Categories
ଆଞ୍ଚଳିକ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ବିଧାୟିକା

ପିଣ୍ଟୁ ବିଶୋୟୀ

କୋଦଳା: କୋଦଳା ଥାନା ଅନ୍ତର୍ଗତ ଦଶ ନଂ ୱାର୍ଡ ବିଷୋୟୀ ସାହିର ଶ୍ରୀ ନିବାସ ପଣ୍ଡା କିଛି ଦିନ ତଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉକ୍ତ ମୃତ୍ୟୁ ବ୍ୟକ୍ତିଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟିକା। ତେବେ ୧୧ କେଭି ବିଦ୍ୟୁତ ତାର ଉକ୍ତ ବ୍ୟକ୍ତିଙ୍କ ଛାତ ଉପର ଦେଇଯାଇଥିବା ଖବର ବିଧାୟିକା ଜାଣିବା ପରେ ସେହି ଦିନହିଁ ବିଧାୟିକା ହସ୍ତକ୍ଷେପ କରି ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ହସ୍ତାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିଦ୍ୟୁତ ତାର ହସ୍ତାନ୍ତର କାର୍ଯ୍ୟ ଆରମ୍ବ ହୋଇଥିବା ବେଳେ ସପ୍ତାହ ଭିତରେ କାର୍ଯ୍ୟ ସମାପ୍ତ ହୋଇଯିବ ବୋଲି ବିଧାୟିକା ଆଶା ବ୍ୟକ୍ତ କରିଛନ୍ତି।

ସୂଚନା ଥାଉକି ଶ୍ରୀ ପଣ୍ଡା ଲୁଗା ଶୁଖାଇବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ମୃତ୍ୟୁ ବରଣ କରିଥିଲେ। ତେବେ ସ୍ଥାନୀୟ ବାସିନ୍ଦା ଉକ୍ତ ବିଦ୍ୟୁତ ତାର ହଟାଇବା ପାଇଁ ବିଦ୍ୟୁତ ବିଭାଗ କତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇପାରିନଥିଲା କିନ୍ତୁ ବିଧାୟିକାଙ୍କ ହସ୍ତକ୍ଷେପ ପରେ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିପଦ ଶଙ୍କୁଳ ବିଦ୍ୟୁତ୍‌ ତାରକୁ ନେଇ ପଶିଛି ଛନ୍‌କା : କୁଜଙ୍ଗ ବାଲିତୁଠ ରାସ୍ତାରେ ବିପଦ ଶଙ୍କୁଳ ୧୧ କେଭି ବିଦ୍ୟୁତ୍ ତାର

ରଞ୍ଜିତ ପଣ୍ଡା

କୁଜଙ୍ଗ:  ବ୍ରହ୍ମପୁରଠାରେ ୧୧ କେଭି ବିଦ୍ୟୁତ ତାର ଜନିତ ବସ୍‌ ଟ୍ରାଜେଡି ଘଟି ୧୦ ଜଣ ମୃତ୍ୟୁବରଣ କରିଥିବା ଘଟଣା ସାରା ରାଜ୍ୟବାସୀଙ୍କୁ ସମ୍ଭୀଭୂତ କରିଥିବାବେଳେ ବିପଦ ଶଙ୍କୁଳ ବିଦ୍ୟୁତ୍‌ ତାରକୁ ନେଇ ଏବେ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ତେବେ ରାଜ୍ୟରେ ବହୁ ସ୍ଥାନରେ ବିପଦ ସଙ୍କୁଳ ୧୧ କେଭି ବିଦ୍ୟୁତ୍‌ ତାର ଓହଳିଥିବାର ନଜର ଆସିଛି । କୁଜଙ୍ଗ ଅଂଚଳରେ ବହୁ ସ୍ଥାନରେ ବିପଦ ଶଙ୍କୁଳ ୧୧ କେଭି ବିଦ୍ୟୁତ୍ ତାରକୁ ନେଇ ଛନକା ପଶିଛି । କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ-ବାଲିତୁଠ ରାସ୍ତାର ବିଜିପୁରର ବିଦ୍ୟାଧର ପୁର ଛକ କିଛିଦିନ ତଳେ ୧୧ କେଭି ତାର ଛିଡି ପଡିଥିଲା ।  ଏହି ସମୟରେ ଏକ ବସ୍ ଆସୁଥିବା ବେଳେ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲା । ମାତ୍ର ଏହି ସମୟରେ କୁଜଙ୍ଗ ଥାନା ବନାପାଟ ଗ୍ରାମର ପର୍ଶୁରାମ ରାଉତ ସେହି ରାସ୍ତା ଦେଇ ଯିବା ସମୟରେ ତାରଟି ଛିଡି ପଡିଥିଲା । ଏହି ସମ୍ପର୍କରେ ସେ ତୁରନ୍ତ ବାଲିତୁଠର ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡାକୁ ଜଣାଇଥିଲେ । ପ୍ରକାଶ ତୁରନ୍ତ ୪ନଂ ଜୋନ୍ ଜିଲାପରିଷଦ ସଭ୍ୟାଙ୍କୁ ଅବଗତ କରାଇବା ସହ ତୁରନ୍ତ ବିଦ୍ୟୁତ୍ ବିଭାଗର  କର୍ମଚାରୀ ତାରକୁ ତାଳିପକା କାମ କରି ମରାମତି କରିଥିଲେ ।

ମାତ୍ର ଏହି ରାସ୍ତା ଦେଇ ପ୍ରତ୍ୟହ ଶହ ଶହ ଭାରି ଯାନ ଯାତାୟତ କରୁଥିବା ବେଳେ ବିଦ୍ୟୁତ୍‌ ତାର ବିପଦ ଶଙ୍କୁଳ ତା’ର ତଳେ ଭାରୀବାହୀ ଯାନ ବା ବସଗୁଡ଼ିକ ଚଳାଚଳ କରିବା ବେଶ୍‌ ବିପଦଜ୍ଜନକ । ପ୍ରକାଶ ଯେ ଗତ କିଛି ଦିନ ତଳେ କୁଜଙ୍ଗ ବ୍ଲକ୍ ପାନପୁଲି ଗ୍ରାମର ହେମନ୍ତ ପାତ୍ର ବାଲିତୁଠରେ ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିଲେ । ଏବେ କୁଜଙ୍ଗ, ବାଲିତୁଠ ନିକଟର ବହୁ ଅଂଚଳରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର ବିଶେଷକରି  ୧୧କେଭି ତାର ଝୁଲି ରହିଥିବା ବେଳେ ତୁରନ୍ତ ବିଦ୍ୟୁତ ବିଭାଗ ଏହା ପ୍ରତି ଯତ୍ନବାନ୍ ହେବାକୁ ବାଲିତୁଠର ପୂବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡା, ପୂର୍ବତନ ସରପଂଚ ଛବି ପ୍ରସାଦ ରାଉତରାରୟ ପ୍ରମୁଖ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।