Categories
ଆଜିର ଖବର

କ୍ବିନ୍‌ସ କ୍ଲବ୍‌ ଟୁର୍ଣ୍ଣାମେଣ୍ଟରୁ ପ୍ରତ୍ୟାବର୍ତ୍ତନ କରିବେ ଆଣ୍ଡି ମୁରେ

ତିନି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମଣ୍ଟ ବିଜେତା ବ୍ରିଟେନ୍‌ର ଆଣ୍ଡି ମୁରେ ଆଗାମୀ କ୍ବିନ୍‌ସ କ୍ଲବ୍‌ ଟୁର୍ଣ୍ଣାମେଣ୍ଟରୁ ଆନ୍ତର୍ଜାତୀୟ ସର୍କିଟ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଆଣ୍ଠୁ ଅସ୍ତ୍ରୋପଚାର ପରେ ପ୍ରତ୍ୟାବର୍ତ୍ତନ କରିଥିବା ମୁରେ ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୁରେ ଉଭୟ ଏକକ ଏବଂ ଯୁଗଳ ବର୍ଗରେ ଭାଗ ନେବେ। ମୁରେ ଶେଷ ଥର ପାଇଁ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନରେ ଭାଗ ନେଇଥିଲେ। କ୍ବିନ୍‌ସ କ୍ଲବ୍‌ ଟୁର୍ଣ୍ଣାମେଣ୍ଟ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ଏହି ପୂର୍ବତନ ଏକ ନମ୍ବର ଖେଳାଳି ପ୍ରକାଶ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ପରେ ପ୍ରତ୍ୟାବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁରେ। ଯୁଗଳ ବର୍ଗରେ ଫେଲିସିଆନୋ ଲୋପେଜ୍‌ଙ୍କ ସହ ଏକତ୍ର ମ୍ୟାଚ୍‌ ଖେଳିବେ ବୋଲି ଜଣାପଡିଛି। ବ୍ରିଟେନ୍‌ର ୭୭ ବର୍ଷର ଇତିହାସରେ ପ୍ରଥମ ଖେଳାଳି ଭାବରେ ଓ୍ବିମ୍ବିଲଡନ୍‌ ଜିତିବାର ରେକର୍ଡ ରଖିଛନ୍ତି ମୁରେ। ଏହା ସହିତ ଦୁଇ ଦୁଇ ଥର ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ମୁରେ। କ୍ବିନ୍‌ସ କ୍ଲବ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜୁନ୍‌ ୧୭ରୁ ଆରମ୍ଭ ହେବାକୁ ଯାଉଛି।