Categories
ବିଶେଷ ଖବର ରାଜ୍ୟ ଖବର

ସାରା ରାଜ୍ୟରେ ବସିଲା ଉଚ୍ଚ ବିଦ୍ୟାଳୟର ଅଭିଭାବକ-ଶିକ୍ଷକ ବୈଠକ, ୫-‘ଟି’ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ସାରା ରାଜ୍ୟରେ ଆଜି ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ଏହାର ବିଭିନ୍ନ ଉପାଦାନଗୁଡ଼ିକର ସଠିକ ବ୍ୟବହାର ଓ ପରିଚାଳନା ଉପରେ ଆଲୋଚନା ହୋଇଥିଲା।

ଶିକ୍ଷକଶିକ୍ଷୟିତ୍ରୀମାନେ ୫-‘ଟି’ ରୂପାନ୍ତରଣ ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ। ଶୈକ୍ଷିକ ଅଭିବୃଦ୍ଧି, ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି, ସ୍ମାର୍ଟ ଶ୍ରେଣୀଗୃହ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ, ଇ-କଣ୍ଟେଣ୍ଟ ମାଧ୍ୟମରେ ଶିକ୍ଷାଦାନ, ଇ-ଲାଇବ୍ରେରୀ, ବିଜ୍ଞାନାଗାରର ବ୍ୟବହାର, ଶୁଦ୍ଧ ପାନୀୟ ଜଳର ଉପଲବ୍ଧତା ଓ ଶୌଚାଳୟର ବ୍ୟବହାର, ବିଦ୍ୟାଳୟର ପରିଷ୍କାରପରିଚ୍ଛନ୍ନତା, କ୍ରୀଡ଼ା ଓ ଖେଳ ପଡ଼ିଆର ବିକାଶ ଉପରେ ବିଷଦ ଆଲୋଚନା କରାଯାଇଥିଲା।

ଅଭିଭାବକମାନେ ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ବିକାଶ ତଥା ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟ ଉନ୍ନତିକରଣ ପ୍ରକିୟାରେ ସେମାନେ ସମ୍ମିଳିତ ଭାବେ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।

ଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀ ଏଥିରେ ଯୋଗଦାନ କରି ତଦାରଖ ଓ ପରିଦର୍ଶନ କରିଥିଲେ। ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅଭିଭାବକ ଓ ଶିକ୍ଷକ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରକାଶ ଥାଉ କି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୬ଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଛି।