Categories
ବିଶେଷ ଖବର ରାଜ୍ୟ ଖବର

ହସ୍ତତନ୍ତ ୪୧୦ କୋଟି ଏବଂ ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବିଭାଗୀୟ ସଫଳତା ସମ୍ବନ୍ଧରେ ଜଣାଇଥିଲେ।

ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ କୃଷି ପରେ ବୟନ, ହସ୍ତତନ୍ତର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ବିଭାଗର ପ୍ରୋତ୍ସାହନ ଯୋଗୁଁ ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮ ହଜାର ୮୫ ଟଙ୍କା ହୋଇପାରିଛି। ସାମାଜିକ ସୁରକ୍ଷା ଯୋଜନାରେ ୧୪୪୭ ଜଣ ବୁଣାକାର ସାମିଲ ହୋଇଛନ୍ତି।

ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା ହୋଇଥିବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୭୧.୨୪ କୋଟି ଟଙ୍କା, ଉତ୍କଳିକା ୧୭.୭୯ କୋଟି ଟଙ୍କା ଓ ଅମ୍ଳାନ ୪.୪୬ କୋଟି ଟଙ୍କା ବାର୍ଷିକ କାରବାର କରିଛି।

ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୯ଟି ହସ୍ତତନ୍ତ ଓ ୩ଟି ହସ୍ତଶିଳ୍ପ ଉତ୍ପାଦ ଜିଆଇ ଟ୍ୟାଗ୍‌ ପାଇଛନ୍ତି। ଆଉ ୫ଟି ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ମିଳିବା ନିମନ୍ତେ ବିଭାଗ ପକ୍ଷରୁ ଆବେଦନ କରାଯାଇଛି। ୧୮ ହଜାର ୬୧୧ ରେଶମ ଚାଷୀ ସମବାୟ ସମିତିର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଟସର ସିଲକ୍‌ ଉତ୍ପାଦନ ୧୨୯.୦୯ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି।

ବିଭାଗର ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ବିଶଦ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୬୦,୭୭୩ ମହିଳା ବୁଣାକାର ୨୦୫୫ଟି ତନ୍ତକୁ ସ୍ୱତନ୍ତ୍ର ରୂପେ ଉପଯୋଗ କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିଛନ୍ତି।

୬୫୮ଟି ହସ୍ତତନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଅଧିନରେ ୭୭୩୭ ମହିଳା ବୟନ କାର୍ଯ୍ୟରେ ଅଂଶଗ୍ରହଣ କରିପାରିଛନ୍ତି। ସେହିଭଳି ହସ୍ତଶିଳ୍ପ କ୍ଷେତ୍ରରେ ୮୯,୫୫୬ ମହିଳା ହସ୍ତଶିଳ୍ପୀ ରାଜ୍ୟରେ କାର୍ଯ୍ୟରତ। ୯୩୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହସ୍ତଶିଳ୍ପ ପ୍ରସ୍ତୁତ କରି ଆର୍ଥିକ ଦୃଷ୍ଟିରୁ କ୍ଷମତାପନ୍ନ ହୋଇଛନ୍ତି।

୨୦୨୧ ମସିହାରୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବୁଣାକାରମାନଙ୍କୁ ବୈଦୁ୍ୟତିକ ପଙ୍ଖା, ବଲବ୍‌ ଓ ଇନ୍‌ଭର୍ଟର ଯୋଗାଇ ଦିଆଯାଉଛି। ୯୦୪୧ ଜଣ ବୁଣାକାର ଏହି ଯୋଜନାରେ ଲାଭ ପାଇପାରିଛନ୍ତି। ଏହି ଯୋଜନାରେ ୧୧୪୯ ଜଣ ମହିଳା ହିତାଧିକାରୀ ଅଛନ୍ତି। ଜୀବିକା ଏବଂ ଆୟବୃଦ୍ଧି ପାଇଁ ବୁଣାକାରଙ୍କୁ ସହାୟତା ଯୋଜନାରେ ବୁଣାକାରମାନଙ୍କୁ ସୁଧମୁକ୍ତ କାର୍ଯ୍ୟକାରୀ ପୁଂଜ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦିଆଯାଉଛି।

୨୦୨୨-୨୩ ବର୍ଷରେ ୨୩୮ ଜଣ ବୁଣାକାରଙ୍କୁ ଋଣ ପ୍ରଦାନ କରାଯାଇଛି। ୨୦୧୭-୧୮ରୁ ରାଜ୍ୟର ବରିଷ୍ଠ ବୁଣାକାରମାନଙ୍କ ପାଇଁ ବରିଷ୍ଠ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି। ୧୪୪୭ ଜଣ ବୁଣାକାର ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତନ୍ମଧ୍ୟରୁ ୩୮୪ ଜଣ ମହିଳା ବୁଣାକାର ଅଟନ୍ତି।

୬୦ରୁ ଊଦ୍ଧ୍ୱର୍ ବୁଣାକାରଙ୍କୁ ମାସିକ ପେନ୍‌ସନ୍‌ ପ୍ରଦାନ କରାଯାଇଛି । ୨୦୧୩-୧୪ରୁ ବୁଣାକାରମାନଙ୍କ ମାଟିତନ୍ତ ଗର୍ତ୍ତକୁ ଢଳେଇ କରିବା ପାଇଁ ଯୋଜନା ଲାଗୁ କରାଯାଇଛି। ବର୍ଷାଋତୁରେ ବୁଣାକାରମାନଙ୍କୁ ସୁବିଧାରେ ବୁଣାକାର୍ଯ୍ୟ କରିବା ପାଇଁ ଏହା ସାହାଯ୍ୟ କରିଥାଏ। ୩୦ ହଜାର ୭୧ଟି ତନ୍ତଗର୍ତ୍ତ ମଧ୍ୟରୁ ୨୫ ହଜାର ୭୨୪ଟି ଅନ୍ତଗର୍ତ୍ତର ଢଳେଇ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ବାକି କାର୍ଯ୍ୟ ୨୦୨୩-୨୪ରେ ଶେଷ ହେବ। ହସ୍ତଶିଳ୍ପର ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଉଛି।

ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ଓ ନିୟମିତ ସ୍ୱରୋଜଗାର ସୃଷ୍ଟି କରିବା ଏବଂ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ଶିଳ୍ପ ପ୍ରତି ଆକର୍ଷିତ କରିବା ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ । ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୭,୭୨୭ କାରିଗରଙ୍କୁ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ହସ୍ତଶିଳ୍ପ ୟୁନିଟ୍‌ ସ୍ଥାପନ ପାଇଁ ବ୍ୟାଙ୍କ ଋଣ ନେବା ପାଇଁ ୨୦% ମାର୍ଜିନ୍‌ ରାଶି ସହାୟତା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି ।

୨୦୦୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩,୬୧୮ ହସ୍ତଶିଳ୍ପ କାରିଗର ଏହି ଯୋଜନାରୁ ଲାଭ ଉଠାଇଛନ୍ତି । ହସ୍ତଶିଳ୍ପ କାରିଗରଙ୍କୁ ନିଜସ୍ୱ କର୍ମଶାଳା ତଥା ବାସଗୃହ ନିର୍ମାଣ ପାଇଁ ଅଣଆଇଓପି ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ଆଇଓପି ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୦୪୫ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗଦେବା ନିମନ୍ତେ ହସ୍ତଶିଳ୍ପ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଉତ୍କଳିକାର ବିଭିନ୍ନ ଶାଖାମାନଙ୍କ ମାଧ୍ୟମରେ ହସ୍ତଶିଳ୍ପ ଉତ୍ପାଦ ବିକି୍ର କରିବା ପାଇଁ ବଜାର ସହାୟତା ଯୋଗାଇ ଦିଆଯାଉଛି। ୩୦ ହଜାର ୨୧୩ ହସ୍ତଶିଳ୍ପ କାରିଗର ଏହି ବଜାର ସହାୟତା ପାଇଛନ୍ତି।

ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପନୀତି ୨୦୨୨ ପ୍ରଣୟନ କରାଯାଇଛି। ଏଥିରେ ନିବେଶକାରୀମାନେ ମୂଳପୁଂଜିର ୪୦% ରାଶି ରିହାତି ରୂପେ ପାଇପାରୁଛନ୍ତି। ପ୍ରତି ମହିଳା କର୍ମଚାରୀଙ୍କ ପାଇଁ ୬ ହଜାର ଟଙ୍କା ଓ ପୁରୁଷ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କା ରିହାତି ଦିଅଯାଇ ସେମାନଙ୍କ ଖର୍ଚ୍ଚ ଭରଣା କରାଯାଉଛି। ପୋଷାକ ଶିଳ୍ପରେ ୩ଟି ବୃହତ୍‌ କମ୍ପାନୀ ରାଜ୍ୟରେ କାର୍ଯ୍ୟ କରୁଛି। ୮୧୬୪ ଜଣ ଏଥିରେ ନିଯୁକ୍ତି ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ରାଜ୍ୟର ଗୌରବମୟ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ସଂରକ୍ଷିତ ରଖିବା ଓ ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ‘କଳାଭୂମି’ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ ଏହାର ୯ଟି ଗ୍ୟାଲେରୀ, ଟେରାକୋଟା, ପାରମ୍ପରିକ ଚିତ୍ର, ପଥର ଓ କାଠ ଖୋଦେଇ, ଧାତୁ ଶିଳ୍ପ, ପ୍ରାକୃତିକ ପଦାର୍ଥ, ହସ୍ତଶିଳ୍ପ, ପ୍ରାକ୍‌ ବୟନ ଟେକ୍‌ନୋଲୋଜି, ଜନଜାତି ହସ୍ତଶିଳ୍ପ, ହସ୍ତତନ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ରହିଛି । ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ପାଲଟିଛି । ୧୫୦୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮,୮୬୨ ଜଣ ପର୍ଯ୍ୟଟକ କଳାଭୂମି ସଂଗ୍ରହାଳୟକ ପରିଦର୍ଶନ କରିଛନ୍ତି।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇପାରିଛି। ରାଜ୍ୟର ଟସର ସିଲ୍‌କ ପାର୍କ ମଡେଲକୁ ଜାତୀୟ ସ୍ୱୀକୃତି ମିଳିଛି। ବୟନିକାକୁ ଆଚିଭର୍ସ ଅଫ୍‌ ଓଡ଼ିଶା, ଓଡ଼ିଶା ବିଜିନେସ୍‌ ଆୱାର୍ଡ-୨୦୧୭, ଷ୍ଟେଟ୍‌ ବିଜିନେସ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ କରାଯାଇଛି। ସିଡାକ୍‌କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପୁରସ୍କାର ସହିତ ୨୦୧୧, ୨୦୧୯ ଓ ୨୦୨୨ ମସିହାରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ‘ଇଣ୍ଡିଆ ଷ୍ଟୋନ୍‌ମାର୍ଟ’ରେ ‘ବେଷ୍ଟ ଇନୋଭେଟିଭ୍‌ ଡିସ୍‌ପ୍ଲେ ଆୱାର୍ଡ ମିଳିଛି।

ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାୱାର ପଏଣ୍ଟ ମାଧ୍ୟମରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାରିଗରମାନଙ୍କ ସାମାଜିକ, ଆର୍ଥିକ ଉନ୍ନତିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର କଂସାପିତ୍ତଳ ହସ୍ତଶିଳ୍ପ ସାମଗ୍ରୀକୁ ମିଳିବ ଜିଆଇ ମାନ୍ୟତା, ସରକାର କଲେ ଆବେଦନ

ଭୁବନେଶ୍ବର:  ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ ସୁରକ୍ଷା କରିବା ଓ ଏହାର ବେଆଇନ ବ୍ୟବହାର ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। କାରିଗର ଓ ଖାଉଟିମାନଙ୍କର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ଭୌଗୋଳିକ ସୂଚକାଙ୍କ ମାନ୍ୟତା ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି ନିମନ୍ତେ ଏହା ମଧ୍ୟ ସହାୟକ ହେବ। ହସ୍ତଶିଳ୍ପ ସାମଗ୍ରୀ ବିଷୟରେ ଅଧିକ ସଚେତନତା ସୃଷ୍ଟି ହେବ ଓ କାରିଗରମାନେ ଉପକୃତ ହେବେ।

ଚଳିତ ମାସ ୫ ତାରିଖରେ ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି। ବର୍ଷକ ମଧ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଏହା ହେଉଛି ତୃତୀୟ ଆବେଦନ। କଂସା ଓ ପିତ୍ତଳ କାମ ପାଇଁ ପିତ୍ତଳ ଓ ଅନ୍ୟ ଧାତୁ ବ୍ୟବହାର କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଉତ୍ପାଦନ ପ୍ରଣାଳୀ ଓ ସାମଗ୍ରୀଗୁଡିକର ବିସ୍ତୃତ ବିବରଣୀ ପ୍ରସ୍ତୁତି କ୍ରମେ ଆବେଦନ କରାଯାଇଅଛି। ଏଥି ପାଇଁ ୨୮ଟି ଜିଲ୍ଲାରେ ଅବସ୍ଥିତ ଅନେକ କଂସା ଓ ପିତ୍ତଳ ହସ୍ତଶିଳ୍ପ ପୁଞ୍ଜରୁ ତଥ୍ୟ ସଂଗ୍ରହ କରାଯାଇଅଛି ।

ପୂର୍ବରୁ କୋଣାର୍କ ପଥର ଖୋଦେଇ , ପିପିଲି ଚାନ୍ଦୁଆ ଓ ଓଡ଼ିଶା ପଟ୍ଟଚିତ୍ରର ଭୌଗଳିକ ସୂଚକାଙ୍କ ପଞ୍ଜୀକରଣ କରାଯାଇଅଛି। ଏତଦ୍‌ବ୍ୟତୀତ କଟକ ଚାନ୍ଦି ତାରକସୀ ଓ ଓଡ଼ିଶା କାଇଁଚ କାମ ହସ୍ତଶିଳ୍ପର ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଆବେଦନ କରାଯାଇଅଛି ଓ ଏହା ଏବେ ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକାଙ୍କରେ ରେଜିଷ୍ଟେସନ୍‌ ପାଇଁ ବିଚାରାଧିନ ରହିଛି।

ପରବର୍ତ୍ତୀ ପର୍ଯ୍ୟାୟରେ ବେଳଗୁଣ୍ଠାର ନମନୀୟ ପିତ୍ତଳ ମାଛ, ବରପାଲିର ଟେରାକୋଟା ଛାତ ଟାଇଲ୍‌, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଲା ଜିରାଳର ନଡା କାମ , ବାଲେଶ୍ୱରର ଲାଖ କାମ, ଓଡ଼ିଶା ଢୋକରା କାଷ୍ଟିଙ୍ଗ, ନୀଳଗିରିର ପଥର କାମ ଓ ପଥର ବାସନ, ବଲାଙ୍ଗୀର ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଂଗ କାମ, ନବରଙ୍ଗପୁରର ଲାଖ ପେଡି ଓ ପୁରୀର ତାଳପତ୍ର ପୋଥି ଚିତ୍ର ପରି ହସ୍ତଶିଳ୍ପର ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ପଦକ୍ଷେପ ନିଆଯାଉଅଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକାମ୍ର ହାଟଠାରେ ଉଦ୍‌ଘାଟିତ ହେଲା ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ଗଣେଶ ପୂଜା ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଆୟୋଜନ କରାଯାଇଅଛି। ରାଜ୍ୟରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କରେ ଜଡିତଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ Pକ୍ସଓଔ-୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି।

ଆଜି ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି। ଏହି ଉସିବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ, ସମ୍ବଲପୁରୀ ବସ୍ତ୍ରାଳୟର ସଂପାଦକ ଶ୍ରୀଯୁକ୍ତ ସଂପୂର୍ଣ୍ଣାନନ୍ଦ ପ୍ରଧାନ, ଓ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡର ବାଣିଜ୍ୟ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ, କଲାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୫୫ଗୋଟି ସମବାୟ ସମିତି/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପିାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବା ପାଇଁ ଯୋଗଦାନ କରିଛନ୍ତି। ଏଥି ସକାଶେ ସେମାନଙ୍କୁ ୫୫ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି ।

ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରଚେଷ୍ଠାରେ ଗତ ତା.୦୨.୧୦.୨୦୨୧ ରୁ ତା.୧୪.୦୮.୨୦୨୨ ପର୍ଯ୍ୟନ୍ତ ରାଜ୍ୟର ୫୩୬ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ୭୧୮ଜଣ ହସ୍ତଶିଳ୍ପ କାରିଗର ଭାଗନେଇ ଯଥାକ୍ରମେ ୭୦୦.୭୨ ଓ ୩୮୫.୦୪ ଲକ୍ଷ ଟଙ୍କା, ଏହିପରି ମୋଟ ୧୦୮୫.୭୬ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରି ପଦକ୍ଷେପ ଅଟେ।

ଏତତ୍‌ବ୍ୟତୀତ ଉକ୍ତ ହାଟରେ ଥିବା ଫୁଡ ଷ୍ଟଲମାନଙ୍କରେ ମଧ୍ୟ ୨୧୩.୦୩ ଲକ୍ଷ ଟଙ୍କାର ବିକ୍ରୟ କରି ପାରିଛନ୍ତିି ଓ ଏହି ହାଟରେ ୧୬ଗୋଟି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଅଛି। ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୧.୯୬ ଲକ୍ଷ ଲୋକ ଆଗମନ କରିଛନ୍ତିି। ଆଜିଠାରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉପିାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ। ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଅଛି।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ରୂପରେ ଖୋଲିଲା ‘ଏକାମ୍ର ହାଟ’; ୮୩ଟି ଷ୍ଟଲରେ ପ୍ରଦର୍ଶିତ ହେଉଛି ହସ୍ତଶିଳ୍ପ,ହସ୍ତତନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଥିବା ଅର୍ବାନ୍‌ ହାଟଗୁଡ଼ିକର ପରିଚାଳନା ଦାୟିତ୍ୱ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ହାତକୁ ନେବା ପରେ, ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟକୁ କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ନୂତନ ଭାବରେ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାର ହସ୍ତଶିଳ୍ପ ତଥା ବୁଣାକାରମାନଙ୍କୁ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ବଜାର ପାଇଁ ସୁଯୋଗ ସୃଷ୍ଟି କରିବା ଏକାମ୍ର ହାଟର ମୁଖ୍ୟ ଉଦ୍ଦେଶ୍ୟ । ଏହା ମଧ୍ୟ କୋଭିଡ୍‌ ସମୟରେ ପ୍ରଭାବିତ ହୋଇଥିବା ହସ୍ତଶିଳ୍ପୀ ତଥା ବୁଣାକାରମାନଙ୍କ ମଧ୍ୟରେ ଆଶାର ନୂତନ କିରଣ ଭାବେ ଉଭା ହୋଇଛି ।

ହାଟକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇଛି, ଯଥା-‘ଏକାମ୍ର କୁଟୀର’, ଯେଉଁଠି ୮ଟି କଳା ପ୍ରଦର୍ଶନ ଷ୍ଟଲ ସହିତ ୫୦ଟି ଷ୍ଟଲ ଏବଂ ‘ଏକାମ୍ର ବଜାର’ ଯେଉଁଠି ଏକ ଖୋଲା ଜାଗା ପରିବେଷ୍ଟିତ ୩୩ଟି ଷ୍ଟଲ ଅଛି । ସମୁଦାୟ ୮୩ଟି ଷ୍ଟଲ ମଧ୍ୟରୁ ୫୬ଟି ହସ୍ତଶିଳ୍ପ ପାଇଁ ଓ ୨୭ଟି ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ ।

ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇପାରିବେ ତଥା ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରିବେ । ଏଠାରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଦ୍ୱାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି, ଯଦ୍ଦ୍ୱାରା ପରିଦର୍ଶକମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ ।

ଏହି ହାଟରେ ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି । ଏକାମ୍ର ହାଟରେ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ବ୍ୟବସ୍ଥା କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଗୋଟିଏ ଛାତ ତଳେ ଉପଲବ୍ଧ କରାଯାଇଛି ।

ପରିଦର୍ଶକ, ପ୍ରଦର୍ଶକ, କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଂଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଅଛି ।
ଏକାମ୍ର ହାଟ ଏପରି ଗୋଟିଏ ସୁନ୍ଦର ପରିକଳ୍ପନା ଯେଉଁଠାରେ ଓଡ଼ିଶା ରାଜ୍ୟର ପୁରାତନ ସଂସ୍କୃତି ଓ ପରମ୍ପରା ସହିତ ହସ୍ତଶିଳ୍ପ ଓ ହସ୍ତତନ୍ତ ତଥା ପାରମ୍ପରିକ ସୁସ୍ୱାଦୁ ଖାଦ୍ୟକୁ ଉପଲବ୍ଧ କରାଯାଇଛି ।

ଏକାମ୍ର ହାଟ ପ୍ରତ୍ୟେକ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ କୋଭିଡ୍‌-୧୯ ନିୟମ ପାଳନ ସହିତ ଖୋଲା ରହିବ । ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ଅକେଫାବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଖୋଲିବା ସମୟରେ ପରିବର୍ତ୍ତନ କରାଯିବ । ଏକାମ୍ର ହାଟର ପରିଚାଳନା ଦାୟିତ୍ୱ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଉପରେ ନ୍ୟସ୍ତ ହୋଇଛି ।