Categories
ଆଜିର ଖବର

ଏନଡିଏରେ ପୁଣି ସାମିଲ ହେଲା ଅପନା ଦଳ, ୨ଟି ଆସନରୁ ଲଢିବେ

ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସହଯୋଗୀ ଦଳମାନେ ପୁଣି ଥରେ ବିଜେପି ସହ ହାତ ମିଳାଉଛନ୍ତି। ପୂର୍ବରୁ ଆସାମର ଆସାମ ଗଣପରିଷଦ ସହ ହାତ ମିଶାଇଥିବାବେଳେ ଏବେ ଉତ୍ତର ପ୍ରଦେଶର ଅନ୍ୟତମ ଦଳ ‘ଅପନା ଦଳ’ ଏନଡିଏ ମେଣ୍ଟରେ ସାମିଲ ହୋଇଛି। ଗତକାଲି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲଙ୍କ ସହ ଆଲୋଚନା ପରେ ଏହି ସୂଚନା ମିଳିଛି। ଏହି ଆଞ୍ଚଳିକ ଦଳ ଉତ୍ତର ପ୍ରଦେଶର ୨ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଛି। ଗୋଟିଏ ସିଟରୁ ଅନୁପ୍ରିୟା ଲଢ଼ିବେ, ତେବେ ଅନ୍ୟ ଆସନରୁ କିଏ ପ୍ରାର୍ଥୀ ହେବେ, ତାହା ସ୍ଥିର ହୋଇନାହିଁ। ଚଳିତ ନିର୍ବାଚନରେ ଅପନା ଦଳ ବିଜେପି ସହ ମେଣ୍ଟରେ ସାମିଲ ହେବ କି ନାହିଁ, ସେ ସମ୍ପର୍କରେ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ୨୦୧୪ରେ ବିଜେପି ଓ ଅପନା ଦଳ ମଧ୍ୟରେ ମେଣ୍ଟ ହୋଇଥିଲା। ଏହାପରେ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ।