ବାଣପୁରରେ ରାସାୟନିକ ସାରର କଳାବଜାରୀ: ୨୬୭ ଟଙ୍କା ୟୁରିଆ ବସ୍ତା ବିକ୍ରି ହେଉଛି ୬୫୦ ଟଙ୍କାରେ

Published: Sep 9, 2020, 12:06 pm IST

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ବଢିଚାଲିଛି ସାର କଳା ବଜାରୀ। ଦିନକୁ ଦିନ ସାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି। କିଛି ଦୋକାନୀଙ୍କ ଲାଗି ଏହି କଳା ବଜାରୀ ବଢୁଛି। ୟୁରିଆ ବସ୍ତାରେ ୨୬୬.୫୦ ପଇସା ପ୍ରିଣ୍ଟ ଥିବା ବେଳେ ବାଣପୁରରେ ୬୫୦ ଟଙ୍କା ପର୍ଯ୍ୟନ୍ତ ବସ୍ତା ପ୍ରତି ବିକ୍ରି ହେଉଛି। ଲକ ଡ଼ାଉନ ମାଡ଼ରେ ଚାଷୀକୁଳର ଏକ ରକମର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ୟୁରିଆ କଳା ବଜାରୀ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ।

ବିଶେଷକରି ବାଣପୁର ବ୍ଲକରେ ଅନେକ ଦୋକାନୀ ୟୁରିଆ ବସ୍ତା ପିଛା ପାଖାପାଖି ଦୁଇ ଗୁଣ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗତ ଦୁଇ ଦିନ ତଳେ ଆୟତପୁରରେ ୟୁରିଆ ବସ୍ତା ପ୍ରତି ୫୫୦ ଟଙ୍କା ଏବଂ ବାଣପୁର ବଜାରରେ ଜଣେ ଦୋକାନୀ ୫୪୦ ଟଙ୍କା ବିକ୍ରି କରୁଥିବାର ଅଭିଯୋଗ ହେଉଥିବା ବେଳେ ଗତକାଲି ବାଣପୁର ନିକଟରେ ଆଉ ଗୋଟେ ଦୋକାନୀ ୬୫୦ ଟଙ୍କା ବସ୍ତା ପ୍ରତି ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଏହା ଏକ ଜଘନ୍ୟ ଅପରାଧ। ସରକାରଙ୍କ ନିୟମ ଅନୁଯାୟୀ କୌଣସି ଦୋକାନୀ ଏମ.ଆର.ପି ରୁ ଟଙ୍କାଟିଏ ବି ଅଧିକ ଦାମ ନେଇପାରିବନି କିନ୍ତୁ ଏଠି ଏମ.ଆର.ପି ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଦାମ ନେଉଛନ୍ତି ଦୋକାନୀ।

ଯଦି ଚାଷୀ ମାନେ ଏହାକୁ ବିରୋଧ କରୁଛନ୍ତି ତେବେ ଦୋକାନୀ କହୁଛନ୍ତି ଆମେ ଉପରୁ ଅଧିକା ରେଟରେ କିଣିକି ଆଣୁଛୁ। ହେଲେ ଦୁଇ ଦିନ ତଳେ ଏ ନେଇ ଆମ ପ୍ରତିନିଧି ବାଣପୁର ବ୍ଲକ କୃଷି ଅଧିକାରୀ ଅଜୟ କରଙ୍କୁ ଯୋଗାଯୋଗ କରିଥିବାବେଳେ ସେ ଉକ୍ତ ଅଭିଯୋଗକୁ ପରୋକ୍ଷ ଭାବେ ସ୍ୱୀକାର କରିଥିବା ସହ ଶୋଷଣର ଶିକାର ହେଉଥିବା ଚାଷୀ ମାନେ ଅଧିକାରୀଙ୍କ ନିକଟରେ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଲିଖିତରେ ଅଭିଯୋଗ ନକରିବା କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତତସହିତ ଏହାର ତଦନ୍ତ କରିବେ ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ଗତକାଲି କୃଷି ଅଧିକାରୀ ଗମ୍ଭାରୀମୁଣ୍ଡା, ଆୟତପୁର, ଭାଟପଡା ଆଦି ଅଞ୍ଚଳ ଗସ୍ତ କରି ୟୁରିଆ କଳାବଜାରୀର ତଦନ୍ତ କରିଥିଲେ। ଏଥି ସହ କୃଷି ଅଧିକାରୀ ୬ ଗୋଟି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିବାର ସୂଚନା ରହିଛି।  ଆଗାମୀ ଦିନରେ ବାଣପୁର ପୋଲିସର ସହଯୋଗରେ ବାଣପୁର ବ୍ଲକରେ ସାର କଳାବଜାରୀଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବା ସହ ଦରକାର ପଡିଲେ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି କୃଷି ଅଧିକାରୀ ଶ୍ରୀ କର ମତ ପ୍ରକାଶ କରିଛନ୍ତି।

ଏହା ସହ ଯଦି କୃଷକ ଭାଇ ମାନଙ୍କୁ କୌଣସି ଦୋକାନୀ ୟୁରିଆ ବସ୍ତା ପିଛା ଏମ.ଆର.ପି ଠାରୁ ଅଧିକା ଟଙ୍କା ମାଗନ୍ତି ତାହାଲେ ତୁରନ୍ତ ସମ୍ପୃକ୍ତ ଦୋକାନୀଙ୍କ ନାମରେ କୃଷକମାନେ କୃଷି ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପାଇଁ ବ୍ଲକ କୃଷି ଅଧିକାରୀ ଶ୍ରୀ କର ଅନୁରୋଧ କରିଛନ୍ତି।

Related posts