ନୂଆଦିଲ୍ଲୀ : ଦୀର୍ଘ ଏକ ବର୍ଷ ହେବ ଇଣ୍ଟରନେଟରୁ ଦୂରରେ ରହିଥିବା ଜମ୍ମୁ କାଶ୍ମୀର ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବରେ ପୁଣି ଥରେ 4 ଜି ସେବା ଆରମ୍ଭ ହେବାକୁ ଯାଉଛି ।
ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ କୋର୍ଟଙ୍କୁ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଜମ୍ମୁ କାଶ୍ମୀରରେ ଏହି ସେବା ଆରମ୍ଭ କରାଯିବ ନାହିଁ । କିଛି କମ୍ ସମ୍ବେଦନଶୀଳ ଅଞ୍ଚଳରେ ଏହି ସେବା ଅଗଷ୍ଟ 15 ପରଠାରୁ ଆରମ୍ଭ କରାଯିବ । ଉକ୍ତ ଅଞ୍ଚଳରେ ସମୀକ୍ଷା କରାଯିବା ପରେ ସମ୍ପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବା ଚାଲୁ କରାଯିବ କି ନାହିଁ ତାହା ସ୍ଥିର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୁଇ ମାସ ସେବା ଚାଲୁ ରହିବା ପରେ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, 2019 ତାରିଖ ଅଗଷ୍ଟ 5 ତାରିଖ ପରଠାରୁ ଜମ୍ମୁକାଶ୍ମୀରରେ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ମିଳୁନାହିଁ । 2019 ଅଗଷ୍ଟ 5 ତାରିଖରେ ଜମ୍ମୁକାଶ୍ମୀରରୁ ଧାରା 370 ଓ 35ଏକୁ ଉଚ୍ଛେଦ କରାଯାଇଥିଲା । ଜମ୍ମୁକାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିବର୍ତ୍ତନ କରାଯାଇଥିଲା । (ଏଜେନ୍ସି)