Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନର 11ଟି ଜିଲ୍ଲାରେ 144 ଧାରା ଜାରି

ଜୟପୁର:  କରୋନାର ବ୍ୟାପକ ସଂକ୍ରମଣକୁ ନଜରରେ ରଖି ରାଜସ୍ଥାନ ସରକାର 11ଟି ଜିଲ୍ଳାର ଜିଲ୍ଲା ମୁଖ୍ୟାଳୟର ସର୍ବସାଧାରଣ ସ୍ଥଳଗୁଡିକରେ ଧାରା 144 ଜାରି କରିଛନ୍ତି । ଏହି ସ୍ଥାନଗୁଡିକରେ 5 ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଟଙ୍କ ଅଧ୍ୟକ୍ଷତାରେ ଶନିବାର ରାତ୍ରିରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କରୋନା ସଂକ୍ରମଣର ଗମ୍ଭୀର ସ୍ଥିତିକୁ ଦେଖି ଜୟପୁର, ଯୋଧପୁର, କୋଟା, ଆଜମେର, ଅଲବର୍‌, ଭୀଲଓ୍ବାଡା, ବିକାନେର୍‌, ଉଦୟପୁର, ସିକର, ପାଲୀ ଓ ନାଗୌର୍‌ ଆଦି ଜିଲ୍ଲା ମୁଖ୍ୟାଳୟ ଥିବା ସହରରେ ସର୍ବସାଧାରଣ ସ୍ଥାନଗୁଡିକରେ 144 ଧାରା ଜାରି କରାଯାଇଛି । ଏଠାରେ ପାଞ୍ଚ ଜଣ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।

ସେହିପରି ସାର୍ବଜନିକ ସ୍ଥାନଗୁଡିକରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ସାମାଜିକ ଦୂରତ୍ବକୁ ମଧ୍ୟ କଡାକଡି କରାଯାଇଛି । ଏହି ସମସ୍ତ ସ୍ଥାନଗୁଡିକରେ କୋଭିଡ୍‌ ନିୟମକୁ କଡାକଡି ପାଳନ ପାଇଁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଦେଶ ଜାରି କରାଯାଇଛି ।

ସେହିପରି ରାଜ୍ୟରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ  ଆୟୋଜନ ଉପରେ ଜାରି ହୋଇଥିବା ପ୍ରତିବନ୍ଧକକୁ ଆସନ୍ତା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ସରକାରୀ ବୟାନ ଅନୁସାରେ ଅନ୍ତିମ ସଂସ୍କାରରେ କେବଳ 20 ଜଣଙ୍କ ସମାବେଶ ହୋଇପାରିବ ସେହିପରି ବାହାଘରରେ ପୂର୍ବବତ୍‌ 50 ଜଣ ସାମିଲ୍‌କୁ ଅନୁମତି ରହିଛି । ମାତ୍ର ଏଥିପାଇଁ ସ୍ଥାନୀୟ ଉପଖଣ୍ଡଙ୍କୁ ପୂର୍ବରୁ ସୂଚନା ଦେବାକୁ ପଡିବ ବୋଲି ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କୁ ବଜାର, କାର୍ଯ୍ୟାଳୟ, ସର୍ବସାଧାରଣ ପରିବହନ, ପର୍ଯ୍ୟଟନସ୍ଥଳ ଆଦି ସ୍ଥାନରେ ‘ନୋ ମାସ୍କ, ନୋ ଏଣ୍ଟ୍ରି’ର ସଂକଳ୍ପକୁ ପାଳନ କରିବା ଉଚିତ୍ । ସେହିପରି କୌଣସି ଜିଲ୍ଲାରେ ଅକ୍ସିଜେନ୍‌ ବେଡ୍‌, ଆଇସିୟୁ ବେଡ୍‌ ତଥା ଭେଣ୍ଟିଲେଟର ପରି ଜୀବନ ରକ୍ଷକ ଉପକରଣର ଅଭାବ ନାହିଁ । ଏହି ସମ୍ବନ୍ଧରେ ଯଦି କୌଣସି ଭ୍ରମାତ୍ମକ ସୂଚନା ପ୍ରସାରିତ ହୋଇଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସେହିପରି ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବର ସଠିକ୍‌ ପାଳନ କରିବା ସହିତ ସ୍ବାସ୍ଥ୍ୟ ନିୟମକୁ କଡାକଡି ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)