Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସରକାର ଭାଙ୍ଗିଲା ବେରୁତ୍‌ ଧମାକା : ଇସ୍ତଫା ଦେଲେ ଲେବାନନ୍‌ ପ୍ରଧାନମନ୍ତ୍ରୀ

ବେରୁତ୍‌ : ବେରୁତ୍‌ରେ ଘଟିଥିବା ବିସ୍ଫୋରଣ ଉଗ୍ର ରୂପ ଲେବାନନର ରାଜନୀତିରେ ଦୃଶ୍ୟମାନ ହୋଇଛି । ବେରୁ୍ତ୍‌ ଧମାକା ଲେବାନନର ସରକାର ଭାଙ୍ଗି ଦେଇଛି । ବେରୁତ୍‌ ଧମାକା ପରେ ଲେବାନନର ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ରାତ୍ରିରେ ଇସ୍ତଫା ଦେଇଥିବାର ସୂଚନା ରହିଛି । ନିକଟରେ ବେରୁତ୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ପରେ ଏହା ବିରୋଧରେ ଲେବାନନ୍‌ରେ ବିରୋଧ ଜାରି ରହିଛି ।

ଗତ ଅଗଷ୍ଟ 4 ତାରିଖରେ ବେରୁତ୍‌ରେ ଅମୋନିଆ ନାଇଟ୍ରେଟ୍‌ ସ୍ଥଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଲେବାନନ୍‌ର ଇତିହାସରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା । ଏହି ବିସ୍ଫୋରଣରେ 160 ଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ 6 ହଜାରରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଛନ୍ତି । ବେରୁତ୍‌ ଧମାକା ପରେ ଜନତାଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ପୂରା ଲେବାନନ୍‌ରେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ସହିତ ସରକାରଙ୍କ ଇସ୍ତଫା ଦାବି ହୋଇଥିଲା । ଗତ କିଛି ଦିନ ଭିତରେ ଲେବାନନ୍‌ର ତିନିଜଣ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏହା ପରେ ଲେବାନନ୍‌ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାର ଘୋଷଣା କରିବା ଲେବାନନ୍‌ ବାସୀଙ୍କୁ ଈଶ୍ବର ରକ୍ଷା କରନ୍ତୁ ବୋଲି କହିଥିଲେ ।

ଗତ ବର୍ଷ ଅକ୍ଟୋବର ମାସରୁ ହିଁ ଲେବାନନ୍‌ରେ ସରକାର ବିରୋଧରେ ସ୍ବର ଉଠିଆସୁଥିଲା । କିନ୍ତୁ ବେରୁତ୍‌ ଧାମାକା ପରେ ଏହି ସ୍ବର ଏତେ ତୀବ୍ର ଓ କଠୋର ହେଲା ଯେ, ବାଧ୍ୟ ହୋଇ ସରକାର ଇସ୍ତଫା ଦେଇଛନ୍ତି । ଲେବାନନ୍‌ ସରକାର ଭ୍ରଷ୍ଟାଚାରର ଏତେ ମାତ୍ରାରେ ବୁଡି ରହିଛନ୍ତି ଯେ, ଲୋକ କଲ୍ୟାଣ ଲାଗି କିଛି ବି  ନିଘା ରଖୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଲେବାନନ ବାସୀ ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ହସନ୍‌ ଡେବ୍‌ ଲେବାନନ୍‌ର ଏହି ଅବସ୍ଥା ପାଇଁ ଭ୍ରଷ୍ଟ ନେତାଙ୍କୁ ଦାୟୀ କରିଛନ୍ତି । ହସନ୍‌ କହିଛନ୍ତି ଯେ, ଦେଶରେ ଭ୍ରଷ୍ଟାଚାର ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି, ଯାହା ପୂରା ସିଷ୍ଟମ୍‌କୁ ପଙ୍ଗକୁ କରି ଦେଇଛି । ଏବେ ଏହାକୁ ଈଶ୍ବର ହିଁ ରକ୍ଷା କରିପାରିବେ ବୋଲି କହିଛନ୍ତି ହସନ୍‌ । ହସନ୍‌ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେରିକା ୟୁନିଭର୍ସିଟି ଅଫ୍‌ ବେରୁତ୍‌ରେ ପ୍ରଫେସର ଥିଲେ । (ଏଜେନ୍ସି)