Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନ ଲାଗି ନାମଲେଖା, ଆବେଦନର ଶେଷ ତାରିଖ ଅଗଷ୍ଟ ୧୫

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୫ ତାରିଖ। ଏହି ବର୍ଷିକିଆ ପାଠ୍ୟକ୍ରମଗୁଡ଼ିକ ଲାଗି କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି।

ରାଜ୍ୟର କୌଣସି ସରକାରୀ ବା ଘରୋଇ ଅନୁଷ୍ଠାନରୁ ଯେ କୌଣସି ବିଷୟରେ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ପଲିଟେକ୍‌ନିକ୍‌, କିମ୍ବା ଯୁକ୍ତ ୨ ଓ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଚୟନ କରାଯିବ।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦେଶର ଏକ ଅଗ୍ରଣୀ ତଥା ଅଭିନବ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଚିତ। ଏଠାରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍ ଭଳି ଦୁଇଟି ବିଭାଗ ରହିଛି। ଏହା ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଓ ସେବା କ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯାଉଛି।

ଏହାର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟରେ ନାମଲେଖା ପାଇଁ ଆବେଦନ ଗ୍ରହଣ କରାଯାଉଛି।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍‌” ଏବଂ “ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା” ଭଳି ୨ଟି ପାଠ୍ୟକ୍ରମ ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଶିଳ୍ପ-ଦକ୍ଷତା ପ୍ରଦାନ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଅତ୍ୟାଧୁନିକ ଲାବୋରେଟୋରି କରାଯାଇଛି। ସେହିପରି ବିଷୟଭିତ୍ତିକ ପାଠ ଓ ତାଲିମ ଛଡ଼ା ସେମାନଙ୍କ ଜୀବନ କୌଶଳ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ମଧ୍ୟରେ ରହିଛି ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ସ୍କିଲ୍ଡ ଇନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ବ୍ୟବସ୍ଥା ମାଗଣାରେ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ସିଙ୍ଗାପୁରଠାରେ ଦୁଇ ସପ୍ତାହ ପାଇଁ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ତଥା ସେଠିକାର ବିଭିନ୍ନ କମ୍ପାନିରେ ୬ ମାସିଆ ପେଡ୍‌-ଇଣ୍ଟର୍ଣ୍ଣସିପ୍ ଲାଗି ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ ସଂସ୍ଥାରେ କିପରି ନିଯୁକ୍ତି ପାଇପାରିବେ ସେଥିପାଇଁ “ପ୍ଲେସମେଣ୍ଟ” କାର୍ଯ୍ୟକ୍ରମ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ନାମଲେଖା ପାଇଁ ସିଧାସଳଖ ଆବେଦନ କରିପାରିବେ। ଏ ବିଷୟରେ ଅଧିକ ଜାଣିବା ପାଇଁ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ୫-‘ଟି’ ସଚିବ ଭି. କେ. ପାଣ୍ଡିଆନ

ଭୁବନେଶ୍ୱର : ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ କହିଛନ୍ତି। ଆଜି ଶ୍ରୀ ପାଣ୍ଡିଆନ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି। ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ ବୋଲି ସେ କହିଛନ୍ତି। ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ୱସ୍ତରର ପ୍ରମୁଖ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ। ଆଗାମୀ ଦିନରେ ରାଜ୍ୟର ସରକାରୀ ଆଇଟିଆଇରେ ମଧ୍ୟ ଏହି ଭଳି ଉନ୍ନତ ମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର ଆକାଂକ୍ଷା ସ୍ତର ଅଧିକ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ୱାର୍ଲ୍ଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍‌, ସିଙ୍ଗାପୁର ଶୈଳୀରେ ପରିଚାଳିତ ହେଉଛି। ତେଣୁ ଶ୍ରୀ ପାଣ୍ଡିଆନ ଏଠାରେ ମୁତୟନ ହୋଇଥିବା ଆଇଟିଇଇଏସ୍‌, ସିଙ୍ଗାପୁରର ଅଧିକାରୀମାନଙ୍କ ସହ ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ଏଜେନ୍ସି ଓ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି।

୫-‘ଟି’ ସଚିବ ଶ୍ରୀ ପାଣ୍ଡିଆନ ବିୟୁଟି ୱେଲ୍‌ନେସ୍‌ ସ୍ପା, ଫେସିଆଲ ଓ ବଡି ଥେରାପି ଷ୍ଟୁଡିଓ, ହେୟାର ଫେସନ ଡିଜାଇନ, କଟିଙ୍ଗ ଓ ଷ୍ଟାଇଲିଙ୍ଗ ଷ୍ଟୁଡିଓ, ମେକାଟ୍ରନିକ୍ସ, ନିଉମାଟିକ, ଅଟୋମେସନ ଓ ବେସିକ ରୋବୋଟିକ୍ସ, ମେକାନିକାଲ ଓ ଇଲେକ୍‌ଟି୍ରକାଲ ସର୍ଭିସେସ, ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ, ପାଇପିଂ ଓ ପ୍ଲମ୍ବିଂ, ଏୟାରକଣ୍ଡିସନିଙ୍ଗ ଓ ରେଫ୍ରିଜେରେସନ ଲ୍ୟାବ ପରିଦର୍ଶନ କରି ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ।

୨୦୨୩ ସୁଦ୍ଧା ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ୨୦୨୪ ମସିହା ଭିତରେ ପ୍ରେସିସନ ଇଞ୍ଜିନିୟରିଂ ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଏଠାରେ ଡିଜିଟାଲ ସ୍କିଲିଂ ହବ୍‌ ପ୍ରତିଷ୍ଠା ହେବ ଏବଂ ଏହା ସ୍କିଲ ପ୍ରତିଯୋଗିତାର ହବ୍‌ ରୂପେ କାର୍ଯ୍ୟ କରିବ। ଅନ୍ୟମାନଙ୍କ ମଧ୍ୟରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି ଓ ୱାର୍ଲ୍ଡ ସ୍କିଲ ସେଣ୍ଟରର ଅଧିକାରୀମାନେ ଉପସ୍ଥିତ ଥିଲେ।