ନୂଆଦିଲ୍ଲୀ,01/01 : ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା କାଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ପାକିସ୍ତାନ ଆତଙ୍କବାଦକୁ ମାଧ୍ୟମ ଭାବରେ ବାଛିଥିବା ବେଳେ ଧାରା 370 ଉଚ୍ଛେଦ ଆତଙ୍କବାଦ ମୁକାବିଲାର ଏକ ସଫଳ ସଫଳ ମାଧ୍ୟମ ସାବ୍ୟସ୍ତ ହୋଇଛି । ଉଲ୍ଳେଖଯୋଗ୍ୟ ଯେ, ଭାରତର 28 ତମ ସ୍ଥଳସେନା ମୁଖ୍ୟ ଭାବରେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିବା ପରେ ଏହି ମତ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
Tag: article370
ସମୀକ୍ଷା ବ୍ୟୁରୋ
ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏହି ବର୍ଷ ଅନେକ ଘଟଣା ଦେଶରେ ଚହଳ ପକାଇଥିଲା । ରାଜନୀତିଠାରୁ ଆରମ୍ଭ କରି ଉନ୍ନାଓ ଓ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ, ଏନକାଉଣ୍ଟର ଓ ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସ ପରି ଘଟଣା ବେଶ୍ ଚର୍ଚ୍ଚାରେ ରହିଥିଲା। ସେହିପରି କୋର୍ଟଙ୍କର ମଧ୍ୟ କିଛି ଐତିହାସିକ ରାୟ ବର୍ଷ ସାରା ଦେଶର ମାହୋଲ୍କୁ ଚଳଚଞ୍ଚଳ କରି ରଖିଥିଲା । ୨୦୨୦କୁ ସ୍ବାଗତ କରିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଚଳିତ ବର୍ଷର କିଛି ପ୍ରମୁଖ ଘଟଣାବଳୀ ଉପରେ….
ଫୁଲଓ୍ବାମା ଆକ୍ରମଣ
ବର୍ଷର ଦ୍ବିତୀୟ ମାସ ଅର୍ଥାତ୍ ଫେବୃଆରୀ ମାସରେ ହୋଇଥିଲା ଫୁଲ୍ଓ୍ବାମା ଆକ୍ରମଣ। ଫେବ୍ରୁଆରି ୧୪ ରେ ପ୍ରାୟ ଦିନ ୩ ଟା ୧୫ ମିନିଟ ରେ ଜମ୍ମୁ କାଶ୍ମୀର ହାଇୱେ ସି ଆର ପି ଏଫ ଯବାନ ମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରକୁ ଜୈଶ- ଏ ମହମ୍ମଦ ସମର୍ଥିତ ଆତଙ୍କବାଦୀ ସଂସ୍ଥାର ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୪୦ ଜଣ ଯବାନ ସହିଦ ହୋଇଥିଲେ ।
ବାଲାକୋଟ୍ ଏୟାରଷ୍ଟ୍ରାଇକ୍
ଫୁଲଓ୍ବାମା ଆକ୍ରମଣ ପରେ ଏହାକୁ ନେଇ ସାରା ଭାରତରେ ପ୍ରତିଶୋଧର ନିଆଁ ଜଳୁଥିଲା। ପାକିସ୍ତାନ କୁ ପାନେ ଦେବାର ଲକ୍ଷ୍ୟ ଫୁଲଓ୍ବାମା ଘଟଣାର ୧୨ ଦିନ ପରେ ଫେବୃଆରି ୨୬ ରେ ପାକିସ୍ତାନ ର ବାଲାକୋଟ ରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଦ୍ଵାରା ଅତର୍କିତ ଆକ୍ରମଣ କରାଯାଇଥିଲା । ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଫେବୃଆରି ୨୭ ରେ ପାକିସ୍ତାନ ଭାରତୀୟ ବାୟୁସୀମା କୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହି ଉଦ୍ୟମ କୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନ ର ଏକ ଫାଇଟର ଜେଟ ଏଫ ୧୬ କୁ ଗୁଳିମାରୀ ଖସାଇ ଦେବା ସହ ପିଛା କରି ପାକିସ୍ତାନ ମଧ୍ୟରେ ଖସି ପଡିଥିଲେ । ପରେ ମୋଦୀଙ୍କ କୂଟନୀତି ଆଗରେ ପାକିସ୍ତାନ ରେ ଥିବା ଇମରାନ ସରକାର ହାର ମାନି ଥିଲା ଏବଂ ଅଭିନନ୍ଦନଙ୍କୁ ସସମ୍ମାନେ ଫେରାଇ ଦେଇଥିଲା ।
ସିବିଆଇ କଳି
୨୦୧୮ ମସିହା ଅକ୍ଟୋବର ରୁ ଦୁଇ ସିବିଆଇ ମୁଖ୍ୟ ଙ୍କ ମଧ୍ୟରେ ବଦଳିକୁ ନେଇ ସିବିଆଇ ମଧ୍ୟରେ ଗଣ୍ଡୋଗୋଳର ସୂତ୍ରପାତ ହୋଇଥିଲା । ସିବିଆଇର ମୁଖ୍ୟ ଓ ଉପମୁଖ୍ୟଙ୍କ ମଧ୍ୟରେ ଚାଲିଥିବା ସିବିଆଇ ବନାମ ସିବିଆଇ ଲଢ଼େଇ ପରେ ସରକାର ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଉପମୁଖ୍ୟ ରାକେଶ ଆସ୍ଥାନାଙ୍କୁ ରାତି ଅଧିଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ସରକାର ନିର୍ଦ୍ଦେଶ ଦେବା ସହ ଯୁଗ୍ମ ନିର୍ଦ୍ଦେଶକ ଥିବା ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଅବସ୍ଥାପିତ କରାଇଥିଲେ । ପରେ ସିବିଆଇ ମୁଖ୍ୟଙ୍କ ଆଲୋକ ବର୍ମା ତାଙ୍କ କାର୍ଯ୍ୟ କାଳ ସରିଯାଇଥିବା ଦର୍ଶାଇ ସେ ଇସ୍ତଫା ଦେଇଥିଲେ । ତେବେ ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ଭାବେ ଋଷି କୁମାର ଶୁକ୍ଲାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।
ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ପାଳି
ମୋଦୀଙ୍କ ନେତୃତ୍ଵରେ ୨୦୧୪ ରେ ପ୍ରଥମେ ବିଜେପି ଅନ୍ୟ ସହଯୋଗୀ ଦଳଙ୍କ ସହାୟତାରେ କ୍ଷମତାକୁ ଆସିଥିଲା । ତେବେ ଚଳିତଥର ରେକର୍ଡ ସଂଖ୍ୟକ ଆସନ ଅଧିକାର କରି ବିଜେପି ପୁନର୍ବାର କ୍ଷମତାକୁ ଆସିଥିଲା । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ 303 ଆସନ ଅକ୍ତିଆର କରି ଇତିହାସ ରଚିଥିଲା । ତେବେ ବିଜେପି ଲୋକସଭା ନିର୍ବାଚନରେ ବହୁ ବରିଷ୍ଠଙ୍କ ଟିକେଟ କାଟିଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଲାଲକୃଷ୍ଣ ଆଡଭାନୀ, ସୁମିତ୍ରା ମହାଜନ, ମୁରଲୀମନୋହର ଯୋଶୀଙ୍କ ପରି ବହୁ ତୁଙ୍ଗ ବିଜେପି ନେତୃବୃନ୍ଦ । ସେହିପରି ଚଳିତଥର ବିଜେପିର ସଭାପତି ଥିବା ଅମିତ୍ ଶାହା ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍ କରି ଗୃହମନ୍ତ୍ରୀ ହୋଇଛନ୍ତି ।
କଂଗ୍ରେସର ଅଧ୍ୟକ୍ଷ ପଦରୁ ରାହୁଲ୍ଙ୍କ ଇସ୍ତଫା
ଚଳିତ ଲୋକସଭାରେ କଂଗ୍ରେସର ବିଫଳତା ପଦରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ୍ ଗାନ୍ଧି । ଦଳର ପରାଜୟକୁ ନେଇ ସେ ଏପରି ନିଷ୍ପତ୍ତି ନେଇଥିଲେ। ଏବେ କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧି ଦାୟିତ୍ବ ସମ୍ଭାଳୁଛନ୍ତି। ସେହିପରି ଚଳିତ ବର୍ଷ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ କଂଗ୍ରେସର ମହାସଚିବ ପଦରେ ଅଭିଷିକ୍ତ ହୋଇଛନ୍ତି ।
ତ୍ରିପଲ୍ ତଲାକ୍ ବିଲ୍କୁ ମିଳିଲା ମଞ୍ଜୁରୀ
ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ତ୍ରିପଲ୍ ତଲାକ୍ ବିଲ୍କୁ ମିଳିଲା ମଞ୍ଜୁରୀ । ଏହି ବିଲ୍ ଆଇନରେ ପରିଣତ ହେଲା । ଏହି ଆଇନ୍ ଅନୁସାରେ ଇନ୍ଷ୍ଟାଣ୍ଟ ଟ୍ରିପଲ ତଲାକ ଏକ ଦଣ୍ଡନୀୟ ଅପରାଧ । ଯେଉଁଥିରେ ପୋଲିସ ଅଭିଯୁକ୍ତକୁ ବିନା ୱାରେଣ୍ଟରେ ଗିରଫ କରି ପାରିବ । ଏ କ୍ଷେତ୍ରରେ ଅଭିଯୁକ୍ତ ତିନି ବର୍ଷ ଯାଏ ଜେଲ ଦଣ୍ଡ ସହ ଫାଇନ ଦେବାକୁ ପଡିବ । ଟ୍ରିପଲ ତଲାକର ପୀଡ଼ିତା ମହିଳା କିମ୍ବା ତାଙ୍କ ରକ୍ତ ସମ୍ପର୍କୀୟ ଅଭିଯୋଗ ଆଣିଲେ ହିଁ ଏହା ଦଣ୍ଡନୀୟ ଶ୍ରେଣୀରେ ଆସିବ ।
ଅଯୋଧ୍ୟା ବିବାଦର ସମାଧାନ
ପ୍ରାୟ ୪୦୦ ବର୍ଷ ଧରି ଅଯୋଧ୍ୟା କୁ ନେଇ ହିନ୍ଦୁ ମୁସଲିମ୍ ମଧ୍ୟରେ ଲାଗି ରହିଥିବା ବହୁ ଚର୍ଚ୍ଚିତ ଜମି ବିବାଦର ଯବନିକା ପଡିଥିଲା। ସେତେବେଳର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଙ୍କ ଅଧ୍ୟକ୍ଷତା ରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲା ର ନିୟମିତ ଶୁଣାଣି କରିଥିଲେ । ଉଭୟ ପକ୍ଷର ଦଲିଲ ଶୁଣିବା ପରେ ପ୍ରତ୍ନତତ୍ଵ ବିଭାଗର ପ୍ରମାଣ କୁ ଆଧାର କରି ଧାରା ୧୪୨ କୁ ବିନିଯୋଗ କରି ସମୁଦାୟ ୨.୭୭ ଏକର ଜାଗା କୁ ହିନ୍ଦୁ ପକ୍ଷକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଯୋଧ୍ୟା ଭିତରେ ୫ ଏକର ଜାଗା ମୁସଲିମ୍ ପକ୍ଷ କୁ ଦେବା କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ପକ୍ଷ କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିବାଦର ଦୀର୍ଘ ସମୟ ଧରି ଶୁଣାଣି ହେବା ସହ ଏକ ରେକର୍ଡ ସୃଷ୍ଟି କରିଥିଲା ।
ସାବରିମାଳା ବିବାଦ
ସବାରିମାଳା ମନ୍ଦିର ରେ ବହୁ ବର୍ଷ ଧରି ୧୦ ବର୍ଷ ରୁ ୫୦ ବର୍ଷ ବୟସ୍କ ମହିଳାଙ୍କର ପ୍ରବେଶ ନିଷେଧ ରହିଥିଲା। ଏହି ମାମଲା ର ଶୁଣାଣି ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କରିଥିଲେ । ଏଥିରେ ୩ : ୨ ଭିତ୍ତି ରେ ବିଚାର ହୋଇଥିଲା । ଏଥିରେ ମହିଳାଙ୍କ ପ୍ରବେଶ କୁ ନେଇ ଥିବା ନିଷେଧଜ୍ଞା କୁ କୋର୍ଟ ଉଠାଇ ଦେଇଥିଲେ । ଏହା ପରେ କେରଲ ରେ ସର୍ବ ବୃହତ ମାନବ ଶ୍ରୁଙ୍ଖଳ କରା ଯାଇ ସପକ୍ଷ ବାଦି ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏହି ରାୟ ବିରୋଧ ରେ ଏକ ରିଭିଉ ପିଟିସନ ଦାୟର ହୋଇଥିଲା । ଏହି ପିଟିସନ ସେତେବେଳ ର ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ଙ୍କ ଅଧ୍ୟକ୍ଷତା ରେ ଶୁଣାଣି ହୋଇଥିଲା । ଏହି ମାମଲା ର ଜଟିଳତା କୁ ଲକ୍ଷ କରି ବିଚାରପତି ଉକ୍ତ ମାମଲା କୁ ଏକ ସାତ ଜଣିଆ ଖଣ୍ଡପୀଠ ରେ ଶୁଣାଣି କରିବାକୁ ସୁପାରିଶ କରିଛନ୍ତି ।
ଆତଙ୍କ ନିରୋଧୀ ବିଲ୍ ସଂଶୋଧନ
ଚଳିତ ବର୍ଷ ଆତଙ୍କବାଦ ନିରୋଧୀ ବିଲ୍ ସଂଶୋଧନ ମଧ୍ୟ ପାସ୍ ହୋଇଛି । ଏହି ବିଲ୍ରେ ଆତଙ୍କବାଦୀର ସଂଜ୍ଞାକୁ ଆହୁରି ବ୍ୟାପକ କରାଯାଇଛି । ସଂସ୍ଥା ସହ ଲିଙ୍କ୍ ନଥିଲେ ବି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଇପାରିବ।
ଅନୁଚ୍ଛେଦ ୩୭୦ ର ପ୍ରତ୍ୟାହାର
କେନ୍ଦ୍ର ସରକାର ଚଳିତ ବର୍ଷ ଐତିହାସିକ ନିଷ୍ପତ୍ତି ମଧ୍ୟରେ ରହିଥିଲା ଧାରା ୩୭୦ର ଉଚ୍ଛେଦ । ଅଗଷ୍ଟ 5 ତାରିଖରେ ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ କରିଥିଲେ । ଏହା ପରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର୍ୟ ରାଜ୍ୟ ରୂପେ ନୁହେଁ ବରଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ପାଇଛି । ଗୃହମନ୍ତ୍ରୀ ଅମିତ ଶାହ ଙ୍କ ଅଧ୍ୟକ୍ଷତା ରେ ଅଗଷ୍ଟ ୫ ୨୦୧୯ ରେ ସଂସଦ ର ଉଭୟ ସଦନ ରେ ବିଲ ପାରିତ ହୋଇ ଜାମୁ ଏବଂ କାଶ୍ମୀ କୁ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ର ମାନ୍ୟତା ଦିଆଯିବା ସହ ସ୍ବତନ୍ତ୍ର ରାଜ୍ୟର ମାନ୍ୟତାକୁ ପ୍ରତ୍ୟାହାର କରି ଦିଆଗଲା । ଏହା ଯୋଗୁଁ ଭାରତ ମାନଚିତ୍ରରେ ପରିବର୍ତ୍ତନ ହେଲା ।
ଉନ୍ନାଓ ମାମଲା
ଏହି ମାମଲା ସାରା ଭାରତରେ ଚହଳ ପକାଇଥିଲା । ଜଣେ ବିଜେପି ବିଧାୟକ ଙ୍କ ସହ ଜଣେ ନାବାଳିକା ର ସମ୍ପର୍କ ରୁ ଆରମ୍ଭ ହୁଏ ଏହି ଘଟଣା । ପରେ ୪ ଜୁନ ୨୦୧୭ ରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ ହୁଏ । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତାଙ୍କୁ ଦୀର୍ଘ ଦୁଇ ବର୍ଷ ପରେ ନ୍ୟାୟ ମିଳିଲା। ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଏହି ମାମଲାର ଦଣ୍ଡଶୁଣାଣି କରି ଦୋଷୀସାବ୍ୟସ୍ତ ସେଙ୍ଗାରଙ୍କୁ ଆଜୀବନ ଜେଲ୍ ସହ ୨୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ଗତ ଡିସେମ୍ବର ୧୬ ତାରିଖରେ ଆଇପିସିର ଧାରା ୩୭୬ ଏବଂ ପୋକ୍ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ କୋର୍ଟ ସେଙ୍ଗରଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ।
ହାଇଦ୍ରାବାଦ ପଶୁ ଡାକ୍ତରାଣୀ ହତ୍ୟା ମାମଲା
ନଭେମ୍ବର ୨୮ ରେ ଘଟିଥିବା ଏହି ଘଟଣାଟିକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ଵର ଉଠିଥିଲା ଏବଂ ନାରୀ ସୁରକ୍ଷା ପ୍ରତି ସରକାରଙ୍କୁ ସାଧାରଣ ଲୋକଙ୍କ ଅଙ୍ଗୁଳି ଉଠିଥିଲା। ଏହି ଘଟଣା ଘଟିବାର ଦୁଇ ଦିନ ମଧ୍ୟରେ ପୋଲିସ ଉକ୍ତ ବର୍ବୋରୋଚିତ କାଣ୍ଡ ରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ହେପାଜତ ରେ ଥାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ସେମାନେ ଘଟଣା ଘଟାଇଥିବା ଜାଗାକୁ ସେମାନଙ୍କୁ ନିଆ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହେବାରୁ ଘଟଣା ସ୍ଥଳରେ ସମ୍ପ୍ୟକ୍ତ ଚାରି ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଉକ୍ତ ଗୁଳିକାଣ୍ଡରେ ସମ୍ପୃକ୍ତ ପୋଲିସ ଅଧିକୃଙ୍କ ଉପରେ ଏକ ମାମଲା ଦାୟର ହେବା ସହ ଏକ ଏସଆଇଟି ଗଠନ ହୋଇଛି ।
ମୋଟର ଯାନ ସଂଶୋଧନ ଆଇନ
ଚଳିତ ବର୍ଷ କେନ୍ଦ୍ର ସରକାର ମୋଟର ଯାନ ଆଇନକୁ ବେଶ୍ କଡାକଡି କରିଛନ୍ତି । ନୂତନ ସଂଶୋଧିତ ମୋଟର ଯାନ ଆଇନରେ ଜରିମାନା ଅର୍ଥକୁ ଅହେତୁକ ବୃଦ୍ଧି କରାଯାଇଛି । ଏହି ନିୟମରେ ନାବାଳକ ଗାଡି ଚାଳନା ପାଇଁ ଅଭିଭାବକଙ୍କୁ ଦଣ୍ଡ ଦେବାର ପ୍ରାବଧାନ ରହିଛି । ସେହିପରି ମଦ ପିଇ ଗାଡିଚାଳନା, ସ୍ପିଡ୍ ଲିମିଟ୍, ଲାଇସେନ୍ସ ଆଦି କ୍ଷେତ୍ରରେ ମଧ୍ୟ ଜରିମାନା ଅର୍ଥକୁ ବୃଦ୍ଧି କରାଯାଇଛି ।
ଦୀର୍ଘ ବର୍ଷର ମିତ୍ରତାରେ ସୃଷ୍ଟି ହେଲା ଫାଟ
ଚଳିତ ବର୍ଷ ବିଜେପି – ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦୁହେଁ 25 ବର୍ଷର ସମ୍ପର୍କକୁ ଭାଙ୍ଗିଛନ୍ତି । ମହାରାଷ୍ଟ୍ରରେ ବିଜେପି-ଶିବସେନା ମିଳିତ ଭାବରେ ନିର୍ବାଚନ ଲଢି ମଧ୍ୟ ଦୁହେଁ ମେଣ୍ଟ ସରକାର ଗଢିବାରେ ଅସମର୍ଥ ହୋଇଥିଲେ । ଆସନ ବୁଝାମଣାକୁ ନେଇ ଦୁହିଁଙ୍କ ମେଣ୍ଟ ଭାଙ୍ଗିଯାଇଥିଲା । ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ଶିବସେନା କଂଗ୍ରସ ଓ ଏନ୍ସିପି ସହ ମିଶି ସରକାର ଗଠନ କଲା । ସେହିପରି ପ୍ରଥମ ଥର ପାଇଁ ଚଳିତ ବର୍ଷ ପ୍ରତ୍ୟକ୍ଷ ରାଜନୀତିରେ ଠାକ୍ରେ ପରିବାର ଅଂଶଗ୍ରହଣ କରି ବାଜିମାତ୍ କରିଛନ୍ତି । ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତାଙ୍କ ପୁତ୍ର ଆଦିତ୍ୟ ଠାକ୍ରେ ବର୍ଲି ଆସନରୁ ପ୍ରଥମର ଥର ପାଇଁ ନିର୍ବାଚନ ଲଢି ବିଜୟୀ ହୋଇ ଏବେ କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି ।
ସିଏଏଓ ଏନ୍ଆରସିକୁ ନେଇ ବିବାଦ
ଦ୍ବିତୀୟ ପାଳି ସରକାରରେ ମୋଦି ସରକାର ସିଏଏ ଓ ଏନ୍ଆରସି ଆଣିଛନ୍ତି । ନାଗରିକତ୍ବ ବିଲ୍ରେ କିଛି ପରିବର୍ତ୍ତନ ଆଣିଛନ୍ତି । ଏହାକୁ ନେଇ ବିରୋଧୀଙ୍କ ସମେତ ସାଧାରଣ ଜନତା ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବିରୋଧ ମଧ୍ୟରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ସରିଛି । କିନ୍ତୁ ଏହି ଆଇନ କୁ ରାଜ୍ୟ ମାନେ ଲାଗୁ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହାର ପରିଣତି କଣ ହେବ ଭବିଷ୍ୟତ କହିବ ।
କାରଗିଲ୍ ହିରୋର ବିଦାୟ
୧୯୯୯ ମସିହା କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଏୟାରକ୍ରାଫ୍ଟ ମିଗ୍-୨୭। ଏହି ଲଢ଼ୁଆ ବିମାନ ‘ବାହାଦୂର’ ରାଜସ୍ଥାନ ଯୋଧପୁରରେ ଅନ୍ତିମ ଥର ପାଇଁ ଉଡ଼ାଣ ଭରି ଅବସର ଗ୍ରହଣ କରିଛି। ୧୯୮୫ ମସିହାରେ ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା।
ଚଳିତ ବର୍ଷ ଚର୍ଚ୍ଚିତ ଘଟଣା ମଧ୍ୟରେ ରହିଛି ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ଚାଟ୍ଟାର୍ଜୀଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରାପ୍ତ ତଥା ନୋବେଲ୍ ଆଓ୍ବାର୍ଡ ପ୍ରାପ୍ତ ଅବସରରେ ଭାରତୀୟ ପରିଧାନ ସ୍ବରୂପ ଧୋତି ଓ କୁର୍ତ୍ତାରେ ଏହି ସମ୍ମାନ ଗ୍ରହଣ କରି ଭାରତୀୟ ସଂସ୍କୃତିର ପରିଚୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ସେହିପରି ଚଳିତ ଥର ଚର୍ଚ୍ଚାରେ ରହିଥିଲା ପିଆଜ। ପିଆଜ ଦର ଭାରତରେ ପ୍ରଥମ ଥର ପାଇଁ 150 ଟଙ୍କା ପ୍ରତି କିଲୋରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ମଧ୍ୟ ସରକାର ପିଆଜ ଦର ଉପରେ ନିୟନ୍ତ୍ରଣ ଆଣି ପାରିନାହାନ୍ତି।
ଘଟଣାବହୁଳ ବର୍ଷ ଭାବରେ 2019 ଆମଠୁ ବିଦାୟ ନେଉଛି। ନୂତନ ବର୍ଷକୁ ସ୍ବାଗତ ପାଇଁ ଚାରିଆଡେ ଚାଲିଛି ଉତ୍ସବର ମାହୋଲ୍ । ବର୍ଷର ଅନ୍ତିମ କ୍ଷଣରେ ଆମେ ଏତିକି ଆଶା କରିବା ଯେ, ଆଗାମୀ ବର୍ଷ ଭାରତ ବର୍ଷ ପାଇଁ ଶାନ୍ତିର ବର୍ଷ ହେଉ। ଅର୍ଥନୀତି କ୍ଷେତ୍ରରେ ଭାରତର ସ୍ଥିତି ସୁଦୃଢ ରହୁ । ସର୍ବୋପରି ଭାରତ ନିଜର ଅଖଣ୍ଡତା ଓ ଐକତା ଉପରେ ତିଷ୍ଠି ରହୁ ।
ନୂଆଦିଲ୍ଲୀ,23/12 : ଝାରଖଣ୍ଡରେ ବିଜେପିର ଅପ୍ରତ୍ୟାଶିତ ପରାଜୟ ପରସ୍ଥିତି ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଧାରା 370 ଉଚ୍ଛେଦ ଏବଂ ସିଏଏର ପ୍ରଣୟନ କାରଣରୁ ବିଜେପି ପରାଜୟର ଦ୍ବାରଦେଶରେ ପହଞ୍ଚିଛି ବୋଲି କଂଗ୍ରେସ ସମ୍ପାଦକ ପ୍ରଣବ ଝା ପ୍ରକାଶ କରିଛନ୍ତି । 81 ଆସନ ବିଶିଷ୍ଟ ଝାରଖଣ୍ଡରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ 40 ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ସରକାର ଗଠନର ସମ୍ଭାବନା ସ୍ପଷ୍ଟ ହୋଇଛି । ଧାରା 380 ଉଚ୍ଛେଦ, ନାଗରିକତ୍ବ ସଂଶୋଧନ ଆଇନ, ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣ ରଘୁବର ଦାସଙ୍କ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଚିବ ପ୍ରଣବ ଝା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 30ରୁ ଡିସେମ୍ବର 20 ମଧ୍ୟରେ 5ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । (ଏଜେନ୍ସୀ)
କେଦାର ମିଶ୍ର
ଭାରତର ସମ୍ବିଧାନ ଜାମ୍ମୁ କାଶ୍ମୀରକୁ ଧାରା ୩୭୦ ଅନୁଯାୟୀ ଯେଉଁ ସ୍ଵତନ୍ତ୍ର ମାନ୍ୟତା ଦେଇଥିଲା, ତାକୁ ପ୍ରତ୍ୟାହାର କରିବାର ଦୁଇ ମାସ ବିତିଯାଇଛି। କାଶ୍ମୀରର ସ୍ଵତନ୍ତ୍ର ମାନ୍ୟତା କେବଳ ଉଚ୍ଛେଦ ହୋଇନାହିଁ, ଏହାର ରାଜ୍ୟ ମାନ୍ୟତାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। କାଶ୍ମୀରବାସୀଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ବେଳେ କାଶ୍ମୀରବାସୀଙ୍କୁ ଏକ ପ୍ରକାର ଗୃହବନ୍ଦୀ କରି ରଖାଯାଇଥିଲା। ତେବେ ଧାରା ୩୭୦ ଉଚ୍ଛେଦକୁ ନେଇ ସାରାଦେଶରେ ଗୋଟେ ଅଦ୍ଭୁତ ଉନ୍ମାଦନା ସୃଷ୍ଟି କରାଗଲା। ଏହି ଧାରା ଉଚ୍ଛେଦ ହେଲା କ୍ଷଣି ଆମର ଉତ୍ସାହୀ ଦେଶପ୍ରେମୀମାନେ କାଶ୍ମୀରରେ ଜାଗା କିଣିବାର ସ୍ଵପ୍ନ ଦେଖିଲେ ଓ ଆଉ କିଛି ବିଜେପି ନେତା କାଶ୍ମୀରରେ ନିଜ ପୁଅକୁ ବିଭା କରିବାର ପ୍ରସ୍ତାବ ରଖିଲେ। ଅସଲରେ କିନ୍ତୁ ଗୋଟେ ରାଜ୍ୟ ସହିତ ସାରା ଦେଶର ଯୋଗାଯୋଗ କାଟି ଦିଆଗଲା। ଇତିହାସରେ ଏମିତି ଉଦାହରଣ ନଥିବ, ଯେଉଁଠି ୭୦ ଲକ୍ଷ ଲୋକଙ୍କୁ ୨ ମାସ ଧରି ସବୁ ପ୍ରକାର ଯୋଗାଯୋଗରୁ ବଞ୍ଚିତ ରଖି, ସେମାନଙ୍କର ଆମ ସହିତ ବାସ୍ତବ ସଂହତି ସ୍ଥାପିତ ହୋଇଛି ବୋଲି କୁହାଯିବ।
ଗତ ଦୁଇ ମାସ ଭିତରେ କାଶ୍ମୀର କେବଳ ଭାରତରେ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିନାହିଁ। ଆନ୍ତର୍ଜାତିକ ଗଣମାଧ୍ୟମରେ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ କଠୋର ସମାଲୋଚନା କରାଯାଉଛି। ଦେଶର ଗଣମାଧ୍ୟମ ସରକାରଙ୍କ ବୋଲ ମାନି କାଶ୍ମୀରକୁ ନ ଯାଇ କାଶ୍ମୀର ରେ ସବୁ ଭଲ ଅଛି ବୋଲି କୀର୍ତ୍ତନ କରୁଥିବା ବେଳେ ଆନ୍ତର୍ଜାତିକ ଗଣମାଧ୍ୟମରେ ଠିକ ଏହାର ବିପରୀତ ରିପୋର୍ଟ ପ୍ରକାଶିତ ହେଉଛି। ରାଜନୈତିକ ଦଳ, ନାଗରିକ ସମାଜ, ଗଣମାଧ୍ୟମ ଓ ମାନବ ଅଧିକାର କର୍ମୀଙ୍କୁ କାଶ୍ମୀରକୁ ପ୍ରବେଶ ଅଧିକାର ଦିଆ ଯାଉନାହିଁ। ବହୁ ରାଜନେତା ଓ ମାନବାଧିକାର କର୍ମୀଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଜୋର କରି ଫେରାଇ ଦିଆଯାଉଛି। ଶେଷ ଖବର ଅନୁଯାୟୀ ପ୍ରଫେସର ସନ୍ଦିପ ପାଣ୍ଡେ, ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ଚାରି ଜଣ ମାନବାଧିକାର କର୍ମୀଙ୍କୁ କାଶ୍ମୀରରେ ପ୍ରବେଶ ଅଧିକାର ଦିଆ ଯାଇନାହିଁ। ଏପରିକି ନିଜ ରାଜ୍ୟକୁ ଯିବାଲାଗି କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହେବାକୁ ପଡିଥିଲା।
କାଶ୍ମୀରର ସବୁ ରାଜନୈତିକ ଦଳର ନେତାଙ୍କୁ ବନ୍ଦୀ ବା ଗୃହ ବନ୍ଦୀ କରି ରଖାଯାଇଛି। ସେମାନଙ୍କୁ ସେମାନଙ୍କ ପରିବାର ସହିତ ମିଶିବାର ସୁଯୋଗ ଦିଆ ଯାଉନାହିଁ।ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଝିଅ ନିଜ ମାଙ୍କୁ ଭେଟିବା ଲାଗି ସୁପ୍ରିମ କୋର୍ଟରେ ପ୍ରାର୍ଥନା କରିଥିଲେ। ରାଜ୍ୟର ସବୁଠୁ ବରିଷ୍ଠ ନେତା ଫାରୁକ ଅବଦୁଲ୍ଲାଙ୍କୁ ବନ୍ଦୀ କରି ରଖାଯାଇଛି। ଗୋଟେ ପଟେ ଧାରଣା ଦିଆଯାଉଛି ଯେ ଏଇ ନେତାମାନଙ୍କର କୌଣସି ପ୍ରଭାବ ଲୋକଙ୍କ ଉପରେ ନାହିଁ, ଅପର ପକ୍ଷରେ ସବୁ ପ୍ରକାର ରାଜନୈତିକ ଗତିବିଧି କାଶ୍ମୀରରେ ବନ୍ଦ ରହିଛି। କାଶ୍ମୀର ଲୋକଙ୍କର ମୌଳିକ ଅଧିକାର ଦୁଇମାସ ଧରି କ୍ଷୁଣ୍ଣ ହୋଇଥିବା ବେଳେ ଏ ପ୍ରସଙ୍ଗରେ ବିଚାର କରିବାକୁ ଆମର ସୁପ୍ରିମ କୋର୍ଟଙ୍କ ପାଖରେ ସମୟ ନାହିଁ।
ଗୋଟେ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି ଓ ଲୋକଙ୍କ ମୌଳିକ ଅଧିକାର ବୋଲି କିଛି ନାହିଁ- ଏହା ମାନ୍ୟବର ସୁପ୍ରିମ କୋର୍ଟଙ୍କ ପାଇଁ ଚିନ୍ତାର କାରଣ ନୁହେଁ। କାଶ୍ମୀରରେ ବହୁ ସଂଖ୍ୟକ ନାବାଳକଙ୍କୁ ଗିରଫ କରାଯାଇଥିବାର ଖବର ଭିନ୍ନ ଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହାକୁ ନେଇ ଆମ ନ୍ୟାୟ ବ୍ୟବସ୍ଥାର ନିରପେକ୍ଷତା ଉପରେ ଆନ୍ତର୍ଜାତିକ ଗଣମାଧ୍ୟମ ପ୍ରଶ୍ନ ଉଠାଉଛନ୍ତି। ହେଲେ ଆମର ସବୁ ବ୍ୟବସ୍ଥା ଏ ପ୍ରସଙ୍ଗରେ ସରକାରଙ୍କ ଅନ୍ଧ ଗୋଡାଣିଆଁ ହେବାକୁ ପସନ୍ଦ କରୁଛନ୍ତି। କାଶ୍ମୀର ଯଦି ଆମର, ତାହେଲେ କାଶ୍ମୀର ଯିବାକୁ ଆମକୁ ମନା କରାହେଉଛି କାହିଁକି? କାଶ୍ମୀରରେ ଯଦି ସବୁ ଠିକଠାକ ଚାଲିଛି, ତାହେଲେ ସେଠି ଏତେ ବାଧା ଓ ପ୍ରତିବନ୍ଧକ କାହିଁକି?
ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଏକ ଘରିକିଆ ହୋଇଯାଇଛି ଓ ଅନ୍ୟ ଦେଶର ଲୋକେ ପାକିସ୍ତାନକୁ ଥୁ ଥୁ କରୁଛନ୍ତି ବୋଲି ଏକ ଧାରଣା ଆମର ଟେଲିଭିଜନ ସାମ୍ବାଦିକମାନେ ସୃଷ୍ଟି କରୁଛନ୍ତି। ହେଲେ ଗତ ଦୁଇମାସ ଭିତରେ ସବୁ ଆନ୍ତର୍ଜାତିକ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠୁଛି। ଜାତିସଂଘ ସୁରକ୍ଷା ପରିଷଦରେ ଏହାର ଆଲୋଚନା ଲାଗି ଚୀନ ପ୍ରଥମେ ଚାପ ପକାଇଥିଲା। ସେପ୍ଟେମ୍ବର ତୃତୀୟ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ଭାରତକୁ ନିନ୍ଦିତ କରିବାକୁ ଚେଷ୍ଟା କରିଥିଲା ଓ ଏହାର ଦୃଢ ଜବାବ ଭାରତ ତରଫରୁ ରଖା ଯାଇଥିଲା। ତେବେ ତୁର୍କୀ ଓ ମାଲେସିଆ ଭଳି ଦୁଇଟି ରାଷ୍ଟ୍ର କାଶ୍ମୀରକୁ ନେଇ ଭାରତ ଉପରେ ଯେଉଁ ପ୍ରକାର ଆକ୍ରମଣ କଲେ, ତାହା ଆମକୁ ବିଚଳିତ କରିବା ଉଚିତ। ଆମେରିକା ସିନେଟରେ ପଚାଶରୁ ଅଧିକ ସାଂସଦ ଓ ବ୍ରିଟେନର ପୂରା ଶ୍ରମିକ ଦଳ କାଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରୁଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କାଶ୍ମୀରକୁ ଭାରତ ଆକ୍ରମଣ କରିଛି ବୋଲି କହିବା, ଚିନ୍ତାର ବିଷୟ।
ଆମକୁ ଗଲା ଦୁଇମାସ ଭିତରେ ସବୁକିଛି ଠିକ ଅଛି ବୋଲି କହୁଥିବା ସରକାର ଆନ୍ତର୍ଜାତିକ ଗଣମାଧ୍ୟମ ଓ ତୁର୍କୀ-ମାଲେସିଆ ଭଳି ଦେଶକୁ ଏହା ବୁଝାଇ ପାରୁନାହିଁ କାହିଁକି? ଜାତୀୟ ରାଜନୀତିରେ କାଶ୍ମୀର ଏବେ ବିଜେପି ସରକାର ଲାଗି “ଗିନିଆ ପିଗ” ର ଭୂମିକା ନିର୍ବାହ କରୁଛି। ଉଗ୍ର ରାଷ୍ଟ୍ରବାଦର ପରୀକ୍ଷା ଲାଗି ୭୦ ଲକ୍ଷ ଲୋକଙ୍କ ଜୀବନକୁ ଆଜି ଦୁର୍ବିସହ କରି ରଖାଯାଇଛି। ଦୁଇ ମାସ ଭିତରେ କାଶ୍ମୀର ଆମର କେତେ ନିକଟତର ହୋଇଛି ଓ କାଶ୍ମୀରର ଲୋକେ କେତେ ଅଗ୍ରଗତି କରିଛନ୍ତି- ତାର ହିସାବ ଆଜି କେହି କରିବେ ନାହିଁ।
ତେବେ ଗୋଟେ କଥା ୟା ଭିତରେ ନିଶ୍ଚୟ ଘଟିଛି। ଅଗଷ୍ଟ ମାସରେ ଯେଉଁମାନେ କାଶ୍ମୀରରେ ଜାଗା କିଣିବେ ବୋଲି ବାହାରୁଥିଲେ, ଏବେ ସେମାନେ ଆଉ କାଶ୍ମୀର ର ମାଟି ମାଡିବାକୁ ଚାହୁଁ ନାହାନ୍ତି!
କେଦାର ମିଶ୍ର
ଜାମ୍ମୁ-କାଶ୍ମୀରରେ ଭାରତ ସରକାର ଯଦି କିଛି ଭୁଲ କରନ୍ତି, ତାର ପ୍ରତିରୋଧ ଆମେ ଭାରତୀୟମାନେ କରିବୁ, ହେଲେ ଏଥିରେ ପାକିସ୍ତାନର କୌଣସି ଭୂମିକାକୁ ବରଦାସ୍ତ କରିବୁ ନାହିଁ। କାଶ୍ମୀର ପ୍ରସଙ୍ଗରେ ସବୁ ଭାରତୀୟ ସରକାରକୁ ସମର୍ଥନ କରିନାହାନ୍ତି ବା ସବୁ ଦେଶବାସୀ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ପାଗଳ ପରି ଚିତ୍କାର କରୁନାହାନ୍ତି ଯେ, କିଲ ଦେମ ଇନ ଥାଇଜେଣ୍ଡ୍ସ। ନା, ଆଜି ମଧ୍ୟ କାଶ୍ମୀରର ଗଣତାନ୍ତ୍ରିକ ଅଧିକାର ଓ ମାନବିକ ଅଧିକାର ଲାଗି ଲକ୍ଷ ଲକ୍ଷ ଭାରତୀୟ ଚିନ୍ତିତ ଓ ସେମାନେ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା ଅତ୍ୟନ୍ତ ପିଲାଳିଆ, ଭୟାଳୁ ଓ ମୂର୍ଖତାପୂର୍ଣ । ଏହାକୁ କରତର କାଠ ପ୍ରେମ ବୋଲି କୁହାଯାଇପାରେ, ଯିଏ କି ବାରମ୍ବାର କାଟିବା ଓ ରକ୍ତାକ୍ତ କରିବା ଛଡା ଅଧିକ କିଛି କରିପାରିବ ନାହିଁ। ୧୯୪୭ ରୁ ପାକିସ୍ତାନ ଗଠନ ହେବା ଦିନଠୁ ଏହା କାଶ୍ମୀରର ସବୁଠୁ ବଡ ଶତ୍ରୁ। ୧୯୪୭ ଅକ୍ଟୋବରରେ କାଶ୍ମୀର କୁ ଦୁଇ ଖଣ୍ଡ କରିଥିବା ପାକିସ୍ତାନ, କାଶ୍ମୀରର ସବୁଠୁ ବଡ ବିପଦ। ଭାରତୀୟ ନେତୃତ୍ଵ କାଶ୍ମୀରକୁ ନିଜ ସଂସ୍କୃତି ଓ ଜୀବନବୋଧର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିଥିବା ବେଳେ ପାକିସ୍ତାନ ବାରମ୍ବାର କାଶ୍ମୀରର ଆତ୍ମା ଉପରେ ପ୍ରହାର କରିଛି। ନରସଂହାର, ରକ୍ତପାତ, ବିଭାଜନ, ବିଭ୍ରାନ୍ତି ଓ ବିଶ୍ଵାସଘାତକତା ବ୍ୟତୀତ ପାକିସ୍ତାନ କାଶ୍ମୀରକୁ ଅଧିକ କିଛି ଦେଇନାହିଁ। ସନ୍ତ୍ରାସବାଦର ଭୟଙ୍କର ଜାଲରେ କାଶ୍ମୀରକୁ ଦୀର୍ଘ ବର୍ଷ ଧରି ବ୍ୟବହାର କରିଥିବା ପାକିସ୍ତାନକୁ କାଶ୍ମୀରର ସଂଖ୍ୟାଧିକ ଜନସାଧାରଣ କେବେହେଲେ ବିଶ୍ବାସକୁ ନେଇ ନାହାନ୍ତି।
ତେଣୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତିକ୍ରିୟାର କୌଣସି ମୂଲ୍ୟ ନାହିଁ। ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଭାରତରେ ଏବେ ମଧ୍ୟ ଅନେକ ବିତର୍କ ଓ ସମୀକ୍ଷା ର ବାଟ ଅଛି। ସୁପ୍ରିମ କୋର୍ଟରେ ଏହାକୁ ନେଇ ଶୁଣାଣି ହେବ ଓ ଦେଶରେ ଏହାକୁ ନେଇ ଗଣତାନ୍ତ୍ରିକ ବାଦ ପ୍ରତିବାଦ ଜାରି ରହିବ। କାଶ୍ମୀର ଭାରତର ବୈଧାନିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଭିନ୍ନ ଅଙ୍ଗ ହୋଇ ରହିଛି, ଏବଂ ରହିଥିବ। ଏହାକୁ ନେଇ ପାକସ୍ତାନରେ ଭାରତର ରାଷ୍ଟ୍ରଦୂତଙ୍କୁ ବିଦା କରିବା, କୂଟନୈତିକ ସମ୍ପର୍କ ଛିନ୍ନ କରିବା ଓ ଆକାଶପଥକୁ ବନ୍ଦ କାଲେ, ଏହାର କିଛି ପ୍ରଭାବ ଭାରତ ଉପରେ ପଡିବାର ନାଇଁ। ଅର୍ଥନୈତିକ ବା ରାଜନୈତିକ ଦୃଷ୍ଟିରୁ ପାକିସ୍ତାନ ଭାରତ ପାଇଁ ବିଶେଷ ଗୁରୁତ୍ଵ ବହନ କରେନାହିଁ। ତେଣୁ ପାକିସ୍ତାନ ଯେତେ ପ୍ରତିକ୍ରିୟା ପ୍ରକାଶ କରିବା ତାହା ଭାରତ ପାଇଁ ଏକ ଶୁଭ ସଙ୍କେତ ବୋଲି ବରଂ କୁହାଯାଇପାରେ।
ତେବେ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନର ପ୍ରତିକ୍ରିୟା ଅପେକ୍ଷା ଆନ୍ତର୍ଜାତିକ ଗଣମାଧ୍ୟମ, ଜାତିସଂଘ, ଆମେରିକା ଓ ଇସ୍ଲାମିକ ରାଷ୍ଟ୍ର ଗୁଡିକର ପ୍ରତିକ୍ରିୟା ଉପରେ ସବୁଠୁ ଅଧିକ ନଜର ରଖିବାକୁ ପଡିବ। ଦୀର୍ଘ ଦିନ ଧରି କାଶ୍ମୀରରେ ଯଦି ଅସ୍ଵାଭାବିକ ପରିସ୍ଥିତି ଲାଗିରହେ, ତାହେଲେ ଏହାକୁ ଆନ୍ତର୍ଜାତିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯିବ। ଇତିମଧ୍ୟରେ ୱାଶିଂଟନ ପୋଷ୍ଟ ଓ ଦି ଗାର୍ଡିଏନ ଭଳି ବଡ ଖବରକାଗଜରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମାଲୋଚନା ଆରମ୍ଭ ହେଲାଣି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗର ପ୍ରାରମ୍ଭିକ ପ୍ରତିକ୍ରିୟା ମଧ୍ୟ ଉତ୍ସାହଜନକ ନୁହେଁ। ତେଣୁ ଏ ସମ୍ପର୍କରେ ଅଧିକ ଛାତି ବାଡଉଥିବା ସରକାର, କୂଟନୈତିକ ସ୍ତରରେ ଏହାର ମୁକାବିଲା କେମିତି କରିବେ ସେକଥା ଭାବିବା ଦରକାର।
ପାକିସ୍ତାନକୁ ଅଣଦେଖା କରିବାର ବେଳ ଏବେ ଆସିଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପକ୍ଷଭୁକ୍ତ କରିବାର ଆବଶ୍ୟକତା ହୁଏତ ନାହିଁ। ହେଲେ ସେଥିଲାଗି କାଶ୍ମୀରରେ ସ୍ଵାଭାବିକ ସ୍ଥିତି ଆସିବା ଜରୁରୀ। ମୁଖ୍ୟଧାରାର କାଶ୍ମିରୀ ରାଜନେତାମାନଙ୍କୁ ଯେଉଁ ପ୍ରକାର ଭାବରେ ସରକାରୀ ଓ ବେସରକାରୀ ସ୍ତରରେ ନିନ୍ଦିତ କରାଯାଉଛି, ଏହା ପରିସ୍ଥିତିକୁ ଅଧିକ ଜଟିଳ କରିବ। କାଶ୍ମୀରର ରାଜନୈତିକ ଦଳ ଓ ନେତାମାନେ ସମସ୍ତେ ରାକ୍ଷସ ବୋଲି କହିବାର ଏକ ବିଚିତ୍ର ଗୁଜବ ତନ୍ତ୍ର ଏବେ ଭାରତରେ ମାଡିଚାଲିଛି। ଏହା ବଦଳିବା ଦରକାର। କାଶ୍ମୀର ଲାଗି ଏବେ ସବୁଠୁ ବଡ ଆବଶ୍ୟକତା ହେଉଛି, ସେଠି ଜନଜୀବନ ତୁରନ୍ତ ସ୍ଵାଭାବିକ ହେବା ଜରୁରୀ ତଥା ସରକାରଙ୍କ ଘୋଷଣା ସପକ୍ଷରେ ବା ବିପକ୍ଷରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କଥା କହିବାର ଅଧିକାର କାଶ୍ମୀରବାସୀଙ୍କୁ ମିଳିବା ଆବଶ୍ୟକ।
ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଉପରେ ନିଜର ମତାମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଫଳରେ ସରକାର ଧାରା ୩୫ ଏ ଏବଂ ୩୭୦ ଉଚ୍ଛେଦ କରିବା ପାଇଁ ବାଧ୍ୟ ହେବେ। ଏହି ଦୁଇ ଧାରା ଯୋଗୁଁ ଜମ୍ମୁ ଏବଂ କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ମାନ୍ୟତା ମିଳିଛି। ଏହା ଯୋଗୁଁ ଏପରି ମତାମତ ଦିଆଯାଉଛି ବୋଲି ଜମ୍ମୁରେ ଏକ ନିର୍ବାଚନୀ ରାଲିରେ କହିଥିଲେ ରାଜନାଥ। ଭବିଷ୍ୟତରେ ଯଦି ଏପରି ଦାବି ଉଠେ ତେବେ ସରକାର ସିଧାସଳଖ ଏହି ଦୁଇ ଧାରାର ଉଚ୍ଛେଦ କରିବେ। ଏହା ସହିତ ଭବିଷ୍ୟତରେ ଏହି ବିଷୟ ନେଇ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ରାଜନାଥ କହିଛନ୍ତି। ଆତଙ୍କବାଦକୁ ନେଇ ସରକାର ସମ୍ପୂର୍ଣ୍ଣ ଭାବରେ କଡା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି କହିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )