀ ସେମାନଙ୍କର ହରଡ ଡାଲିର ମହଜୁଦ (ଷ୍ଟକ) ପରିମାଣ ପ୍ରତ୍ୟେକ ସପ୍ତାହରେ ଥରେ ଲେଖାଏଁ ଖାଉଟି ବ୍ୟାପାର ବିଭାଗର ଅନ୍ଲାଇନ ପୋର୍ଟାଲରେ ଅପ୍ଲୋଡ କରିବେ। ଏହି କାର୍ଯ୍ୟରେ ଯେପରି ବ୍ୟାଘାତ ନ ଘଟେ ଏବଂ ଷ୍ଟକ୍ଧାରୀ ଯେପରି ବ୍ୟତିକ୍ରମ ନ କରନ୍ତି, ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

କିଛି ବଡ ବ୍ୟବସାୟୀ ଓ ମହଜୁଦକାରୀ (ଷ୍ଟକ ହୋଲଡର) କୃତିମ ଅଭାବ ସୃଷ୍ଟି ଉଦ୍ଦେଶ୍ୟରେ ବଜାରକୁ ଡାଲି ଛାଡୁ ନ ଥିବା ଖବର ମିଳିଛି। ବିଶେଷ କରି ହରଡ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଏହା ଜଣା ପଡିବା ପରେ କେନ୍ଦ୍ର ସରକାରେ ତତ୍ପର ହୋଇପଡିଛନ୍ତି ଏବଂ ଡାଲିର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ସତର୍କ ନଜର ରଖିବା ଆରମ୍ଭ କରିଛନ୍ତି। ତଦନୁସାରେ କୃତ୍ରିମ ଅଭାବ ଯେପରି ନ ଘଟେ ସେଥିପାଇଁ ବଡ ବଡ ମହଜୁଦକାରୀ ଓ ବ୍ୟବସାୟୀଙ୍କ ପାଖରେ ହରଡ ସମେତ ବିଭିନ୍ନ ପ୍ରକାର ଡାଲିର ପରିମାଣ ଓ ତାହାର ମୂଲ୍ୟ ନିୟମିତଭାବେ ଜାଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରେ ସବୁମନ୍ତେ ସାହାଯ୍ୟ ସହଯୋଗ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। କେହି ଯେପରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଫାଇଦା ନ ଉଠାନ୍ତି ତା’ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

୨୦୨୨ ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ଦେଶର ବିଭିନ୍ନ ଅଞ୍ଚଳରେ ହରଡ ଡାଲିର ଖୁଚୁରାମୂଲ୍ୟ ବଢିବା ଆରମ୍ଭ କରିଥିଲା। ଗତବର୍ଷ ତୁଳନାରେ ଏଥର ଖରିଫ ଋତୁରେ ଅତ୍ୟଧିକ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ପ୍ରଭାବିତ ହୋଇଥିଲା। ଅଧିକ ହରଡ ଉତ୍ପାଦିତ ହେଉଥିବା ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଉତ୍ପାଦନ ହ୍ରାସ ପାଇବା କାରଣରୁ ବଜାରରେ ଏହାର ଦାମ୍ ବୃଦ୍ଧି ପାଇଥିଲା।

ତେବେ କେନ୍ଦ୍ର ସରକାର ଏ ବିଷୟରେ ଅବଗତ ଅଛନ୍ତି। ଆଗକୁ ପୂଜାପାର୍ବଣ ସମୟ ଆସୁଥିବାରୁ ଚାହିଦା ବୃଦ୍ଧିର ସୁଯୋଗ ନେଇ ବ୍ୟବସାୟୀ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଫାଇଦା ନ ଉଠାନ୍ତି ସେଥିପାଇଁ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ତତ୍ପର ରହିଛି । ଘରୋଇ ବଜାରର ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ସେଥିପାଇଁ ବିଦେଶ ଡାଲି ବଜାର ଉପରେ ମଧ୍ୟ ସରକାର ନଜର ରଖିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ଏବେ ଯଥେଷ୍ଟ ପରିମାଣର ଡାଲି ମହଜୁଦ ରହିଛି। ସରକାରଙ୍କ ପାଖରେ ଏବେ ୩୮ଲକ୍ଷ ଟନ୍ ଡାଲି ମହଜୁଦ ଅଛି। ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ମହଜୁଦ ଥିବା ଡାଲିକୁ ସରକାର ପର୍ଯ୍ୟାୟ କ୍ରମେ ଖୋଲା ବଜାରକୁ ଛାଡୁଛନ୍ତି।