Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଛି ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଏବଂ ଏସଏସପି  ସାର 

ନୂଆଦିଲ୍ଲୀ: କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ତାମିଲନାଡ଼ୁର ତ୍ରିଚି ଏବଂ ରାଜସ୍ଥାନରେ ସାର ଅଭାବ ଦେଖା ଦେଇଛି। ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ସ୍ପଷ୍ଟ କରାଯାଉଛି ଯେ ଦେଶରେ ରବି ଋତୁ 2022-23 ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି। ଭାରତ ସରକାର ସମସ୍ତ ରାଜ୍ୟର ଆବଶ୍ୟକତା ଅନୁସାରେ ସାର ପଠାଉଛି। ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏହା ଦାୟିତ୍ବ ଯେ ସେ ନିଜ ରାଜ୍ୟ ଭିତରେ ଏବଂ ଜିଲ୍ଲା ମଧ୍ୟରେ ବିତରଣ ମାଧ୍ୟମରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରିବେ।

ଦେଶରେ ସାର ଉପଲବ୍ଧତାର ପରିସଂଖ୍ୟାନ ନିମ୍ନରେ ଦିଆଗଲା :

ୟୁରିଆ: ରବି ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଭାରତରେ ୟୁରିଆର ଆନୁମାନିକ ଆବଶ୍ୟକତା 180.18 ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) । 16.11.2022 ସୁଦ୍ଧା ଏହାର ଆନୁପାତିକ ଆବଶ୍ୟକତା 57.40 ଲକ୍ଷ ମେଟ୍ରିକ ଟନ୍। ଏଥିପାଇଁ ସାର ବିଭାଗ  (ଡିଓଏଫ୍‌)  92.54 ଲକ୍ଷ ମେଟ୍ରିକ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ୟୁରିଆର ବିକ୍ରି 38.43 ଲକ୍ଷ ମେଟ୍ରିକ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ 54.11 ଲକ୍ଷ ମେଟ୍ରିକ ଟନ୍ ର କ୍ଲୋଜିଂ ଷ୍ଟକ୍ (ପୂର୍ବରୁ ଉପଲବ୍ଧ) ରହିଛି। ଏହା ବ୍ୟତୀତ ୟୁରିଆ ପ୍ଲାଣ୍ଟରେ 1.05 ଲକ୍ଷ ମେଟ୍ରିକ୍ ଟନ୍ ଓ ବନ୍ଦରରେ 5.03 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ ଉପଲବ୍ଧ ରହିଛି ଯଦ୍ବାରା ୟୁରିଆର ଚାହିଦାକୁ ପୂରଣ କରାଯାଇ ପାରିବ।

ଡିଏପି : ରବି ସିଜିନ୍ 2022-23 ସମୟରେ ସମଗ୍ର ଦେଶରେ ଡିଏପିର ଆନୁମାନିକ ଆବଶ୍ୟକତା 55.38 ଲକ୍ଷ ମେଟ୍ରିକ୍ ଟନ୍। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 26.98 ଲକ୍ଷ ମେଟ୍ରିକ ଟନ୍। ଏଥିପାଇଁ ସାର ବିଭାଗ 36.90 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ଡିଏପିର ବିକ୍ରି 24.57 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର 12.33 ଲକ୍ଷ ମେଟ୍ରିକ୍ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ଡିଏପିର ଚାହିଦା ପୁରଣ କରିବା ପାଇଁ ଡିଏପି ପ୍ଲାଣ୍ଟରେ 0.51 ଲକ୍ଷ ମେଟ୍ରିକ୍ ଟନ୍ ଏବଂ ପୋର୍ଟରେ 4.51 ଲକ୍ଷ ମେଟ୍ରିକ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏମଓପି : ରବି  ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଓପି (ମ୍ୟୁରେଟ୍ ଅଫ୍ ପଟାସ୍ ବା ପଟ୍ଟାସିୟମ କ୍ଲୋରାଇଡ୍‌) ର ଆନୁମାନିକ ଆବଶ୍ୟକତା 14.35 ଲକ୍ଷ ମେଟ୍ରିକ ଟନ୍ ଅଟେ। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 5.28 ଲକ୍ଷ ମେଟ୍ରିକ୍ ଟନ୍ ର ଅଟେ। ଏଥିପାଇଁ ସାର ବିଭାଗ 8.04 ଲକ୍ଷ ମେଟ୍ରିକ ଟନ୍ ର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର 5.03 ଲକ୍ଷ ମେଟ୍ରିକ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ବନ୍ଦରରେ 1.17 ଲକ୍ଷ ମେଟ୍ରିକ ଟନ୍ ର ଷ୍ଟକ୍ ଉପଲବ୍ଧ ରହିଛି, ଯାହାର ଏମଓପିର ଚାହିଦା ପୁରଣ କରାଯାଇପାରିବ।

ଏନପିକେଏସ୍ : ରବି ଋତୁ 2022-23 ସମୟରେ ସାରା ଦେଶରେ ଏନପିକେଏସ୍ ର ଆନୁମାନିକ ଆବଶ୍ୟକତା 56.97 ଲକ୍ଷ ମେଟ୍ରିକ୍ ଟନ୍ ରହିଛି। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 20.12 ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏହା ପାଇଁ ସାର ବିଭାଗ 40.76 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତାର ସୁନିଶ୍ଚିତ କରିଛି। ଏହି ସମୟରେ ଏନପିକେଏସ୍ ର ବିକ୍ରି 15.99 ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ରାଜ୍ୟ ନିକଟରେ ଏହାର 24.77 ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ ରହିଛି। ଏହା ବ୍ୟତୀତ ଏନପିକେଏସର ଚାହିଦା ପୂରଣ କରିବା ପାଇଁ ପ୍ଲାଣ୍ଟରେ 1.24 ଲକ୍ଷ ମେଟ୍ରିକ୍ ଟନ୍ ଏବଂ ବନ୍ଦରରେ 2.93 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏସଏସପି: ରବି ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଏସପିର ଆନୁମାନିକ ଆବଶ୍ୟକତା 33.64 ଲକ୍ଷ ମେଟ୍ରିକ୍ ଟନ୍ । 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 14.05 ଲକ୍ଷ ମେଟ୍ରିକ୍ ଟନ୍। ଏଥିପାଇଁ ସାର ବିଭାଗ 24.79 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ଅବଧି ସମୟରେ ଏସଏସପି ର ବିକ୍ରି 9.25 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ରାଜ୍ୟ ନିକଟରେ ଏହାର 15.54 ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ପ୍ଲାଣ୍ଟରେ 1.65 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି, ଯାହାଦ୍ବାରା ଏସଏସପିର ଚାହିଦା ପୂରଣ କରାଯାଇପାରିବ।

ଏହିପରି ଦେଶରେ ରବି ଋତୁ 2022-23 ର ଆବଶ୍ୟକତାକୁ ପୂରଣ କରିବା ପାଇଁ ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଓ ଏସଏସପି ସାରର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର

“ୟୁରିଆରେ ଆତ୍ମନିର୍ଭର ହେବ ଭାରତ”: କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ୍ (ଏଚୟୁଆରଏଲ୍) -ସିନ୍ଦ୍ରି ଏବଂ ବାରାଉନି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଖୁବ ଶୀଘ୍ର ଏଚୟୁଆରଏଲ୍-ବାରାଉନି ଏବଂ ସିନ୍ଦ୍ରି କାରଖାନାରୁ ୟୁରିଆ ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ ଏହି ଦୁଇଟି କାରଖାନା ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନରୁ ଅଧିକ ୟୁରିଆ ଉତ୍ପାଦନ କରିବ ଯାହା ସମାନ ପରିମାଣ ୟୁରିଆର ଆମଦାନୀ ହ୍ରାସ କରିବାରେ ସହାୟକ ହେବ।

କେନ୍ଦ୍ର ମନ୍ତ୍ରୀ ଆମୋନିଆ/ୟୁରିଆ ଉତ୍ପାଦନ ପାଇଁ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଜ୍ଞାନକୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍) ର ସମୀକ୍ଷା କରିଛନ୍ତି। ଟିଏଫ୍ଏଲର ଉତ୍ପାଦନ କ୍ଷମତା ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ ହେବ। ୨୦୨୪ ମସିହାରେ ଟିଏଫ୍ଏଲର କାର୍ଯ୍ୟକାରୀ ହେବା ଆଶା କରାଯାଉଛି।

ଡକ୍ଟର ମନସୁଖ ମାଣ୍ଡଭିୟ ଉଲ୍ଲେଖ କରିଛନ୍ତି ଯେ ଏହି କାରଖାନାଗୁଡିକରୁ ସ୍ୱଦେଶୀ ୟୁରିଆ ଉତ୍ପାଦନ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭର କୃଷି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ ହେବ। ସେ ଦର୍ଶାଇଛନ୍ତି ଯେ ସରକାରଙ୍କ ପ୍ରୟାସ ଦ୍ୱାରା ଭାରତ ୟୁରିଆ ଉତ୍ପାଦନରେ ଆତ୍ମର୍ନିଭରଶୀଳ ହେବ। ଏହାଛଡା ଏହି କାରଖାନାଗୁଡିକ ପ୍ରତ୍ୟକ୍ଷ ଭାବେ ୫୦୦ ଏବଂ ପରୋକ୍ଷ ଭାବେ ୧୫୦୦ ନିଯୁକ୍ତି ସୃଷ୍ଟି କରିବ।

ସରକାର ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ୟୁନିଟଗୁଡିକର ପୁନରୁଦ୍ଧାର ପାଇଁ ମନୋନୀତ ରାଷ୍ଟ୍ରାୟତ ସଂସ୍ଥା ଗୁଡ଼ିକର ମିଳିତ କମ୍ପାନୀ ଯଥା ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ (ଏନଟିପିସି), ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଏବଂ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏଫ୍ସିଆଇଏଲ) / ହିନ୍ଦୁସ୍ତାନ ଫର୍ଟିଲାଇଜର୍ କର୍ପୋରେସନ୍ ଲିମିଟେଡ (ଏଚଏଫ୍ସିଏଲ୍) ମାଧ୍ୟମରେ ପୁନରୁଦ୍ଧାର କରିବେ। ତଦନୁଯାୟୀ ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ପ୍ରତ୍ୟେକ ଠାରେ ୧୨.୭ ଏଲଏମଟିପିଏ କ୍ଷମତା ବିଶିଷ୍ଟ ଗ୍ୟାସ ଭିତ୍ତିକ ଆମୋନିଆ ୟୁରିଆ କାରଖାନା ପ୍ରତିଷ୍ଠା ପାଇଁ ଏନଟିପିସି, ଆଇଓସିଏଲ ଏବଂ ସିଆଇଏଲ ଦ୍ୱାରା ୨୯.୬୭% ଏବଂ ସିଆଏଲ୍ ଏବଂ ଏଫ୍ସିଆଇଏଲ୍ ଦ୍ୱାରା ୧୧% ଇକ୍ୟୁଟି ସହଯୋଗରେ ହିନ୍ଦୁସ୍ତାନ ଉର୍ବରକ ରସାୟନ ଲିମିଟେଡ ନାମକ ଏକ ମିଳିତ ଉଦ୍ୟୋଗ କମ୍ପାନୀ କାର୍ଯ୍ୟକାରୀ ହେଉଛି।

ମନୋନୀତ ରଷ୍ଟ୍ରାୟତ ସଂସ୍ଥା ଗୁଡ଼ିକର ଏକ ମିଳିତ କମ୍ପାନୀ ଗଠନ କରି ତାଳଚେର ୟୁନିଟର ପୁନରୁଦ୍ଧାର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିସବୁ ରାଷ୍ଟ୍ରାୟତ ସଂସ୍ଥା ମଧ୍ୟରେ ଗ୍ୟାସ ଅଥରିଟୀ ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ୍), କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍), ରାଷ୍ଟୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ୍ (ଆରସିଏଫ୍) ଏବଂ ଏଫ୍ସିଆଇଏଲ୍ ରହିଛି। ତଦନୁଯାୟୀ, ତାଳଚେର ଫର୍ଟିଲାଇଜର୍ ଲିମିଟେଡ୍ (ଟିଏଫ୍ଲ) ନାମକ ଏକ ମିଳିତ କମ୍ପାନୀ ଗଠନ ହୋଇଛି ଯେଉଁଥିରେ ଗେଲ, ଆରସିଏଫ୍ ଓ ସିଆଏଲ୍ର ୩୧.୮୫% ଇକ୍ୱିଟି ଅଂଶଗ୍ରହଣ ଥିବାବେଳେ ଏଫ୍ସିଆଏଲ୍ ୪.୪୫% ଇକ୍ୱିଟି ବଜାୟ ରଖିଛି।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟଗୁଡିକ ସହ ଡିଏପି, ୟୁରିଆ ଉପଲବ୍ଧତା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ସାର ଉପଲବ୍ଧତା ସ୍ଥିତିର ସମୀକ୍ଷା କରିବାବେଳେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉତ୍ପାଦନ ହେଉଛି ଏବଂ ଏହାର ଅଭାବ ନାହିଁ। ସମୀକ୍ଷା ବୈଠକରେ ୧୮ ଟି ରାଜ୍ୟର କୃଷି ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।

କୃଷକ ଏବଂ କୃଷି କ୍ଷେତ୍ରରେ ସାର ଆବଶ୍ୟକତାର ପରିଚାଳନା କେନ୍ଦ୍ର ଏବଂ ରାଜ୍ୟଗୁଡିକର ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରି ଡକ୍ଟର ମନସୁଖ ମାଣ୍ଡଭ୍ୟ ଗତ କିଛି ମାସ ମଧ୍ୟରେ ଡିଏପି ପାଇଁ ଚାଷୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ଉଦ୍ୟମ କରିଥିବାରୁ ରାଜ୍ୟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସାମୂହିକ ପ୍ରୟାସର ପରିଣାମ ସ୍ୱରୂପ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରହିଆସିଛି ବୋଲି ସେ କହିଛନ୍ତି। ଗତ କିଛି ମାସ ମଧ୍ୟରେ ଅନେକ ରାଜ୍ୟରେ ଡିଏପିର ଚାହିଦା ବଢିଥିବା ବେଳେ ସେମାନଙ୍କ ସାର ଆବଶ୍ୟକତା ପୂରଣ କରିଥିବାରୁ ରାଜ୍ୟ କୃଷି ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ମନ୍ତ୍ରୀମାନଙ୍କୁ ସେ ଫର୍ଟିଲାଇଜର ଡ୍ୟାସବୋର୍ଡ ସଂକ୍ରାନ୍ତର ଅବଗତ କରିଥିଲେ ଯାହା ଗତ ଦୁଇମାସରୁ କାର୍ଯ୍ୟକ୍ଷମ ରହିଛି ଏବଂ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ସାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ। ଅଧିକ ପ୍ରଭାବଶାଳୀ ଏବଂ ଉତ୍ପାଦନକାରୀ ଢଙ୍ଗରେ ସାର ପରିଚାଳନା ପାଇଁ ସେ ପ୍ରତିଦିନ “ଫର୍ଟିଲାଇଜର ଡ୍ୟାସବୋର୍ଡ” ରେ ଆବଶ୍ୟକତା/ଯୋଗାଣ ଉପରେ ନଜର ରଖିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସାପ୍ତାହିକ ଭିତ୍ତିରେ ଜିଲ୍ଲା ୱାରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗୁଆ ଯୋଜନା ପ୍ରସ୍ତୁତ କରିବା ଏବଂ ମୂଲ୍ୟାଙ୍କନ କରିବା ଜରୁରୀ ଅଟେ। ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ବ୍ୟବହାର ହୋଇନଥିବା ସାର ଅଛି। ଦୈନିକ ଏ ସଂକ୍ରାନ୍ତରେ ଆଗୁଆ ସୂଚନା ଆମକୁ ମିଳିପାରିଲେ ଏହାର ଉନ୍ନତ ପରିଚାଳନା ହୋଇପାରିବ। ସେମାନଙ୍କ ଦ୍ୱାରା ସୂଚିତ ଆବଶ୍ୟକତା ଅନୁଯାୟୀ ବିଳମ୍ବ ନକରି କେନ୍ଦ୍ର ସରକାର ରାଜ୍ୟକୁ ସାର ଯୋଗାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର ଉପରେ ସବସିଡି ପ୍ରଦାନ କରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ ଅଟେ ଯାହା ଦ୍ୱାରା ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି। ଆଗାମୀ ରବି ଋତୁରେ ଦେଶର ୟୁରିଆ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ୟୁରିଆ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଏହା ଯେଭଳି ଶିଳ୍ପକୁ (ଯେପରିକି ଭିନିର, ପ୍ଲାଇଉଡ ଇତ୍ୟାଦି) କୁ ଚାଲାଣ ନହୁଏ ଏହା ଉପରେ ରାଜ୍ୟଗୁଡିକ ସକ୍ରିୟ ଭାବରେ ନଜର ରଖିବା ଉଚିତ। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଦ୍ୱାରା ସକ୍ରିୟ ତଥା ପ୍ରଭାବଶାଳୀ ନୀରିକ୍ଷଣ ହେତୁ ଉତ୍ତରପ୍ରଦେଶ ଏବଂ ବିହାରରେ ସୀମାନ୍ତରେ ସାର ଚାଲାଣକୁ ରୋକାଯାଇ ପାରିଛି। ସେ କହିଛନ୍ତି, ରାଜ୍ୟଗୁଡିକ ଏହା ଉପରେ ନଜର ରଖିବା ଜରୁରୀ ଯେଭଳି କୃଷକମାନଙ୍କୁ ଯୋଗାଣ ହେଉଥିବା ସାର ଅନ୍ୟ କ୍ଷେତ୍ରକୁ ପଠାଯିବ ନାହିଁ, ଯାହାଦ୍ୱାରା କୃତ୍ରିମ ଅଭାବ ଦେଖାଦେଇଥାଏ। ସଚେତନତା ବୃଦ୍ଧି ତଥା ସାରର ଯଥାର୍ଥ ବ୍ୟବହାର ତଥା ଅପଚୟ ଏବଂ ଅପବ୍ୟବହାର ହ୍ରାସ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଆସନ୍ତୁ ବିକଳ୍ପଗୁଡିକର ଅନୁସନ୍ଧାନ କରିବା ଏବଂ ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଯେପରିକି ନାନୋ ୟୁରିଆ ଏବଂ ଜୈବକ ସାର ଯାହା ମାଟିକୁ ସୁରକ୍ଷା ଦେଇଥାଏ ଏବଂ ଅଧିକ ଉତ୍ପାଦନକ୍ଷମ କରିଥାଏ। କମ୍ ପରିମାଣର ନାନୋ ୟୁରିଆ ବର୍ତ୍ତମାନ ଅଧିକ ସାର ବ୍ୟବହାରର ବିକଳ୍ପ ଭାବରେ ବ୍ୟବହୃତ ହେବ ଏବଂ ଅଧିକ ପୁଷ୍ଟିକର ବ୍ୟବହାରରେ ସହାୟକ ହେବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ ସମୀକ୍ଷା ବୈଠକରେ କହିଛନ୍ତି। ଆକାର ଅନୁଯାୟୀ ଗୁଣବତ୍ତା, ମୃତ୍ତିକାରେ ଉଚ୍ଚ ଗୁଣ ମାନ ଏବଂ ଅନ୍ୟାନ୍ୟ ଗୁଣ ହେତୁ ନାନୋ-ସାର ଉଦ୍ଭିଦ ପୋଷଣରେ ପ୍ରୟୋଗ ପାଇଁ ପ୍ରତିଶ୍ରୁତିବଦ୍ଧ। ଇଫ୍‍କୋ ନାନୋ ୟୁରିଆର ଉତ୍ପାଦନ ଆରମ୍ଭ କରିଛି ଏବଂ ନାନୋ ଡିଏପି ଉପରେ କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ରାସାୟନିକ ସାରର କଳାବଜାରୀ: ୨୬୭ ଟଙ୍କା ୟୁରିଆ ବସ୍ତା ବିକ୍ରି ହେଉଛି ୬୫୦ ଟଙ୍କାରେ

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ବଢିଚାଲିଛି ସାର କଳା ବଜାରୀ। ଦିନକୁ ଦିନ ସାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି। କିଛି ଦୋକାନୀଙ୍କ ଲାଗି ଏହି କଳା ବଜାରୀ ବଢୁଛି। ୟୁରିଆ ବସ୍ତାରେ ୨୬୬.୫୦ ପଇସା ପ୍ରିଣ୍ଟ ଥିବା ବେଳେ ବାଣପୁରରେ ୬୫୦ ଟଙ୍କା ପର୍ଯ୍ୟନ୍ତ ବସ୍ତା ପ୍ରତି ବିକ୍ରି ହେଉଛି। ଲକ ଡ଼ାଉନ ମାଡ଼ରେ ଚାଷୀକୁଳର ଏକ ରକମର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ୟୁରିଆ କଳା ବଜାରୀ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ।

ବିଶେଷକରି ବାଣପୁର ବ୍ଲକରେ ଅନେକ ଦୋକାନୀ ୟୁରିଆ ବସ୍ତା ପିଛା ପାଖାପାଖି ଦୁଇ ଗୁଣ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗତ ଦୁଇ ଦିନ ତଳେ ଆୟତପୁରରେ ୟୁରିଆ ବସ୍ତା ପ୍ରତି ୫୫୦ ଟଙ୍କା ଏବଂ ବାଣପୁର ବଜାରରେ ଜଣେ ଦୋକାନୀ ୫୪୦ ଟଙ୍କା ବିକ୍ରି କରୁଥିବାର ଅଭିଯୋଗ ହେଉଥିବା ବେଳେ ଗତକାଲି ବାଣପୁର ନିକଟରେ ଆଉ ଗୋଟେ ଦୋକାନୀ ୬୫୦ ଟଙ୍କା ବସ୍ତା ପ୍ରତି ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଏହା ଏକ ଜଘନ୍ୟ ଅପରାଧ। ସରକାରଙ୍କ ନିୟମ ଅନୁଯାୟୀ କୌଣସି ଦୋକାନୀ ଏମ.ଆର.ପି ରୁ ଟଙ୍କାଟିଏ ବି ଅଧିକ ଦାମ ନେଇପାରିବନି କିନ୍ତୁ ଏଠି ଏମ.ଆର.ପି ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଦାମ ନେଉଛନ୍ତି ଦୋକାନୀ।

ଯଦି ଚାଷୀ ମାନେ ଏହାକୁ ବିରୋଧ କରୁଛନ୍ତି ତେବେ ଦୋକାନୀ କହୁଛନ୍ତି ଆମେ ଉପରୁ ଅଧିକା ରେଟରେ କିଣିକି ଆଣୁଛୁ। ହେଲେ ଦୁଇ ଦିନ ତଳେ ଏ ନେଇ ଆମ ପ୍ରତିନିଧି ବାଣପୁର ବ୍ଲକ କୃଷି ଅଧିକାରୀ ଅଜୟ କରଙ୍କୁ ଯୋଗାଯୋଗ କରିଥିବାବେଳେ ସେ ଉକ୍ତ ଅଭିଯୋଗକୁ ପରୋକ୍ଷ ଭାବେ ସ୍ୱୀକାର କରିଥିବା ସହ ଶୋଷଣର ଶିକାର ହେଉଥିବା ଚାଷୀ ମାନେ ଅଧିକାରୀଙ୍କ ନିକଟରେ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଲିଖିତରେ ଅଭିଯୋଗ ନକରିବା କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତତସହିତ ଏହାର ତଦନ୍ତ କରିବେ ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ଗତକାଲି କୃଷି ଅଧିକାରୀ ଗମ୍ଭାରୀମୁଣ୍ଡା, ଆୟତପୁର, ଭାଟପଡା ଆଦି ଅଞ୍ଚଳ ଗସ୍ତ କରି ୟୁରିଆ କଳାବଜାରୀର ତଦନ୍ତ କରିଥିଲେ। ଏଥି ସହ କୃଷି ଅଧିକାରୀ ୬ ଗୋଟି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିବାର ସୂଚନା ରହିଛି।  ଆଗାମୀ ଦିନରେ ବାଣପୁର ପୋଲିସର ସହଯୋଗରେ ବାଣପୁର ବ୍ଲକରେ ସାର କଳାବଜାରୀଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବା ସହ ଦରକାର ପଡିଲେ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି କୃଷି ଅଧିକାରୀ ଶ୍ରୀ କର ମତ ପ୍ରକାଶ କରିଛନ୍ତି।

ଏହା ସହ ଯଦି କୃଷକ ଭାଇ ମାନଙ୍କୁ କୌଣସି ଦୋକାନୀ ୟୁରିଆ ବସ୍ତା ପିଛା ଏମ.ଆର.ପି ଠାରୁ ଅଧିକା ଟଙ୍କା ମାଗନ୍ତି ତାହାଲେ ତୁରନ୍ତ ସମ୍ପୃକ୍ତ ଦୋକାନୀଙ୍କ ନାମରେ କୃଷକମାନେ କୃଷି ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପାଇଁ ବ୍ଲକ କୃଷି ଅଧିକାରୀ ଶ୍ରୀ କର ଅନୁରୋଧ କରିଛନ୍ତି।