Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର

ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି ।

ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି ।

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିସାରିଛି । ଏବେ ସେବିର ମଞ୍ଜୁରି ମିଳିବା ପରେ ଏହି କାରବାର ସମ୍ପୂର୍ଣ୍ଣ ହେବା ପାଇଁ କେବଳ ଏନସିଏଲଟିର ମଞ୍ଜୁରି ମିଳିବା ବାକି ରହିଛି । ଏହି କାରବାର ସମ୍ପର୍କରେ ଫ୍ୟୁଚର ଏବଂ ରିଲାଏନ୍ସର ସମସ୍ତ ଅଂଶୀଦାରମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଇବାକୁ ସେବି ନିର୍ଦ୍ଦେଶ ଦେଇଛି । ଫ୍ୟୁଚର-ରିଲାଏନ୍ସ ଗ୍ରୁପ୍‌ର ଏହି କାରବାରକୁ ସେବିର ଅନୁମତି ଅଦାଲତରେ ଚାଲିଥିବା ମାମଲାଗୁଡିକର ଫଳାଫଳ ଉପରେ ନିର୍ଭର କରିବ ।

ଫ୍ୟୁଚରର କମ୍ପାନୀ ବୋର୍ଡ ତାହାର ସମ୍ପତ୍ତି ରିଲାଏନ୍ସ ରିଟେଲକୁ ୨୪,୭୧୩ କୋଟି ଟଙ୍କାରେ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା, ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଡିସେମ୍ବର ୨୧ରେ ଦେଇଥିବା ଆଦେଶରେ ବୈଧ ବୋଲି କହିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ କାରବାରକୁ ପ୍ରାଥମିକ ଦୃଷ୍ଟିରୁ ଆଇନତଃ ଠିକ୍ ବୋଲି ଦର୍ଶାଇଥିଲେ ।

ଆମାଜନ୍ ୨୦୧୯ରେ ଫ୍ୟୁଚର ଗ୍ରୁପ୍‌ର ଅଣପଂଜିକୃତ ସହଯୋଗୀ କମ୍ପାନୀ ଫ୍ୟୁଚର କୁପନ୍‌ର ୪୯% ଅଂଶ କ୍ରୟ କରିଥିଲା । ଉକ୍ତ କାରବାରରେ ଏକ ସର୍ତ୍ତ ରଖାଯାଇଥିଲା ଯେ ଅନ୍ୟ କୌଣସି କମ୍ପାନୀ ସହିତ କାରବାର କରିବା ପୂର୍ବରୁ ଫ୍ୟୁଚରକୁ ପ୍ରଥମେ ତାହା ଆମାଜନ୍‌କୁ ଜଣାଇବାକୁ ହେବ । ଆମାଜନ୍ ବାରଣ କଲେ ଫ୍ୟୁଚର ଅନ୍ୟ କୌଣସି କମ୍ପାନୀକୁ ହୋଲ୍‌ଡିଂ ବିକ୍ରି କରିପାରିବ ନାହିଁ ।

ଫ୍ୟୁଚର ସହିତ ହୋଇଥିବା ଏହି ଚୁକ୍ତିରେ ଆମାଜନ୍ ମୋଟ ତିନିଟି ବୁଝାମଣା କରିଥିଲା ଯାହା ଉପରେ ଦିଲ୍ଲୀ ହାଇକୋର୍ଟ ଏଫ୍‌ଡିଆଇ ନୀତି ତର୍ଜମା କରି କହିଥିଲେ ଯେ ଏହି ରାଜିନାମା ଫ୍ୟୁଚର ରିଟେଲ ଉପରେ ନିୟନ୍ତ୍ରଣ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହୋଇଥିବା ମନେହେଉଛି ଏବଂ ଏହା ସରକାରଙ୍କର ବିନା ଅନୁମୋଦନରେ କରାଯାଇଛି, ଯାହା ଫେମା-ଏଫଡିଆଇ ନିୟମର ବିରୁଦ୍ଧାଚରଣ କରୁଛି ।

ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୁଦ୍ଧରେ ଆମାଜନ୍ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରରେ ଯାଚିକା ଦାଏର କରିଥିଲା । ଆର୍ବିଟ୍ରେସନ ସେଣ୍ଟର ଗତବର୍ଷ ଅକ୍ଟୋବର ୨୫ରେ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ଉପରେ ସାମୟିକ ରହିତାଦେଶ ଜାରି କରିଥିଲେ, କିନ୍ତୁ ଆର୍ବିଟ୍ରେସନ ସେଣ୍ଟରର ରାୟ ତାହା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଫ୍ୟୁଚର୍ ଗ୍ରୁପ୍ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌) ୨୦୨୦ ଅଗଷ୍ଟରେ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ ବ୍ୟବସାୟ ତଥା ଲଜିଷ୍ଟିକ୍ସ ଓ ଓୟାରହାଉସିଂ ବ୍ୟବସାୟ ଅଧିଗ୍ରହଣ କରିବା ନେଇ ଘୋଷଣା କରିଥିଲା । ୨୪,୭୧୩ କୋଟି ଟଙ୍କାରେ ଚୂଡାନ୍ତ ହୋଇଥିବା ଏହି ଚୁକ୍ତି ପରେ ଫ୍ୟୁଚର ଗ୍ରୁପର ୪୨୦ ସହରରେ ବିସ୍ତାରିତ ଭାବେ ରହିଥିବା ୧୮୦୦ରୁ ଅଧିକ ଷ୍ଟୋର ରିଲାଏନ୍ସ ନିୟନ୍ତ୍ରଣକୁ ଆସିବାର ଥିଲା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ 50 ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବା ନେଇ ଘୋଷଣା କଲା ଏହି କମ୍ପାନୀ!

ନୂଆଦିଲ୍ଲୀ : କରୋନା ଏବଂ ଲକ୍‌ଡାଉନ୍‌ କାରଣରୁ ଦେଶବ୍ୟାପୀ ଛଟେଇ ଜାରି ରହିଥିବା ବେଳେ ନୂତନ ନିଯୁକ୍ତି ନେଇ ଘୋଷଣା କରିଛି ଏକ ବିଦେଶୀ କମ୍ପାନୀ । ନିକଟରେ ଓଲା, ଉବର ଏବଂ ଅନ୍ୟାନ୍ୟ କମ୍ପାନୀ ନିଜ କର୍ମଚାରୀ ଛଟେଇ ସମ୍ପର୍କରେ ଘୋଷଣା କରିଥିଲେ । ତେବେ ଜେଫ୍‌ ବେଜୋସ୍‌ଙ୍କ କମ୍ପାନୀ ଆମାଜନ୍‌ ଆସନ୍ତା ଦିନରେ ଦେଶବ୍ୟାପୀ 50 ହଜାର ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛି । ଶୁକ୍ରବାର ଆମାଜନ୍‌ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଭିନ୍ନ ସପିଂ ମଲ୍‌ ଏବଂ ରିଟେଲ ଷ୍ଟୋର ବନ୍ଦ ରହୁଥିବାରୁ ଦେଶରେ ଅନ୍‌ଲାଇନ୍‌ ପ୍ଲାଟଫର୍ମର ଚାହିଦା ବଢିଛି । ଦେଶର 53 ପ୍ରତିଶତ ଅନ୍‌ଲାଇନ୍‌ ବଜାର ନିୟନ୍ତ୍ରଣ କରୁଥିବା ଆମାଜନ୍‌ ଏହା ମଧ୍ୟରେ 50 ହଜାର ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

କରୋନା ସତ୍ତ୍ବେ ଗୋଟିଏ ଦିନରେ 49 ହଜାର କୋଟି ଲାଭ କଲା ଏହି କମ୍ପାନୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ବ କରୋନା ଭାଇରସ୍ ପ୍ରଭାବରେ ସ୍ଥାଣୁ ପାଲଟି ଯାଇଥିବା ବେଳେ ଆଶ୍ବର୍ଯ୍ୟଜନକ ଭାବରେ ଗୋଟିଏ ଦିନରେ 49 ହଜାର କୋଟିର ଲାଭ ହାସଲ କରିଛି ଆମାଜନ୍‌। ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌ ଗୋଟିଏ ଦିନରେ 6.5 ବିଲିୟନ୍‌ ଡଲାରର ଲାଭ ହାସଲ କରିଛନ୍ତି। ମଙ୍ଗଳବାର ଆମାଜନ୍‌ ଅଂଶଧନ ମୂଲ୍ୟରେ 5 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ଏହା 2283 ଡଲାର ଛୁଇଁଥିଲା। ଚଳିତ ବର୍ଷରେ ଆମାଜନ୍‌ ଅଂଶଧନ ମୂଲ୍ୟରେ 20 ପ୍ରତିଶତର ଅଭିବୃଦ୍ଧି। ଏହି ଅଭିବୃଦ୍ଧି ଫଳରେ କମ୍ପାନୀର ସିଇଓ ଜେଫ୍‌ ବେଜୋସ୍‌ ଗୋଟିଏ ଦିନରେ 6.5 ବିଲିୟନ୍‌ ଡଲାରର ଲାଭ ହାସଲ କରିଛନ୍ତି। ସେହିପରି ବେଜୋସ୍‌ଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ବେଜୋସ୍‌ ଏହି ସମୟରେ 2.2 ବିଲିୟନ୍‌ ଡଲାରର ଲାଭ ହାସଲ କରିଛନ୍ତି। ସେହପରି ସମଗ୍ର ବିଶ୍ବରେ କରୋନା ସମୟରେ ନିଜର କର୍ମଚାରୀଙ୍କୁ ଅତିରିକ୍ତ ବେତନ ପ୍ରଦାନ କରୁଛି ଆମାଜନ୍‌। ଆମେରିକା, କାନାଡା ଏବଂ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଘଣ୍ଟାପ୍ରତି 2 ଡଲାର ଅଧିକ ବେତନ ପ୍ରଦାନ କରାଯାଉଛି। (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

2025 ସୁଦ୍ଧା ଭାରତରେ 10 ଲକ୍ଷ ନୂତନ ନିଯୁକ୍ତି ନେଇ ଘୋଷଣା କଲେ ଏହି ବ୍ୟକ୍ତି । ଜାଣନ୍ତୁ କିଏ?

ମୁମ୍ବାଇ : ଭାରତୀୟ ବଜାରରେ ଆସନ୍ତା 5 ବର୍ଷ ମଧ୍ୟରେ 10 ଲକ୍ଷ ନୂତନ ନିଯୁକ୍ତି ପ୍ରଦାନ ନେଇ ଘୋଷଣା କରିଛନ୍ତି ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ । ପ୍ରାଥମିକ ଭାବରେ ଭାରତରେ 71 ହଜାର କୋଟି ନିବେଶ ନେଇ ଘୋଷଣା କରିଥିଲେ ବେଜୋସ୍‌ । ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ ଶୁକ୍ରବାର ନୂତନ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ଆମାଜନ୍‌ ଭାରତରେ ନିରନ୍ତର ନିବେଶ କରିବ ଯାହା ଫଳରେ ଅନ୍ୟୁନ 10 ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହି ସମସ୍ତ ନିଯୁକ୍ତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କରାଯିବ ବୋଲି ବେଜୋସ୍‌ ସୂଚନା ଦେଇଛନ୍ତି । ଭାରତର ସମସ୍ତ କ୍ଷୁଦ୍ର ବ୍ୟବସାୟକୁ ମୁଖ୍ୟ ଧାରାରେ ସାମିଲ କରାଯିବା ସହିତ ଅନ୍‌ଲାଇନ୍‌ କରାଯିବାର ପ୍ରୟାସ କରାଯିବ ବୋଲି ବେଜୋସ୍‌ କହିଛନ୍ତି ।

Categories
ଆଜିର ଖବର ବ୍ୟବସାୟ

ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟର ଶସ୍ତା ଫୋନ୍ ବିକ୍ରୟ ନେଇ ସିସିଆଇର ତଦନ୍ତ

ମୁମ୍ବାଇ : ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ପକ୍ଷରୁ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟରେ ମିଳୁଥିବା ଶସ୍ତା ଫୋନ୍‌ର ତଦନ୍ତ ଆରମ୍ଭ କରିଛି । ଅନ୍‌ଲାଇନ୍‌ରେ ଉଭୟ କମ୍ପାନୀ ଶସ୍ତା ଫୋନ୍‌ ପ୍ରଦାନ କରୁଥିବାରୁ ଏହି ତଦନ୍ତ ନିର୍ଦ୍ଦଶ ଦିଆଯାଇଛି । ଉଭୟ ଇ କମର୍ସ  କମ୍ପାନୀ ଅଧୀନରେ ସମୁଦାୟ 89 ପ୍ରତିଶତ ଫୋନ୍‌ ବିକ୍ରି ହେଉଥିବାରୁ ଏହା ବଜାରଦରକୁ ପ୍ରଭାବିତ କରୁଛି । ସୋମବାର ସିସିଆଇ ପକ୍ଷରୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସିସିଆଇର ପ୍ରତିଯୋଗିତା ଅଧିନିୟମର ଧାରା 26(କ) ଅନୁଯାୟୀ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସିସିଆଇର ମୁଖ୍ୟ ଅଶୋକ କୁମାର ଗୁପ୍ତା ଏବଂ ଦୁଇ ସଦସ୍ୟ ସଙ୍ଗୀତା ବର୍ମା ଏବଂ ଭଗଓ୍ବନ୍ତ ସିଂ ବିଷ୍ଣୋଇ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୋବାଇଲ୍‌ ସ୍ମାର୍ଟ ଫୋନ୍‌ କମ୍ପାନୀ ଏବଂ ଇ କମର୍ସ କମ୍ପାନୀ ମଧ୍ୟରେ ବ୍ୟବସାୟିକ ସମ୍ପର୍କର ତଦନ୍ତ କରିବା ପାଇଁ ଏକ 11 ପୃଷ୍ଠାର ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଇ କମର୍ସ ବଜାରରେ ଫ୍ଲିପ୍‌କାର୍ଟ 53 ପ୍ରତିଶତ ବଜାର ନିଜ ଅଧୀନରେ ରଖିଥିବା ବେଳେ ଆମାଜନ୍‌ 36 ପ୍ରତିଶତ ବଜାରକୁ ନିୟନ୍ତ୍ରଣ କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

56 ବରିଷ୍ଠ ଅଧିକାରୀଙ୍କ ଛଟେଇ କଲା ଓ୍ବାଲମାର୍ଟ

ମୁ୍ମ୍ବାଇ : ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍‌ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି ଛଟେଇ କରାଯାଇଥିବା ଅଭିଯୋଗକୁ କମ୍ପାନୀର କର୍ପୋରେଟ୍‌ ଷ୍ଟ୍ରକ୍ଚରକୁ ବଳବତ୍ତର ରଖିବା ଏବଂ ସୂଚାରୂ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓ୍ବାଲମାର୍ଟ ଇଣ୍ଡିଆ ସିଇଓ କ୍ରିଶ୍‌ ଆୟର ପ୍ରକାଶ କରିଛନ୍ତି । ଛଟେଇ କରାଯାଇଥିବା 56 ଜଣଙ୍କ ମଧ୍ୟରେ 8 ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଓ୍ବାଲମାର୍ଟର 28ଟି କେନ୍ଦ୍ର ରହିଛି । 2007ରେ ଏହା ଭାରତୀ ସହିତ ମିଳିତ ଭାବରେ ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ 2016ରେ 16 ବିଲିୟନ୍‌ ଡଲାର ବିନିମୟରେ ଫ୍ଲିପ୍‌କାର୍ଟକୁ ଅଧିଗ୍ରହଣ କରିଥିଲା । (ଏଜେନ୍ସୀ)