ବିପଦ ଶଙ୍କୁଳ ବିଦ୍ୟୁତ୍‌ ତାରକୁ ନେଇ ପଶିଛି ଛନ୍‌କା : କୁଜଙ୍ଗ ବାଲିତୁଠ ରାସ୍ତାରେ ବିପଦ ଶଙ୍କୁଳ ୧୧ କେଭି ବିଦ୍ୟୁତ୍ ତାର

Published: Feb 11, 2020, 9:03 am IST

ରଞ୍ଜିତ ପଣ୍ଡା

କୁଜଙ୍ଗ:  ବ୍ରହ୍ମପୁରଠାରେ ୧୧ କେଭି ବିଦ୍ୟୁତ ତାର ଜନିତ ବସ୍‌ ଟ୍ରାଜେଡି ଘଟି ୧୦ ଜଣ ମୃତ୍ୟୁବରଣ କରିଥିବା ଘଟଣା ସାରା ରାଜ୍ୟବାସୀଙ୍କୁ ସମ୍ଭୀଭୂତ କରିଥିବାବେଳେ ବିପଦ ଶଙ୍କୁଳ ବିଦ୍ୟୁତ୍‌ ତାରକୁ ନେଇ ଏବେ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ତେବେ ରାଜ୍ୟରେ ବହୁ ସ୍ଥାନରେ ବିପଦ ସଙ୍କୁଳ ୧୧ କେଭି ବିଦ୍ୟୁତ୍‌ ତାର ଓହଳିଥିବାର ନଜର ଆସିଛି । କୁଜଙ୍ଗ ଅଂଚଳରେ ବହୁ ସ୍ଥାନରେ ବିପଦ ଶଙ୍କୁଳ ୧୧ କେଭି ବିଦ୍ୟୁତ୍ ତାରକୁ ନେଇ ଛନକା ପଶିଛି । କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ-ବାଲିତୁଠ ରାସ୍ତାର ବିଜିପୁରର ବିଦ୍ୟାଧର ପୁର ଛକ କିଛିଦିନ ତଳେ ୧୧ କେଭି ତାର ଛିଡି ପଡିଥିଲା ।  ଏହି ସମୟରେ ଏକ ବସ୍ ଆସୁଥିବା ବେଳେ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲା । ମାତ୍ର ଏହି ସମୟରେ କୁଜଙ୍ଗ ଥାନା ବନାପାଟ ଗ୍ରାମର ପର୍ଶୁରାମ ରାଉତ ସେହି ରାସ୍ତା ଦେଇ ଯିବା ସମୟରେ ତାରଟି ଛିଡି ପଡିଥିଲା । ଏହି ସମ୍ପର୍କରେ ସେ ତୁରନ୍ତ ବାଲିତୁଠର ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡାକୁ ଜଣାଇଥିଲେ । ପ୍ରକାଶ ତୁରନ୍ତ ୪ନଂ ଜୋନ୍ ଜିଲାପରିଷଦ ସଭ୍ୟାଙ୍କୁ ଅବଗତ କରାଇବା ସହ ତୁରନ୍ତ ବିଦ୍ୟୁତ୍ ବିଭାଗର  କର୍ମଚାରୀ ତାରକୁ ତାଳିପକା କାମ କରି ମରାମତି କରିଥିଲେ ।

ମାତ୍ର ଏହି ରାସ୍ତା ଦେଇ ପ୍ରତ୍ୟହ ଶହ ଶହ ଭାରି ଯାନ ଯାତାୟତ କରୁଥିବା ବେଳେ ବିଦ୍ୟୁତ୍‌ ତାର ବିପଦ ଶଙ୍କୁଳ ତା’ର ତଳେ ଭାରୀବାହୀ ଯାନ ବା ବସଗୁଡ଼ିକ ଚଳାଚଳ କରିବା ବେଶ୍‌ ବିପଦଜ୍ଜନକ । ପ୍ରକାଶ ଯେ ଗତ କିଛି ଦିନ ତଳେ କୁଜଙ୍ଗ ବ୍ଲକ୍ ପାନପୁଲି ଗ୍ରାମର ହେମନ୍ତ ପାତ୍ର ବାଲିତୁଠରେ ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିଲେ । ଏବେ କୁଜଙ୍ଗ, ବାଲିତୁଠ ନିକଟର ବହୁ ଅଂଚଳରେ ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର ବିଶେଷକରି  ୧୧କେଭି ତାର ଝୁଲି ରହିଥିବା ବେଳେ ତୁରନ୍ତ ବିଦ୍ୟୁତ ବିଭାଗ ଏହା ପ୍ରତି ଯତ୍ନବାନ୍ ହେବାକୁ ବାଲିତୁଠର ପୂବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପରିଡା, ପୂର୍ବତନ ସରପଂଚ ଛବି ପ୍ରସାଦ ରାଉତରାରୟ ପ୍ରମୁଖ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Related posts