Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୦ ରେ ଖୋର୍ଦ୍ଧା ଗସ୍ତରେ ଭି କେ ପାଣ୍ଡିଆନ: ବାଣପୁରରେ ସାଧାରଣ ସଭାକୁ କରିବେ ସମ୍ବୋଧନ

ଖୋର୍ଦ୍ଧା/ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୧୦ ତାରିଖରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସୁଛନ୍ତି। ସେ ଖୋର୍ଦ୍ଧାର ହାବେଳୀ ପଡିଆ ଏବଂ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ ବୋଲି ଜଣାପଡିଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳିରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ ଶ୍ରୀ ପାଣ୍ଡିଆନ।

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡଃ ବାଦଲ ମହାନ୍ତି, ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା, ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡ଼ା ଆଦି ବାଣପୁର ପଲଟନ ପଡିଆ ଗସ୍ତ କରି ସମସ୍ତ ବ୍ୟବସ୍ଥା ପରଖିଥିଲେ।

ସଭାସ୍ଥଳ, ବ୍ୟାରିକେଡ଼, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଅଧିକାରୀ ମାନେ। ଶ୍ରୀ ପାଣ୍ଡିଆନ ବାଣପୁର ଗସ୍ତବେଳେ ମା’ ଭଗବତୀ ମନ୍ଦିର ମଧ୍ୟ ଦର୍ଶନ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦଘାଟନ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଆଜି ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଏଥିରେ ୭୦୦ ରୁ ଉର୍ଦ୍ଧ୍ଵ ଚାଷୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦାନ କରିଥିଲେ। ଏହି ମେଳାରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଚାଷୀ ଭାଇମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା।

ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ତାଙ୍କ ସଂଭାଷଣରେ ମୁଖ୍ୟତଃ ଚାଷୀଭାଇ ଓ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ମେଳାରେ ଉପସ୍ଥିତ ଚାଷୀଗଣ ବୈଜ୍ଞାନିକ ଏବଂ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ସହିତ ଭେଟି ସେମାନଙ୍କଠାରୁ ବିଶେଷ ଜ୍ଞାନକୌଶଳ ସମ୍ପର୍କରେ ଆଦାନପ୍ରଦାନ କରିଥିଲେ।  ଜୀବନ୍ତପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଷ୍ଟଲରେ ବିଶେଷ ଆୟୋଜନଦ୍ୱାରା ଚାଷୀଗଣ ବ୍ୟବହାରିକ ଜ୍ଞାନ ଆହରଣ କରିବାର ସୁବିଧା ପ୍ରାପ୍ତ ହେଲେ।

ବିଶେଷ କରି ବାୟୋଫ୍ଲକ ଏବଂ ଇ ସି ବ୍ରଏଲର ଫାର୍ମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଭିନ୍ନ ସଂସ୍ଥା ଯେପରିକି ସିଫା, ମିଶନ ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ଅନ୍ୟାନ୍ୟ କମ୍ପାନୀ ଗୁଡିକ ମେଳାରେ ଷ୍ଟଲ ଆୟୋଜନ କରିଥିଲେ। ଏହି ଷ୍ଟଲ ଗୁଡିକରେ ଅତ୍ୟାଧୁନିକ ଜ୍ଞାନ ଏବଂ ବ୍ୟବହାରିକ କୌଶଳ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଅଗ୍ରଣୀ ଚାଷୀ ମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ସେମାନଙ୍କର ପରିଶ୍ରମ ଓ ଆଗ୍ରହକୁ ସମାନ ଦେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ମେଳାରେ ଆମୂଳଚୂଳ ଭାବେ ସଂଶ୍ଲିଷ୍ଟ ରହି ବିଭିନ୍ନ ଷ୍ଟଲଗୁଡିକ ବୁଲି ଦେଖିବା ସହିତ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ମେଳାରେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦେବୀଦତ୍ତ ମାଝୀ ଉକ୍ତ ସଭାରେ ସ୍ୱାଗତ ଭାଷଣ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ମେଳା ଯେ ନିକଟ ଭବିଷ୍ୟତରେ ଖୋର୍ଦ୍ଧା ଜିଲ୍ଲାରେ ମସ୍ତ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀ ମାନଙ୍କର ଆୟ ଦ୍ବିଗୁଣିତ କରିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ। ସର୍ବଶେଷରେ ଉପ ମତ୍ସ୍ୟ ନିର୍ଦ୍ଦେଶକ, ପୁରୀ ମଣ୍ଡଳ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜଗଦୀଶ ଚନ୍ଦ୍ର ପଣ୍ଡା ମଂଚାସୀନ ଅତିଥି ଏବଂ ଉପସ୍ଥିତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।