Categories
ଆଜିର ଖବର ରାଜ୍ୟ ଖବର

ସାମନ୍ତବାଦ ଓ ରୁଢିବାଦ ବିରୋଧୀ ସଂଘର୍ଷର ପ୍ରତୀକ ପ୍ରଜାତନ୍ତ୍ର: ଅନୁରାଗ ସିଂ ଠାକୁର

ଭୁବନେଶ୍ୱର: କଟକରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଜି ପ୍ରଜାତନ୍ତ୍ରକୁ ପୁରୁଣା ପ୍ରଜାତନ୍ତ୍ର ଭାବେ ଦେଖିବା ପାଇଁ ଓଡ଼ିଶା ଅପେକ୍ଷା କରିଛି ବୋଲି କହିଛନ୍ତି। ସେହିପରି ପ୍ରଜାତନ୍ତ୍ର ସାମନ୍ତବାଦ ଓ ରୁଢିବାଦ ବିରୋଧରେ ସଂଘର୍ଷର ଏକ ପ୍ରତୀକ ଅଟେ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ସଭ୍ୟତାରେ ସମାଜ ଜାଗ୍ରତ ହୋଇ ସଚେତନତା ସୃଷ୍ଟି କରିବା ସହ ସମ୍ବେଦନଶୀଳ ହୋଇ ନିଜକୁ ସବୁବେଳେ ସମ୍ଭାଳିବାର ଶକ୍ତି ରଖେ । ପ୍ରଜାତନ୍ତ୍ର ସେଭଳି ଏକ ଆନ୍ଦୋଳନ । ଏହି ସମ୍ବାଦପତ୍ର କେବଳ ଜନତାଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ନୁହେଁ ବରଂ ଗାଁ ମଜଲିସ ମାଧ୍ୟମରେ ସାମ୍ବାଦିକ ଭାଷାକୁ ରୂପ ଦେବା ସହ ଓଡ଼ିଶାରେ ସାହିତ୍ୟକୁ ଆଗକୁ ନେବା ପାଇଁ ଯଥେଷ୍ଟ ପ୍ରୟାସ କରିଛି । ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜଲିସ’ ସମାଜରେ ପରିବର୍ତ୍ତନ ଆଣିବାର ଏକ ମାଧ୍ୟମ ଥିଲା । ଏକବିଂଶ ଶତାବ୍ଦୀରେ ଏହି ସମ୍ବାଦପତ୍ର ସମୀକ୍ଷା ସହ ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚୁ । ଓଡ଼ିଶାର ପୁଞ୍ଜି ବୌଦ୍ଧିକ ସ୍ପଷ୍ଟତା । ତେଣୁ କଟକର ଚିନ୍ତା କରିଥିବା ବାଇମୁଣ୍ଡିଙ୍କ ପରି ରାଜ୍ୟର ବାଇମୁଣ୍ଡି ମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରାଜ୍ୟରେ ଦାୟିତ୍ୱ ନେଉଥିବା ଲୋକଙ୍କୁ ଉଜାଗର କରିବାକୁ ହେବ ।

ପ୍ରଜାତନ୍ତ୍ର ପରିବାରର ପ୍ରତ୍ୟେକ ସଦସ୍ୟ ଏକ ଶତାବ୍ଦୀ ଧରି ଖବରକାଗଜର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ଚିନ୍ତାଧାରାକୁ ଓଡ଼ିଶାବାସୀଙ୍କ ମଧ୍ୟରେ ବଞ୍ଚାଇ ରଖିଛନ୍ତି । ଏହି ଶୁଭ ଅବସରରେ ‘ପ୍ରଜାତନ୍ତ୍ର’ ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । କଟକରୁ ଆରମ୍ଭ ହୋଇଥିବା ‘ପ୍ରଜାତନ୍ତ୍ର’ ତତ୍କାଳୀନ ସମୟର ପରିଚୟ ଓ ଓଡ଼ିଆ ଜନତାଙ୍କର ଅଭିବ୍ୟକ୍ତି ଥିଲା । ଆଜି ପ୍ରଜାତନ୍ତ୍ର ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ଦେଖିବା ବେଳେ ମନରେ ଅନୁଭବ ହେଲା ଯେ, ସେ ସମୟର ପ୍ରଜାତନ୍ତ୍ର ଓଡ଼ିଆ ଭାଷା, ଜାତି, ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନ ଥିଲା । ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବ ବହୁତ ଭଲରେ ଓଡ଼ିଆଙ୍କ ସ୍ପନ୍ଦନକୁ ବୁଝିପାରିଥିଲେ । ଏହି ଅବସରରେ ସେହି ଯୁଗଦ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶର ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ପ୍ରଜାତନ୍ତ୍ର ଏକ ବହୁତ ବଡ ଦାୟିତ୍ୱ ତୁଲାଇଥିଲା । ଉତ୍କଳକେଶରୀ ହରେକୃଷ୍ଣ ମହତାବ ଓଡ଼ିଶା ସମେତ ଜାତୀୟ ସ୍ତରରେ ନିଜ ଜୀବନରେ ଅନେକ ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି । ଯେଉଁଠି ଲୋକତନ୍ତ୍ରକୁ କିଛି ଲୋକ ଲୁଟତନ୍ତ୍ର ବନାଇ ଦେଇଛନ୍ତି ଏବଂ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର ବନାଇ ଦେଇଛନ୍ତି, ସେଭଳି ସମୟରେ ପ୍ରଜାତନ୍ତ୍ର ଭଳି ପତ୍ରିକା ମାଧ୍ୟମରେ ଦେଶକୁ ପୁଣି ଥରେ ବଞ୍ଚାଇବା ଜରୁରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ପୂର୍ବରୁ ଗୋଟଏ ଲଢେଇ ଥିଲା, ଆଉ ଏବେ ଗୋଟିଏ ଲଢେଇ ଅଛି । ସେତେବେଳେ ଇଂରେଜଙ୍କ ଠାରୁ ମୁକ୍ତି ପାଇବା ପାଇଁ ଲଢେଇ ଥିଲା ଆଉ ଏବେ ବ୍ରିଟିଶ ଆଭିମୁଖ୍ୟ ରଖୁଥିବା ଲୋକଙ୍କ ଠାରୁ କେମିତି ମୁକ୍ତି ପାଇବା, ସେଥିପାଇଁ ଲଢେଇ ଚାଲିଛି । ଆଜିର ସମୟରେ ଯେତେବେଳେ କିଛି ସାମ୍ବାଦିକ ଓ ଗଣମାଧ୍ୟମ ସତ୍ୟ ଖବର ସଂଗ୍ରହ କରିବା ପାଇଁ ପରିଶ୍ରମ କରୁଛନ୍ତି ସେ ସମୟରେ କିଛି ଲୋକ ନ୍ୟୁଜ୍ ନାଁରେ ଫେକ୍ ନ୍ୟୁଜ୍ ପ୍ରଚାର କରୁଛନ୍ତି । ଏହା ଦ୍ୱାରା ବ୍ୟକ୍ତି, ସମାଜ, ସରକାର ଓ ଦେଶର କ୍ଷତି ହେଉଛି । ଏହି ଫେକ୍ ନ୍ୟୁଜକୁ ଯାଞ୍ଚ କରିବା ପାଇଁ ଭାରତ ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ବନାଯାଇଛି ବୋଲି ସେ କହିଛନ୍ତି ।

ଉଭୟ କେନ୍ଦ୍ରମନ୍ତ୍ରୀ ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହ ଅବସରରେ  ସାଂସଦ ତଥା ‘ପ୍ରଜାତନ୍ତ୍ର’ ର ସମ୍ପାଦକ ଭର୍ତ୍ତୃହରି ମହତାବ ଓ ସମ୍ବାଦପତ୍ର ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ଚତୁର୍ଥ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ନିମନ୍ତେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହାଉପରେ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଛି। ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପାଠକ ପାଠିକା ମାନେ କିପରି ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ଏ ବିଷୟରେ ସେ ଉଲ୍ଲେଖ କରିଥିଲେ।

ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଭାରତୀୟ ପୋଲିସ ସେବା ଅଧିକାରୀ ତଥା ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ପାଠକ ପାଠିକା ମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ। ନିଜକୁ ଉତ୍ସଗୀକୃତ ଭାବେ ସମୟର ସଦୁପଯୋଗ କରି ଓ ସମ୍ପୂର୍ଣ୍ଣ ରୂପେ ଭାଗ୍ୟ ଉପରେ ଭରସା ନ କରି ଭବିଷ୍ୟତ ଗଠନ କରିବା ସହିତ ନିଜ ଭିତରେ କିପରି ଆତ୍ମ ବିଶ୍ୱାସ ଜନ୍ମାଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିବେ ସେଥିନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ।

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଅତସୀ ଦାସ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଓ ପାଠକ ପାଠିକା ମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀମାନଙ୍କ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର କ୍ଷେତ୍ର ପରିଦର୍ଶନ

ଭୁବନେଶ୍ବର: ଅଡଶପୁରସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର କୋଡ଼ିଏ ଜଣ ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପଞ୍ଜିକରଣ, ଗ୍ରନ୍ଥାଗାର ପରିଚାଳନା, ଇ-ଗ୍ରନ୍ଥାଗାର, ଡାଟା ଏଣ୍ଟ୍ରି, ଅଟୋମେସନ, ଆକ୍ସେସିଙ୍ଗ୍,କାଟାଲଗିଙ୍ଗ୍, ଡିଜିଟାଇଜେସନ ଆଦି ପ୍ରକ୍ରିୟା ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା।

ଏହି କ୍ଷେତ୍ର ପରିଦର୍ଶନ ସେମାନଙ୍କ ପାଠ୍ୟକ୍ରମର ଏକ ଅଂଶବିଶେଷ ଏବଂ ଏହାଦ୍ବାରା ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ ବୋଲି ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ପାଠାଗାର ପରିଦର୍ଶନ କରି ସେମାନେ ଖୁସି ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ମଞ୍ଜରୀ ବେହେରା ଏବଂ ନିରୂପମା ମିଶ୍ର ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ସାମିଲ ଥିଲେ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ସ୍ଵତନ୍ତ୍ର କର୍ତ୍ତ୍ୟବ୍ୟରତ ଅଧିକାରୀ ଅତସୀ ଦାସ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଓ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କ ୧୯ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଏହି ଉତ୍ସବରେ ଓଡିଆ ଭାଷି, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଆଗାମୀ ଦିନରେ ଖ୍ୟାତିସମ୍ପର୍ନ୍ନ କବି, ଲେଖକ ସାହିତି୍ୟକ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ପ୍ରତିମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରିବା ସଂପର୍କରେ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ବିଦ୍ୟାର୍ଥୀମାନଙ୍କୁ ନିୟମିତ ଭାବେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାର୍ଗଦର୍ଶନ ସହିତ ପାଠାଗାର ଭିତ୍ତିଭୂମି ଉନ୍ନୟନ କରାଯିବାକୁ କହିଥିଲେ। ଏହି ଅବସରରେ ଗ୍ରନ୍ଥାଗାରର ଦିବଙ୍ଗତ କର୍ମଚାରୀ ରବୀନ୍ଦ୍ର ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା ସଂଯୋଜନା କରିଥିବାବେଳେ ଗ୍ରନ୍ଥାଗାରିକ ସଙ୍ଘମିତ୍ରା ସାହୁ, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଂଜୁରାଣୀ ମୁଦୁଲିଙ୍କ ସହ କର୍ମଚାରୀ ଓ ପାଠକ ପ୍ରମୁଖ ଯୋଗଦେଇଥିଲେ।