Categories
ଜାତୀୟ ଖବର ବିଶେଷ ଖବର

ଖବରକାଗଜ ଓ ପତ୍ରିକା ପଂଜିକରଣ ନିୟମ ବଦଳିଲା, ଏଣିକି ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଅନୁମତି ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ଲୋକସଭାରେ ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ, ୨୦୨୩ ପାରିତ ହୋଇଛି, ଯାହାକି ଉପନିବେଶ କାଳର ପ୍ରେସ୍ ଏବଂ ପୁସ୍ତକ ପଞ୍ଜୀକରଣ ଆଇନ, ୧୮୬୭ର  ସ୍ଥାନରେ ଲାଗୁ ହେବ। ଏଥିପୂର୍ବରୁ  ମୌସୁମୀ ଅଧିବେଶନରେ ନୂଆ ବିଧେୟକ ରାଜ୍ୟସଭାରେ ପାରିତ ହୋଇସାରିଥିଲା।

ନୂତନ ବିଧେୟକ – ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ , ୨୦୨୩ କୌଣସି ଶାରୀରିକ ଉପସ୍ଥିତିର ଆବଶ୍ୟକତା ନଥାଇ ଏକ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ପତ୍ରିକାର ନାମ ଆବଣ୍ଟନ ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଏବଂ ସମାନ୍ତରାଳ କରିବାର ସୁବିଧା ପ୍ରଦାନ କରିବ ।

ଏହା ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସକ୍ଷମ କରିବ, ଯାହା ଦ୍ୱାରା ପ୍ରକାଶକମାନେ, ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ପ୍ରକାଶକମାନେ ପ୍ରକାଶନ ଆରମ୍ଭ କରିବାରେ ସାମାନ୍ୟତମ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରକାଶକମାନଙ୍କୁ ଆଉ ଜିଲ୍ଲାପାଳ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଘୋଷଣାପତ୍ର ଦାଖଲ କରିବାକୁ ପଡିବ ନାହିଁ ଏବଂ ଏଭଳି ଘୋଷଣାକୁ ପ୍ରମାଣିତ କରିବାକୁ ପଡିବ ନାହିଁ ।

ଏହାବ୍ୟତୀତ, ପ୍ରିଣ୍ଟିଂ ପ୍ରେସଗୁଡିକୁ ମଧ୍ୟ ଏଭଳି କୌଣସି ଘୋଷଣାପତ୍ର ଦାଖଲ କରିବାକୁ ପଡିବ ନାହିଁ; ଏହା ପରିବର୍ତ୍ତେ କେବଳ ଏକ ସୂଚନା ଯଥେଷ୍ଟ ହେବ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ବର୍ତ୍ତମାନ ୮ଟି ପଦକ୍ଷେପ ଅନ୍ତର୍ଭୁକ୍ତ ଥିଲା ଏବଂ ଯଥେଷ୍ଟ ସମୟ ଖର୍ଚ୍ଚ ହୋଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ ଏହି ବିଲ୍ ଦାସତ୍ୱର ମାନସିକତାକୁ ଦୂର କରିବା ଏବଂ ନୂତନ ଭାରତ ପାଇଁ ନୂତନ ଆଇନ ଆଣିବା ଦିଗରେ ମୋଦୀ ସରକାରଙ୍କ ଆଉ ଏକ ପଦକ୍ଷେପକୁ ପ୍ରତିଫଳିତ କରୁଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅପରାଧର ଅନ୍ତ ଘଟାଇବା, ବ୍ୟବସାୟ କରିବାରେ ସୁଗମତା ଏବଂ ନୂତନ ଆଇନ ମାଧ୍ୟମରେ ସହଜ ଜୀବନଯାପନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ପ୍ରାଥମିକତା ହୋଇଛି।  ଔପନିବେଶିକ ଯୁଗର ଆଇନକୁ ଯଥେଷ୍ଟ ଅପରାଧମୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଛି । କେତେକ ଉଲ୍ଲଂଘନ ପାଇଁ ପୂର୍ବ ଭଳି ଦୋଷୀ ସାବ୍ୟସ୍ତ ହେବା ପରିବର୍ତ୍ତେ ଆର୍ଥିକ ଜରିମାନା ପ୍ରସ୍ତାବ ଦିଆଯାଇଛି ।

ଏହାବ୍ୟତୀତ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ବିଶ୍ୱସନୀୟ ଆପିଲେଟ୍ ବ୍ୟବସ୍ଥା କରାଯାଇଛି। ବ୍ୟବସାୟ କରିବାର ସୁଗମତା ଦିଗ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଠାକୁର କହିଥିଲେ ଯେ ନାମ ବା ଟାଇଟଲ୍‌ ପଞ୍ଜୀକରଣ ପ୍ରକ୍ରିୟା, ଯାହା ପାଇଁ ପୂର୍ବରୁ ୨-୩ ବର୍ଷ ଲାଗୁଥିଲା, ଏବେ ତାହା ୬୦ ଦିନରେ ହୋଇଯିବ।

୧୮୬୭ର ଏହି ଆଇନ ବ୍ରିଟିଶ ରାଜର ଏକ ଐତିହ୍ୟ ଥିଲା ଯାହାର ଉଦ୍ଦେଶ୍ୟ ଥିଲା ଖବରକାଗଜ ଏବଂ ପୁସ୍ତକର ମୂଦ୍ରାକାର ଏବଂ ପ୍ରକାଶକଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ସହିତ ବିଭିନ୍ନ ଉଲ୍ଲଂଘନ ପାଇଁ ଜେଲ ଦଣ୍ଡ ସମେତ କଠୋର ଜରିମାନା ଲାଗୁ କରିବା । ଆଜିର ସ୍ୱାଧୀନ ପ୍ରେସ୍‌ ଯୁଗରେ ଏବଂ ଗଣମାଧ୍ୟମର ସ୍ୱାଧୀନତା ବଜାୟ ରଖିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏଭଳି ଏକଚ୍ଛତ୍ରବାଦୀ ଆଇନ ବର୍ତ୍ତମାନର ଗଣମାଧ୍ୟମ ପରିଦୃଶ୍ୟରେ ଉଚିତ୍‌ ନୁହେଁ ବୋଲି ଅନୁଭୂତ ହୋଇଥିଲା।

ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଲ୍ ୨୦୨୩ର ପ୍ରମୁଖ ବୈଶିଷ୍ଟ୍ୟ

୧.   ପତ୍ରିକା ପଞ୍ଜୀକରଣର ନାମ ଆବଣ୍ଟନ ଏବଂ ପ୍ରମାଣପତ୍ର ପଞ୍ଜୀକରଣ ଅନୁମତି

  • ପ୍ରେସ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ମାଲିକାନା ଯାଞ୍ଚ ଏବଂ ପଞ୍ଜୀକରଣ ସାର୍ଟିଫିକେଟ୍ ଏକକାଳୀନ ପ୍ରକ୍ରିୟା ଭାବରେ ଏକ ପତ୍ରିକାକୁ ପ୍ରଦାନ ପାଇଁ ଆବେଦନ କରିବା ପାଇଁ ବିଲ୍‌ରେ ଏକ ସରଳ ଅନଲାଇନ୍ ବ୍ୟବସ୍ଥା ରଖାଯାଇଛି।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଘୋଷଣାପତ୍ର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହାର ପ୍ରମାଣୀକରଣ ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ ।
  • ଆତଙ୍କବାଦୀ କାର୍ଯ୍ୟ କିମ୍ବା ବେଆଇନ କାର୍ଯ୍ୟକଳାପ ସହିତ ଜଡିତ ଅପରାଧ ପାଇଁ କୌଣସି ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା କିମ୍ବା ରାଜ୍ୟର ସୁରକ୍ଷା ବିରୁଦ୍ଧରେ କିଛି କରିଥିବା ବ୍ୟକ୍ତିଙ୍କୁ କୌଣସି ପତ୍ରିକା ପ୍ରକାଶ କରିବାକୁ ଅନୁମତି ଦିଆଯିବ ନାହିଁ ।
  • କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ପଞ୍ଜୀକରଣ ପରେ କୌଣସି ବିଦେଶୀ ପତ୍ରିକାର ସଂସ୍କରଣ ଭାରତରେ ଛପାଯାଇପାରିବ।

. ପ୍ରିଣ୍ଟିଂ ପ୍ରେସ୍

  • ଜଣେ ମୂଦ୍ରକାର ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନଲାଇନ୍ ସୂଚନା ପ୍ରଦାନ କରିବେ।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଘୋଷଣାପତ୍ର ଦାଖଲ କରିବାକୁ କିମ୍ବା କର୍ତ୍ତୃପକ୍ଷଙ୍କଠାରୁ ପ୍ରମାଣୀକରଣ ହାସଲ କରିବା ମୁଦ୍ରାକାରଙ୍କ ପକ୍ଷେ ଅନାବଶ୍ୟକ।

 ୩.       ଜିଲ୍ଲାପାଳ/ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଭୂମିକା

  • ଏହି ବିଲ୍‌ରେ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ ଏବଂ ମାଲିକାନା ଆବଣ୍ଟନ କ୍ଷେତ୍ରରେ ଜିଲ୍ଲାପାଳ/ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସର୍ବନିମ୍ନ ଭୂମିକା ରଖାଯାଇଛି।
  • ଆବେଦନ ପାଇବା ପରେ ଜିଲ୍ଲାପାଳ ୬୦ ଦିନ ମଧ୍ୟରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ଏହାର ମତାମତ/ଏନ୍ଓସି ପ୍ରଦାନ କରିବେ। ଏହାପରେ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ୬୦ ଦିନ ପରେ ଜିଲ୍ଲାପାଳ/ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମତାମତ/ଏନଓସି ନ ମିଳିଲେ ମଧ୍ୟ ପଞ୍ଜୀକରଣ ପ୍ରଦାନ ପାଇଁ ନିଷ୍ପତ୍ତି ନେଇପାରିବେ।
  • ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶକଙ୍କ ପାଇଁ କୌଣସି ଘୋଷଣା ପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ ।

ପ୍ରେସ୍ ଏବଂ ପୁସ୍ତକ ପଞ୍ଜୀକରଣ ଆଇନ ୧୮୬୭ ଏବଂ ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଲ୍ ୨୦୨୩ ମଧ୍ୟରେ ପାର୍ଥକ୍ୟ

  • ପିଆରବି ଅଧିନିୟମ ୧୮୬୭ର ଅଂଶ ହୋଇଥିବା ପୁସ୍ତକଗୁଡ଼ିକୁ ପିଆରପି ବିଧେୟକ ୨୦୨୩ ପରିସରରୁ ହଟାଇ ଦିଆଯାଇଛି, କାରଣ ପୁସ୍ତକ ଏକ ବିଷୟ ଭାବରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୁଏ ।
  • ପ୍ରିଣ୍ଟିଂ ପ୍ରେସ୍ ଗୁଡ଼ିକୁ ଜିଲ୍ଲାପାଳଙ୍କ ନିକଟରେ କୌଣସି ଘୋଷଣା ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ; ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଓ ଜିଲ୍ଲାପାଳଙ୍କ ନିକଟରେ କେବଳ ଅନଲାଇନ୍ ସୂଚନା ଦାଖଲ କରିବାକୁ ପଡ଼ିବ।
  • ପତ୍ରିକାର ପ୍ରକାଶକଙ୍କ ପକ୍ଷରୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ; ମାଲିକାନା ଆବଣ୍ଟନ ଏବଂ ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନ୍ ପ୍ରଦାନ ପାଇଁ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ ଏକାସାଙ୍ଗରେ ଆବେଦନ କରାଯିବ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ନିଷ୍ପତ୍ତି ନେବେ।
  • ପିଆରବି ଆକ୍ଟ ୧୮୬୭ ବିରୁଦ୍ଧରେ ଆଇନକୁ ଯଥେଷ୍ଟ ଅପରାଧମୁକ୍ତ କରାଯାଇଛି ଯେଉଁଥିରେ ଏହି ଆଇନର ବିଭିନ୍ନ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହେବା ସହ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ରଖାଯାଇଥିଲା ।
  • ୨୦୨୩ ବିଲ୍ ରେ କେବଳ ସେହି ଚରମ କ୍ଷେତ୍ରରେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପରିକଳ୍ପନା କରାଯାଇଛି, ଯେଉଁଥିରେ ବିନା ପଞ୍ଜୀକରଣ ପ୍ରମାଣପତ୍ରରେ ପତ୍ରିକା ପ୍ରକାଶିତ ହୁଏ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ନିର୍ଦ୍ଦେଶନାମା ଜାରି ହେବାର ଛଅ ମାସ ପରେ ମଧ୍ୟ ପ୍ରକାଶକ ଏହି ପ୍ରକାଶନର ଛପା ବନ୍ଦ କରିବାରେ ବିଫଳ ହୁଅନ୍ତି ।
  • ୧୮୬୭ ଆଇନରେ କେବଳ ଜିଲ୍ଲାପାଳ ହିଁ ପତ୍ରିକାର ଘୋଷଣାକୁ ବାତିଲ କରିପାରିବେ, ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ପାଖରେ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ କିମ୍ବା ନିଲମ୍ବିତ କରିବାର ନିଜସ୍ୱ କ୍ଷମତା ନଥିଲା। ପିଆରପି ବିଲ୍ ୨୦୨୩ ରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ପଞ୍ଜୀକରଣ ପ୍ରମାଣପତ୍ରକୁ ସ୍ଥଗିତ/ବାତିଲ କରିବାର କ୍ଷମତା ଦିଆଯାଇଛି।
Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଆସନ୍ତାକାଲି, ୩ ଅକ୍ଟୋବର, ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳ ୯ଟା ୫ମିନିଟରେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ।

ପୂର୍ବାହ୍ନ ୧୧ଟା ବେଳେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନ ସାଢ଼େ ୩ଟା ସମୟରେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ।

ଅପରାହ୍ନ ୫ଟା ୧୫ ମିନିଟ୍ ସମୟରେ କଟକ ବିଷୁବ ମଣ୍ଡପ ଠାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରୀ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ସଂସଦରେ ପାଶ ହେଲା ନ୍ୟାସନାଲ ଆଣ୍ଟି-ଡୋପିଂ ବିଲ୍ ୨୦୨୨, ଜାଣନ୍ତୁ ଏଥିରେ ରହିଛି କଣ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଜାତୀୟ ଆଣ୍ଟି-ଡୋପିଂ ବିଲ୍‌, ୨୦୨୨ ପାସ୍ ହୋଇଛି। ଏହି ବିଲ୍ ଲୋକସଭାରେ ୧୭ ଡିସେମ୍ବର, ୨୦୨୧ ରେ ଉପସ୍ଥାପିତ ହୋଇଥିଲା ଏବଂ ସଂସଦୀୟ ସ୍ଥାୟୀ କମିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମିଳିଥିବା ପରାମର୍ଶ / ସୁପାରିଶ ଆଧାରରେ ପ୍ରସ୍ତାବିତ କିଛି ସରକାରୀ ସଂଶୋଧନ ସହିତ ୨୭ ଜୁଲାଇ, ୨୦୨୨ ରେ ପାରିତ ହୋଇଥିଲା।

ଏହା ୨୮ ଜୁଲାଇ, ୨୦୨୨ ରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। ଏହା ସହିତ ସଂସଦରେ ବିଲ୍ ପାରିତ ହୋଇଥିଲା। ବିଲ୍ ଉପରେ ହୋଇଥିବା ଆଲୋଚନାର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଯେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ସର୍ବସମ୍ମତି କ୍ରମେ ଏହି ବିଲକୁ ସମର୍ଥନ କରିଛନ୍ତି।

ବିଲ୍ ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି:

ଆଣ୍ଟି-ଡୋପିଂରେ ଅନୁଷ୍ଠାନିକ ଦକ୍ଷତା ଗଠନ ଏବଂ ପ୍ରମୁଖ କ୍ରୀଡା ପ୍ରତିଯୋଗୀତାଣ୍ଟଗୁଡିକର ଆୟୋଜନକୁ ସକ୍ଷମ କରିବା।

ସମସ୍ତ କ୍ରୀଡ଼ାବିତଙ୍କ ଅଧିକାରର ସୁରକ୍ଷା।

ଆଥଲେଟମାନଙ୍କୁ ସମୟ ସୀମା ମଧ୍ୟରେ ନ୍ୟାୟ ପ୍ରଦାନ କରିବା।

କ୍ରୀଡ଼ାରେ ଡୋପିଂ ମୁକାବିଲା କରିବାରେ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା।

ସ୍ୱଚ୍ଛତା ଭାବେ କ୍ରୀଡା ପାଇଁ ଆନ୍ତର୍ଜାତୀୟ ବାଧ୍ୟତାମୂଳକ ବ୍ୟବସ୍ଥା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୃଢ କରିବା।

ଆଣ୍ଟି-ଡୋପିଂ ବିଚାର ପାଇଁ ନିରପେକ୍ଷ ବ୍ୟବସ୍ଥା।

ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଏବଂ ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ (ଏନ୍‍ଡିଟିଏଲ୍‍) କୁ ଆଇନଗତ ମାନ୍ୟତା ପ୍ରଦାନ।

ଅଧିକ ଡୋପ୍ ଟେଷ୍ଟିଂ ପରୀକ୍ଷାଗାର ପ୍ରତିଷ୍ଠା କରିବା।

ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।

ଆଣ୍ଟି-ଡୋପିଂ ସମ୍ବନ୍ଧୀୟ ଆନୁଷ୍ଠାନିକ ଗବେଷଣା, ବିଜ୍ଞାନ ଏବଂ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି ଭାରତରେ କ୍ରୀଡା ପାଇଁ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ପାଇଁ ମାନକ ପ୍ରତିଷ୍ଠା।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଯେତେବେଳେ ଭାରତ ପ୍ରାୟ ବଛା ବଛା ୩୦ ଟି ଦେଶ ଗୋଷ୍ଠୀରେ ଯୋଗ ଦେଇଛି, ଯେଉଁମାନଙ୍କର ନିଜସ୍ୱ ଆଣ୍ଟି ଡୋପିଂ ଆଇନ ରହିଛି। ଏହି ଆଇନ୍ ପ୍ରସ୍ତୁତ କରିବା ବିଶ୍ୱକୁ ଏକ ଦୃଢ ବାର୍ତ୍ତା ପଠାଇବ ଯେ କ୍ରୀଡା, କ୍ରୀଡ଼ାବିତ ତଥା ଡୋପିଂ ମୁକାବିଲା ପାଇଁ ଭାରତ ଅତ୍ୟନ୍ତ ଗମ୍ଭୀର ଅଟେ। ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ ତଥା ପ୍ରସ୍ତୁତି ବେଳେ ନୂତନ ଆଇନ ସଚ୍ଚୋଟତା ଏବଂ ସର୍ବୋଚ୍ଚ ମାନ ସୁନିଶ୍ଚିତ କରିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହା କ୍ରୀଡ଼ା ପ୍ରତି ଆମର ପ୍ରତିବଦ୍ଧତାକୁ ଦୃଢ ଭାବରେ ପ୍ରତିଷ୍ଠିତ କରେ ବୋଲି ସେ କହିଛନ୍ତି।

ସଂସଦରେ ହୋଇଥିବା ଆଲୋଚନାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ନାଡା ପ୍ରଯୁକ୍ତିବିଦ୍ୟା ବ୍ୟବହାର ସହିତ ଡୋପିଂ ବିରୋଧୀ ଶିକ୍ଷା ତଥା ସଚେତନତା ସୃଷ୍ଟି ଲାଗି ଟୁଲକିଟ୍‍ ବିକଶିତ କରିଛି। ଡୋପିଂ ଏବଂ ଆନୁସଙ୍ଗିକ ଦିଗଗୁଡିକ ବିଷୟରେ ବିଦ୍ୟାଳୟ ସ୍ତରରୁ ସଚେତନତା ସୃଷ୍ଟି ଉପରେ ମଧ୍ୟ ଆମେ କାର‌୍ୟ୍ୟ କରୁଛୁ।

ଏହି ବିଲ୍ ପାରିତ ହେବା ଦେଶ ମଧ୍ୟରେ ଆଣ୍ଟି-ଡୋପିଂ ସହ ଜଡିତ ସଚେତନତା, ଶିକ୍ଷା ଏବଂ ଗବେଷଣା ସୁବିଧା ବୃଦ୍ଧି କରିବାରେ ସହାୟକ ହେବ। ଶ୍ରୀ ଅନୁରାଗ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏନ୍‍ଡିଟିଏଲ୍‍ ର କ୍ଷମତା ବୃଦ୍ଧି କରିଛୁ ଯାହା ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବ। ଏହି ବିଲ୍ ଦେଶରେ ଅଧିକ ଡୋପ୍ ଟେଷ୍ଟିଂ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ମଧ୍ୟ ରାସ୍ତା ପ୍ରସ୍ତୁତ କରିବ।

Categories
ବିଶେଷ ଖବର

ଆତ୍ମନିର୍ଭରଶୀଳ ଭାରତ ଯୋଜନା : ପ୍ରଥମ ଦିନରେ 5.9 ଲକ୍ଷ କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ମିଟ୍‌ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଘୋଷିତ ଏହି ଅର୍ଥରାଶି ସମ୍ପର୍କରେ ଆଜି ଘୋଷଣା କରାଯାଇଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍‌ ମିଟ୍‌ରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ସମୁଦାୟ 5.9 ଲକ୍ଷ କୋଟିର ପ୍ୟାକେଜ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଥମ ଦିନରେ ଏମ୍‌ଏସ୍‌ଏମ୍‌ଇ, ଇପିଏଫ୍‌, ଫାଇନାନ୍ସ, ବିଦ୍ୟୁତ୍‌ ଶିଳ୍ପ ଏବଂ ଆୟକରରେ ମିଳିବାକୁ ଥିବା ଫାଇଦା ସମ୍ପର୍କରେ ଘୋଷଣା କରାଯାଇଛି । ଏମଏସ୍‌ଏମ୍‌ଇ ପାଇଁ 3 ଲକ୍ଷ 70 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଇପିଏଫ୍‌ ଧାରକଙ୍କ ପାଇଁ 50 ହଜାର କୋଟି ଏବଂ ଫାଇନାନ୍ସ ଓ ଏନ୍‌ବିଏଫ୍‌ସି ପାଇଁ 30 ହଜାର କୋଟିର ଅର୍ଥରାଶି ଘୋଷଣା କରାଯାଇଛି । ବିଦ୍ୟୁତ୍‌ ଶିଳ୍ପ ପାଇଁ 90 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଆୟକରରେ 50 ହଜାର କୋଟିର ରିହାତି ସମ୍ପର୍କରେ ଘୋଷଣା କରାଯାଇଛି ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ସୁଧାର ପାଇଁ ସରକାର 6ଟି ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଟୋବର 31 ପର୍ଯ୍ୟନ୍ତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ବିନା କୌଣସି ଗ୍ୟାରେଣ୍ଟୀରେ 3 ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହି ଯୋଜନା 45 ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଲାଭବାନ ହେବ । 100 କୋଟିର ଟର୍ଣ୍ଣ ଓଭରର ଏମ୍‌ଏସ୍‌ଏମ୍‌ଇ କମ୍ପାନୀକୁ ମଧ୍ୟ ଋଣ ପ୍ରଦାନ ବ୍ୟବସ୍ଥାକୁ ସହଜ କରାଯାଇଛି । 4 ବର୍ଷ ପାଇଁ ଏହି ଋଣ ପ୍ରଦାନ କରାଯାଇଥିବା ବେଳେ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ଶୁଝିବାକୁ ପଡିବ ନାହିଁ । ଏନ୍‌ପିଏ ଦ୍ବାରା ପ୍ରପୀଡିତ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ 20 ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ନେଇ ନିର୍ମଳା ସୂଚନା ଦେଇଥିଲେ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ 50 ହଜାର କୋଟିର ଇକ୍ବିଟି ଫଣ୍ଡ ନେଇ ମଧ୍ୟ ଘୋଷଣା କରାଯାଇଛି । ସଫଳ ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ସଫଳତମ କରିବାରେ ଏହା ସହାୟକ ହେବ ବୋଲି ସୀତାରମଣ ପ୍ରକାଶ କରିଥିଲେ । ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ପରିଭାଷା ବଦଳା ଯାଇଛି । ପୂର୍ବରୁ 25 ଲକ୍ଷରୁ କମ୍‌ ନିବେଶକୁ କ୍ଷୁଦ୍ର ଶିଳ୍ପ ବର୍ଗରେ ରଖାଯାଇଥିବା ବେଳେ ଏହାକୁ 1 କୋଟିକୁ ବୃଦ୍ଧି କରାଯାଇଛି । 200 କୋଟିରୁ କମ୍‌ର ସରକାରୀ ଟେଣ୍ଡରକୁ ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ । କେବଳ ଭାରତୀୟ ଏମ୍‌ଏସ୍‌ଏମ୍‌ଇ ଏହି ଟେଣ୍ଡରରେ ଅଂଶଗ୍ରହଣ କରିବେ । ସେହିପରି କୋଭିଡ୍‌-19 ସମୟରେ ଦେଖାଯାଇଥିବା ସଙ୍କଟ କାରଣରୁ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନ୍‌ଲାଇନ୍‌ କରାଯିବ । ସେହିପରି ଏହି ଶିଳ୍ପରେ ବକେୟା ରହିଥିବା ସରକାରୀ ରାଶି ଆସନ୍ତା 45 ଦିନ ମଧ୍ୟରେ ପ୍ରଦାନ କରାଯିବ ।

ଲକ୍‌ଡାଉନ୍‌ କାରଣରୁ ଦେଶରେ ସମସ୍ତଙ୍କ ବେତନ ଉପରେ ଏହାର ପ୍ରଭାବ ପଡିବାକୁ ଯାଇଛି । ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ କମ୍ପାନୀକୁ 12 ପ୍ରତିଶତ ଇପିଏଫ୍‌ ରାଶି ପ୍ରଦାନ କରାଯାଉଥିବା ବେଳେ ସରକାର ଏହାକୁ 10 ପ୍ରତିଶତକୁ ହ୍ରାସ କରିଛନ୍ତି । ବଳକା ରାଶି ସରକାର ପ୍ରଦାନ କରିବେ । ଏହି ଯୋଜନାରେ ସରକାର 6750 କୋଟିର ସହାୟତା ଘୋଷଣା କରାଯାଇଛି ଏବଂ ଏହା ଦ୍ବାରା କର୍ମଚାରୀଙ୍କ ହାତକୁ ଅଧିକ ଦରମା ଆସିବ । 15 ହଜାରରୁ କମ୍‌ ବେତନ ପାଉଥିବା କର୍ମଚାରୀଙ୍କୁ ସରକାର ଏହି ଯୋଜନାରେ ସାମିଲ କରିଥିବା ବେଳେ ପିଏସ୍‌ୟୁ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । 72 ଲକ୍ଷ କର୍ମଚାରୀ ଏହାଦ୍ବାରା ଲାଭବାନ ହେବ । ଏନ୍‌ବିଏଫ୍‌ସି, ହାଉସିଂ ଏବଂ ଫାଇନାନ୍ସ କ୍ଷେତ୍ର ପାଇଁ 30 ହଜାର କୋଟିର ଋଣ ଘୋଷଣା କରାଯାଇଛି ।

ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ସେବାକୁ ନିଃଶୁଳ୍କ କରାଯାଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ପଡିବାକୁ ଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ 90 ହଜାର କୋଟିର ନିବେଶର ବ୍ୟବସ୍ଥା କରାଯାଇଛି । ସେହିପରି ଦେଶ ବ୍ୟାପୀ ସମସ୍ତ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯାଇଛି । ପ୍ରାୟ 6 ମାସ ପର୍ଯ୍ୟନ୍ତ ବିଭିନ୍ନ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯିବ । ଏହା ସହିତ ଠିକାଦାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟୀ ଅର୍ଥକୁ ଆଂଶିକ ଭାବରେ ଫେରସ୍ତ କରାଯିବ ଯାହାଦ୍ବାରା ଠିକାଦାରଙ୍କ ନିକଟରେ ଆବଶ୍ୟକୀୟ ଅର୍ଥ ରହିବ । ସେହିପରି କୋଭିଡ୍‌-19 ପ୍ରଭାବରେ ରିଅଲ୍‌ ଇଷ୍ଟେଟ୍‌ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସମସ୍ତ ପଞ୍ଜୀକରଣକୁ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆୟକରରେ ସାଧାରଣ ଲୋକଙ୍କୁ 25 ପ୍ରତିଶତର ରିହାତି ପ୍ରଦାନ କରାଯାଇଛି । ବେତନଧାରୀ ଏବଂ ଅଣବେତନଧାରୀ ଏଥିରୁ ଲାଭବାନ ହୋଇପାରିବେ । ଏହାଦ୍ବାରା ସାଧାରଣ ଜନତାଙ୍କୁ 50 ହଜାର କୋଟିର ଲାଭ ମିଳିବ ବୋଲି କୁହାଯାଇଛି । ସେହିପରି ଆୟକର ଦାଖଲର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ସେପ୍ଟେମ୍ବର 13 ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ନଭେମ୍ବର 31କୁ ଘୁଞ୍ଚାଇ ଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଇପିଏଫ୍‌ ଧାରକଙ୍କ ପାଇଁ ରିହାତି : 72 ଲକ୍ଷ କର୍ମଚାରୀଙ୍କ ଇପିଏଫ୍‌ ଜମା କରିବେ ସରକାର

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦେଶରେ ସମସ୍ତଙ୍କ ବେତନ ଉପରେ ଏହାର ପ୍ରଭାବ ପଡିବାକୁ ଯାଇଛି । ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ କମ୍ପାନୀକୁ 12 ପ୍ରତିଶତ ଇପିଏଫ୍‌ ରାଶି ପ୍ରଦାନ କରାଯାଉଥିବା ବେଳେ ସରକାର ଏହାକୁ 10 ପ୍ରତିଶତକୁ ହ୍ରାସ କରିଛନ୍ତି । ବଳକା ରାଶି ସରକାର ପ୍ରଦାନ କରିବେ । ଏହି ଯୋଜନାରେ ସରକାର 6750 କୋଟିର ସହାୟତା ଘୋଷଣା କରାଯାଇଛି ଏବଂ ଏହା ଦ୍ବାରା କର୍ମଚାରୀଙ୍କ ହାତକୁ ଅଧିକ ଦରମା ଆସିବ । 15 ହଜାରରୁ କମ୍‌ ବେତନ ପାଉଥିବା କର୍ମଚାରୀଙ୍କୁ ସରକାର ଏହି ଯୋଜନାରେ ସାମିଲ କରିଥିବା ବେଳେ ପିଏସ୍‌ୟୁ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । 72 ଲକ୍ଷ କର୍ମଚାରୀ ଏହାଦ୍ବାରା ଲାଭବାନ ହେବ । ଏନ୍‌ବିଏଫ୍‌ସି, ହାଉସିଂ ଏବଂ ଫାଇନାନ୍ସ କ୍ଷେତ୍ର ପାଇଁ 30 ହଜାର କୋଟିର ଋଣ ଘୋଷଣା କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନୁରାଗ ଠାକୁର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ ଶତ ପ୍ରତିଶତ ଏଫ୍‌ଡିଆଇକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶତ ପ୍ରତିଶତ ଏଫ୍‌ଡିଆଇ ଦ୍ବାରା ଭାରତୀୟ ଶିକ୍ଷାନୀତି ଏବଂ ଅର୍ଥନୀତି ପ୍ରଭାବିତ ହେବ କି ନାହିଁ ବୋଲି ପାତ୍ର ପ୍ରଶ୍ନ କଗରିଥିବା ବେଳେ ଅନୁରାଗ ଠାକୁର ଏହା ଉପରେ ଉତ୍ତର ରଖିଥିଲେ । ଭାରତୀୟ ଯୁବପିଢି ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହେବ ନାହିଁ । ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପୂଜାଅର୍ଚ୍ଚନା, ପାଠ କଲେ ହନୁମାନ ଚାଳିସା

ନୂଆଦିଲ୍ଲୀ, ଆଜି ସଂସଦରେ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଘରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ପ୍ରଥମେ ଘରେ ପୂଜା କରିବା ପରେ ନିକଟରେ ଥିବା ହନୁମାନ ମନ୍ଦିରକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଏକାକୀ ହନୁମାନଙ୍କ ସମ୍ମୁଖରେ ବସି ହନୁମାନ ଚାଳିସା ପାଠ କରିଥିଲେ। ଏହାପରେ ସେ କହିଛନ୍ତି ଯେ, ମୋଦୀ ସରକାର ହେଉଛନ୍ତି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ବାସ। ସେହି ଅନୁସାରେ କାମ କରିବାର ହେଉଛି ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ସାଧନ ପାଇଁ ଭଗବାନଙ୍କ ଆଶୀର୍ବାଦ ଆବଶ୍ୟକ। ଏହାପରେ ଅନୁରାଗ ଅର୍ଥମନ୍ତ୍ରଳାୟ ଯାଇ ବଜେଟ ପ୍ରସ୍ତୁତି ଉପରେ କାମ ଆରମ୍ଭ କରିଥିଲେ।

Categories
ବିଶେଷ ଖବର

ଗୁଳି ମାରିବା ପାଇଁ ରାସ୍ତାରେ ଚିତ୍କାର କରୁଥିବା ବିଜେପିର ଏ ରାଜନୀତି, ଭୀଷଣ, ଭୟଙ୍କର ଓ ଦେଶଦ୍ରୋହର ସବୁଠୁ ବଡ ନିଦର୍ଶନ

କେଦାର ମିଶ୍ର

ଶାସକ ଭାରତୀୟ ଜନତା ପାର୍ଟି ଆଜିକାଲି ଏକ ନୂଆ ସ୍ଲୋଗାନର ଆବିଷ୍କାର କରିଛି। ଏ ସ୍ଲୋଗାନ କୌଣସି ଭଦ୍ରଲୋକ ବା ସାମାନ୍ୟ ମାନବିକତା ଥିବା ଲୋକ ଶୁଣି ପାରିବ ନାହିଁ। “ଦେଶ କେ ଗଦ୍ଦାରୋଂ କୋ, ଗୋଲି ମାରୋ ….କୋ”- ଏହା କୌଣସି ପକେଟମାର ବା ବଟି ଆଦାଯ କରୁଥିବା ଚାରଣିଆ ଗୁଣ୍ଡାର ସ୍ଲୋଗାନ ନୁହେଁ, ଦିଲ୍ଲୀ ବିଧାନସଭା ନିର୍ବାଚନ ମଇଦାନରେ ଏହି ସ୍ଲୋଗାନ ଦେଉଥିବା ଲୋକେ ବିଜେପିର ପ୍ରାର୍ଥୀ ଓ କେହି କେହି କେନ୍ଦ୍ରମନ୍ତ୍ରୀ। ସମ୍ବିଧାନର ଶପଥ ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶ୍ରୀମୁଖକୁ ଅନୁସରଣ କରି ବିଜେପି କର୍ମୀମାନେ ଏହି ସ୍ଲୋଗାନ ଘୋଷି ଚାଲୁଥିବାର ଦୃଶ୍ୟ ଭାରତୀୟ ରାଜନୀତିର ସବୁଠୁ ଅଶ୍ଳୀଳ ଓ ହିଂସ୍ର ବୋଲି କୁହା ଯାଇପାରେ।

ଏହା ପୂର୍ବରୁ ବିଜେପିର ଜନୈକ ବିଧାୟକ ପ୍ରାର୍ଥୀ କପିଲ ମିଶ୍ର ବଡ ଗର୍ବର ସହିତ ଏହି ସ୍ଲୋଗାନ ଦେଇ ଦେଇ ଶୋଭାଯାତ୍ରା କରୁଥିଲେ। (ଅବଶ୍ୟ କପିଲ ମିଶ୍ର ଜଣେ ଆଗଧାଡିର ଯୋକର, ଯିଏ ଆମ ଆଦମୀ ପାର୍ଟିରେ ଥିବାବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଠିକ ଏମିତି ସ୍ଲୋଗାନ ସବୁ ଦେଉଥିଲେ। ଏ ପ୍ରକାର ନେତାଙ୍କର ଚରିତ୍ର ହେଉଛି ସେମାନେ କାହାକୁ ବି କିଛି ବି କହି ଦେଇ ଖସି ଯାଇପାରିବେ।) ଏ ପ୍ରକାର ସ୍ଲୋଗାନ କପିଲ ମିଶ୍ର କି ଡିଏସ ବାଗ୍ଗା ଭଳି ନେତା ଦେଲେ, ସେମାନଙ୍କୁ ଘୃଣାର ବେପାରୀ କହି ଆଡେଇ ଦିଆ ଯାଇପାରିବ। ହେଲେ ଏ ସ୍ଲୋଗାନ ଯଦି ଜଣେ କେନ୍ଦ୍ରମନ୍ତ୍ରୀ ଦିଅନ୍ତି, ତାହେଲେ ତାର ସିଧାସଳଖ ଅର୍ଥ ହେବ, ସରକାର ଖୋଲାଖୋଲି ଏ ଦେଶର ହତ୍ୟା ଓ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବରେ ଅନୁରାଗ ଠାକୁର ସମ୍ବିଧାନର ଶପଥ ନେଇଛନ୍ତି। ତେଣୁ ସେ କହୁଥିବା ପ୍ରତ୍ୟେକ ବାକ୍ୟର ସାମ୍ବିଧାନିକ ଉତ୍ତରଦାୟିତ୍ଵ ରହିଛି। ଏ ପ୍ରକାର ଦାୟିତ୍ଵହୀନ ମନ୍ତବ୍ୟ ପାଇଁ ଯଦି ତାଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତା ହେଲେ ଆମକୁ ଭାବିନେବାକୁ ପଡିବ ଯେ ବିଜେପି ଦିଲ୍ଲୀରେ ହିଂସାକୁ ଆଧାର କରି ନିର୍ବାଚନ ଜିତିବା ପାଇଁ ଚାହୁଁଛି।

ଏହି ସ୍ଲୋଗାନକୁ ନେଇ ବିଜେପି ଭକ୍ତ ଓ ଟ୍ରୋଲ ମାନଙ୍କର ଚିରାଚରିତ ଯୁକ୍ତି ହେଉଛି, ଆମେ ଦେଶ ପାଇଁ ବିଶ୍ଵାସଘାତକତା କରୁଥିବା ଲୋକଙ୍କୁ ଗୁଳି ମାରିବାକୁ କହୁଛୁ। ତେବେ ଏହାର ଉତ୍ତର ହେଉଛି, ଦେଶର ବିଶ୍ଵାସଘାତକ କିଏ? ଯିଏ ବିଜେପିର ସମର୍ଥକ ନୁହେଁ ସେ ହିଁ ଦେଶଦ୍ରୋହୀ ବୋଲି କହିବାର ଅଧିକାର ବିଜେପିକୁ ଦେଇଛି କିଏ? ୨୦୧୪ ପୂର୍ବରୁ କଂଗ୍ରେସ ଯଦି ନିଜର ବିରୋଧୀଙ୍କୁ ଦେଶଦ୍ରୋହୀ ବୋଲି କହି ଗୁଳି ମାରିବାର ଅଭିଯାନ ଚଳାଇଥାନ୍ତା, ତାହେଲେ ବିଜେପି ଆଜି ରହିଥାନ୍ତା କି? ଗୋଟେ ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ଶାସକ ଦଳ ବିରୋଧୀ ମତ ପ୍ରତି ଏତେ ଅସହିଷ୍ଣୁ ହେବା କେବଳ ଗଣତନ୍ତ୍ର ବିରୋଧୀ ନୁହେଁ, ଏହା ମାନବିକତା ବିରୋଧୀ ମଧ୍ୟ। ଦେଶରେ ବାମପନ୍ଥୀ, ଦକ୍ଷିଣ ପନ୍ଥୀ ଓ ମାଧ୍ୟମ ପନ୍ଥୀ ଅଛନ୍ତି ଏବଂ ରହିବେ। ଗଣତନ୍ତ୍ରରେ ଏହି ବୈଚାରିକ ବିରୋଧ ହିଁ ଏହାର ଜୀବନିକା। ତାକୁ ଅସ୍ଵୀକାର କରିବା, ବିରୋଧୀ ମତକୁ ବିଶ୍ଵାସଘାତକତା ବୋଲି କହିବା ଭୀଷଣ ଚିନ୍ତାଜନକ।

ତେବେ ଏ ପ୍ରକାର ଭାଷାର ପ୍ରୟୋଗ କରୁଥିବା ରାଜନୈତିକ ଲୋକଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବା କିଏ? ନିର୍ବାଚନ ସମୟରେ ଏ ପ୍ରକାର ଭାଷା ବିରୋଧରେ କଡା କାର୍ୟାନୁଷ୍ଠାନ ନେବାର ଅଧିକାର ନିର୍ବାଚନ କମିଶନଙ୍କର ରହିଛି। ହେଲେ ନିର୍ବାଚନ କମିଶନ ଆମ ସମୟର ସବୁଠୁ ବଡ ଧୃତରାଷ୍ଟ୍ର। ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ଉତ୍ତେଜକ ଭାଷଣ ବିରୋଧରେ ପଡେ କହିବାର ସାହସ ନିର୍ବାଚନ କମିଶନ ଦେଖାଇ ନାହାନ୍ତି। ତେଣୁ ଆଜି ଯେ କମିଶନ କିଛି କହିବେ ବା କରିବେ, ସେ ଭରସା ଲୋକଙ୍କର ନାହିଁ।

ନବେ ଦଶକରେ ଦେଶର ସୁପ୍ରିମ କୋର୍ଟ ଅନେକ ମାମଲାକୁ ନିଜ ତରଫରୁ ବିଛାର ଲାଗି ଗ୍ରହଣ କରୁଥିଲେ। ସୁଓ ମଟୋ ବା ଆପଣା ଛାଏଁ ବିଭିନ୍ନ ସାଧାରଣ ସୂତ୍ରକୁ ବିଶ୍ଵାସ କରି ମାନ୍ୟବର ସୁପ୍ରିମ କୋର୍ଟ ଏହି ସବୁ ମାମଲାର ବିଚାର କରୁଥିଲେ। ଗତ ୬ ବର୍ଷ ଭିତରେ ସୁପ୍ରିମ କୋର୍ଟ ସେ ପ୍ରକାର ଆଭିମୁଖ୍ୟକୁ ପ୍ରତ୍ୟାହାର କରି ନେଇଥିବା ଭଳି ମନେ ହେଉଛି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସ୍ତରର ରାଜନେତାମାନେ ଯେତେବେଳେ ହିଂସା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି, ଏହି ପ୍ରସଙ୍ଗରେ ଅଦାଲତ ନିଜ ତରଫରୁ କାର୍ୟାନୁଷ୍ଠାନ ଗ୍ରହଣ କରିପାରିବେ କିମ୍ବା ଏ ସମ୍ପର୍କରେ କଠୋର ହେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ ପାରିବେ। ଗତ ଦୁଇମାସ ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏମିତି କିଛି ବକ୍ତବ୍ୟ ରଖିଛନ୍ତି ଯାହାକି ସିଧାସଳଖ ସମ୍ବିଧାନର ବିରୋଧ କରୁଛି। “ପ୍ରତିଶୋଧ” ନେବା ଭଳି ଶବ୍ଦ ଜଣେ ସାମ୍ବିଧାନିକ ପଦାଧିକାରୀ ବ୍ୟବହାର କରି ପାରିବେ ନାହିଁ, ଏକଥା ଅଦାଲତ ହିଁ ମୁଖ୍ୟମନ୍ତ୍ରୀଙ୍କୁ କହି ପାରିବେ। ହେଲେ ଅଦାଲତ ସେ କଥା କହିବାକୁ ଚାହୁଁ ଥିବାର ଆମେ ଦେଖୁନାହୁଁ।

ଆଜି ରାଜନୀତି ଓ ଭୋଟ ପ୍ରଚାରରେ ଖୋଲାଖୋଲି ଏ ଯେଉଁ ହିଂସ୍ର ଭାଷାର ପ୍ରୟୋଗ ହେଉଛି, ଏଥିଲାଗି କେଉଁଠି ନା କେଉଁଠି ନିର୍ବାଚନ କମିଶନ ଓ ଦେଶର ସର୍ବୋଚ୍ଚ ଅଦାଲତ ଉତ୍ତରଦାୟୀ ରହିବାକୁ ବାଧ୍ୟ ହେବେ!!

Categories
ଆଜିର ଖବର ଜାତୀୟ ଖବର

ପ୍ରବେଶ ବର୍ମା ଏବଂ ଅନୁରାଗ ଠାକୁରଙ୍କ ବିରୋଧରେ ରିପୋର୍ଟ ଦାଖଲ କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରିପୋର୍ଟ ଦାଖଲ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ବର୍ମା ଶାହିନ୍‌ବାଗ୍‌କୁ ନେଇ ଏକ ଧାର୍ମିକ ଟ୍ବିଟ୍‌ କରିଥିଲେ । ଉଭୟଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନର ଅଭିଯୋଗ ଆସିଥିବାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ କମିଶନର ଏହାକୁ ନେଇ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । (ଏଜେନ୍ସୀ)