Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଲିପାଟଣାରେ ହର ଘର ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଠାରେ ‘ହର ଘର ତିରଙ୍ଗା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପଦଯାତ୍ରାରେ ଉତ୍ସାହର ସହ ସାମିଲ ହୋଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା ସବୁ ଦେଶବାସୀଙ୍କ ପାଇଁ ଏକ ଶୁଭ ଅବସର। ଦେଶର ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସାଂସଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ସ୍ବାଧୀନତାର ଅମୃତ ମହୋତ୍ସବ ଏବଂ ସ୍ବାଧୀନତା ସଂଗ୍ରାମର ଅନାଲୋଚିତ ନାୟକଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସ୍ୱଳ୍ପ ଅବଧି ସମୟରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କଲା ଡାକ ବିଭାଗ

ଦିଲ୍ଲୀ: ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର ସର୍ବବ୍ୟାପୀ ନେଟ୍ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ “ହର ଘର ତିରଙ୍ଗା” (ଘରେ ଘରେ ତିରଙ୍ଗା) କାର୍ଯ୍ୟକ୍ରମରେ ସାମିଲ କରୁଛି। ୧୦ ଦିନର ଏହି ସ୍ୱଳ୍ପ ଅବଧି ସମୟରେ ଡାକ ବିଭାଗ ଲୋକ ମାନଙ୍କୁ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି। ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଅନ୍ ଲାଇନ୍ରେ ଡାକ ବିଭାଗ ସାରା ଦେଶରେ କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି। ଇ – ପୋଷ୍ଟ ଅଫିସ୍ (ଇ – ଡାକ ଘର) ସୁବିଧା ମାଧ୍ୟମରେ ଲୋକ ମାନେ ଅନ୍ଲାଇନ୍ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି।

୪.୨ ଲକ୍ଷ ଦୃଢ଼ ଡାକ କର୍ମଚାରୀ ମାନେ ଦେଶର କୋଣ ଅନୁକୋଣରେ ଅର୍ଥାତ୍ ସହର ଗୁଡିକରେ , ନଗର ଗୁଡିକରେ , ଗ୍ରାମ ଗୁଡିକରେ, ସୀମାବର୍ତ୍ତି କ୍ଷେତ୍ରରେ, ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲା ଗୁଡିକରେ ଏବଂ ପାହାଡ ଏବଂ ଜନଜାତୀୟ ଅଂଚଳ ଗୁଡିକରେ “ହର ଘର ତିରଙ୍ଗା” ବାର୍ତ୍ତାକୁ ଅତି ଉତ୍ସାହର ସହିତ ପ୍ରଚାର କରିଛନ୍ତି।

ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗାଁ ସଭା) ଗୁଡିକ ମାଧ୍ୟରେ , ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ “ହର ଘର ତିରଙ୍ଗା”ର ବାର୍ତାକୁ ପହଂଚାଇଛି। ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକ ମାନଙ୍କ ମଧ୍ୟରେ ଏହି ବାର୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେସ୍ବୁକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟାପକ ରୂପରେ ବ୍ୟବହାର କରା ଯାଇଛି।

ଡାକଘର ଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି। ନାଗରିକ ମାନେ ନିକଟତମ ଡାକ ଘର ଗୁଡିକୁ ଯାଇ ଏହାକୁ କ୍ରୟ କରି ପାରିବେ କିମ୍ବା ଇ – ଡାକ ଘର (epostoffice. gov. in) ମାଧ୍ୟମରେ ନିଜର ଜାତୀୟ ପତାକାକୁ କ୍ରୟ କରି ପାରିବେ ଏବଂ “ହର ଘର ତିରଙ୍ଗା” ଅଭିଯାନର ଅଂଶ ବିଶେଷ ହୋଇ ପାରିବେ। ନାଗରିକ ମାନେ ପତାକା ସହିତ ନିଜର ଏକ ସେଲ୍ଫି ନେଇ ପାରିବେ ଏବଂ ତାହାକୁ www.harghartiranga.com ରେ ଅପଲୋଡ୍ କରି ପାରିବେ ଏବଂ ନୂତନ ଭାରତର ସବୁଠାରୁ ବଡ ଉତ୍ସବରେ ନିଜର ଭାଗୀଦାରୀତାକୁ ପ୍ରଦର୍ଶନ କରି ପାରିବେ।

Categories
ଆଜିର ଖବର ଜାତୀୟ ଖବର

ହର ଘର ତିରଙ୍ଗା ଅଭିଯାନ: ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସବୁଦିନ ଖୋଲା ରହିବ ଡାକ ଘର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକ ଘର ଖୋଲା ରହିବ। ହର ଘର ତିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକ ଘର ଖୋଲା ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଏହି ଗଣ ଅଭିଯାନକୁ ସମର୍ଥନ ଯୋଗାଇ ଦେବା ଲାଗି ସବୁ ଡେଲିଭରୀ ପୋଷ୍ଟ ଅଫିସ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଡାକ ଘରଗୁଡ଼ିକ ସବୁଦିନ ଖୋଲା ରହିବ।

ଡାକ ଘର ଗୁଡ଼ିକରେ ଅତି କମରେ ଗୋଟିଏ କାଉଣ୍ଟର ଜରିଆରେ ୭, ୯ ଏବଂ ୧୪ ଅଗଷ୍ଟ ୨୦୨୨ରେ ପଡ଼ୁଥିବା ସରକାରୀ ଛୁଟି ଦିବସରେ ଜାତୀୟ ପତାକା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସବୁ ଡେଲିଭରୀ ପୋଷ୍ଟ ଅଫିସରେ ଜାତୀୟ ପତାକା ବିତରଣ ନିମନ୍ତେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ।

Categories
ବିଶେଷ ଖବର

‘ହର ଘର ତିରଙ୍ଗା’ କୁ ନେଇ ପ୍ରଶ୍ନ କଲେ ସିଦ୍ଧରମେୟା, ଜାଣନ୍ତୁ କ’ଣ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ‘ହର ଘର ତିରଙ୍ଗା’ ଅଭିଯାନ ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଦିନ ସିଦ୍ଧରମେୟା କହିଛନ୍ତି ଯେ, ବିଜେପି ବର୍ତ୍ତମାନ ଜାତୀୟ ପତାକା ପାଳନ କରୁଛି ଯଦିଓ ଏହାର ଆଦର୍ଶବାଦୀ ଅଭିଭାବକ ଆରଏସଏସ ତ୍ରିରଙ୍ଗାକୁ ଦୃଢ ବିରୋଧ କରିଥିଲେ। ବିଜେପି ପକ୍ଷରୁ କୁହାଯାଇଥିଲା ଯେ, ତ୍ରିରଙ୍ଗା ଅଭିଯାନ ଦେଶପ୍ରେମ ଦ୍ୱାରା ପ୍ରେରିତ ଏବଂ ବିରୋଧୀଦଳ ନେତାମାନେ ଏହା ବିରୋଧରେ ରାଜନୈତିକ ବିବୃତ୍ତି ଦେବା ଉଚିତ୍ ନୁହେଁ। ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ସିଦ୍ଧରମେୟା କହିଛନ୍ତି ଯେ, ବିଜେପି ଦ୍ୱାରା ପରିଚାଳିତ ‘ହର ଘର ତିରଙ୍ଗା ଅଭିଯାନ’କୁ ନେଇ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଏହାପୂର୍ବରୁ ଆରଏସଏସର ସମସ୍ତ ଶାଖାରେ ଜାତୀୟ ପତାକା ଉତ୍ତୋଳନ କରିବା ବାଧ୍ୟତାମୂଳକ ହେବା ଉଚିତ। ”

କେଶବ କ୍ରୁପା ସ୍ଥିତ କର୍ଣ୍ଣାଟକ ଆରଏସଏସ ମୁଖ୍ୟାଳୟ ପରି ସଂଗଠନର ସମସ୍ତ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ କଂଗ୍ରେସ ନେତା ଦାବି କରିଛନ୍ତି। ସିଦ୍ଧରମେୟା ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ୧୯୪୭ ମସିହାରେ ଆରଏସଏସ ପତ୍ରିକା ‘ସଂଗଠକ’ ରେ ପ୍ରକାଶିତ ଏକ ଆର୍ଟିକିଲରେ ତ୍ରିରଙ୍ଗାକୁ ଏକ ଅସ୍ପଷ୍ଟ ସଙ୍କେତ ବୋଲି ବର୍ଣ୍ଣନା କରାଯାଇଥିଲା, ସେହି ଆର୍ଟିକିଲକୁ ପ୍ରତ୍ୟାହାର କରାଯିବା ଉଚିତ। ସିଦ୍ଧରମେୟା କହିଛନ୍ତି ଯେ, ଜାତୀୟ ପତାକା, ଜାତୀୟ ସଂଗୀତ ଏବଂ ସମ୍ବିଧାନ ସମ୍ବନ୍ଧରେ ଆରଏସଏସ, ଜନ ସଂଘ, ବିଜେପି ଏବଂ ଏହାର ଅନୁବନ୍ଧିତ ସଂଗଠନଗୁଡ଼ିକ ଦେଇଥିବା ଅସଙ୍ଗତ ବିବୃତ୍ତି ପାଇଁ କେନ୍ଦ୍ର ସରକାର କ୍ଷମା ମାଗିବା ଉଚିତ।

ଏଥି ସହିତ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ମଧ୍ୟ ଭାରତ ସରକାରଙ୍କ ତ୍ରିରଙ୍ଗା ଅଭିଯାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଓୱାଇସି କହିଛନ୍ତି, ଅର୍ଗନାଇଜର ମାଗାଜିନହେଉଛି ଆରଏସଏସର ମୁଖ ଥିଲା। ୧୭ ଜୁଲାଇ ୧୯୪୭ ରେ, ପତ୍ରିକାର ଏକ ପ୍ରସଙ୍ଗରେ ଦେଶର ଜାତୀୟ ପତାକାକୁ ଗେରୁଆ କରିବା ବିଷୟରେ କହିଥିଲା। ଆରଏସଏସର ମୁଖପାତ୍ର ଏହା କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆରଏସଏସ ହେଉଛି ସେମାନଙ୍କର ମୂଳଦୁଆ ଏବଂ ଏହା ସେମାନଙ୍କୁ ପ୍ରେରଣା ଯୋଗାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଦେଶ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛି, ଏହାକୁ ସ୍ମରଣ କରିବା ପାଇଁ ଭାରତ ସରକାର ଅମୃତ ମହୋତ୍ସବ ଅଭିଯାନ ଚଳାଉଛନ୍ତି ଏବଂ ଏହି ଅଭିଯାନ ଅଧୀନରେ ଜୁଲାଇ ୨୨ ତାରିଖରେ ଅନ୍ୟ ଏକ ଅଭିଯାନ ହର ଘର ତ୍ରିରଙ୍ଗା ଆରମ୍ଭ ହୋଇଥିଲା, ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିପିରେ ତ୍ରିରଙ୍ଗା ରଖିବା ପାଇଁ ତାଙ୍କ ପୂର୍ବ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ନିବେଦନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀରେ ‘ହର ଘର ତିରଙ୍ଗା’ ବାଇକ ଶୋଭାଯାତ୍ରାକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଲାଲକିଲ୍ଲା ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସାଂସଦମାନଙ୍କର ‘ହର ଘର ତିରଙ୍ଗା’ ବାଇକ ଶୋଭଯାତ୍ରାକୁ ଉପରାଷ୍ଟ୍ରପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ହର ଘର ତିରଙ୍ଗା’ (ସବୁ ଘରେ ତ୍ରିରଙ୍ଗା ଉତ୍ତୋଳନ) ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ, ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖି ଏବଂ ଭି. ମୂରଲୀଧରନଙ୍କ ସମେତ ବହୁ ସଂଖ୍ୟାରେ ସାଂସଦମାନେ ଉପସ୍ଥିତ ଥିଲେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ନିଜେ ବାଇକ ଚଳାଇ ଶୋଭଯାତ୍ରାରେ ସାମିଲ ହୋଇଥିଲେ । ଶ୍ରୀ ଠାକୁର କହିଥିଲେ ଯେ, ଦେଶକୁ ଏକଜୁଟ ରଖିବା, ଭାରତକୁ ଆଗେଇ ନେବା ଏବଂ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଭବିଷ୍ୟତ ପିଢ଼ିକୁ ପ୍ରଦାନ କରିବା ଲାଗି ଆଜି ବହୁ କେନ୍ଦ୍ର ମନ୍ତ୍ରୀ, ସାଂସଦ, ଯୁବ ନେତାମାନେ ଏକତ୍ରିତ ହୋଇଛନ୍ତି । ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି । ଆଜି ଆମେ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଏବଂ ସେମାନଙ୍କୁ ସ୍ମରଣ କରୁଛୁ । ସ୍ବାଧୀନତାର ଏହି ଅମୃତ ମହୋତ୍ସବରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହିତ ଭାରତର ଗୌରବ ବୃଦ୍ଧି କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ ଆମେ ସମସ୍ତେ ଆଜି ସଂକଳ୍ପ ନେଉଛୁ ।

ଭାରତୀୟ ନାଗରିକ ଏବଂ ଜାତୀୟ ପତାକା ମଧ୍ୟରେ ରହିଥିବା ଏକ ବ୍ୟକ୍ତିଗତ ସମ୍ପର୍କକୁ ଉଜ୍ଜୀବିତ କରି ରଖିବା ଲାଗି ଭାରତ ସରକାର ‘ହର ଘର ତିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି । ନାଗରିକଙ୍କ ମନରେ ଦେଶପ୍ରେମ ଏବଂ ଜାତୀୟତା ଭାବନାକୁ ସୁଦୃଢ଼ କରିବା ଏବଂ ସ୍ବାଧୀନତାର ଅମୃତ ମହୋତ୍ସବରେ ଜନଭାଗିଦାରୀ ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।