Categories
ଆଜିର ଖବର ମନୋରଂଜନ ସିନେମା

60 ବର୍ଷରେ ପାଦ ଦେଲେ ଏହି ଦକ୍ଷିଣ ଭାରତୀୟ ଅଭିନେତା

ଥିରୁଅନନ୍ତପୁରମ୍‌ : ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲ୍‌ ଆଜି 60 ବର୍ଷରେ ପଦାର୍ପଣ କରିଛନ୍ତି । 1960 ମସିହା ମେ 21 ତାରିଖରେ କେରଳର ପଥନମ୍‌ଥିଟ୍ଟାର ଏଲାନ୍‌ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା । ପିତା ବିଶ୍ବନାଥ ନାୟାର କେରଳ ସରକାରଙ୍କ ଆଇନ ସଚିବ ଥିଲେ ଏବଂ କେରଳର ମହତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ମୋହନଲାଲ । 5 ଥର ଜାତୀୟ ପୁରସ୍କାର ହାସଲ କରିଥିବା ମୋହନଲାଲଙ୍କୁ 2019ରେପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।ଏହ ବ୍ୟତିତ 2001ରେ ମୋହନଲାଲଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।

1978ରେ ତାଙ୍କ ପ୍ରଥମ ମଲୟାଲମ୍‌ ଫିଲ୍ମ ‘ଥିରାନୋତ୍ତମ୍‌’ ରିଲିଜ୍‌ ହୋଇଥିଲା । ତେବେ ‘ମଂଜିଲ୍‌ ବ୍ରିନ୍ଜାଲ୍‌ ପୋକାଲ୍‌’ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ ପାଇଁ ଚର୍ଚ୍ଚାକୁ ଆସିଥିଲେ ମୋହନଲାଲ । 1986-2000 ମସିହା ମଧ୍ୟରେ ମୋହନଲାଲ ନିଜ କ୍ୟାରିୟରରେ ଅବିଶ୍ବସନୀୟ ସଫଳତା ପାଇଥିଲେ । ଏହି ସମୟରେ ଏକାଧିକ ବକ୍ସ ଅଫିସ୍‌ ସଫଳତା ସହିତ 4ଟି ଜାତୀୟ ପୁରସ୍କାର ହାସଲ କରିଥିଲେ । ମାଲାୟଲମ୍‌ ଇଣ୍ଡଷ୍ଟ୍ରିର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ପ୍ରଥମ 5ଟି ସ୍ଥାନରେ ମୋହନଲାଲଙ୍କ ଫିଲ୍ମ ରହିଛି । ଏହା ସହିତ ମାଲାୟଲମ୍‌ ଇଣ୍ଡଷ୍ଟ୍ରୀର ଏକମାତ୍ର 200 କୋଟି ଫିଲ୍ମ ଲୁସିଫରରେ ମୋହନଲାଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 300ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ମୋହନ ଲାଲଙ୍କ ଅଭିନୀତ କିଛି ଶ୍ରେଷ୍ଠ ଚଳଚିତ୍ର ହେଉଛି କୀରିଦମ୍‌, ଭାରଥମ୍‌, ବାନପ୍ରସ୍ଥମ୍‌, ଜନତା ଗ୍ୟାରେଜ୍‌, ମୁନିଥ୍ରିଭଲ୍ଲିକାଲଥାଲିରକୁମ୍ବୋଲ, ପୁଲି ମୁରୁଗନ, ଲୁସିଫର ଓଡିୟାନ୍‌ ।