Categories
ବିଶେଷ ଖବର ରାଜ୍ୟ ଖବର

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀ ନୀତେଶ କୁମାର ବ୍ୟାସ (ଭା.ପ୍ର.ସେ) ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସହ ଭୁବନେଶ୍ୱରସ୍ଥ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ସମୀକ୍ଷା ବୈଠକ କରାଇଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରିଷ୍ଠ ଉପନିର୍ବାଚନ କମିଶନରମାନଙ୍କୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସଂକ୍ଷେପରେ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୂର୍ଣ୍ଣ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ ଓ ନିର୍ବାଚନ ପ୍ରସ୍ତୁତି ସ୍ଥିତି ସଂପର୍କରେ ପିପିଟି ମାଧ୍ୟମରେ ଦର୍ଶାଇଥିଲେ।

ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ୱୟ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିକାରେ ଯୋଗଦେବା ନିମନ୍ତେ ଫର୍ମ, ତାଲିକାରୁ ବାଦ ଓ ତାଲିକାରୁ ତ୍ରୁଟି ସଂଶୋଧନ ନିମନ୍ତେ ଥିବା ବାକିଆ ଫର୍ମଗୁଡ଼ିକୁ ଯଥାଶୀଘ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ମହିଳା, ଯୁବ, ବରିଷ୍ଠ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ଏବଂ ପ୍ରାଚୀନ ଜନଜାତି ଗୋଷ୍ଠୀ (ପି.ଭି.ଟି.ଜି) ନିର୍ବାଚକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭୋଟର ତାଲିକାର ଶୁଦ୍ଧତା ଦୃଷ୍ଟିରୁ ସତର୍କତାର ସହ କଷ୍ଟସାଧ୍ୟ କ୍ଷେତ୍ର ପରିଦର୍ଶନ ସହ ଭୋଟର ତାଲିକା ପରୀକ୍ଷା କରି ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ ଓ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍‌ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ନିର୍ବାଚନ ସମୟରେ ଚୋରାରେ କାରବାର ହେଉଥିବା ଟଙ୍କା, ମଦ, ନିଶାଦ୍ରବ୍ୟ ଚାଲାଣ ହେଉଥିବା ବାଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ସେହିସବୁ ସ୍ଥାନଗୁଡ଼ିକରେ ଜବତକାରୀ ଦଳମାନଙ୍କୁ ମୁତୟନ କରବା ଉପରେ ଗୁରୁତ୍ୱାରୋପ କରିଥିଲେ। ଫଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କାର୍ଯ୍ୟ ହୋଇପାରିବ।

ରାଜନୈତିକ ଦଳ ଓ ହିତାଧିକାରୀଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ୱୟ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି। ଶେଷରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ଅବାଧ ଓ ମୁକ୍ତ ଭାବେ ପରିଚାଳନା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁଇଦିନିଆ ସମୀକ୍ଷା ବୈଠକରେ ଅତିରିକ୍ତ ଡିଜି ପୋଲିସ (ଆଇନଶୃଙ୍ଖଳା) ଶ୍ରୀ ସଂଜୟ କୁମାର (ଭା.ପୋ.ସେ) ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେବେ ସେ ବିଜେପିରେ ନ ଥିଲେ,ଏବେ ସିଧା ଉପସଭାପତି; କିଏ ସେହି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମରେ ନୂଆ ନୂଆ କଥା ଦେଖିବାକୁ ମିଳିଛି। ଏହି ଟିମରେ ବରିଷ୍ଠ ନେତାମାନଙ୍କୁ ବାଦ ଦିଆଯାଇଥିବା ବେଳେ କେତେକ ଯୁବ ନେତାଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଅପରାଜିତା ଗୋଷ୍ଠୀଙ୍କୁ ମଧ୍ୟ ଅବହେଳା କରାଯାଇ ନାହିଁ। ଏକ ମିଳାମିଶା ତାଲିକା ପ୍ରକାଶ କରାଯାଇଛି।

ହେଲେ ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା, ଯିଏ କେବେ କୌଣସି ରାଜନୈତିକ ଦଳରେ ସାମିଲ ନ ଥିଲେ ତାଙ୍କୁ ବିଜେପି ଡାକିଆଣି ଉପସଭାପତି କରିଛି। ସେ କେବେ ବିଜେପିର କାର୍ଯ୍ୟକ୍ରମରେ ଭାଗ ନେଇ ନାହାଁନ୍ତି କି ଦଳରେ ସାମିଲ ମଧ୍ୟ ହୋଇ ନାହାଁନ୍ତି। ହେଲେ ଆକସ୍ମିକ ଭାବେ ତାଙ୍କୁ ସିଧା ଦଳର ଉପସଭାପତି କରାଯାଇଛି। ଯାହାକୁ ନେଇ କେବଳ ବିଜେପି ନେତାଙ୍କ ମଧ୍ୟରେ ନୁହେଁ ପୁରା ଓଡିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। ସେ ହେଲେ କଟକର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।

ଅବଶ୍ୟ ଡାକ୍ତର ମହାପାତ୍ର ରୋଗୀ ସେବା କରିବାରେ ବେଶ ପରିଚିତ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଜଣାଶୁଣା। ଜଣେ ମହିଳା ଓ ଶିଶୁ ବିଶେଷଜ୍ଞ ଡାକ୍ତର ଭାବେ ତାଙ୍କର ବେଶ ଖ୍ୟାତି ରହିଛି। ସେତିକି ନୁହେଁ ସେ ଜଣେ ଭଲ ମଣିଷ ଭାବରେ ମଧ୍ୟ ପରିଚିତ। ସେଥିପାଇଁ ରାଜ୍ୟ ସରକାର ତାଙ୍କୁ ଏସସିବି ମେଡିକାଲ କଲେଜର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ ସେ କେବେ କୌଣସି ରାଜନୈତିକ ମଞ୍ଚରେ ନିଜର ପାଦ ରଖି ନାହାଁନ୍ତି।

ତେବେ ଏ ନେଇ ଖୋଦ ଡାକ୍ତର ମହାପାତ୍ର ମଧ୍ୟ ଆଶ୍ଚର୍ଯ୍ୟ। ଏହା ତାଙ୍କ ପାଇଁ ଏକ ଅକସ୍ମିକ ଘଟଣା ବୋଲି ସେ କହିଛନ୍ତି। ଏହି ତାଲିକା ପ୍ରକାଶ ପରେ ସେ କହିଛନ୍ତି ଯେ, ମୋର ସଭାପତି ମନମୋହନବାବୁଙ୍କ ସହିତ ଭଲ ସଂପର୍କ ରହିଛି। ଏପରିକି ଜେ ପି ନଡ୍ଡାଙ୍କ ସହିତ ମଧ୍ୟ ସଂପର୍କ ରହିଛି। ହେଲେ ମୋତେ ଦଳରେ ସାମିଲ କଥା ଜଣା ନ ଥିଲା। ତାଲିକା ପ୍ରକାଶ ପରେ ସେ ଜାଣିଲେ ଯେ, ତାଙ୍କୁ ଦଳର ଉପସଭାପତି କରାଯାଇଛି।

ତେବେ ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ, ସେ କେବେ ରାଜନୀତିର ନ ଥିଲେ କି କୌଣସି ଦଳରେ ନ ଥିଲେ। ଗତଥର ତାଙ୍କୁ ଏକ ଦଳ ତରଫରୁ ଟିକେଟ ଯଚା ଯାଇଥିଲା, ହେଲେ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ। ଏବେ ମଧ୍ୟ କୌଣସି ଦଳରେ ସାମିଲ ହେବାର ଆଗ୍ରହ ନ ଥିଲା। ତେବେ ବିଜେପି ମୋତେ ଉପସଭାପତି କରିଥିବାର ତାଲିକା ପ୍ରକାଶ ପରେ ଜାଣିଲି। ତେବେ ଏହାପରେ ଦଳ କଣ କରୁଛି, କି ପ୍ରକାରର ନିର୍ଦ୍ଦେଶ ଦେଉଛି ତାହାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ଡାକ୍ତର ମହାପାତ୍ର।

ବିଜେପି ହେଉଛି ଏକ କ୍ୟାଡର ଭିତ୍ତିକ ଦଳ। ଏହି ଦଳର କାର୍ଯ୍ୟକର୍ତ୍ତାଙ୍କୁ ଯେତେବେଳେ ନିଯୁକ୍ତି ଦିଆଯାଏ ତା ପୂର୍ବରୁ ତାଙ୍କର ଇତିହାସ ପରଖା ଯାଏ। ସେ ଦଳରେ କେବେଠାରୁ ଅଛନ୍ତି, କିପରି କାମ କରୁଛନ୍ତି, ସଂଘ ସହିତ ଅଛନ୍ତି କି ନାହିଁ ଇତ୍ୟାଦି। ହେଲେ ସେ ସବୁ ନୀତି ନିୟମ ଡାକ୍ତର ମହାପାତ୍ରଙ୍କ କ୍ଷେତ୍ରରେ ଲାଗୁ କରାଯାଇ ନାହିଁ। ତାଙ୍କୁ ଦଳରେ ନ ମିଶାଇ ସିଧା ଉପସଭାପତି କରାଇବା ଓଡିଶା ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବିଜେପିର କେତେକ ନେତାଙ୍କ ଅନୁସାରେ ଡାକ୍ତର ମହାପାତ୍ରଙ୍କୁ କୁଆଡେ କଟକରୁ ଲୋକସଭା ପ୍ରାର୍ଥୀ କରିବା ପାଇଁ ଦଳ ନିଷ୍ପତି କରିଛି। ସେଥିପାଇଁ ଦଳର ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଦିଆଯାଇଛି। ପୂର୍ବରୁ ଆଇପିଏସ ପ୍ରକାଶ ମହାପାତ୍ର ଏହି ଆସନରୁ ଲଢେଇ କରିଥିଲେ। ହେଲେ ସେ ନିର୍ବାଚନ ପରେ ଆଉ ଲୋକ ସଂପର୍କରେ କିମ୍ବା ଦଳ ସଂପର୍କରେ ରହିଲେ ନାହିଁ। ଫଳରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ଆଗକୁ ଆଣିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୁମର ପଦ୍ମପୁର ଥିବା ବେଳେ ଆମର ଧାମନଗର ମଡେଲ ଅଛି, ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଯୋଗଦେବାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ମନ୍ତବ୍ୟ ଦେଇଛନ୍ତି। ତାହା ହେଲା ତମର ପଦ୍ମପୁର ମଡେଲ ଥିବା ବେଳେ ଆମର ଧାମନଗର ମଡେଲ ରହିଛି। ଆଜି ସମ୍ବାଦିକମାନେ ୨୦୨୪ ନିର୍ବାଚନରେ ବିଜେଡିର ମନ୍ତବ୍ୟ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଉଭୟ ଧାମନଗର ଏବଂ ପଦ୍ମପୁର ଉପନିର୍ବାଚନରେ ବିଜେପିକୁ ବେଶ କିଛି ଶିକ୍ଷା ମିଳିଛି। ଏହି ଦୁଇ ଉପନିର୍ବାଚନର ଶିକ୍ଷାକୁ ପାଥେୟ କରି ଆମେ ଆସନ୍ତା ନିର୍ବାଚନ ମଇଦାନକୁ ଓହ୍ଲାଇବୁ। ଏହା ସାଧାରଣ ନିର୍ବାଚନ ପାଇଁ ବିଜେପିକୁ ବେଶ୍ ସାହାଯ୍ୟ କରିବ । ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାର ପ୍ରମୁଖ ପ୍ରସଙ୍ଗ କରିବ ଦଳ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ଘଟିପାରେ ଏକ ବିରଳ ଘଟଣା

ପ୍ରତାପ ଦାସ

ସାଧାରଣ ନିର୍ବାଚନ କୁ ବାକି ଅଛି ଦୁଇ ବର୍ଷ। ଏବେଠୁ ଆରମ୍ଭ ହେଲାଣି ବାଦ ବିବାଦ। ଦଶ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଆକାଂକ୍ଷା ଜିଲ୍ଳା ଗ୍ରସ୍ତକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଲାଗିଛି ତୁ ତୁ ମେ ମେ। ସାଧାରଣ ନିର୍ବାଚନରେ ବିଜେପି କିଭଳି ଭାବେ ଲଢ଼ିବ ତାହା ଏବେବି ଅସ୍ପଷ୍ଟ। ଗତ ପୌର ଓ ପଞ୍ଚାୟତ ନିର୍ବାଚନ ଭଳି ହାଲୁକା ଭାବେ ଲଢ଼ିବ ନା ପୁରା ଦମରେ ଲଢ଼ିବ, ତାକୁ ନେଇ ଦଳ ମଧ୍ୟରେ କୌଣସି ସ୍ପଷ୍ଟ ଚିତ୍ର ନାହିଁ।

ତେଵେ ସାଧାରଣ ନିର୍ବାଚନ ପୁର୍ବରୁ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ପାଇଁ ବିଜେଡ଼ି ଉପରେ ବିଜେପି ପୂର୍ଣ୍ଣ ନିର୍ଭର,ଏହି ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ରାଷ୍ଟ୍ରପତି ନିର୍ବାଚନ ପୁର୍ବରୁ ୪ଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବ। ଏ ନେଇ ମଧ୍ୟ ଚାଲିଛି ଅଙ୍କ କଷା।

ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନ ଓ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡ଼ି ସହ ବିଜେପି ଡିଲ କରୁଥିବା ବେଳେ ବିଜେଡ଼ି ମଧ୍ୟ ସମାନ ରୁପେ ଡିଲ କରୁଛି। ରାଷ୍ଟ୍ରପତି ନିର୍ବାଚନ ଓ ରାଜ୍ୟସଭା ଆସନ ପାଇଁ ବିଜେପି ଗୁରୁତ୍ବ ଦେଉଥିବା ବେଳେ ସାଧାରଣ ନିର୍ବାଚନରେ ବିଜେଡ଼ି ବିପକ୍ଷରେ ଆକ୍ରମଣାନ୍ତଙ୍କ ଢଙ୍ଗରେ ନ ଲଢ଼ିପାରେ ବୋଲି ବିଜେପି ନେତା ସଂକେତ ପାଇ ସାରିଲେଣି।

କେନ୍ଦ୍ର ନେତୃତ୍ୱଙ୍କ ଏଭଳି ଚିନ୍ତାଧାରାକୁ ନେଇ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା କଣ କରିବେ ବୋଲି ଆଖିରୁ ନିଦ ହଜିଗଲାଣି। ସେହି ରଣନୀତିକୁ ଓଡିଶାରେ ଲାଗୁ କରିବା ପାଇଁ ରାଜ୍ୟ ବିଜେପିରେ ବହୁ ଅଦଳ ବଦଳ ହେବାର ସମ୍ଭାବନା ଦେଖାଦେଲାଣି।

(ପ୍ରତାପ ଦାସ ହେଉଛନ୍ତି ଓଡିଶାର ଜଣେ ବରିଷ୍ଠ ସାମ୍ବାଦିକ)