Categories
ଆଜିର ଖବର ଜାତୀୟ ଖବର

ଉନ୍ନାଓ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୮ ମୃତ୍ୟୁ: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା

ନୂଆଦିଲ୍ଲୀ: ଆଜି ଊନ୍ନାଓ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବସ୍ ଏବଂ ଟ୍ୟାଙ୍କର୍ ଧକ୍କାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ଏଥିରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ PMO ଏହା ଘୋଷଣା କରିଛି।

ଏହି ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଉତ୍ତରପ୍ରଦେଶର ଉନ୍ନାଓରେ ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଯେଉଁମାନେ ଏଥିରେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଭଗବାନ ସେମାନଙ୍କୁ ଏହି କଷ୍ଟ ସମୟରେ ଶକ୍ତି ପ୍ରଦାନ କରନ୍ତୁ। ଏହା ସହିତ, ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି।

ଏଥି ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଯେଉଁମାନେ ଉକ୍ତ ଦୁର୍ଘଟଣାରେ ମୃତ୍ୟୁର ଶିକାର ହୋଇଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୁଁ ମୋର ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।