ରାଜନୀତିରେ ବିଶ୍ଵାସଘାତକତାର କୌଣସି ଅର୍ଥ ନାହିଁ, କ୍ଷମତା ପାଇଁ ବିଶ୍ଵାସଘାତକତା ସବୁ ସମୟରେ ଏକ ଚମତ୍କାର ମାଧ୍ୟମ

Published: Nov 23, 2019, 12:18 pm IST

କେଦାର ମିଶ୍ର

ମହାରାଷ୍ଟ୍ରରେ ଯାହା ଘଟିଲା, ତାକୁ ପ୍ରେମ ଓ ବିଶ୍ଵାସଘାତକତା ବୋଲି କହିବା ଅପେକ୍ଷା, ଏହାହିଁ କ୍ଷମତାର ଏକମାତ୍ର ସତ୍ୟ ବୋଲି ମାନିବାକୁ ପଡିବ। କ୍ଷମତା ଦଖଲ ଲାଗି ପଚ୍ଛରୁ ଛୁରି ମାରିବାର ଅନେକ ଉଦାହରଣ ରହିଛି ଓ ସବୁ ରାଜନୈତିକ ଦଳ ଅଳ୍ପ ବହୁତ ସେୟା କରିଥାନ୍ତି। ଆଗରୁ କଂଗ୍ରେସ ସେମିତି କରୁଥିଲା, ଏବେ ବିଜେପି ସେଇ କଥାର ପୁନରାବୃତ୍ତି କରୁଛି। ତେବେ ଫରକ ହେଉଛି, ସେକଥା କରି କଂଗ୍ରେସ ନିନ୍ଦିତ ହେଉଥିଲା, ଏବେ କିନ୍ତୁ ସେଇ ସମାନ କଥାକୁ ବିଜେପିର ବାହାଦୁରି ବୋଲି କୁହାଯାଉଛି।

ମହାରାଷ୍ଟ୍ର ରାଜନୀତିର ନୂଆ ଦୃଶ୍ୟପଟରେ କେହି କାହା ସହିତ ବିଶ୍ଵାସଘାତକତା ନ କଲେ, ସରକାର ଗଠନ ସମ୍ଭବ ନଥିଲା। ନିର୍ବାଚନ ପୂର୍ବର ବିଶ୍ଵାସ ତ ବିଜେପି-ଶିବସେନା ମେଣ୍ଟ ସହିତ ଭାଙ୍ଗି ସାରିଥିଲା। ତେଣୁ ପରବର୍ତ୍ତୀ ସମୟରେ କ୍ଷମତା ଲାଗି ବିଶ୍ଵାସଘାତକତା ଜରୁରୀ ଥିଲା। ନରେନ୍ଦ୍ର ମୋଦୀ ଅଯାଚିତ ଭାବରେ ରାଜ୍ୟସଭାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ପ୍ରଶଂସା କରିବା ଓ ଶରଦ ପାୱାରଙ୍କ ସହିତ ତାଙ୍କର ଦୀର୍ଘ ସାକ୍ଷାତ୍କାରର ଏକ ରାଜନୈତିକ ବାର୍ତ୍ତା ଅବଶ୍ୟ ରହିଥିଲା। ପାୱାର ଯେତେ କହିଲେ ମଧ୍ୟ, ଏହି ମହାନାଟକରେ ତାଙ୍କର ଭୂମିକା ନିଶ୍ଚୟ ରହିଛି। ଏଠି ସୂଚନା ଦିଆ ଯାଇପାରେ ଯେ ୨୦୧୪ରେ ମଧ୍ୟ ଏନସିପିର ପରୋକ୍ଷ ସହଯୋଗରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶିବସେନାର ମୂଲଚାଲ ଛିଣ୍ଡି ନଥିବାରୁ ପ୍ରାଥମିକ ଭାବରେ ଏନସିପି ହିଁ ବିଜେପି ସରକାରକୁ ବଞ୍ଚାଇଥିଲା।

କ୍ଷମତା ରାଜନୀତିରେ ଏମିତି ବିକାକିଣା, ପ୍ରେମ ଓ ଧୋକା ହୋଇଥାଏ। ନୀତି ନୈତିକତା ର ରାଜନୀତି କେବଳ ଭକ୍ତଙ୍କୁ ଭକୁଆ କରିବା ପାଇଁ। ଯେଉଁମାନେ ବିଜେପିକୁ ଏକ ଆଦର୍ଶବାଦୀ ଦଳ ବୋଲି ଛାତି ବାଡେଇ କହନ୍ତି, ସେମାନଙ୍କ ଲାଗି ବାର୍ତ୍ତା ହେଉଛି, ବିଜେପି ହେଉଛି କଂଗ୍ରେସର ନୂଆ ସଂସ୍କରଣ। ବିଶ୍ଵାସଘାତକତାର ରାଜନୀତିରେ ବିଜେପି ଏବେ ସବୁଠୁ ଆଗରେ ଓ ଏହା ବିଜେପିର ସାମର୍ଥ୍ୟ ବୋଲି କହିବାରେ ଅସୁବିଧା ନାହିଁ।

ବିହାରରେ ଏ ପ୍ରକାର ବିଶ୍ଵାସଘାତକତା ର ନାଟକ ଆମେ ଆଗରୁ ଦେଖି ସାରିଛୁ। ଲାଲୁ ଯାଦବଙ୍କ ସହିତ ନିର୍ବାଚନ ଜିତି କେତେ ଚତୁରତାର ସହିତ ନୀତିଶ କୁମାର ଲାଲୁଙ୍କୁ ଛୁରି ମାରିଲେ, ତାହା ବେଶୀ ପୁରୁଣା କାହାଣୀ ନୁହେଁ। ଆଜି ଶିବସେନା ବା କଂଗ୍ରେସ ଯଦି ବିଶ୍ଵାସ ଘାତକତାର ଦୁହାଇ ଦେବେ, ତାର ବି କିଛି ଅର୍ଥ ନାହିଁ। ମାସ ମାସ ଧରି ସରକାର ଗଠନର ପ୍ରକ୍ରିୟା ଚାଲିଲେ, ସେଠି କିଛି ବି ଘଟିପାରେ।

ସବୁଠୁ ବଡ କଥା ହେଉଛି, ରାଜନୈତିକ ଦଳଙ୍କ ପାଖରେ ସଂଖ୍ୟା ସିନା ରହିଛି, ସେମାନଙ୍କ ଜନ୍ମ ଜାତକ ଅମିତ ଶାହଙ୍କ ପାଖରେ ଅଛି। ଅଜିତ ପାୱାରଙ୍କୁ କୌଣସି ବି ମୁହୂର୍ତ୍ତରେ ଜେଲ ପଠାଇବାକୁ ଚାହୁଁଥିବା ବିଜେପି ତାଙ୍କୁ ରାତାରାତି ଉପ ମୁଖ୍ୟମନ୍ତ୍ରୀ କରାଇବାରେ କୌଣସି ଅସୁବିଧା ନାହିଁ। ଦୂଷ୍ୟନ୍ତ ଚୌତାଲା ଓ ନୀତିଶ କୁମାରଙ୍କ ବିଶ୍ଵାସଘାତକତାର ନାଟକ ଦେଖିଥିବା ଲୋକେ, ଅଜିତ ପାୱାରଙ୍କୁ ଦେଖି ଚକିତ ହେବାର କୌଣସି କାରଣ ନାଇଁ।

ଜେଲ ଯିବା ଅପେକ୍ଷା ରାଜପଦ ଭୋଗିବାର ମଜା ଅଲଗା। ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଗାମୀ ଦିନରେ ହୁଏତ ଶରଦ ପାୱାର ରାଷ୍ଟ୍ରପତି ହୋଇ ପାରନ୍ତି। ଆମକୁ ବୁଝିବାକୁ ପଡିବ ଯେ ଭାରତୀୟ ରାଜନୀତିରେ ବିଶ୍ଵାସଘାତକତା ହେଉଛି, ନୂଆ ନୈତିକତା। ବିଶ୍ଵାସଘାତକମାନେ ଥାନ୍ତି ବୋଲି କ୍ଷମତା ଲଢେଇ ନାଟକୀୟ ହୋଇଥାଏ। ତେଣୁ ଏହାକୁ ନେଇ ଖୁବ ବେଶୀ ଭାବ ପ୍ରବଣ ହେବାର ନାହିଁ।

 

Related posts