ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ମୋଦୀଙ୍କୁ ଜଣେ କ୍ଷମତାଲୋଭୀ ନେତା ବୋଲି କହିବା ସହିତ କ୍ଷମତା ହରାଇବାର ଭୟ ମୋଦିଙ୍କୁ ଲାଗି ରହିଛି ବୋଲି କହିଛନ୍ତି। ନିଜର ପ୍ରଶଂସା ନିଜେ କରୁଥିବା ଲୋକଙ୍କ ମଧ୍ୟରେ ମୋଦି ଅନ୍ୟତମ ବୋଲି ମଧ୍ୟ ଚିଦାମ୍ବରମ୍ କହିଛନ୍ତି। ରବିବାର ସକାଳୁ ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ମୋଦିଙ୍କୁ ଆକ୍ରମଣ କରି ଏହି ପୂର୍ବତନ ଅର୍ଥମନ୍ତ୍ରୀ ଏକାଧିକ ଟ୍ବିଟ୍ କରିଥିଲେ। ବିମୁଦ୍ରାକରଣ, କ୍ଷୁଦ୍ର ଶିଳ୍ପ ଧ୍ବଂସ, ବେକାରୀ ସମସ୍ୟା, ଦେଶବାସୀ ଅସୁରକ୍ଷିତ ମନେକରିବା ମୋଦି ସରକାରଙ୍କ କୃତିତ୍ବ ବୋଲି ଚିଦାମ୍ବରମ୍ କହିଥିଲେ। ବିମୁଦ୍ରାକରଣ ଜରିଆରେ ମୋଦି ଦେଶର ଅର୍ଥନୀତିକୁ ଧ୍ବଂସ କରିଥିବା ବେଳେ, କ୍ଷୁଦ୍ର ଶିଳ୍ପର ବ୍ୟବସ୍ଥାକୁ ମଧ୍ୟ ଧ୍ବଂସ କରିଛନ୍ତି। ଦେଶ ୪.୭ କୋଟି ଚାକିରି ହରାଇଛି ଯାହାକି ବେକାରୀ ସମସ୍ୟା ବଢାଇଛି। ସରକାରଙ୍କ ହିନ୍ଦୁତ୍ବ ବାଦ ନୀତି ଯୋଗୁଁ ମହିଳା, ଦଳିତ, ସଂଖ୍ୟାଲଘୁ, ଜନଜାତି, ଲେଖକ, କଳାକାର ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେଥିପାଇଁ ମୋଦି କେବଳ ଆତ୍ମପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ଏହା ମୋଦିଙ୍କ କ୍ଷମତା ହରାଇବାର ଭୟ ପରି ପ୍ରତୀୟମାନ ହେଉଛି ବୋଲି ଚିଦାମ୍ବରମ୍ କହିଛନ୍ତି।
