Categories
ଆଜିର ଖବର

ଦିଲ୍ଲୀରେ ଏକଲା ଲଢିବ କଂଗ୍ରେସ,  ଆପ୍‌ ସହ ମେଣ୍ଟ ହେବ ନାହିଁ

ଦିଲ୍ଲୀରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ। ଏ ନେଇ କଂଗ୍ରେସ କିମ୍ବା ଅଧ୍ୟକ୍ଷ ରାହୁଲ ଗାନ୍ଧି କୌଣସି ବିଧିବଦ୍ଧ ସୂଚନା ଦେଇନଥିଲେ ମଧ୍ୟ ଗତକାଲି ହୋଇଥିବା ବୈଠକରେ ଏହି ସମ୍ପର୍କିତ ସୂଚନା ରହିଛି।  ଦିଲ୍ଲୀରେ ମେଣ୍ଟ ହେବ କି ନାହିଁ, ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘରେ ବିଳମ୍ବିତ ରାତି ଯାଏ ଦଳର ବରିଷ୍ଠ ନେତା ପିସି ଚାକୋ, କେ.ସି ଭେନୁଗୋପାଳଙ୍କ ସହ ବୈଠକ ବସିଥିଲା। ଏବେ ଆପ ସହ ମେଣ୍ଟ କଲେ ଭବିଷ୍ୟତରେ ଏହା  କଂଗ୍ରେସ ପାଇଁ କ୍ଷତିକାରକ ହେବ ବୋଲି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତୀ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀ କଂଗ୍ରେସର କିଛି ନେତା ରାଜ୍ୟରେ ବିଜେପିକୁ ରୋକିବା ପାଇଁ ଆମ ଆଦମି ପାର୍ଟି ସହ ମେଣ୍ଟର ଆବଶ୍ୟକତା ରହିଛି ବୋଲି ମନେ କରି କଂଗ୍ରେସ ହାଇକମାଣ୍ଡକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ଭବିଷ୍ୟତରେ କଂଗ୍ରେସ ପାଇଁ ଭଲ ହେବ ନାହିଁ ବୋଲି ପିସିସି ଅଧ୍ୟକ୍ଷ ଶୀଲୀ ଦୀକ୍ଷିତ ମନେ କରି ପ୍ରଥମରୁ ଏହାକୁ ବିରୋଧ କରୁଥିଲେ। ତେବେ ମେଣ୍ଟ ବାବଦରେ ଆମ ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ ରଖିଥିଲେ। ହେଲେ ଏହି ମେଣ୍ଟ ପ୍ରସ୍ତାବ ଶୈଳୀକୁ ଶୀଲା ଦୀକ୍ଷିତ ଗ୍ରହଣ କରିନଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ଶୀଲା ଦୀକ୍ଷିତ ନିଜ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମେଣ୍ଚ ନହେବାର ଅନ୍ୟ ଏକ କାରଣ ‘ଆପ’ର ଆସନ ସର୍ତ୍ତ ବୋଲି ମଧ୍ୟ ଜଣାପଡ଼ିଛି।  ଏନସିପି ସୁପ୍ରିମୋ ଶରଦ ପାୱାର ଦୁଇ ଦଳ ମଧ୍ୟରେ ମଧ୍ୟସ୍ଥି ମଧ୍ୟ ସାଜିଥିଲେ। ହେଲେ ମେଣ୍ଟ ନେଇ ସବୁଜ ସଂକେତ ମିଳିପାରିନାହିଁ ।  ଗତ ସାଧାରଣ ନିର୍ବାଚନରେ ବିଜେପି ୭ଟି ଲୋକସଭା ଆସନରୁ ୭ଟି ଜିତି କ୍ଲିନ ସୁଇପ କରିଥିଲା।