ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଓ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କୁ ଶ୍ରଦ୍ଧାଞ୍ଜଳି

Published: May 7, 2023, 12:26 am IST

ଭୁବନେଶ୍ୱର: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କ ୧୯ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଏହି ଉତ୍ସବରେ ଓଡିଆ ଭାଷି, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଆଗାମୀ ଦିନରେ ଖ୍ୟାତିସମ୍ପର୍ନ୍ନ କବି, ଲେଖକ ସାହିତି୍ୟକ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ପ୍ରତିମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରିବା ସଂପର୍କରେ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ବିଦ୍ୟାର୍ଥୀମାନଙ୍କୁ ନିୟମିତ ଭାବେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାର୍ଗଦର୍ଶନ ସହିତ ପାଠାଗାର ଭିତ୍ତିଭୂମି ଉନ୍ନୟନ କରାଯିବାକୁ କହିଥିଲେ। ଏହି ଅବସରରେ ଗ୍ରନ୍ଥାଗାରର ଦିବଙ୍ଗତ କର୍ମଚାରୀ ରବୀନ୍ଦ୍ର ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା ସଂଯୋଜନା କରିଥିବାବେଳେ ଗ୍ରନ୍ଥାଗାରିକ ସଙ୍ଘମିତ୍ରା ସାହୁ, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଂଜୁରାଣୀ ମୁଦୁଲିଙ୍କ ସହ କର୍ମଚାରୀ ଓ ପାଠକ ପ୍ରମୁଖ ଯୋଗଦେଇଥିଲେ।

Related posts