Categories
ଆଜିର ଖବର ଜାତୀୟ ଖବର

ସର୍ଦ୍ଦାର ପଟେଲଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତାଙ୍କର ଅଦମ୍ୟ ଉତ୍ସାହ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅତୁଳନୀୟ ନିଷ୍ଠା ଆମ ଦେଶର ଭବିଷ୍ୟତକୁ ଆକାର ଦେଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଆମେ ତାଙ୍କ ଅଦମ୍ୟ ଉତ୍ସାହ, ଦୂରଦୃଷ୍ଟି ସମ୍ପନ୍ନ ଜାତୀୟତାବାଦ ଏବଂ ଅସାଧାରଣ ନିଷ୍ଠାକୁ ମନେ ରଖିଛୁ, ଯାହା କି ଆମ ଦେଶର ଭବିଷ୍ୟତକୁ ଆକାର ଦେଇଛି। ରାଷ୍ଟ୍ରୀୟ ଏକତା ପ୍ରତି ତାଙ୍କ ପ୍ରତିବଦ୍ଧତା ଆମର ମାର୍ଗଦର୍ଶନ କରିବା ଜାରି ରଖିଛି। ଆମେ ତାଙ୍କ ସେବା ପ୍ରତି ସର୍ବଦା ଋଣୀ ରହିବୁ।’

Categories
ଆଜିର ଖବର ଜାତୀୟ ଖବର

“ମେରୀ ମାଟି ମେରା ଦେଶ” ଅଭିଯାନର ପ୍ରଥମ ପର୍ଯ୍ୟାୟରେ ବିପୁଳ ଜନସାଧାରଣଙ୍କ ଅଂଶଗ୍ରହଣ

ଭୁବନେଶ୍ଵର: “ମେରୀ ମାଟି ମେରା ଦେଶ” ନାମକ ଏକ ଦେଶବ୍ୟାପୀ ଅଭିଯାନ 9 ଅଗଷ୍ଟ 2023 ରେ ଆରମ୍ଭ ହୋଇଥିଲା ଯେଉଁଥିରେ ଦେଶ ପାଇଁ ଜୀବନ ଦେଇଥିବା ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅଭିଯାନ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଉଦଯାପନୀ କାର୍ଯ୍ୟକ୍ରମ, ଯାହା 12 ମାର୍ଚ୍ଚ 2021 ରେ ଆରମ୍ଭ ହୋଇଥିଲା ଏବଂ ସାରା ଭାରତରେ 2 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜନସାଧାରଣଙ୍କ ଅଂଶଗ୍ରହଣ (ଜନ ଭାଗିଦାରୀ) ର ସାକ୍ଷୀ ରହିଥିଲା।

ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମୀ ତଥା ସୁରକ୍ଷା ବାହିନୀ ପାଇଁ ଉତ୍ସର୍ଗୀକୃତ ଶିଳାଫଳକମ ପ୍ରତିଷ୍ଠା ସହିତ ପଞ୍ଚ ପ୍ରଣ ଶପଥ ପାଠ, ବସୁଧା ବନ୍ଦନ, ବୀର ମାନଙ୍କର ବନ୍ଦନ ଅର୍ଥାତ ଆମର ବୀରମାନଙ୍କର ସାହସିକତା ଓ ବଳିଦାନକୁ ସମ୍ମାନ ଭଳି କାର୍ଯ୍ୟକ୍ରମ ରହିଛି।

ମେରୀ ମାଟି ମେରା ଦେଶ ଅଭିଯାନର ପ୍ରଥମ ପର୍ଯ୍ୟାୟ ବ୍ୟାପକ ବିସ୍ତାର ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଏକ ଅଭୂତପୂର୍ବ ସଫଳତା ବୋଲି ପ୍ରମାଣିତ ହୋଇଛି।  ଆଜି ପର୍ଯ୍ୟନ୍ତ 36 ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ 2.33 ଲକ୍ଷରୁ ଅଧିକ ଶିଳାଫଳକମ ନିର୍ମାଣ କରାଯାଇଛି। ଆଜି ପର୍ଯ୍ୟନ୍ତ ପ୍ରାୟ 4 କୋଟି ପଞ୍ଚ ପ୍ରଣ ଶପଥ ପାଠ ସେଲଫି ୱେବସାଇଟରେ ଅପଲୋଡ୍ ହୋଇଛି। ସାରା ଦେଶରେ 2 ଲକ୍ଷରୁ ଊର୍ଦ୍ଧ୍ଵ ବୀରଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବସୁଧା ବନ୍ଦନ ଥିମ୍ ଅନ୍ତର୍ଗତ 2.36 କୋଟିରୁ ଅଧିକ ସ୍ୱଦେଶୀ ଚାରା ରୋପଣ କରାଯାଇଛି ଏବଂ 2.63 ଲକ୍ଷ ଅମୃତ ଭାଟିକା ସୃଷ୍ଟି କରାଯାଇଛି।

ବର୍ତ୍ତମାନ ଏହି ଅଭିଯାନ ସାରା ଦେଶରେ ଅମୃତ କଳଶ ଯାତ୍ରା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ସାରା ଭାରତରେ ହେବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଘରକୁ ସାମିଲ୍ କରିବା। ଗ୍ରାମାଞ୍ଚଳର 6 ଲକ୍ଷରୁ ଅଧିକ ଗାଁରୁ ଏବଂ ଭାରତର ସହରାଞ୍ଚଳର ୱାର୍ଡରୁ ମାଟି ଏବଂ ଚାଉଳ ଶସ୍ୟ ସଂଗ୍ରହ କରାଯାଉଛି।

ଗ୍ରାମାଞ୍ଚଳରେ ଏହା ବ୍ଲକ ସ୍ତରରେ ମିଳିତ ହୋଇ ବ୍ଲକ ସ୍ତରୀୟ କଳଶ ସୃଷ୍ଟି କରିବ।  ରାଜ୍ୟ ରାଜଧାନୀରୁ ଏହାକୁ ଆନୁଷ୍ଠାନିକ ଭାବରେ ପଠାଇବା ପରେ ଏହି କଲଶ ଜାତୀୟ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଆସିବ। ସହରାଞ୍ଚଳରେ ମାଟି ୱାର୍ଡରୁ ସଂଗୃହିତ ହୋଇ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ମିଶ୍ରଣ ଏବଂ ପରିବହନ ପାଇଁ ଏହାକୁ ବୃହତ ସହରାଞ୍ଚଳକୁ ଅଣାଯାଉଛି। ଅନ୍ତିମ କାର୍ଯ୍ୟକ୍ରମ ପାଇଁ ଅକ୍ଟୋବର ଶେଷ ସୁଦ୍ଧା 8500 ରୁ ଅଧିକ କଲଶ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣ ଅନୁକୋଣରୁ ସଂଗୃହିତ ମାଟି ଅମୃତ ଭାଟିକା ଏବଂ ଅମୃତ ମେମୋରିଆଲରେ ରଖାଯିବ ଏବଂ ଆଜାଦି କା ଅମୃତ ମହୋତ୍ସବଙ୍କୁ ସ୍ମରଣ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ।

Categories
ଆଜିର ଖବର ଜାତୀୟ ଖବର

ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ସାମାଜିକ ସଂସ୍କାର ଏବଂ ପଛୁଆ ବର୍ଗର ଲୋକଙ୍କ ଉତ୍ଥାନ ପାଇଁ ତାଙ୍କ  ଅବିରତ ଉଦ୍ୟମ ଆମକୁ ପ୍ରେରଣା ଦେଇଥାଏ। ତାଙ୍କ ନିଃସ୍ୱାର୍ଥପରତା ଏବଂ ଏକତା ଭାବନା ଆଗକୁ ମଧ୍ୟ ମାନବକୁ ମାର୍ଗଦର୍ଶନ କରିବ।’

Categories
ବିଶେଷ ଖବର

ଯେତେବେଳେ ସଭା ସମ୍ମୁଖରେ ବସିଥିଲେ ମହାତ୍ମା ଗାନ୍ଧୀ, ସେତେବେଳେ ତାଙ୍କ ପାଦରେ ଫୁଲ ଅର୍ପଣ କରିଥିଲେ ରାଜୀବ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ। ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କୁ ନିଜ ଢଙ୍ଗରେ ମନେ ପକାଇଛନ୍ତି। ଲଦାଖର ପାଙ୍ଗୋଙ୍ଗସୋ ହ୍ରଦ କୂଳରେ ରାହୁଲ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକବିଂଶ ଶତାବ୍ଦୀର ନିର୍ମାତା କୁହାଯାଉଥିବା ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତୀୟ ଟେଲିକମ୍ ନେଟୱର୍କ ଗଠନ କରିଥିଲେ, ମତଦାନ ସୀମା ଥିଲା ୨୧ରୁ ୧୮ ବର୍ଷ, ପ୍ରଥମ ଥର ପାଇଁ ଦେଶରେ କମ୍ପ୍ୟୁଟର ଆଣିବା, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଇତ୍ୟାଦି ତାଙ୍କ ସଫଳତା ମଧ୍ୟରେ ଗଣାଯାଏ। ରାଜୀବ ଗାନ୍ଧୀଙ୍କ ସହ ଜଡ଼ିତ ପୁରୁଣା କାହାଣୀ ମଧ୍ୟ ବହୁତ ପ୍ରସିଦ୍ଧ। ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ୍ ବିଷୟରେ। ସେତେବେଳେ ରାଜୀବଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ଏହି ସାକ୍ଷାତ୍ ବିଷୟରେ ଉଲ୍ଲେଖ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ପରଦିନ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ ଗୁଳି କରି ହତ୍ୟା କରିଥିଲେ।

ସେତେବେଳେ ରାଜୀବଙ୍କୁ ମାତ୍ର ୪ ବର୍ଷ ହୋଇଥିଲା

ଏହା ୧୯୪୮ ମସିହା ଜାନୁଆରୀ ୨୯ ତାରିଖର କଥା। ସେତେବେଳେ ସେ ଦେଶ ଓ ବିଶ୍ୱର ରାଜନୀତି ଓ ଅସ୍ଥିରତା ବିଷୟରେ ଅବଗତ ନ ଥିଲେ। ସେହି ଦିନଗୁଡ଼ିକ କେବଳ ୪ ବର୍ଷର ରାଜୀବଙ୍କ ପାଇଁ ଖେଳିବାର ଥିଲା। ଜାନୁଆରୀ ୨୯ ତାରିଖ ସନ୍ଧ୍ୟାରେ ମା’ ଇନ୍ଦିରା ଗାନ୍ଧୀ ତାଙ୍କୁ ମହାତ୍ମା ଗାନ୍ଧୀଙ୍କୁ ଭେଟିବାକୁ ନେଇଯାଇଥିଲେ। ଇନ୍ଦିରା ଓ ରାଜୀବଙ୍କ ସହ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭଉଣୀ କ୍ରିଷ୍ଣା ହାତୀ ସିଂହ, ନୟନତାରା ପଣ୍ଡିତ ଓ ପଦ୍ମଜା ନାଇଡୁ ଉପସ୍ଥିତ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଲେଖିଥିବା କ୍ୟାଥରିନ ଫ୍ରାଙ୍କ କହିଛନ୍ତି ଯେ ସେହି ଦିନ ସନ୍ଧ୍ୟାରେ ଘରୁ ବାହାରିବା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ମାଳି ଏକ ଗୁଣ୍ଡ ଚମେଲି ଫୁଲ ଦେଇଥିଲେ। ଇନ୍ଦିରା ଗାନ୍ଧୀ ଭାବିଥିଲେ ଯେ ସେ ଏହି ଚମେଲି ଫୁଲ ନେଇ ଗାନ୍ଧିଜୀଙ୍କୁ ଦେବେ। ଏହାପରେ ଇନ୍ଦିରା ଗାନ୍ଧୀ, ରାଜୀବ, ନେହେରୁଙ୍କ ଭଉଣୀ କ୍ରିଷ୍ଣା ହାତୀସିଂହ, ନୟନତାରା ପଣ୍ଡିତ ଏବଂ ପଦ୍ମଜା ନାଇଡୁଙ୍କ ସହ ବିର୍ଲା ହାଉସ ଅଭିମୁଖେ ଯାତ୍ରା କରିଥିଲେ।

ସେଦିନ ରାଜୀବଙ୍କୁ ଏକ ବଡ଼ ଶିକ୍ଷା ମିଳିଥିଲା

ସବୁଦିନ ଭଳି ମହାତ୍ମା ଗାନ୍ଧୀ ବିର୍ଲା ହାଉସର ଲନରେ ଖରାରେ ବସିଥିଲେ। ଇନ୍ଦିରା ଗାନ୍ଧୀ, ନେହେରୁଙ୍କ ଭଉଣୀ କ୍ରିଷ୍ଣା ହାତୀସିଂହ, ନୟନତାରା ପଣ୍ଡିତ ଓ ପଦ୍ମଜା ନାଇଡୁ ଆସି ଗାନ୍ଧୀଙ୍କ ନିକଟରେ ବସିଥିଲେ। ରାଜୀବ ନିକଟରେ ପ୍ରଜାପତିଙ୍କ ସହ ଖେଳୁଥିଲେ। କିଛି ସମୟ ପରେ ରାଜୀବ ଆସି ମହାତ୍ମା ଗାନ୍ଧୀଙ୍କ ପାଦ ପାଖରେ ବସିଲେ। ରାଜୀବ କ’ଣ ଭାବୁଥିଲେ ଜାଣି ପାରିନଥିଲେ, ସେ ଗାନ୍ଧୀଙ୍କ ପାଦ ମଧ୍ୟରେ ଚମେଲି ଫୁଲ ବାନ୍ଧିବା ଆରମ୍ଭ କଲେ। ଜାତିର ପିତା ଏହା ଦେଖି ରାଜୀବଙ୍କ କାନ ଧରି ତାଙ୍କୁ ଉଠାଇ ନେଇଥିଲେ। ରାଜୀବଙ୍କୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦେଇ ଗାନ୍ଧୀ କହିଥିଲେ ଯେ ଏପରି କରନ୍ତି ନାହିଁ, ଫୁଲ କେବଳ ମୃତ ଲୋକଙ୍କ ପାଦରେ ଦିଆଯାଏ।

ଆଉ ପରଦିନ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା

ଜାନୁଆରୀ ୨୯ ସନ୍ଧ୍ୟାରେ ଏହି ଘଟଣା ପରେ ମହାତ୍ମା ଗାନ୍ଧୀଙ୍କ ସହ ରାଜୀବଙ୍କର ଏହା ଥିଲା ଶେଷ ସାକ୍ଷାତ୍। ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡସେ ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ପ୍ରାର୍ଥନା ସଭାକୁ ଯିବା ସମୟରେ ନାଥୁରାମ ଗଡସେ ଭିଡ଼ର ଫାଇଦା ଉଠାଇ ଗାନ୍ଧୀଙ୍କୁ ସାମ୍ନାରୁ ୩ ଥର ଗୁଳି କରିଥିଲେ। ଏହାପରେ ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଶେଷ ମୁହୂର୍ତ୍ତରେ ଗାନ୍ଧୀଙ୍କ ପାଟିରୁ ‘ହେ ରାମ’ ବାହାରିବା ପରେ ସେ ନିଜ ଜୀବନବଳି ଦେଇଥିଲେ। ରାଜୀବ ଗାନ୍ଧିଙ୍କ ପାଇଁ ଏହା ପ୍ରଥମ ତଥା ଶେଷ ସାକ୍ଷାତ୍ ସାବ୍ୟସ୍ତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମହାରାଜା ବୀର ବିକ୍ରମ ମାଣିକ୍ୟ ବାହାଦୂରଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଜା ବୀର ବିକ୍ରମ ମାଣିକ୍ୟ ବାହାଦୂରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମହାରାଜା ବୀର ବିକ୍ରମ ମାଣିକ୍ୟ ବାହାଦୂରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସ୍ମରଣ କରୁଛି। ତାଙ୍କ ଦର୍ଶନ ଏବଂ ନେତୃତ୍ୱ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇବ। ସେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏ କି ତ୍ରିପୁରାର ସାମାଜିକ-ଅର୍ଥନୈତିକ ପ୍ରଗତି ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ’।

Categories
ଆଜିର ଖବର ଜାତୀୟ ଖବର

ବିଭାଜନ ପୀଡ଼ିତଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବିଭାଜନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇଛନ୍ତି। ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ନିଜ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିବା ଲୋକଙ୍କ ସଂଘର୍ଷକୁ ମଧ୍ୟ ମନେପକାଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ହେଉଛି ସେହି ଭାରତୀୟଙ୍କୁ ସମ୍ମାନର ସହ ସ୍ମରଣ କରିବାର ଏକ ଅବସର, ଯେଉଁମାନଙ୍କ ଜୀବନ ଦେଶ ବିଭାଜନବେଳେ ବଳି ଦିଆଯାଇଥିଲା। ଏଥିସହ ବିସ୍ଥାପନର ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହୋଇଥିବା ସେହି ଲୋକଙ୍କ କଷ୍ଟ ଏବଂ ସଂଘର୍ଷକୁ ମଧ୍ୟ ଏହି ଦିନ ମନେ ପକାଇ ଦେଇଥାଏ। ସେହି ସମସ୍ତ ଲୋକମାନଙ୍କୁ ଶତ ଶତ ପ୍ରଣାମ।’

Categories
ଆଜିର ଖବର ରାଜ୍ୟ ଖବର

ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କନିକାର ଗାନ୍ଧୀ ଭାବେ ପରିଚିତ କନିକା ପ୍ରଜା ଆନ୍ଦୋଳନର ଅଗ୍ରଦୂତ ବିପ୍ଳବୀ ଚକ୍ରଧର ବେହେରାଙ୍କର ଆଦର୍ଶ ଓ ଆଚରଣ ଥିଲା ଅନନ୍ୟ। ବିପ୍ଳବରୁ ଜନ୍ମ ନିଏ ଶାନ୍ତି ଏବଂ ପ୍ରଗତି। ଏହି ଦୃଷ୍ଟିରୁ ବିପ୍ଳବୀ ଚକ୍ରଧର ବେହେରା କନିକା ରାଜଶକ୍ତିକୁ ପ୍ରତିହତ କରି ଶାନ୍ତି ଓ ମୁକ୍ତି ପ୍ରତିଷ୍ଠାର ଅଗ୍ରଦୂତ ସାଜିଥିଲେ ବୋଲି ଅତିଥି ବକ୍ତାମାନେ ଉଲ୍ଲେଖ କରିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଚକ୍ରଧର ବେହେରାଙ୍କୁ ଏକାଧାରରେ ଜଣେ ଦୂରଦ୍ରଷ୍ଟା, ବିପ୍ଳବୀ, ଦରିଦ୍ରର ବନ୍ଧୁ, ବ୍ୟବସ୍ଥାପକ, ସଂଗଠକ ତଥା ଯୁଗପୁରୁଷ ଭାବେ ଅଭିହିତ କରିଥିଲେ। କନିକା ଜନଆନ୍ଦୋଳନକୁ ଅର୍ଦ୍ଧଶତାବ୍ଦୀ ଧରି ସଂଗଠିତ କରିବାରେ ବିପ୍ଳବୀ ଚକ୍ରଧର ବହୁ ତ୍ୟାଗ ଓ କଷ୍ଟ ସ୍ୱୀକାର କରିଥିଲେ। କନିକା ପ୍ରଜାଙ୍କ ହିତ ପାଇଁ ସେ ଅନେକ ଜନହିତକର କାର୍ଯ୍ୟ କରି ଯାଇଛନ୍ତି ବୋଲି ବିଧାୟକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ କୃତି ଓ କୀର୍ତ୍ତି ବାବଦରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଚକ୍ରଧର ଥିଲେ ଆଜନ୍ମ ବିପ୍ଳବୀ। ରାଜତନ୍ତ୍ରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ କନିକା ପ୍ରଜାଙ୍କୁ ମୁକ୍ତ କରିବା ପାଇଁ ସେ ବହୁ କଷ୍ଟ ସ୍ୱୀକାର କରିଥିଲେ। ଅନ୍ୟାୟର ପ୍ରତିବାଦ ପାଇଁ ସେ ମୁହୂର୍ତ୍ତେ ବିଳମ୍ବ କରୁନଥିଲେ ଏବଂ ବ୍ୟକ୍ତିଗତ ଲାଭ ପାଇଁ କଦାପି ସାମାନ୍ୟ ସାଲିସ୍‌ କରୁନଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଗୌରହରି ଦାସ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୀବନୀ ଆଦର୍ଶ ନେଇ ଅନେକ ଅନାଲୋଚିତ ତଥ୍ୟ ଉପସ୍ଥାପନ କରିଥିଲେ। କନିକାର ସ୍ୱାର୍ଥ ପାଇଁ ତାଙ୍କ ସଂଘର୍ଷ, ତ୍ୟାଗ ଓ ସେବା ଉତ୍ତରପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ବୈଷୟିକ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଚକ୍ରଧରବାବୁ ନିଜର ଆଦର୍ଶ ଓ ଆଚରଣ ପାଇଁ ଜୀବନରେ ଅସାଧାରଣ ପ୍ରତିଷ୍ଠା ଅର୍ଜନ କରିଥିଲେ। ସେ ବିନା ସାଲିସରେ ମୁଣ୍ଡ ଉପରକୁ କରି ଯେଉଁ ସଂଗ୍ରାମ କରିଥିଲେ ତାହା ଇତିହାସରେ ସ୍ମରଣୀୟ ଅଧ୍ୟାୟ ହୋଇରହିବ। ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଆଜି ସକାଳେ ରାଜଭବନ ଛକସ୍ଥିତ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଶିଷ୍ଟ ସାହିତି୍ୟକ ଗୌରହରି ଦାସ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ବିପ୍ୱଳୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ତାଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଓ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କ ୧୯ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଏହି ଉତ୍ସବରେ ଓଡିଆ ଭାଷି, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଆଗାମୀ ଦିନରେ ଖ୍ୟାତିସମ୍ପର୍ନ୍ନ କବି, ଲେଖକ ସାହିତି୍ୟକ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ପ୍ରତିମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରିବା ସଂପର୍କରେ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ବିଦ୍ୟାର୍ଥୀମାନଙ୍କୁ ନିୟମିତ ଭାବେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାର୍ଗଦର୍ଶନ ସହିତ ପାଠାଗାର ଭିତ୍ତିଭୂମି ଉନ୍ନୟନ କରାଯିବାକୁ କହିଥିଲେ। ଏହି ଅବସରରେ ଗ୍ରନ୍ଥାଗାରର ଦିବଙ୍ଗତ କର୍ମଚାରୀ ରବୀନ୍ଦ୍ର ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା ସଂଯୋଜନା କରିଥିବାବେଳେ ଗ୍ରନ୍ଥାଗାରିକ ସଙ୍ଘମିତ୍ରା ସାହୁ, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଂଜୁରାଣୀ ମୁଦୁଲିଙ୍କ ସହ କର୍ମଚାରୀ ଓ ପାଠକ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅମିତ ଶାହା ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଶରଦ ଯାଦବଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଜେଡିୟୁର ଜାତୀୟ ସଭାପତି ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ସମାଜସେବୀ ନେତା ଶରଦ ଯାଦବ ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତଦେହ ଛତରପୁରର ବାସଭବନରେ ରଖାଯାଇ,ଛି ଯେଉଁଠାରେ ସମସ୍ତ ଲୋକ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ବ୍ୟତୀତ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଆମ ମଧ୍ୟରେ ଶରଦ ଯାଦବଙ୍କ ଅନୁପସ୍ଥିତି ଦେଶର ଜନସାଧାରଣଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ୫ ଦଶନ୍ଧିର ଦୀର୍ଘ ସାର୍ବଜନୀକ ଜୀବନରେ ଶରଦ ଜୀ ସର୍ବଦା ଲୋକ ଏବଂ ପଛୁଆବର୍ଗଙ୍କ ପ୍ରସଙ୍ଗ ଉଠାଉଥିଲେ। ତାଙ୍କର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟିର ମୂଳ ସିଦ୍ଧାନ୍ତ ଜାରି ରଖିଥିଲେ।

ସେ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢିବା ପରେ ଉଭା ହୋଇଥିବା ନେତୃତ୍ୱରେ ଶରଦ ଯାଦବ ମୁଖ୍ୟ ନେତା ଥିଲେ। ଏହି ଦୁଃଖ ସମୟରେ ତାଙ୍କ ପରିବାର ସଦସ୍ୟ, ସମର୍ଥକ ଏବଂ ଅନୁଗାମୀମାନଙ୍କୁ କ୍ଷତି ସହିବା ପାଇଁ ଶକ୍ତି ପ୍ରଦାନ କରିବାକୁ ମୁଁ ପ୍ରାର୍ଥନା କରୁଛି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ମୁଁ ଶରଦ ଯାଦବ ଜୀଙ୍କ ଠାରୁ ରାଜନୀତି ବିଷୟରେ ଅନେକ କିଛି ଶିଖିଛି, ସେ ଆଜି ଆମ ମଧ୍ୟରେ ନାହାଁନ୍ତି, ତେଣୁ ମୁଁ ବହୁତ ଦୁଦୁଃଖିତ। ସେ କେବେବି ନିଜର ସମ୍ମାନ ହରାଇନାହାନ୍ତି, କାରଣ ରାଜନୀତିରେ ସମ୍ମାନ ହରାଇବା ଅତି ସହଜ ଅଟେ।

Categories
ଆଞ୍ଚଳିକ

ସ୍ୱାମୀ ପ୍ରଣବାନନ୍ଦ ଏକ ଅମ୍ଲାନ ପ୍ରତିଭା: ଚତୁର୍ଦ୍ଦଶାହରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଦୀର୍ଘ ୬୦ବର୍ଷ ଧରି ଆର୍ଯ୍ୟ ସମାଜ, ସ୍ୱାମୀ ଦୟାନନ୍ଦ ଓ ବେଦମାତାଙ୍କର ବାର୍ତ୍ତା ପ୍ରଚାର କରୁଥିବା ପରିବ୍ରାଜକ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ଚତୁର୍ଦ୍ଦଶାହ ଉପଲକ୍ଷେ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଏକ ଶାନ୍ତି ଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଆଜି ମଧ୍ୟାହ୍ନରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।

ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣରେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସ୍ୱାମିଜୀ ମହାମୃତ୍ୟୁର ପଥିକ ହୋଇଛନ୍ତି। ମୃତ୍ୟୁକୁ ସେ ଆହ୍ୱାନ କରୁଥିଲେ। ତାଙ୍କ ଶରୀର ତାଙ୍କୁ ସହଯୋଗ କରୁନାହିଁ, ଏଣୁ ପ୍ରଭୁ ତାଙ୍କ ପାଖକୁ ନେଇଯିବାକୁ ସେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ। ବେଦ ବର୍ଣ୍ଣିତ ମୃତ୍ୟୁ ସୁକ୍ତକୁ ଶ୍ରୀ ପଣ୍ଡା ଅତ୍ୟନ୍ତ ସୁନ୍ଦର ଭାବରେ ବାଖ୍ୟା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାମିଜୀଙ୍କୁ ଏକ ଅମ୍ଲାନ ପ୍ରତିଭା ବୋଲି କହିଥିଲେ। ଅନ୍ୟତମ ଅତିଥି ବୁନ୍ଧମନ୍ଦିରର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ସ୍ୱାମିଜୀ ବୃତ୍ତିଗତ ବିଦ୍ୟାରେ ଡିଗ୍ରୀ ହାସଲ କରିନଥିଲେ ସତ, କିନ୍ତୁ ସେ ନିରାକାର ବ୍ରହ୍ମଙ୍କର ଉପାସକ ଥିଲେ ଓ ପରମାତ୍ମାଙ୍କ ଦ୍ୱାରା ବର୍ଣ୍ଣିତ ଆତ୍ମାନୁଶାସନ ଉପରେ ଯେଉଁ ଉପଦେଶ ଦେଉଥିଲେ ତାହା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି କହିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ଶାନ୍ତି ଯଜ୍ଞ ପରିଚାଳନା କରିଥିଲେ। ବିଶିଷ୍ଟ ଆର୍ଯ୍ୟସମାଜୀ ପ୍ରେମାନନ୍ଦ ଦାସ, ସମାଜସେବୀ ଆଶୁତୋଷ ମିଶ୍ର, ଦୁଷ୍ମନ୍ତ କିଶୋର ସ୍ୱାଇଁ, ଯଜ୍ଞ ପ୍ରକାଶ ଆର୍ଯ୍ୟ, ସମାଜସେବୀ ବରୁଣରାଜ, ଶ୍ୟାମସୁନ୍ଦର ସେଠ, ଶ୍ରୀମତୀ ଶୁଭଦ୍ରା ସାହୁ, ପ୍ରତାପ ପଟ୍ଟନାୟକ, ଅଭୟ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାର୍ଯ୍ୟକ୍ରମକୁ ନଳିନୀକାନ୍ତ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ। ଶ୍ରୀ ଅରବିନ୍ଦ ନଗରର ବହୁ କଲୋନୀବାସୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଓୟୁଜେ ରେଢାଖୋଲ ୟୁନିଟ୍ ପକ୍ଷରୁ ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି

କନ୍ଦର୍ପ ବେହେରା

ରେଢାଖୋଲ: ଲତା ଦିଦିଙ୍କ ପରଲୋକରେ ଭାରତୀୟ ସଂଗୀତର ସୁବର୍ଣ୍ଣ ଯୁଗର ଅବସାନ ଘଟିଲା, ସାରା ଦେଶ ଲତା ଦିଦିଙ୍କ ଅବର୍ତ୍ତମାନ କାଳରେ ତାଙ୍କ ସ୍ୱରକୁ ମନେ ରଖିବ। ସେହିପରି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ ଉପସ୍ଥିତ ସାମ୍ବାଦିକମାନେ ମତ ରଖିଥିଲେ।

ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରମାକନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ସ୍ଥାନୀୟ ପିଡବ୍ଲୁଡି ବଙ୍ଗଳାରେ ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ , ଉଭୟଙ୍କ ପାଇଁ ପ୍ରଥମେ ଦୁଇମିନିଟ ନିରବ ପ୍ରାର୍ଥନା କରିବା ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରାଯାଇଥିଲା। ରେଢାଖୋଲ, ନାକଟିଦେଉଳ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇ ଉଭୟଙ୍କ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ନିର୍ଭୀକତା ଖବର ପରିବେଷଣ ସମସ୍ତଙ୍କ ପାଇଁ ମନେରହିବ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , ଖବର ସଂଗ୍ରହ ବେଳେ ମୃତ୍ୟୁକାଳିନ ଅର୍ଥରାଶି ବୃଦ୍ଧି କରିବା ସହିତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ ମାନ୍ୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା।

ସେହିଭଳି ଲତା ମଙ୍ଗେସକରଙ୍କ ବଲିଉଡ ପ୍ରତି ତାଙ୍କର ଅବଦାନ ମନେରହିବ ଓ ତାଙ୍କ ପରଲୋକରେ ସାରାଦେଶ ଶୋକରେ ମ୍ରିୟମାଣ ବୋଲି ସାମ୍ବାଦିକ ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥରଲେ।

ଆଜିର ଶୋକସଭାରେ ଓୟୁଜେ ଜିଲ୍ଲା ଉପସଭାପତି ଜୟନ୍ତ କୁମାର ଖଡିରତ୍ନ , ବରିଷ୍ଠ ସାମ୍ବାଦିକ ଶରତ କୁମାର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ତପନ କୁମାର ବିଶ୍ୱାଳ, ସରୋଜ ସାହୁ, ମମତା ପାତ୍ର, ସୁଶାନ୍ତ ନାଗ,ଅନୀଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଓୟୁଜେ ରେଢାଖୋଲ ୟୁନିଟ୍ ର ସମ୍ପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ସିଡିଏସ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିର ସମ୍ମୁଖରେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀଙ୍କ ଦ୍ୱାରା ସହିଦଙ୍କୁ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁରାତନ ସେନା କର୍ମଚାରୀ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ପୁରାତନ ସେନା କର୍ମଚାରୀମାନେ ମା’ ଭଗବତୀ ମନ୍ଦିର ସମ୍ମୁଖରେ ଏକତ୍ରିତ ହେବା ସହ ସହିଦ ବୀର ସୈନିକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୮ ତାରିଖ ଅପରାହ୍ନରେ ତାମିଲନାଡୁର କୁନ୍ନୁରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ତାଙ୍କ ପତ୍ନୀ ମଦୁଲିକା ଏବଂ ଅନ୍ୟ ୧୧ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ।

ଏଭଳି ଘଟଣା ପରେ ଦେଶ ପୁରା ସ୍ତବ୍ଧ ହୋଇଯାଇଛି। ସିଡିଏସଙ୍କ ଅକାଳ ବିୟୋଗରେ ଦେଶକୁ ବଡ କ୍ଷତି ହୋଇଛି।

ଯେତେବେଳେ ଜେନେରାଲ ବିପିନ ରାୱତ ତାଙ୍କର ଅନ୍ତିମ ଯାତ୍ରାକୁ ଯାଇଥିଲେ, ଲୋକମାନେ ତାଙ୍କର ଶେଷ ଦର୍ଶନ ଦେଖିବାକୁ ରାସ୍ତାରେ ଠିଆ ହୋଇଥିଲେ। ସିଡିଏସ୍ ବିପିନ ରାୱତଙ୍କ ଅନ୍ତିମ ଗସ୍ତରେ “ସୂର୍ଯ୍ୟ ଚନ୍ଦ୍ର ରହିବା ପର୍ଯ୍ୟନ୍ତ, ବିପିନ୍ ଜୀଙ୍କ ନାମ ରହିବ” ବୋଲି ନାଗରିକମାନେ ସ୍ଲୋଗାନ ଦେଇଥିଲେ।

ତାଙ୍କୁ ଦିଲ୍ଲୀ ଛବନୀରେ ଥିବା ବରାର ଛକ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି। ବିପିନ ରାୱତ ଏବଂ ମଧୁଲିକା ରାୱତଙ୍କ ଝିଅ କ୍ରିତିକା ଏବଂ ତାରିଣୀ ସେମାନଙ୍କ ପିତାମାତାଙ୍କ ଶେଷ ରୀତିନୀତି କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ସାନହନ୍ତୁଆଡ ଗ୍ରାମର ଯୁବ ସମାଜସେବୀ ସୁବ୍ରତ ଜେନାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପଞ୍ଚୁଦୋଳ ଯାତ୍ରା କମିଟିର କୋଷାଧ୍ୟକ୍ଷ ଲୋକପ୍ରିୟ ଯୁବ ସମାଜସେବୀ ସୁବ୍ରତ ଜେନା(ପିଣ୍ଟୁ)ଙ୍କର କରୋନା ଜନିତ ଅକାଳ ବିୟୋଗ ସମଗ୍ର ବାଣପୁର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଆଜି ତାଙ୍କର ଏକାଦଶାହ ଉପଲକ୍ଷେ କୋଭିଡ ନିୟମକୁ ସମ୍ମାନ ଜଣାଇ ପଞ୍ଚୁଦୋଳ ଯାତ୍ରା କମିଟି ତରଫରୁ ପଲଟଣ ପଡିଆର ଛାୟା ମଣ୍ଡପ ଠାରେ ଉପଦେଷ୍ଟା କେଦାରେଶ୍ୱର ନନ୍ଦଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।

ତାଙ୍କ ଆତ୍ମାର ସଦଗତି ନିମନ୍ତେ ମା ଭଗବତୀ ଓ ପ୍ରଭୁ ଶ୍ରୀ ଚକାଠାକୁରଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଭାରେ କମିଟିର ଉପସଭାପତି ପ୍ରଫେସର ନଳିନିକାନ୍ତ ପଟ୍ଟନାୟକ, ସଭ୍ୟ ସଂଗ୍ରାମ ସାହୁ, ବାଳମୁକୁନ୍ଦ ଦାସ, ଶିଶିର ଦାସ, ଗୋପୀନାଥ ମହାରଣା, ମହେନ୍ଦ୍ର କୁମାର ରଣସିଂହ, ରବୀନ୍ଦ୍ର ମାର୍ଥା, ନବକିଶୋର ପ୍ରଧାନ, ଶେକ ମୋଇନୁଲ ହକ, ମହେଶ୍ୱର ଜେନା ପ୍ରମୁଖ ବହୁ ସଭ୍ୟ ସ୍ମୃତି ଚାରଣ କରି ପଞ୍ଚୁଦୋଳ ଯାତ୍ରା ପଡ଼ିଆର ପୁନରୁଦ୍ଧାର ଓ ନବୀକରଣରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିପାରିବ ବୋଲି ପ୍ରକାଶ କରିଥିଲେ।

ଏହି ଦୁର୍ଦ୍ଦିନରେ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। କମିଟିର ସଭାପତି ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମଧ୍ୟ ଶୋକ ପ୍ରକାଶ କରି ଏକ ଶୋକ ବାର୍ତ୍ତା ପ୍ରେରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ବିଜେଡି ରାଜ୍ୟ କାର୍ଯ୍ୟଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର ଆଜି ସକାଳ ୭:୩୦ ମିନିଟ୍ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟରେ ପହଁଞ୍ଚିଥିଲା।

ସେଠାରେ ବିଜୁ ଜନତା ଦଳର ସଙ୍ଘଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସ୍ୱର୍ଗତ ରାଉତରାୟଙ୍କ ପାର୍ଥିବ ଶରୀର ଉପରେ ଦଳର ପତାକା ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀ ଦାସବର୍ମା ଗଣମାଧ୍ୟମକୁ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିଜୁ ଜନତା ଦଳ ଗଠନ ପାଇଁ ତାଙ୍କର କାର୍ଯ୍ୟ ଏବଂ ଓଡ଼ିଶାରେ ଅଣକଂଗ୍ରେସ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକାକୁ ସ୍ମରଣ କରିଥିଲେ।

୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରୀ ରାଉତରାୟ ଜଣେ ଲୋକପ୍ରିୟ ଜନନେତା ହିସାବରେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ନିଜ ନିର୍ବାଚନ ମଣ୍ଡଳୀ ବାସୁଦେବ ପୁର, ଭଦ୍ରକ ଜିଲ୍ଲା ଓ ରାଜ୍ୟର ବିକାଶରେ ତାଙ୍କର ସମର୍ପିତ ନେତୃତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଥିଲେ।

ମନ୍ତ୍ରୀ ଅଶୋକ ପଣ୍ଡା, ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ବିଜେଡି ରାଜ୍ୟ କାର୍ଯ୍ୟଳୟରେ ଦିବଂଗତ ନେତାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜନ୍ମ ଜୟନ୍ତୀରେ ଆମ୍ବେଦକରଙ୍କୁ ନାଗରିକ ଏକତା ପରିଷଦ ପକ୍ଷରୁ ଭାବାବେଗ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ଜନ୍ମତିଥିରେ ନାଗରିକ ଏକତା ପରିଷଦ ଏବଂ ଭାରତୀୟ ବୌଦ୍ଧ ମହାସଭା ପକ୍ଷରୁ ଭାବାବେଗ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଏଜି ଛକସ୍ଥିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତିଚାରଣ କରାଯାଇଥିଲା। ଆମ୍ବେଦକରଙ୍କୁ ଭଲ ପାଉଥିବା ଲୋକମାନେ କହିଥିଲେ ଯେ, ଭାରତ ପରି ଏକ ବିବିଧତାପୂର୍ଣ୍ଣ ଦେଶ ପାଇଁ ଡଃ ଆମ୍ବେଦକର ଏକ ସଶକ୍ତ ସମ୍ବିଧାନ ଦେଇଛନ୍ତି ଯାହାଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷିତ ଓ ମର୍ଯ୍ୟାଦାବନ୍ତ ହୋଇଛନ୍ତି।

ଏତଦ୍‌ବ୍ୟତୀତ ଦଳିତମାନଙ୍କର ସେ ହେଉଛନ୍ତି ତ୍ରାଣକର୍ତ୍ତା। ତାଙ୍କ ଯୋଗୁଁ ଦଳିତମାନଙ୍କର ସାମାଜିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ଅଭ୍ୟୁଥାନ ଘଟିଛି । ତାଙ୍କ ଆଦର୍ଶକୁ ପାଥେୟ କରି ଚାଲିଲେ ଦଳିତମାନେ ଦେଶରେ ଅଗ୍ରଣୀ ହେବେ।

ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ମଲ୍ଲିକ, ସୁନାକର ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ଶ୍ୟାମସୁନ୍ଦର ମଲ୍ଲିକ, ଦାମୋଦର ମଲ୍ଲିକ, ବାବୁଲି ମଲ୍ଲିକ, ଅଶୋକ ମଲ୍ଲିକ, ରବୀନ୍ଦ୍ର କୁମାର ସେଠୀ, ଆକୁଳି ଚରଣ ସେଠୀ, ଅଭିମନ୍ୟୁ ସେଠୀ, ନରେନ୍ଦ୍ର କୁମାର ସେଠୀ, ଅଚ୍ୟୁତ ନାୟକ, ପୁରୁଷୋତ୍ତମ ମାଝୀ, ମନମୋହନ ଚୌଧୁରୀ, ହରିହର ସେଠୀ ଓ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା ସାମିଲ ହୋଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରତାପ ସ୍ପୋର୍ଟ୍ସ କ୍ଲବ

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଛତିଶଗଡର ବୀଜାପୁର ଠାରେ ନକ୍ସଲ ଆକ୍ରମଣରେ ଦେଶର ୨୨ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶ ସ୍ତବ୍ଧ ଏବଂ ଦୁଃଖିତ ଅଛି।

ଏହି ପରିପ୍ରେକ୍ଷୀରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ନିରବ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ବାଣପୁର ବ୍ଲକ ଅନ୍ତର୍ଗତ ପ୍ରତାପ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠିତ ପ୍ରତାପ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଉକ୍ତ ଶ୍ରଦ୍ଧାଞ୍ଜଳି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସଂଗଠନର ପ୍ରାୟ ଚାଳିଶରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ମାନେ ପ୍ରଥମେ ପ୍ରତାପ ଗ୍ରାମର ମା’ ଶୁଳିଆ ଦେବି ଏବଂ ବୁଢ଼ୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ସହିଦ ହୋଇଥିବା ୨୨ ଜଣ ଯବାନ ମାନଙ୍କପାଇଁ ୨୨ ଗୋଟି ପ୍ରଦୀପ ପ୍ରଜ୍ବଳନ କରି ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ।

ଏହାପରେ କର୍ମକର୍ତ୍ତା ମାନେ ପ୍ରତାପ ଗ୍ରାମ ପରିକ୍ରମା କରି ବାଣପୁର ଅଭିମୁଖେ ବାହାରିଥିଲେ। ବାଣପୁର ଗୋବିନ୍ଦପୁର ଛକଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ମାନେ ହାତରେ କ୍ୟାଣ୍ଡେଲ ଧରି ନୀରବ ଭାବେ ପଦଯାତ୍ରା କରିଥିଲେ। ପରିଶେଷରେ ମା’ ଭଗବତୀଙ୍କ ନିକଟରେ ଦୀପଦାନ କରି ସହିଦ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରତାପ ସ୍ପୋର୍ଟିଙ୍ଗ କ୍ଲବର ସଭାପତି ଗୌରାଙ୍ଗ ଚରଣ ସ୍ୱାଇଁ, ଉପ ସଭାପତି ମିହିର ସ୍ୱାଇଁ, ସମ୍ପାଦକ ଦୀପକ ସ୍ୱାଇଁ, ସାଧାରଣ ସମ୍ପାଦକ ପିଣ୍ଟୁ ବଳିୟାରସିଂହ, ସଂଚାଳକ ସାନୁ ବେହେରା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଲୱାମା ବୀର ଶହୀଦ ଦିବସ ଉଦ୍ଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି ମନେ ହେଉଛି। ଏହି ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯାଉଛି। ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା।

ଆଜିର ଏହି ବୀର ଶହୀଦ୍ ଦିବସ ଉଦ୍ଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଓ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ଗାନ୍ଧୀ ମେମୋରିଆଲ ପାର୍କ ଠାରେ ଏକତ୍ରିତ ହୋଇ ମହମବତୀ ଶୋଭାଯାତ୍ରା କରିଥିଲେ। ଏଥିସହିତ ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପହଁଚି ବୀର ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜନ୍ମଭୂମି ପାଇଁ ନିଜ ଜୀବନକୁ ବଳି ଦେଇଥିବା ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ। ଭାରତ ମାତାର ସେବା କରି ନିଜ ଜୀବନକୁ ପଛରେ ପକାଇ ଦେଶ ପାଇଁ ଶହିଦ୍ ହୋଇ ଥିବା ବୀର ଯବାନ ମାନେ ସର୍ବଦା ଅମର ହୋଇ ରୁହନ୍ତୁ, ଏନେଇ ସ୍ମୃତି ଚାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରସନ୍ନଜିତ୍ କୁଣ୍ଢ୍,  ଶୁଭମ ସ୍ବାଇଁ, ଉମର ଶେଖ ମହମ୍ମଦ ହାନିଫ, ସଚିକାନ୍ତ ସାହୁ, ସିମ୍ରନ ସିଂ ରାଜପୁତ, ଗଙ୍ଗାରାମ ତାନି, ଶାଶ୍ୱତୀ ମିଶ୍ର, ରଶ୍ମିତା ବେହେରା, ରାକ୍ଷୀ ହେମ୍ବ୍ରମ୍ , ମିର ଅଵଦୁଲ ମହମ୍ମଦ, ସୌମ୍ୟ ରଂଜନ ଦାସ, ସମ୍ବିତ ମହାନ୍ତି, ସୀତାକାନ୍ତ ମିଶ୍ର, ଅମୁଲ୍ୟ ସାହୁ, ଶୁଭ ନାରାୟଣ, ଅନ୍ତିମ କୁମାର ସୋରେନ, ପ୍ରମୁଖ ଉପସ୍ଥିତ ରହି ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମେଣ୍ଢରାଜପୁର ବସ୍ ଟ୍ରାଜେଡ଼ି ଘଟଣାକୁ ବର୍ଷେ ପୁରିଲା: ଶ୍ରଦ୍ଧାଞ୍ଜଳି ଦେଲେ ଏସ୍‌ପି ଏବଂ ପ୍ରଶାସନିକ ଅଧିକାରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତବର୍ଷ ମେଣ୍ଢରାଜପୁର ଗ୍ରାମରେ ଘଟିଥିବା ବସ୍ ଟ୍ରାଜେଡ଼ି ଘଟଣାରେ ଗତକାଲିକୁ ବର୍ଷେ ପୁରିଛି। ଏହି ଅବସରରେ ଆଜି ଅନୁଷ୍ଠିତ ବାର୍ଷିକ ଶୋକସଭାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଗ୍ରାମରେ ପହଞ୍ଚି ଉକ୍ତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଘଟଣା ଦିନ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଏକ ବସ୍ ତଳେ ଓହଳି ରହିଥିବା ୧୧ କେ.ଭି. ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ୬ ଜଣ ଜୀଅନ୍ତା ପୋଡ଼ି ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ବ୍ରହ୍ମପୁର ଏମ୍‌କେସିଜିରେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅନେକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ଙ୍କଲପାଟୁ ଗ୍ରାମର ୪୦ ଜଣ ପରିବାରବର୍ଗ ସିଲ୍ ସିଟି ନାମକ ଏକ ବସ୍‌ରେ ଏକ ନିବର୍ନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଘରୁ ହସ ଖୁସିରେ ବାହାରିଥିଲେ। କିଛି ଘଣ୍ଟା ପରେ ଗନ୍ତବ୍ୟସ୍ଥଳ ଚିକରଡ଼ାରେ ପହଞ୍ଚିଥାନ୍ତେ। ହୋଇଥାନ୍ତା ନିବର୍ନ୍ଧ, କିନ୍ତୁ ବାଟରେ ଛକି ରହିଥିଲା ମୃତ୍ୟୁ। ମେଣ୍ଡରାଜପୁର ଗାଁ ରାସ୍ତାରେ ମେଲକାତୁର ଗ୍ରାମ ନିକଟରେ ରାସ୍ତା ଉପରେ ଯାଇଥିବା ଅତି କମ୍ ଉଚ୍ଚତାରେ ଥିବା ଏକ ହାଇଭୋଲ୍‌ଟେଜ୍ ୧୧କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍‌ଟି ଜଳିଯାଇଥିଲା।

ଗତକାଲି ମୃତକ ଡ଼ଙ୍କଲପାଡ଼ୁ ଗ୍ରାମର ବି. ରମା ଇରାମା ରେଡୀ, ସ୍ୱାମୀ ଚିନ୍ମୟା ରେଡୀ, ବି. ଅଚିମ୍ମା, କେ. ସନ୍ଧ୍ୟା, କାମରାଜୁ ରେଡ୍ଡୀ, ବି. ମୋହିନା, ବି. ରମେୟା ତୁଳସି ଆମ୍ମା, ୧୫ ବର୍ଷୀୟ ଛାତ୍ରୀ ସନ୍ତୋଷିନୀ ସାହୁ, ତରନ୍ୟା ରେଡ୍ଡୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ମୃତକଙ୍କ ଫଟୋଚିତ୍ରରେ ଏସ୍‌ପି ଶ୍ରୀ ମିଶ୍ର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜିର ଏହି ଶ୍ରଦ୍ଧାଞ୍ଜଳି ସମାରୋହ ପରେ ଗ୍ରାମରେ ପୁଣିଥରେ ଉକ୍ତ ଦିନର ଘଟଣାମାନର ସ୍ମୃତିକୁ ରୋମନ୍ଥନ କରିଛି।

Categories
ଆଜିର ଖବର ଆଞ୍ଚଳିକ

କରୋନା ଯୋଦ୍ଧା ମୂରଲୀଧର ବଳିଆରସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ବାଣପୁର ପୋଲିସ୍‌

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପୋଲିସ୍‌ ବିଟ ହାଉସ ଅଧିକାରୀ ମୁରଲୀଧର ବଳିଆରସିଂହଙ୍କ ଗତ ଅଗଷ୍ଟ ୯ ତାରିଖ ଦିନ ମୃତ୍ୟୁ ଘଟିଥିଲା। ଆଜି ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ­­ ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ବଳିଆରସିଂହଙ୍କ ଦଶାହ କାର୍ଯ୍ୟକ୍ରମ ଉପଲକ୍ଷେ ବାଣପୁର ଥାନା ପରିସରରେ ବାଣପୁର ପୋଲିସ୍‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ଅବସରରେ ସବ୍‌ ଇନ୍ସପେକ୍ଟର ପ୍ରସନ୍ନ କୁମାର ଜେନା, ଏଏସ୍‌ଆଇ ଶ୍ରୀନିବାସ ପ୍ରଧାନ, ଏଏସ୍‌ଆଇ ବସନ୍ତ ପଟ୍ଟନାୟକ, ଏଏସ୍‌ଆଇ ମହେନ୍ଦ୍ର କୁମାର ସେଠୀ, ଏଏସ୍‌ଆଇ ନମିତା ନାୟକ ଓ ଅନ୍ୟ ଷ୍ଟାଫ୍‌ମାନେ ସ୍ବର୍ଗତ ବଳିଆରସିଂହଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ସୂଚନାଯୋଗ୍ୟ, ସ୍ୱର୍ଗତ ବଳିଆରସିଂହଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର ଦଶ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ଦଶ ଜଣ ପୋଲିସ୍‌ କର୍ମଚାରୀଙ୍କ ମଧ୍ୟରେ ସ୍ବର୍ଗତ ବଳିୟାର ସିଂହ ଅନ୍ୟତମ ଥିଲେ। ସ୍ବର୍ଗତ ବଳିୟାରସିଂହ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ସ୍ବର୍ଗତ ବଳିଆରସିଂହ କରୋନା ସହ ଲଢି ଲଢି ଶହୀଦ ହୋଇଥିଲେ।