Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ : ଅଜିତ୍‌ ପଓ୍ବାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏବଂ ଆଦିତ୍ୟଙ୍କୁ କ୍ୟାବିନେଟ୍‌ ପଦବୀ

ମୁମ୍ବାଇ,30/12 : ମହାରାଷ୍ଟ୍ର କ୍ୟାବିନେଟ୍‌ର ପ୍ରଥମ ସମ୍ପ୍ରସାରଣରେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏନ୍‌ସିପି ନେତା ଅଜିତ୍‌ ପଓ୍ବାର । ଏହା ସହିତ ଓ୍ବର୍ଲି ଆସନରୁ ବିଜୟୀ ହୋଇଥିବା ଶିବସେନାର ଆଦିତ୍ୟ ଠାକ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣର ଏକ ମାସ ପରେ ଉଦ୍ଧବ ଠାକ୍‌ରେ ନିଜର କ୍ୟାବିନେଟ୍‌ ସମ୍ପ୍ରସାରଣ କରିଥିବା ବେଳେ 36 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏନ୍‌ସିପି ଏବଂ ଶିବସେନାର 13 ଜଣ ଲେଖାଏଁ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ କଂଗ୍ରେସର 10 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହା ସହିତ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ବିଜେପି ସହିତ 80 ଘଣ୍ଟା ପାଇଁ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ୍‌ । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ସମସ୍ତ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଏନ୍‌ସିପି ନିକଟରେ ରହିଛି 53 ବିଧାୟକଙ୍କ ସମର୍ଥନ :ନଓ୍ବାବ ମଲ୍ଲିକ

ମୁମ୍ବାଇ,26/11 : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗତକାଲିର ଟ୍ବିଟ୍‌ ବିବାଦ ପରେ ଆଜି ସକାଳୁ ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲ୍ଲିକଙ୍କ ମନ୍ତବ୍ୟ ନୂତନ ଟ୍ବିଷ୍ଟ ଆଣିଛି । ଏନ୍‌ସିପି ନିକଟରେ 53 ବିଧାୟକଙ୍କ ସମର୍ଥନ ରହିଛି । 53 ଜଣଙ୍କ ମଧ୍ୟରୁ 52 ଜଣ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ବିଧାୟକଙ୍କ ସହିତ ସମ୍ପର୍କରେ ଦଳ ରହିଛି । ଏବଂ ସେ ଖୁବ୍‌ ଶୀଘ୍ର ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଅଜିତ ଶରଦ ପଓ୍ବାରଙ୍କୁ ପ୍ରଶଂସା କରି ଏକ ଟ୍ବିଟ୍ କରିବା ସହିତ ବିଜେପି ସହିତ ମେଣ୍ଟର ଇସାରା ଦେଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ବିଷ୍ଟ ଆଣିଲା ଅଜିତଙ୍କ ଟ୍ବିଟ୍‌

ମୁମ୍ବାଇ,24/11 : ଏନ୍‌ସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସମୟରେ ଅଜିତ୍ ପଓ୍ଵାରଙ୍କ ଟ୍ବିଟ୍‌ ନୂଆ ଟ୍ବିଷ୍ଟ ଆଣିଛି । ଅଜିତ୍ ପଓ୍ଵାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନ୍‌ସିପି-ଶିବସେନା ପକ୍ଷରୁ ମିଳିତ ଭାବରେ ପ୍ରେସ୍‌ମିଟ୍‌ କରାଯାଇଥିଲା । ସମସ୍ତ ଏନ୍‌ସିପି ବିଧାୟକ ଶରଦ ପଓ୍ବାରଙ୍କ ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ଏହାପରେ ବିଜେପିର ସଂଖ୍ୟା ଗରିଷ୍ଠତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ଆଜି ଅଜିତ ପଓ୍ବାରଙ୍କ ଏକ ଟ୍ବିଟ୍‌ ଏବେ ନୂତନ ଟ୍ବିଷ୍ଟ ଆଣିଛି । ଟ୍ବିଟ୍‌ରେ ଶରଦ ପଓ୍ବାରଙ୍କୁ ଏନ୍‌ସିପି ଦଳର ନେତା ବୋଲି କହିବା ସହିତ ସେ ଏନ୍‌ସିପିର ସଦସ୍ୟ ଅଛନ୍ତି ବୋଲି ଅଜିତ ପଓ୍ବାର ସ୍ପଷ୍ଟ କରିଛନ୍ତି । ଏହା ସହିତ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଏକ ସ୍ଥିର ସରକାର ପାଇଁ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅଜିତ ପଓ୍ବାର । (ଏଜେନ୍ସୀ)

Categories
ଆଜିର ଖବର

ବିଜେପିକୁ ସମର୍ଥନ ଏନ୍‌ସିପିର ଆଦର୍ଶ ବିରୋଧୀ : ଶରଦ ପଓ୍ବାର

ମୁମ୍ବାଇ,23/11 : ମହାରାଷ୍ଟ୍ର ସରକାର ଗଠନ ପରେ ଏନ୍‌ସିପି ଏବଂ ଶିବସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀରେ ଏନ୍‌ସିପି ବିଜେପିକୁ ସମର୍ଥନ କରୁନାହିଁ ବୋଲି ଶରଦ ପଓ୍ବାର କହିଛନ୍ତି । ବିଜେପିକୁ ସମର୍ଥନ ଏନ୍‌ସିପିର ଆଦର୍ଶ ବିରୋଧୀ ବୋଲି ପଓ୍ବାର କହିଛନ୍ତି । ବିଜେପିକୁ ସମର୍ଥନ ଦେବା ଏନସିପିର ନିଷ୍ପତି ନୁହେଁ । ଏନସିପି ଏହି ନିଷ୍ପତିରେ ସହମତ ନୁହେଁ । ଏନସିପିର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି ମହାରାଷ୍ଟ୍ରରେ ଗଠିତ ସରକାରରେ ଶରଦ ପାୱାରଙ୍କର କୌଣସି ସମ୍ପର୍କ ନାହିଁ । ବିଜେପିକୁ ସମର୍ଥନ ଦେବା ଅଜିତ୍ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତି । ଏନସିପି ମୁଖ୍ୟ ମୁଖପାତ୍ର କହିଛନ୍ତି ଏନସିପି ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ହସ୍ତାକ୍ଷର ପତ୍ରକୁ ଦୁରୂପଯୋଗ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେହିପରି ଏନ୍‌ସିପି ବିଧାୟକ ମାନେ ମଧ୍ୟ ପଓ୍ବାରଙ୍କ ପ୍ରତି ନିଜର ସମର୍ଥନ ଘୋଷଣା କରିଛନ୍ତି । ଏହା ସହିତ ଆଗାମୀ ଦିନରେ ଶିବସେନା-ଏନ୍‌ସିପି ଏବଂ କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରିବେ ବୋଲି ପଓ୍ବାର କହିଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ରାଜନୀତିରେ ବିଶ୍ଵାସଘାତକତାର କୌଣସି ଅର୍ଥ ନାହିଁ, କ୍ଷମତା ପାଇଁ ବିଶ୍ଵାସଘାତକତା ସବୁ ସମୟରେ ଏକ ଚମତ୍କାର ମାଧ୍ୟମ

କେଦାର ମିଶ୍ର

ମହାରାଷ୍ଟ୍ରରେ ଯାହା ଘଟିଲା, ତାକୁ ପ୍ରେମ ଓ ବିଶ୍ଵାସଘାତକତା ବୋଲି କହିବା ଅପେକ୍ଷା, ଏହାହିଁ କ୍ଷମତାର ଏକମାତ୍ର ସତ୍ୟ ବୋଲି ମାନିବାକୁ ପଡିବ। କ୍ଷମତା ଦଖଲ ଲାଗି ପଚ୍ଛରୁ ଛୁରି ମାରିବାର ଅନେକ ଉଦାହରଣ ରହିଛି ଓ ସବୁ ରାଜନୈତିକ ଦଳ ଅଳ୍ପ ବହୁତ ସେୟା କରିଥାନ୍ତି। ଆଗରୁ କଂଗ୍ରେସ ସେମିତି କରୁଥିଲା, ଏବେ ବିଜେପି ସେଇ କଥାର ପୁନରାବୃତ୍ତି କରୁଛି। ତେବେ ଫରକ ହେଉଛି, ସେକଥା କରି କଂଗ୍ରେସ ନିନ୍ଦିତ ହେଉଥିଲା, ଏବେ କିନ୍ତୁ ସେଇ ସମାନ କଥାକୁ ବିଜେପିର ବାହାଦୁରି ବୋଲି କୁହାଯାଉଛି।

ମହାରାଷ୍ଟ୍ର ରାଜନୀତିର ନୂଆ ଦୃଶ୍ୟପଟରେ କେହି କାହା ସହିତ ବିଶ୍ଵାସଘାତକତା ନ କଲେ, ସରକାର ଗଠନ ସମ୍ଭବ ନଥିଲା। ନିର୍ବାଚନ ପୂର୍ବର ବିଶ୍ଵାସ ତ ବିଜେପି-ଶିବସେନା ମେଣ୍ଟ ସହିତ ଭାଙ୍ଗି ସାରିଥିଲା। ତେଣୁ ପରବର୍ତ୍ତୀ ସମୟରେ କ୍ଷମତା ଲାଗି ବିଶ୍ଵାସଘାତକତା ଜରୁରୀ ଥିଲା। ନରେନ୍ଦ୍ର ମୋଦୀ ଅଯାଚିତ ଭାବରେ ରାଜ୍ୟସଭାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ପ୍ରଶଂସା କରିବା ଓ ଶରଦ ପାୱାରଙ୍କ ସହିତ ତାଙ୍କର ଦୀର୍ଘ ସାକ୍ଷାତ୍କାରର ଏକ ରାଜନୈତିକ ବାର୍ତ୍ତା ଅବଶ୍ୟ ରହିଥିଲା। ପାୱାର ଯେତେ କହିଲେ ମଧ୍ୟ, ଏହି ମହାନାଟକରେ ତାଙ୍କର ଭୂମିକା ନିଶ୍ଚୟ ରହିଛି। ଏଠି ସୂଚନା ଦିଆ ଯାଇପାରେ ଯେ ୨୦୧୪ରେ ମଧ୍ୟ ଏନସିପିର ପରୋକ୍ଷ ସହଯୋଗରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶିବସେନାର ମୂଲଚାଲ ଛିଣ୍ଡି ନଥିବାରୁ ପ୍ରାଥମିକ ଭାବରେ ଏନସିପି ହିଁ ବିଜେପି ସରକାରକୁ ବଞ୍ଚାଇଥିଲା।

କ୍ଷମତା ରାଜନୀତିରେ ଏମିତି ବିକାକିଣା, ପ୍ରେମ ଓ ଧୋକା ହୋଇଥାଏ। ନୀତି ନୈତିକତା ର ରାଜନୀତି କେବଳ ଭକ୍ତଙ୍କୁ ଭକୁଆ କରିବା ପାଇଁ। ଯେଉଁମାନେ ବିଜେପିକୁ ଏକ ଆଦର୍ଶବାଦୀ ଦଳ ବୋଲି ଛାତି ବାଡେଇ କହନ୍ତି, ସେମାନଙ୍କ ଲାଗି ବାର୍ତ୍ତା ହେଉଛି, ବିଜେପି ହେଉଛି କଂଗ୍ରେସର ନୂଆ ସଂସ୍କରଣ। ବିଶ୍ଵାସଘାତକତାର ରାଜନୀତିରେ ବିଜେପି ଏବେ ସବୁଠୁ ଆଗରେ ଓ ଏହା ବିଜେପିର ସାମର୍ଥ୍ୟ ବୋଲି କହିବାରେ ଅସୁବିଧା ନାହିଁ।

ବିହାରରେ ଏ ପ୍ରକାର ବିଶ୍ଵାସଘାତକତା ର ନାଟକ ଆମେ ଆଗରୁ ଦେଖି ସାରିଛୁ। ଲାଲୁ ଯାଦବଙ୍କ ସହିତ ନିର୍ବାଚନ ଜିତି କେତେ ଚତୁରତାର ସହିତ ନୀତିଶ କୁମାର ଲାଲୁଙ୍କୁ ଛୁରି ମାରିଲେ, ତାହା ବେଶୀ ପୁରୁଣା କାହାଣୀ ନୁହେଁ। ଆଜି ଶିବସେନା ବା କଂଗ୍ରେସ ଯଦି ବିଶ୍ଵାସ ଘାତକତାର ଦୁହାଇ ଦେବେ, ତାର ବି କିଛି ଅର୍ଥ ନାହିଁ। ମାସ ମାସ ଧରି ସରକାର ଗଠନର ପ୍ରକ୍ରିୟା ଚାଲିଲେ, ସେଠି କିଛି ବି ଘଟିପାରେ।

ସବୁଠୁ ବଡ କଥା ହେଉଛି, ରାଜନୈତିକ ଦଳଙ୍କ ପାଖରେ ସଂଖ୍ୟା ସିନା ରହିଛି, ସେମାନଙ୍କ ଜନ୍ମ ଜାତକ ଅମିତ ଶାହଙ୍କ ପାଖରେ ଅଛି। ଅଜିତ ପାୱାରଙ୍କୁ କୌଣସି ବି ମୁହୂର୍ତ୍ତରେ ଜେଲ ପଠାଇବାକୁ ଚାହୁଁଥିବା ବିଜେପି ତାଙ୍କୁ ରାତାରାତି ଉପ ମୁଖ୍ୟମନ୍ତ୍ରୀ କରାଇବାରେ କୌଣସି ଅସୁବିଧା ନାହିଁ। ଦୂଷ୍ୟନ୍ତ ଚୌତାଲା ଓ ନୀତିଶ କୁମାରଙ୍କ ବିଶ୍ଵାସଘାତକତାର ନାଟକ ଦେଖିଥିବା ଲୋକେ, ଅଜିତ ପାୱାରଙ୍କୁ ଦେଖି ଚକିତ ହେବାର କୌଣସି କାରଣ ନାଇଁ।

ଜେଲ ଯିବା ଅପେକ୍ଷା ରାଜପଦ ଭୋଗିବାର ମଜା ଅଲଗା। ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଗାମୀ ଦିନରେ ହୁଏତ ଶରଦ ପାୱାର ରାଷ୍ଟ୍ରପତି ହୋଇ ପାରନ୍ତି। ଆମକୁ ବୁଝିବାକୁ ପଡିବ ଯେ ଭାରତୀୟ ରାଜନୀତିରେ ବିଶ୍ଵାସଘାତକତା ହେଉଛି, ନୂଆ ନୈତିକତା। ବିଶ୍ଵାସଘାତକମାନେ ଥାନ୍ତି ବୋଲି କ୍ଷମତା ଲଢେଇ ନାଟକୀୟ ହୋଇଥାଏ। ତେଣୁ ଏହାକୁ ନେଇ ଖୁବ ବେଶୀ ଭାବ ପ୍ରବଣ ହେବାର ନାହିଁ।

 

Categories
ଆଜିର ଖବର

ପଓ୍ବାର ଏବଂ ସୁପ୍ରିୟା ସୁଲେ କେନ୍ଦ୍ର କ୍ୟାବିନେଟ୍‌ରେ ଯୋଗ ଦେବା ଉଚିତ୍ : ଅଠାଓ୍ବଲେ

ମହାରାଷ୍ଟ୍ର ଏନ୍‌ସିପି ମୁଖ୍ୟ ଶରଦ ପଓ୍ବାର ଏବଂ ଲୋକସଭା ସାଂସଦ ସୁପ୍ରିୟା ସୁଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ଉଭୟ ନେତା ବିଜେପି ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ଉଚିତ ଏବଂ ଉଭୟଙ୍କ ଅଭିଜ୍ଞତା ଏବଂ ଅନୁଭବ ବିଜେପି ପାଇଁ ଲାଭ ଦାୟକ ହେବ ବୋଲି ଅଠାଓ୍ବଲେ ପ୍ରକାଶ କରିଛନ୍ତି । ପଓ୍ବାରଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଏକ ଭଲ ପଦବୀ ଦିଆଯିବା ଉଚିତ୍‌ ବୋଲି ଅଠାଓ୍ବଲେ ମତ ଦେଇଛନ୍ତି । ପଓ୍ବାରଙ୍କ ପୁତୁରା ଅଜିତ ପଓ୍ବାର ଫଡନବିସଙ୍କ ସହିତ ହାତ ମିଳାଇ ସରକାର ଗଠନ କରିବା ପରେ ଅଠାଓ୍ବଲେ ଏହି ମତ ଦେଇଛନ୍ତି । ଅଠାଓ୍ବଲେଙ୍କ ଏହି ମନ୍ତବ୍ୟ ପରେ ପଓ୍ବାର ବିଜେପି ପ୍ରତି ସମର୍ଥନକୁ ଅସ୍ବୀକାର କରିଛନ୍ତି । ଶରଦ ପୱାର ଟ୍ବିଟ୍‌ କରି ଏ ନେଇ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ବିଜେପି ସହିତ ସରକାର ଗଠନ ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଏହା ଏନ୍‌ସିପିର ଦଳଗତ ନିଷ୍ପତ୍ତି ନୁହେଁ ବୋଲି ପଓ୍ବାର ସ୍ପଷ୍ଟ କରିଛନ୍ତି ।

Categories
ଆଜିର ଖବର

ବିଜେପିକୁ ସମର୍ଥନ ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି : ଶରଦ ପଓ୍ବାର

ମୁମ୍ବାଇ,23/11: ମହାରାଷ୍ଟ୍ରରେ ଏନସିପିର ନିଷ୍ପତ୍ତି ଶନିବାର ସକାଳୁ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଏନସିପି ସମର୍ଥନରେ ବିଜେପି ରାଜ୍ୟରେ ସରକାର ଗଠନ କରିଛି । ବିଜେପି ନେତା ଦେବେନ୍ଦ୍ର ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ଏନସିପି ଏଭଳି ନିଷ୍ପତ୍ତି ନେଇନି ବୋଲି ଏହାର ମୁଖ୍ୟ ଶରଦ ପୱାର ସ୍ପଷ୍ଟ କରିଛନ୍ତି । ଶରଦ ପୱାର ଟ୍ବିଟ୍‌ କରି ଏ ନେଇ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ବିଜେପି ସହିତ ସରକାର ଗଠନ ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଏହା ଏନ୍‌ସିପିର ଦଳଗତ ନିଷ୍ପତ୍ତି ନୁହେଁ ବୋଲି ପଓ୍ବାର ସ୍ପଷ୍ଟ କରିଛନ୍ତି ।(ଏଜେନ୍ସୀ)

Categories
ଆଜିର ଖବର

ଶପଥ ଗ୍ରହଣ ପରେ ଶିବସେନାକୁ ଫଡନବିସ୍‌ଙ୍କ ସମାଲୋଚନା

ମୁମ୍ବାଇ,23/11: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶିବସେନାକୁ ସମାଲୋଚନା କରିଛନ୍ତି ଦେବେନ୍ଦ୍ର ଫଡନବିସ୍‌ । ଶପଥ ଗ୍ରହଣପରେ ଫଡ୍‌ନବିସ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଜନତା ସ୍ପଷ୍ଟ ବହୁମତ ଦେଇଥିଲେ, ସେମାନଙ୍କୁ ସମ୍ମାନ ଦେବା ଉଚିତ୍ । ମାତ୍ର ଶିବସେନା ପକ୍ଷରୁ ଜନାଦେଶର ଅବମାନନା କରାଯାଇଛି ଏବଂ ବର୍ତ୍ତମାନର ପରସ୍ଥିତି ପାଇଁ ଶିବସେନା ଦାୟୀ ବୋଲି ଫଡନବିସ୍‌ କହିଛନ୍ତି । ମହାରାଷ୍ଟ୍ରରେ ଏକ ସ୍ଥାୟୀ ସରକାରର ଆବଶ୍ୟକତା ଥିଲା ଏବଂ ଚାଷୀ ମାନଙ୍କ ସମସ୍ୟା ଦୂର ପାଇଁ ବିଜେପି ସହ ମିଶି ସରକାର ଗଠନ କରିବାର ନିଷ୍ପତ୍ତି ନିଆଯାଇଛି ବେଲି ଉପମୁଖ୍ୟମନ୍ତ୍ରୀ ଅଜିତ ପଓ୍ବାର ପ୍ରକାଶ କରିଥିଲେ । ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଡନବିସ୍‌ ଏବଂ ପଓ୍ବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସୀ)