Categories
ଆଜିର ଖବର ଜାତୀୟ ଖବର

ଦେବେନ୍ଦ୍ର ଫଡନାଭିସ୍ ଙ୍କ ଉପରେ ଆସିଲା ସାଂଘାତିକ ଅଭିଯୋଗ: ଜାଣନ୍ତୁ କ’ଣ କହିଲେ ମନୋଜ ଜରାଙ୍ଗେ

ମୁମ୍ବାଇ: ମରାଠା ସଂରକ୍ଷଣ ପାଇଁ ଲଢୁଥିବା ସାମାଜିକ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସରକାରୀ ଚାକିରୀ ତଥା ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ମରାଠା ସମ୍ପ୍ରଦାୟର ବିରୋଧକୁ ଦୁର୍ବଳ କରିବାକୁ ଫଡନାଭିସ୍ ଷଡଯନ୍ତ୍ର କରୁଛନ୍ତି ବୋଲି ଜରାଙ୍ଗେ କହିଛନ୍ତି। ଆଜି ଜାଲନା ଜିଲ୍ଲାର ଅନ୍ତରୱାଲୀ ସରତି ଗ୍ରାମରେ ଏକ ସଭାରେ ସମ୍ବୋଧିତ କରୁଥିବାବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜରାଙ୍ଗେ ଏହା କହିଛନ୍ତି। ସେ ଦାବି କରିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଲୋକଙ୍କୁ ବ୍ୟବହାର କରୁଛନ୍ତି।

ବୈଠକରେ ମନୋଜ ଜରାଙ୍ଗେ କହିଛନ୍ତି ଯେ, ଗତ ବର୍ଷ ଜାଲନାରେ ବିରୋଧ ସମୟରେ ଯେତେବେଳେ ଲାଠି ଚାର୍ଜ ହୋଇଥିଲା ସେତେବେଳେ ଦେବେନ୍ଦ୍ର ଫଡନାଭିସଙ୍କୁ କ୍ଷମା ମାଗିବାକୁ ପଡିଥିଲା, ଯାହା ତାଙ୍କୁ ଆଘାତ ଦେଇଥିଲା। ସେଥିପାଇଁ ସେ ମରାଠା ସଂରକ୍ଷଣ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ ମରାଠାମାନଙ୍କୁ ଧମକ ଦେବା ପାଇଁ ପ୍ରୟାସ କରାଯାଉଛି ଏବଂ ଏହି ପଦକ୍ଷେପ କେବଳ ସେମାନଙ୍କ ଉପରେ ଭାରୀ ହେବ।

ସାମାଜିକ କାର୍ଯ୍ୟକର୍ତ୍ତା ଜରାଙ୍ଗେ ଆହୁରି ମଧ୍ୟ କହିଛନ୍ତି ଯେ, ସିଏମ୍ ଏକନାଥ ସିନ୍ଦେ କିମ୍ବା ଡେପୁଟି ସିଏମ୍ ଅଜିତ ପାୱାର ନୁହଁନ୍ତି, ମହାରାଷ୍ଟ୍ରରେ ସରକାର ଫଡନାଭିସ୍ ଦ୍ୱାରା ପରିଚାଳିତ ହେଉଛି। “ଦୁର୍ଭାଗ୍ୟବଶତଃ ବିଜେପିର ମରାଠା ନେତାମାନେ ମୋତେ ବଦନାମ କରିବାରେ ଫଡନାଭିସ୍ ଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଜରାଙ୍ଗେ କହିଛନ୍ତି। ମୁମ୍ବାଇର ଫଡନାଭିସର ସରକାରୀ ବାସଭବନ ସାଗର ବଙ୍ଗଳା ବାହାରେ ସେ ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ମୋର ଜୀବନ ଚାଲିଯାଏ, ତା’ପରେ ମୋର ମୃତ ଶରୀରକୁ ତାଙ୍କ ଘର ଆଗରେ ରଖିଦେବ ବୋଲି ଜରାଙ୍ଗେ କହିଛନ୍ତି।”

Categories
ଆଜିର ଖବର ଜାତୀୟ ଖବର

2014ରେ ମଧ୍ୟ ଶିବସେନା କଂଗ୍ରେସର ସହାୟତା ମାଗିଥିଲା : ପୃଥ୍ବୀରାଜ

ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇନ୍ଦିରା ଗାନ୍ଧୀ ମନ୍ତବ୍ୟ ପରେ ମହା ବିକାଶ ଅଘାଡିର ବିବାଦ ସାମ୍‌ନାକୁ ଆସିଛି । ମହା ବିକାଶ ଅଘାଡିର ସହଯୋଗୀ ଦଳ କଂଗ୍ରେସ ଏବଂ ଶିବସେନା ପରସ୍ପରକୁ ଦୋଷାରୋପ କରୁଛନ୍ତି । 2014ରେ ମଧ୍ୟ ସରକାର ଗଠନ ପାଇଁ ଶିବସେନା ପକ୍ଷରୁ କଂଗ୍ରେସର ସହାୟତା ମଗା ଯାଇଥିଲା ବୋଲି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ କହିଛନ୍ତି । 2014ରେ ବିଜେପିକୁ କ୍ଷମତାରୁ ଦୂରେଇବା ପାଇଁ ଶିବସେନା ଏନ୍‌ସିପି ଜରିଆରେ ପ୍ରସ୍ତାବ ଦେଇଥିଲା ମାତ୍ର ମୁଁ ତୁରନ୍ତ ଉକ୍ତ ପ୍ରସ୍ତାବକୁ ଖାରଜ କରି ଦେଇଥିଲି ବୋଲି ଚଭନ କହିଛନ୍ତି । ଅତୀତରେ ମଧ୍ୟ କଂଗ୍ରେସ ନିର୍ବାଚନ ହାରିଥିଲା ଏବଂ ବିରୋଧୀ ଆସନରେ ବସିଥିଲା ମାତ୍ର ଦେବେନ୍ଦ୍ର ଫଡନବିସ୍‌ ଗଣତନ୍ତ୍ରର ହତ୍ୟା କରିବାକୁ ଚେଷ୍ଟା କରୁଥିବାରୁ ଶିବସେନା ସହାୟତାରେ ସରକାର ଗଠନର ନିଷ୍ପତ୍ତି ନେଇଥିଲେ କଂଗ୍ରେସ ଏବଂ ଏନ୍‌ସିପି । (ଏଜେନ୍ସୀ)

Categories
ବିଶେଷ ଖବର

ରାଜନୀତିରେ ବିଶ୍ଵାସଘାତକତାର କୌଣସି ଅର୍ଥ ନାହିଁ, କ୍ଷମତା ପାଇଁ ବିଶ୍ଵାସଘାତକତା ସବୁ ସମୟରେ ଏକ ଚମତ୍କାର ମାଧ୍ୟମ

କେଦାର ମିଶ୍ର

ମହାରାଷ୍ଟ୍ରରେ ଯାହା ଘଟିଲା, ତାକୁ ପ୍ରେମ ଓ ବିଶ୍ଵାସଘାତକତା ବୋଲି କହିବା ଅପେକ୍ଷା, ଏହାହିଁ କ୍ଷମତାର ଏକମାତ୍ର ସତ୍ୟ ବୋଲି ମାନିବାକୁ ପଡିବ। କ୍ଷମତା ଦଖଲ ଲାଗି ପଚ୍ଛରୁ ଛୁରି ମାରିବାର ଅନେକ ଉଦାହରଣ ରହିଛି ଓ ସବୁ ରାଜନୈତିକ ଦଳ ଅଳ୍ପ ବହୁତ ସେୟା କରିଥାନ୍ତି। ଆଗରୁ କଂଗ୍ରେସ ସେମିତି କରୁଥିଲା, ଏବେ ବିଜେପି ସେଇ କଥାର ପୁନରାବୃତ୍ତି କରୁଛି। ତେବେ ଫରକ ହେଉଛି, ସେକଥା କରି କଂଗ୍ରେସ ନିନ୍ଦିତ ହେଉଥିଲା, ଏବେ କିନ୍ତୁ ସେଇ ସମାନ କଥାକୁ ବିଜେପିର ବାହାଦୁରି ବୋଲି କୁହାଯାଉଛି।

ମହାରାଷ୍ଟ୍ର ରାଜନୀତିର ନୂଆ ଦୃଶ୍ୟପଟରେ କେହି କାହା ସହିତ ବିଶ୍ଵାସଘାତକତା ନ କଲେ, ସରକାର ଗଠନ ସମ୍ଭବ ନଥିଲା। ନିର୍ବାଚନ ପୂର୍ବର ବିଶ୍ଵାସ ତ ବିଜେପି-ଶିବସେନା ମେଣ୍ଟ ସହିତ ଭାଙ୍ଗି ସାରିଥିଲା। ତେଣୁ ପରବର୍ତ୍ତୀ ସମୟରେ କ୍ଷମତା ଲାଗି ବିଶ୍ଵାସଘାତକତା ଜରୁରୀ ଥିଲା। ନରେନ୍ଦ୍ର ମୋଦୀ ଅଯାଚିତ ଭାବରେ ରାଜ୍ୟସଭାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ପ୍ରଶଂସା କରିବା ଓ ଶରଦ ପାୱାରଙ୍କ ସହିତ ତାଙ୍କର ଦୀର୍ଘ ସାକ୍ଷାତ୍କାରର ଏକ ରାଜନୈତିକ ବାର୍ତ୍ତା ଅବଶ୍ୟ ରହିଥିଲା। ପାୱାର ଯେତେ କହିଲେ ମଧ୍ୟ, ଏହି ମହାନାଟକରେ ତାଙ୍କର ଭୂମିକା ନିଶ୍ଚୟ ରହିଛି। ଏଠି ସୂଚନା ଦିଆ ଯାଇପାରେ ଯେ ୨୦୧୪ରେ ମଧ୍ୟ ଏନସିପିର ପରୋକ୍ଷ ସହଯୋଗରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶିବସେନାର ମୂଲଚାଲ ଛିଣ୍ଡି ନଥିବାରୁ ପ୍ରାଥମିକ ଭାବରେ ଏନସିପି ହିଁ ବିଜେପି ସରକାରକୁ ବଞ୍ଚାଇଥିଲା।

କ୍ଷମତା ରାଜନୀତିରେ ଏମିତି ବିକାକିଣା, ପ୍ରେମ ଓ ଧୋକା ହୋଇଥାଏ। ନୀତି ନୈତିକତା ର ରାଜନୀତି କେବଳ ଭକ୍ତଙ୍କୁ ଭକୁଆ କରିବା ପାଇଁ। ଯେଉଁମାନେ ବିଜେପିକୁ ଏକ ଆଦର୍ଶବାଦୀ ଦଳ ବୋଲି ଛାତି ବାଡେଇ କହନ୍ତି, ସେମାନଙ୍କ ଲାଗି ବାର୍ତ୍ତା ହେଉଛି, ବିଜେପି ହେଉଛି କଂଗ୍ରେସର ନୂଆ ସଂସ୍କରଣ। ବିଶ୍ଵାସଘାତକତାର ରାଜନୀତିରେ ବିଜେପି ଏବେ ସବୁଠୁ ଆଗରେ ଓ ଏହା ବିଜେପିର ସାମର୍ଥ୍ୟ ବୋଲି କହିବାରେ ଅସୁବିଧା ନାହିଁ।

ବିହାରରେ ଏ ପ୍ରକାର ବିଶ୍ଵାସଘାତକତା ର ନାଟକ ଆମେ ଆଗରୁ ଦେଖି ସାରିଛୁ। ଲାଲୁ ଯାଦବଙ୍କ ସହିତ ନିର୍ବାଚନ ଜିତି କେତେ ଚତୁରତାର ସହିତ ନୀତିଶ କୁମାର ଲାଲୁଙ୍କୁ ଛୁରି ମାରିଲେ, ତାହା ବେଶୀ ପୁରୁଣା କାହାଣୀ ନୁହେଁ। ଆଜି ଶିବସେନା ବା କଂଗ୍ରେସ ଯଦି ବିଶ୍ଵାସ ଘାତକତାର ଦୁହାଇ ଦେବେ, ତାର ବି କିଛି ଅର୍ଥ ନାହିଁ। ମାସ ମାସ ଧରି ସରକାର ଗଠନର ପ୍ରକ୍ରିୟା ଚାଲିଲେ, ସେଠି କିଛି ବି ଘଟିପାରେ।

ସବୁଠୁ ବଡ କଥା ହେଉଛି, ରାଜନୈତିକ ଦଳଙ୍କ ପାଖରେ ସଂଖ୍ୟା ସିନା ରହିଛି, ସେମାନଙ୍କ ଜନ୍ମ ଜାତକ ଅମିତ ଶାହଙ୍କ ପାଖରେ ଅଛି। ଅଜିତ ପାୱାରଙ୍କୁ କୌଣସି ବି ମୁହୂର୍ତ୍ତରେ ଜେଲ ପଠାଇବାକୁ ଚାହୁଁଥିବା ବିଜେପି ତାଙ୍କୁ ରାତାରାତି ଉପ ମୁଖ୍ୟମନ୍ତ୍ରୀ କରାଇବାରେ କୌଣସି ଅସୁବିଧା ନାହିଁ। ଦୂଷ୍ୟନ୍ତ ଚୌତାଲା ଓ ନୀତିଶ କୁମାରଙ୍କ ବିଶ୍ଵାସଘାତକତାର ନାଟକ ଦେଖିଥିବା ଲୋକେ, ଅଜିତ ପାୱାରଙ୍କୁ ଦେଖି ଚକିତ ହେବାର କୌଣସି କାରଣ ନାଇଁ।

ଜେଲ ଯିବା ଅପେକ୍ଷା ରାଜପଦ ଭୋଗିବାର ମଜା ଅଲଗା। ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଗାମୀ ଦିନରେ ହୁଏତ ଶରଦ ପାୱାର ରାଷ୍ଟ୍ରପତି ହୋଇ ପାରନ୍ତି। ଆମକୁ ବୁଝିବାକୁ ପଡିବ ଯେ ଭାରତୀୟ ରାଜନୀତିରେ ବିଶ୍ଵାସଘାତକତା ହେଉଛି, ନୂଆ ନୈତିକତା। ବିଶ୍ଵାସଘାତକମାନେ ଥାନ୍ତି ବୋଲି କ୍ଷମତା ଲଢେଇ ନାଟକୀୟ ହୋଇଥାଏ। ତେଣୁ ଏହାକୁ ନେଇ ଖୁବ ବେଶୀ ଭାବ ପ୍ରବଣ ହେବାର ନାହିଁ।