Categories
ଆଜିର ଖବର

ମମତାଙ୍କ ଶିବିର ଛାଡ଼ି ମୋଦିଙ୍କ କ୍ୟାମ୍ପ୍‌ରେ ବିଧାୟକ ଅର୍ଜୁନ ସିଂହ

୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଟିକେଟ୍‌ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ହୋଇ ବିଧାୟକ ଅର୍ଜୁନ ସିଂହ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅର୍ଜୁନ ସିଂହ ଭାଟାପରା ଆସନରେ ଲଢି ବିଧାୟକ ହୋଇଥିଲେ। ଏବେ ସେ ଲୋକସଭା ଆସନରୁ ବିଜେପି ପାଇଁ ଲଢିବେ।  ଏହା ପୂର୍ବରୁ ପଶ୍ଚିମବଙ୍ଗର ବୋଲପୁର ଟିଏମସି  ସାଂସଦ ଅନୁପମ ହାଜରା ଗତ ମଙ୍ଗଳବାର ଦିନ ବିଜେପି ସହ ହାତ ମିଶାଇଥିଲେ। ଦଳ ତାଙ୍କୁ ଜାନୁଆରୀ ମାସରେ ନିଲମ୍ବିତ କରିଥିଲା। ହାଜରାଙ୍କ ଉପରେ ଦଳ ବିରୋଧରେ ବୟାନ ଦେଉଥିବା  ଅଭିଯୋଗ ରହିଥିଲା। ପଶ୍ଚିମବଙ୍ଗରେ ବିଜେପି ଅଧିକରୁ ଅଧିକ ଆସନ ହାତେଇବାକୁ ଚେଷ୍ଟା ଜାରି ରଖିଛି। ସେଥିପାଇଁ ବିଜେପି କିଛି ଟିଏମ୍‌ସି ନେତାଙ୍କୁ  ଆଣିବାକୁ ଯୋଜନା କରୁଛି। ଏହି ସମୟରେ ଟିଏମ୍‌ସିର ଦୁଇଜଣ ନେତା ବିଜେପିରେ ଯୋଗଦେଇ ଟିଏମ୍‌ସିକୁ ଝଟ୍‌କା ଦେଇଛନ୍ତି।  ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ  ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।  ରାଜ୍ୟରେ ନିରପେକ୍ଷ  ନିର୍ବାଚନ ପାଇଁ  ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିବା ସହିତ ସୋସିଆଲ୍‌ ମିଡ଼ିଆ ଉପରେ  ମଧ୍ୟ କଡ଼ା ନଜର  ରଖିଛନ୍ତି।