Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର

ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି ସଂପର୍କରେ ଜାଣିବା ପାଇଁ ଓଡିଶା ଆସିଲେ ନାଇଜେରିଆ ପ୍ରତିନିଧି

ଭୁବନେଶ୍ବର: ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡିଶାରେ ପ୍ରସ୍ତୁତ କରାଯାଉଥିବା ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ୍ ) ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ରାଜ୍ୟର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାକୁ ଓଡ଼ିଶା ଆସିଛନ୍ତି। ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ଖାଦ୍ୟ ନିୟାମକ ସଂସ୍ଥା ମନ୍ତ୍ରାଳୟ ତଥା ବିଭାଗ ଏବଂ ଘରୋଇ କ୍ଷେତ୍ରର ସରକାରୀ ଅଧିକାରୀମାନଙ୍କ ସହିତ ଆସିଥିବା ଏହି ୧୩ ଜଣିଆ ଟିମ୍ ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର‌୍ୟ୍ୟକ୍ରମ (ଡବ୍ଲ୍ୟୁଏଫପି) ସହାୟତାରେ ଆସିଛନ୍ତି।

ନାଇଜେରିଆ ସରକାର ଖାଦ୍ୟକୁ ଅଣୁ ପୁଷ୍ଟିସାରଯୁକ୍ତ କରିବା ପାଇଁ ଏକ ଜାତୀୟ ରଣନୀତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ରଣନୀତି ଅନୁଯାୟୀ ସରକାର ଜାତୀୟ ଫର୍ଟିଫିକେସନ୍ କାର‌୍ୟ୍ୟକ୍ରମର ଏକ ଅଂଶ ଭାବରେ ସେ ଦେଶର ଅନ୍ୟତମ ପ୍ରଧାନ ଖାଦ୍ୟ ଚାଉଳକୁ ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ (ଫର୍ଟିଫିକେସନ) କରିବାକୁ ଅନୁମତି ଦେଇଛନ୍ତି।

ଭାରତର ଚାଉଳ ଫର୍ଟିଫିକେସନ୍ ପ୍ରକ୍ରିୟା କାର‌୍ୟ୍ୟକାରିତା ଅଭିଜ୍ଞତା ନାଇଜେରିଆ ପାଇଁ ଏକ ମୂଲ୍ୟବାନ ଉଦାହରଣ ହୋଇଛି। ବିଶେଷକରି ଦେଶରେ ଫର୍ଟିଫାଇଡ୍ ଚାଉଳ ପ୍ରସ୍ତୁତି ପାଇଁ ଦେଶରେ ଉତ୍ତମ ପରିବେଶ ସୃଷ୍ଟି ହୋଇଛି। ଭାରତର ଆଭିମୁଖ୍ୟରେ ଦୃଢ଼ ସରକାରୀ ନେତୃତ୍ୱ ଅନ୍ତର୍ଭୁକ୍ତ ଯାହା ଲକ୍ଷ୍ୟଧାର‌୍ୟ୍ୟ ଅନୁସାରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ପରି ସାର୍ବଜନୀନ ବିତରଣ ବ୍ୟବସ୍ଥାକୁ ସମର୍ଥନ କରୁଛି।

ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଜନ୍ ଉରୁଆକ୍ପା କହିଛନ୍ତି, ଏହି ଶିକ୍ଷଣ ଗସ୍ତର ଉଦ୍ଦେଶ୍ୟ ହେଉଛି ଅଂଶୀଦାରମାନଙ୍କୁ ପ୍ରାଥମିକ ଅଭିଜ୍ଞତା ଏବଂ ଜ୍ଞାନ ପ୍ରଦାନ କରିବା, ସ୍କୁଲ ଫିଡିଂ ପ୍ରୋଗ୍ରାମକୁ ଏକ ବିତରଣ ବ୍ୟବସ୍ଥା ଭାବରେ ବ୍ୟବହାର କରି ତାଙ୍କ ଦେଶର “କେବି” ରାଜ୍ୟରେ ଏକ ଚାଉଳ ଫୋର୍ଟିଫିକେସନ୍ ପାଇଲଟ୍ ପ୍ରୋଜେକ୍ଟକୁ ଦକ୍ଷତାର ସହ ଆରମ୍ଭ କରିବାକୁ ସକ୍ଷମ ହେବା।

ଓଡ଼ିଶାରେ ପହଞ୍ଚିବା ପରେ ଏହି ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ଓଡ଼ିଶାର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଭେଟିଥିଲେ। ଲୋକସେବା ଭବନରେ ଏହି ପରିପ୍ରେକ୍ଷୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମାର ଏକ ବର୍ଷ ପୂର୍ବରୁ ଓଡ଼ିଶା ସମସ୍ତ ଖାଦ୍ୟଭିତ୍ତିକ ଯୋଜନାରେ ରାଜ୍ୟବ୍ୟାପୀ ଫର୍ଟିଫାଇଡ୍ ଚାଉଳର ସମ୍ପୂର୍ଣ୍ଣ ପ୍ରଚଳନ କରିଛି।

୨୦୧୨ ମସିହାରେ ଗଜପତି ଜିଲ୍ଲାରେ ଓଡ଼ିଶା ଦେଶରେ ପ୍ରଥମ କରି ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି(ଫର୍ଟିଫିକେସନ) ନିମନ୍ତେ ପଦକ୍ଷେପ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ବିଶେଷକରି କୁପୋଷଣର ମୁକାବିଲା ଓ ଖାଦ୍ୟ ନିରାପତ୍ତା ସୃଷ୍ଟି ଦିଗରେ ରାଜ୍ୟ ସରକାର ନିଜର ଅଭିଜ୍ଞତା ଓ ଶିକ୍ଷା ବାଣ୍ଟିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉନ୍ନୟନ କମିଶନର ପ୍ରକାଶ କରିଥିଲେ।

ନାଇଜେରିଆରେ ଚାଉଳ ଫର୍ଟିଫିକେସନ କୁ ପ୍ରୋତ୍ସାହନ ନିମନ୍ତେ ‘ଦକ୍ଷିଣ-ଦକ୍ଷିଣ’ ଶିକ୍ଷଣ ପରିପ୍ରେକ୍ଷୀରେ ଭାରତ ଆସି ଆମେ ବେଶ୍ ଉତ୍ସାହିତ। ଏ କ୍ଷେତ୍ରରେ ଭାରତର କାର‌୍ୟ୍ୟକାରିତା ଯାତ୍ରାର ସଫଳତା, ଆହ୍ୱାନ ଏବଂ ଶିକ୍ଷାରୁ ଶିଖିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହା ବ୍ୟତୀତ ନାଇଜେରିଆ ପରିପ୍ରେକ୍ଷୀରେ ଏହି ଶିକ୍ଷାଗୁଡ଼ିକୁ କିପରି ଆଦୃତ ଏବଂ କାର‌୍ୟ୍ୟକାରୀ କରାଯାଇପାରିବ ତାହା ଚିହ୍ନଟ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ଭାରତରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ଶ୍ରୀମତୀ ଏଲିଜାବେଥ ଫାଉରେ କହିଛନ୍ତି।

ଏହି ଦଳ ଚାଉଳ ଫର୍ଟିଫିକେସନ ସ୍ଥାନ ପରିଦର୍ଶନ କରି ଏଥିପାଇଁ ବ୍ୟବହୃତ ଯନ୍ତ୍ରପାତି, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ନିରାପତ୍ତାମାନକ ପ୍ରକ୍ରିୟା ସଂପର୍କରେ ବୁଝିବେ। ସଦସ୍ୟମାନେ ନିୟାମକ ଦିଗ ଏବଂ ଅନୁପାଳନ ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ଖାଦ୍ୟ ନିୟନ୍ତ୍ରଣ ଅଧିକାରୀଙ୍କ ସହ ବୈଠକ କରିବେ। ସେମାନେ ଚାଉଳ ଫର୍ଟିଫିକେସନ୍ କାର‌୍ୟ୍ୟକ୍ରମର ପ୍ରସ୍ତୁତି ପ୍ରଣାଳୀ ଏବଂ କାଯ୍ୟକାରୀ କରାଯାଉଥିବା ନୀତି ନିର୍ଧାରକମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

 

Categories
ବିଶେଷ ଖବର ରାଜ୍ୟ ଖବର

୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗ କଣ କରିଛି, ତାହା ଜାଣିବା ସମସ୍ତଙ୍କ ଅଧିକାର

ଭୁବନେଶ୍ୱର: ୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗର ସଫଳତା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ରହିଥିବା ଜଣାଯାଇଛି । ତନ୍ମଧ୍ୟରେ ରହିଛି ଉପର ଇନ୍ଦ୍ରାବତୀ ଲିଫ୍‌ଟ କେନାଲ ସିଷ୍ଟମ ଏବଂ ଲୋୟର ଇନ୍ଦ୍ରା ବୃହତ୍ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱୟ ଦ୍ୱାରା ଯଥାକ୍ରମେ ୨୫ ହଜାର ୨୭୫ ହେକ୍ଟର ଓ ୨୯ ହଜାର ୮୯୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନ୍ତଃନଦୀ ଜଳାଶୟ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ପହଁଚିଛି । ନଦୀ ତଟ ଶ୍ରୋତ ପ୍ରତିକୂଳ ପାଶ୍ୱର୍ରେ ଥିବା ଏହି ବୃହତ୍ ଜଳାଶୟ ପ୍ରକଳ୍ପଗୁଡିକ ଦ୍ୱାରା ପାନୀୟ ଜଳ ସୁବିଧା, ଭୂତଳ ଜଳ ଭରଣ, ପରିସଂସ୍ଥାର ସନ୍ତୁଳନ ଓ ଜଳବାୟୁ ସହନଶୀଳ ହୋଇପାରିବ ।
କେନ୍ଦ୍ରୀୟ ଭୂତଳ ଜଳ ସହଭାଗିତାରେ ଭୂତଳ ଜଳ ସଂପଦର ଆକଳନ -୨୦୨୦ ସଫଳତାର ସହ କରାଯାଇଛି ।

ଜଣାଯାଇଛି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ଜଳର ଅତିଶୟ ବ୍ୟବହାର କରାଯାଇନାହିଁ ବା ଅନ୍ୟ ପକ୍ଷରେ କହିବାକୁ ଗଲେ ରାଜ୍ୟରେ କୌଣସି ଗମ୍ଭୀରଜନକ ସ୍ଥିତିରେ ଥିବା ବ୍ଲକ ନାହିଁ । ରାଜ୍ୟର ଉନ୍ନୟନକୁ ଲକ୍ଷ୍ୟ ରଖି ବିଭିନ୍ନ ସ୍ଥାନରେ ଜଳର ଉପଯୋଗ ହୋଇଥିଲେ ମଧ୍ୟ ଭୂତଳ ଜଳର ସ୍ତର ସନ୍ତୋଷଜନକ ରହିଛି ।

ହଜାର ବର୍ଷରୁ ଊର୍ଦ୍ଧ୍ୱ କଟକ ସହର ଦେଇ ଯାଇଥିବା ତାଳ ଦଣ୍ଡା କେନାଲକୁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିସିଜିଏମ୍ (ସିମେଣ୍ଟସ୍ କମ୍ପୋଜିଟ୍ ଜିଓ ସିନ୍ଥେଟିକ୍ ମ୍ୟାଟ୍ରେସ୍ ବ୍ୟବସ୍ଥାରେ ପୁନରୁଦ୍ଧାର କରାଯାଇଛି ।

ସେହିପରି ବୃହତ୍ ଓ ମଧ୍ୟମ ଜଳସେଚନ ବ୍ୟବସ୍ଥା ଦେଖିବାକୁ ଗଲେ ପ୍ରଥମ ଥର କରି ମୟୂରଭଞ୍ଜ ଜିଲ୍ଲା ଦେଓ ଜଳସେଚନ ବ୍ୟବସ୍ଥାରେ ଖରିଫ୍ ଜଳସେଚନ ପାଇଁ ୩୫୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇଛି । ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଜଣାଯାଇଛି ।

ସେହିପରି ବରଗଡ ଜିଲ୍ଲା ଗଙ୍ଗାଧର ମେହେର ଉଠା ଜଳସେଚନ ପାଇଁ ନିର୍ମାଣ ଆରମ୍ଭ ପାଇଁ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । କାନପୁର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି ଓ ୨୦୨୩ ଡିସେମ୍ବର ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି ।

ସେହିପରି ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି ଓ ୨୦୨୪ ସୁଦ୍ଧା ଏହା ଶେଷ ହେବ ବୋଲି ଲକ୍ଷ୍ୟ ରହିଛି । କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ଜଳସେଚନ ପ୍ରକଳ୍ପ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ଲାଭ କରିଛି । ମୟୂରଭଞ୍ଜ ଜିଲ୍ଲାର ସୋନୋ ପ୍ରକଳ୍ପ ଓ ବାଙ୍କତିରା ପ୍ରକଳ୍ପ ଖୁବ୍ ଶିଘ୍ର ଆରମ୍ଭ ହେବା ସ୍ଥିତିରେ ରହିଛି ।

ନିରନ୍ତର ତଥା ପୋଷଣୀୟ ଜଳସେଚନ ଲକ୍ଷ ରଖାଯାଇ ୧୧, ୬୧୮ ସୌର ଶକ୍ତି ମାଇକ୍ରୋ ରିଭର ଲିଫ୍ଟ ଜଳସେଚନ ସୁବିଧା ପାଇଁ ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ଚଳିତ ବର୍ଷ ସବୁଠାରୁ ଅଧିକ ସଂଖ୍ୟକ ଗଭୀର ସେଚ କୂପ ଓ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି ।

ଆଗାମୀ ୫ ବର୍ଷରେ ୧୦,୭୫୭. ୧୨ କୋଟି ଟଙ୍କା ବ୍ୟୟରେ ପର୍ଯ୍ୟାୟକ୍ରମେ ୧୭୦ଟି ନୂତନ ପାର୍ବତୀଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ନିିମନ୍ତେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି । ଯାହାଦ୍ୱାରା କି ୨ଲକ୍ଷ ୬୩ ହଜାର ୮୦୦ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ହୋଇପାରିବ ।

୨୦୨୧ରେ ୧୮ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ନିର୍ମାଟଣ କରାଯାଇ ୨୪,୧୮୮ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇଛି। ମୋଟ ୧୨୯ ମେଗା ଲିଫ୍ଟ ସ୍କିମ୍ ସମ୍ପୂର୍ଣ୍ଣ କରାଯାଇ ୧ଲକ୍ଷ ୫୫ ହଜାର ୧୮୩ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇଛି ।

ଉପକୂଳ ଜିଲ୍ଲାରେ ନଷ୍ଟ ହୋଇଥିବା ବା ଉଚ୍ଚତା ବୃଦ୍ଧି ଓ ସୁଦୃଢୀକରଣ ଆବଶ୍ୟକତା କରୁଥିବା ଲୁଣି ବନ୍ଧ ପାଇଁ ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ଚେନ୍ନାଇ ସ୍ଥିତ ନ୍ୟାସନାଲ ଓସେନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ ସହ ଏଥି ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗ ନିମନ୍ତେ ୩୮୬ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ନିଯୁକ୍ତି ଦିଆଯାଇ ସେମାନଙ୍କୁ କାଉନସେଲିଂ, ଚଏସ୍ ଲକିଂ ଓ ଟ୍ରେନିଂ ପରେ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରର କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ୧୯୨୯ କଲ୍‌ସେଣ୍ଟର ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟଶ୍ରମ ଆୟୁକ୍ତ ଡଃ. ଏନ୍‌. ଥିରୁମାଲା ନାଏକଙ୍କ ସହିତ ଆଜି ଅପରାହ୍ଣରେ ଭୁବନେଶ୍ୱର ଶହୀଦ ନଗର,ବି.ଏମ୍‌.ସି ଭବାନୀ ମଲସ୍ଥିତ ସ୍ମାର୍ଟ ସିଟି କାର୍ଯ୍ୟାଳୟଠାରେ ୧୯୨୯ କଲ୍‌ସେଣ୍ଟର ପରିଦର୍ଶନ କରିଏହାର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ ।

ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଉପସ୍ଥିତ ଥିଲେ । କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଏହି କଲ୍‌ ସେଣ୍ଟରରେ କାର୍ଯ୍ୟରତ ଷ୍ଟାଫ୍ ଓ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଜନ ସାଧାରଣ , ସଂକ୍ରମିତ ତଥା ସମ୍ଭାବ୍ୟ ସଂକ୍ରମିତମାନଙ୍କୁ ସେମାନେ କିପରି ଆବଶ୍ୟକ ସୂଚନା ପ୍ରଦାନ କରୁଛନ୍ତି, ସେ ସମ୍ପର୍କରେ ଅବଗତ ହୋଇଥିଲେ । କଲ୍‌ସେଣ୍ଟରରେ ଟେଲିଫୋନ୍ ଯେପରି ବେଶୀ ସମୟ ବ୍ୟସ୍ତ ନ ରୁହେ ଏବଂ ସେଣ୍ଟର ଜରିଆରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେଏଠାରେ ଷ୍ଟାଫ୍‌ ସଂଖ୍ୟା ବୃଦ୍ ଧିକରିବାକୁ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

କୋଭିଡ୍ ପରିଚାଳନା ପାଇଁ ୨୦୨୧ ମାର୍ଚ୍ଚ ୨୪ ତାରିଖରୁ ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ ୧୯୨୯ କଲ୍‌ ସେଣ୍ଟରର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏଠାରେ ସ୍ମାର୍ଟ ସିଟିର ବିଭିନ୍ନ ସେବା ପାଇଁ ୩୬ ଜଣ କଲ୍‌ସେଣ୍ଟର ଅପରେଟର କାର୍ଯ୍ୟକରୁଛନ୍ତି । କୋଭିଡ୍ ପରିଚାଳନା ପରିପ୍ରେକ୍ଷୀରେ ଏଠାରେ କାର୍ଯ୍ୟରତ ଡାଟାଏଣ୍ଟି ଅପରେଟର ଏବଂ ଡାକ୍ତରମାନେ କୋଭିଡ୍‌ ସଂକ୍ରମିତ ବ୍ୟକ୍ତିଙ୍କୁ ସଙ୍ଗରୋଧ ପରାମର୍ଶ ଦେବା ସହିତ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଯିବା ପାଇଁ ଆବଶ୍ୟକୀୟ ପରାମର୍ଶ ଓ ସୂଚନା, କୋଭିଡ୍‌ ସଂକ୍ରମିତଙ୍କ ପାଇଁ କଲ ସେଣ୍ଟରରେ ଥିବା ଡାକ୍ତରମାନଙ୍କ ଦ୍ୱାରା ଔଷଧ ସେବନ ପରାମର୍ଶ ସଂକ୍ରାନ୍ତୀୟ କଲ୍‌ ଗ୍ରହଣ କରିବା ସହିତ ପରାମର୍ଶ ଦେଉଛନ୍ତି ।

କୋଭିଡ୍‌ସଂପର୍କିତ ଆବଶ୍ୟକ ତଥ୍ୟ, ଜନସାଧାରଣ ତଥା ସଂକ୍ରମିତଙ୍କ ପ୍ରଶ୍ନର ଉତ୍ତର, ବିଭିନ୍ନ ୱର୍ଡ ପାଇଁ ନିୟୋଜିତ ୱାର୍ଡ ଅଫିସରଙ୍କ ସୂଚନା ପ୍ରଦାନ କରିବାରେ ସହାୟକ ହେଉଛନ୍ତି । ଏଣୁ କୋଭିଡ୍‌ ମୁକାବିଲା ପାଇଁ ୧୯୨୯ କଲସେଣ୍ଟରର ସୁବିଧା ନେବାକୁ କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ଆଉ 15 ଶହ କୋଭିଡ ବେଡ୍, ବସ୍ତି ଅଞ୍ଚଳରେ ସଂକ୍ରମଣ କମ୍

ଭୁବନେଶ୍ବର, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଉ 15 ଶହ କୋଭିଡ ବେଡ୍ ବ୍ୟବସ୍ଥା କରାଯିବ। ଏବେ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଛୁ, ଦିନକୁ 14 ଶହ ଟେଷ୍ଟ କରାଯିବ। ସମସ୍ତ 67 ୱାର୍ଡରେ ସଚେତକ ଟିମ୍ ଅଛନ୍ତି ଏବଂ ସେମାନେ ନିରନ୍ତର କାମ କରୁଛନ୍ତି ବୋଲି ରାଜଧାନୀର କରୋନା ସ୍ଥିତି ନେଇ ଗଣମାଧ୍ୟମକୁ ସୂଚନା ଦେବା ବେଳେ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏହା କହିଛନ୍ତି।

ବସ୍ତି ପାଇଁ ଆମର ନିର୍ଦ୍ଦିଷ୍ଟ ରଣନୀତି ଅଛି, ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ ସର୍ଭେଲାନ୍ସ ଚିମ୍ ଯାଞ୍ଚ କରିବା ସହ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ସଚେତକ ଆପ୍ କରିବା ଦ୍ବାରା ପ୍ରତି ୱାର୍ଡରେ କେତେ ଆକ୍ରାନ୍ତ ତାହା ଜଣାପଡୁଛି। 6ଟି ଜାଗାରେ 870 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ କରାଯାଇଛି। 554 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। 1025 ଶଯ୍ୟାର କୋଭିଡ ହସ୍ପିଟାଲ, 60 ଶଯ୍ୟାର ହେଲଥ ସେଣ୍ଟର ରହିଛି।

ଏବେ ଭୁବନେଶ୍ବରରେ 167 ଜଣ ହୋମ୍ ଆଇସୋଲେସନରେ ଅଛନ୍ତି। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବୋଲି ଗର୍ଗ କହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ 201 ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ 657 ସଂକ୍ରମିତଙ୍କୁ ଠାବ କରାଯାଇଛି। ବିଏମସି ଅଞ୍ଚଳରେ 80 ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ହୋଇଥିବା ଜଣାପଡ଼ିଛି।