Categories
ଆଞ୍ଚଳିକ

ନୂତନ ବର୍ଷରେ ମା’ ଭଗବତୀଙ୍କ ଇ- ହୁଣ୍ଡି ଓ ବାହାର ହୁଣ୍ଡିରୁ ମିଳିଲା ପ୍ରଥମ ଦାନ ଅର୍ଥ

ବାଣପୁର: ୨୦୨୫ ଜାନୁୟାରୀ ମାସ ଶେଷ ଦିନରେ ମା’ଭଗବତୀଙ୍କ ମନ୍ଦିରର ଇ- ହୁଣ୍ଡିରୁ ଶ୍ରଦ୍ଧାଳୁମାନଙ୍କ ପ୍ରଥମ ଦାନ ଅର୍ଥ ସଂଗ୍ରହ କରାଯାଇଛି। ଜାନୁୟାରୀ ମାସ ୩୧ ତାରିଖ ରାତି ୧୨ଘଟିକା ସୁଧା ମୋଟ ଜମା ଆୟ ଟ ୧୯,୫୭୩.୯୯ (ଉଣିଶି ହଜାର ପାଞ୍ଚଶହ ତେସ୍ତରୀଟଙ୍କା ଅନେଶ୍ୱତପଇସା ମାତ୍ର) ବୋଲି ୟୁକୋ ବ୍ୟାଙ୍କ ସୂତ୍ରରୁ ଜଣା ପଡିଛି। ଦୂର ଦୂରାନ୍ତରେ ଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଦୈନଦିନ ସେବା ପାଇଁ ଏହି ଇ-ହୁଣ୍ଡି ଦ୍ୱାରା ଅର୍ଥଦାନ କରୁଥିବାରୁ ସ୍ଥାନୀୟ ୟୁ. କୋ ବ୍ୟାଙ୍କ ତରଫରୁ ଜାନୁୟାରୀ ମାସରୁ ମନ୍ଦିରରେ ଏହି ସୁବିଧା ଯୋଗାଇଦିଆଯାଇଛି।

ଶ୍ରଦ୍ଧାଳୁମାନେ ଫୋନ-ପେ ମାଧ୍ୟମରେ ପଠାଉଥିବା ଦାନ ଅର୍ଥ ମା’ଙ୍କ ଦେବୋତ୍ତର କାର୍ଯ୍ୟାଳୟ ନାମ ରେ ୟୁ.କୋ ବ୍ୟାଙ୍କ ରେ ଥିବା ଜମାଖାତାରେ ସିଧାସଳଖ ଜମା ହୋଇପାରୁଥିବା ସହିତ ଦାତା ଶ୍ରଦ୍ଧାଳୁମାନଙ୍କ ନାମ ମଧ୍ୟ ଜମାଖାତାରେ ରେକର୍ଡ଼ ଭୁକ୍ତ ହୋଇପାରୁଛି। ସେହିପରି ବାହାର ହୁଣ୍ଡିରୁ ନଗଦ ଟ୨,୦୭,୨୭୧.୦୦ ପଇସା (ଦୁଇ ଲକ୍ଷ, ସାତ ହଜାର, ଦୁଇଶହ ଏକ ସ୍ତରୀଟଙ୍କା) ମାତ୍ର ସହିତ କୋଡିଏକ୍ୟାରେଟ୍ ବିଶିଷ୍ଟ ୬୧ ଗ୍ରାମ ୪୦୦ମିଲିଗ୍ରାମର ଚେନ୍ ସହ ୨୩ଟି ଖାସୁଥାଇ ଏକ ସୁନାର ଖାସୁମାଳ,୧୪ ଗ୍ରାମ ୨୧୦ ମିଲିଗ୍ରାମରୂପାର ଏକ ପାଉଞ୍ଜି, ୭୦ ମିଲିଗ୍ରାମରୂପାର ୪ଟି ଆଖି ସଂଗ୍ରହ କରାଯାଇ ମନ୍ଦିର ୟୁ.କୋ ବ୍ୟାଙ୍କ ଜମାଖାତାରେ ଜମାକରାଯାଇଛି।

ମନ୍ଦିର ପରିଚାଳନା କମିଟିର ସଭ୍ୟା ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲ, ବାଣପୁର ଥାନା ପୋଲିସ୍, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମା’ ଙ୍କ ପାଖରେ ଧୂପଦୀପ ଦେଇ ଏହି ହୁଣ୍ଡି ଖୋଲିଥିବା ବେଳେ ପୂଜକ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ କୁମାର ମହାପାତ୍ର, କର୍ମଚାରୀ ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ ମିଶ୍ର ଓ କମଳ ମିଶ୍ର ଏହି ଅର୍ଥ ସଂଗ୍ରହ ଓ ଗଣତିରେ ସହଯୋଗ କରିଥିଲେ। ଉଭୟ ହୁଣ୍ଡିରୁ ସଂଗୃହୀତ ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ଭୋଗ ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାଙ୍କ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ସେପେଫମ୍ବର ୧୩, ୨୦୨୩ ତାରିଖରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୬୭୯୮ ଜିପି ମଧ୍ୟରୁ ପ୍ରାୟ ଶତକଡା ୬୫ ଭାଗ ଜିପିରେ (୪୩୭୩ ଜିପି) ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ। ଆର୍ଥିକ ଅଗ୍ରସର ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ବ୍ୟାଙ୍କ ସେବା ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିପିଙ୍କୁ ଏକ ସ୍ଥାୟୀ ବ୍ୟାଙ୍କ ଶାଖା ଯୋଗାଇ ଦିଆଯିବା ଆବଶ୍ୟକ।

ତେଣୁ ଓଡିଶା ସରକାର ସିଏସ୍‌ପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କବିହୀନ ଜିପିକୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଜିପିମାନଙ୍କୁ ଏହି ଯୋଜନାରେ ପର‌୍ୟ୍ୟାୟ କ୍ରମେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ୫ ବର୍ଷ ପାଇଁ ବିନା ଭଡାରେ ବ୍ୟାଙ୍କିଙ୍ଗ ସ୍ଥାନ ପ୍ରଦାନ କରିବେ। ଏଥିସହିତ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସର୍ବମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚର ଯୋଜନା ପ୍ରସ୍ତୁତ କରାଯାଇଛି।

ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସଠିକ ରୂପଦେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ୫-ଟି ମନ୍ତ୍ର ଅନୁଯାୟୀ ଏହାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସମସ୍ତ ଜିପିମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ଏଭଳି ଏକ ଆଦର୍ଶ ମଡେଲ୍ ଗ୍ରହଣ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଅଟେ।

ଏହା ଦ୍ୱାରା ରାଜ୍ୟର ସମସ୍ତ ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ରହୁଥିବା ଲୋକମାନେ ସୁବିଧାରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଏବଂ ଠିକ୍ ସମୟରେ ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଲାଭ ପାଇ ପାରିବେ।

Categories
ଆଞ୍ଚଳିକ

ରଣପୁର: ୟୁକୋ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳିତ

ରଣପୁର: ରଣପୁରରେ ସର୍ବ ପ୍ରଥମେ ଖୋଲିଥିବା ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇ ଯାଇଛି। ୧୯୪୩ ମସିହାରେ କୋଲକାତା ଠାରେ ପ୍ରଥମେ କମରସିଆଲ ବ୍ୟାଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା। ୧୯୭୦ ମସିହାରେ ରଣପୁରରେ ପ୍ରଥମେ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା।

ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଏହି ବ୍ୟାଙ୍କ ୫୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଣପୁରରେ ଲୋକପ୍ରିୟତା ହାସଲ କରି ପାରିଛି ବୋଲି ମ୍ୟାନେଜର ଅକ୍ଷୟ କୁମାର ପାଢ଼ୀ ମତ ଦେଇଛନ୍ତି। ବର୍ତ୍ତମାନ ରଣପୁରରେ ଅନେକ ବ୍ୟାଙ୍କ ଖୋଲିଛି, କିନ୍ତୁ ୫୨ ବର୍ଷ ଧରି ରଣପୁର ଅଞ୍ଚଳ ଅନେକ ବ୍ୟକ୍ତି ୟୁକୋ ବ୍ୟାଙ୍କ ସହ ବାନ୍ଧି ହୋଇ ରହିଛନ୍ତି ବୋଲି ମ୍ୟାନେଜର କହିଛନ୍ତି।

ପ୍ରତିଷ୍ଠା ଦିବସ ଉପଲକ୍ଷେ ଶାଖାକୁ ଆକର୍ଷଣୟ ଭାବେ ସଜାଇବା ସହିତ କେକ କଟା ଯାଇ ବ୍ୟାଙ୍କକୁ ଆସିଥିବା ଗ୍ରାହକଙ୍କୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା।

ଏହି ଅବସରରେ ଭରତ ପାତ୍ର, ଶର୍ମିଷ୍ଠା ହଦା, ରୋଶନୀ ମହାରଣା, ଅନୁପମ ଦାଶ, ପୂର୍ଣ୍ଣିମା ସାହୁ, ସୁଦୀପ୍ତ କୁମାର, ମାନସ ରଞ୍ଜନ ତରେଇ, ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ।