କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା: କରତର କାଠ ପ୍ରେମ ବ୍ୟତୀତ ଅଧିକ କିଛି ନୁହେଁ

Published: Aug 8, 2019, 8:52 am IST

କେଦାର ମିଶ୍ର

ଜାମ୍ମୁ-କାଶ୍ମୀରରେ ଭାରତ ସରକାର ଯଦି କିଛି ଭୁଲ କରନ୍ତି, ତାର ପ୍ରତିରୋଧ ଆମେ ଭାରତୀୟମାନେ କରିବୁ, ହେଲେ ଏଥିରେ ପାକିସ୍ତାନର କୌଣସି ଭୂମିକାକୁ ବରଦାସ୍ତ କରିବୁ ନାହିଁ। କାଶ୍ମୀର ପ୍ରସଙ୍ଗରେ ସବୁ ଭାରତୀୟ ସରକାରକୁ ସମର୍ଥନ କରିନାହାନ୍ତି ବା ସବୁ ଦେଶବାସୀ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ପାଗଳ ପରି ଚିତ୍କାର କରୁନାହାନ୍ତି ଯେ, କିଲ ଦେମ ଇନ ଥାଇଜେଣ୍ଡ୍ସ। ନା, ଆଜି ମଧ୍ୟ କାଶ୍ମୀରର ଗଣତାନ୍ତ୍ରିକ ଅଧିକାର ଓ ମାନବିକ ଅଧିକାର ଲାଗି ଲକ୍ଷ ଲକ୍ଷ ଭାରତୀୟ ଚିନ୍ତିତ ଓ ସେମାନେ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା ଅତ୍ୟନ୍ତ ପିଲାଳିଆ, ଭୟାଳୁ ଓ ମୂର୍ଖତାପୂର୍ଣ । ଏହାକୁ କରତର କାଠ ପ୍ରେମ ବୋଲି କୁହାଯାଇପାରେ, ଯିଏ କି ବାରମ୍ବାର କାଟିବା ଓ ରକ୍ତାକ୍ତ କରିବା ଛଡା ଅଧିକ କିଛି କରିପାରିବ ନାହିଁ।  ୧୯୪୭ ରୁ ପାକିସ୍ତାନ ଗଠନ ହେବା ଦିନଠୁ ଏହା କାଶ୍ମୀରର ସବୁଠୁ ବଡ ଶତ୍ରୁ। ୧୯୪୭ ଅକ୍ଟୋବରରେ କାଶ୍ମୀର କୁ ଦୁଇ ଖଣ୍ଡ କରିଥିବା ପାକିସ୍ତାନ, କାଶ୍ମୀରର ସବୁଠୁ ବଡ ବିପଦ। ଭାରତୀୟ ନେତୃତ୍ଵ କାଶ୍ମୀରକୁ ନିଜ ସଂସ୍କୃତି ଓ ଜୀବନବୋଧର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିଥିବା ବେଳେ ପାକିସ୍ତାନ ବାରମ୍ବାର କାଶ୍ମୀରର ଆତ୍ମା ଉପରେ ପ୍ରହାର କରିଛି। ନରସଂହାର, ରକ୍ତପାତ, ବିଭାଜନ, ବିଭ୍ରାନ୍ତି ଓ ବିଶ୍ଵାସଘାତକତା ବ୍ୟତୀତ ପାକିସ୍ତାନ କାଶ୍ମୀରକୁ ଅଧିକ କିଛି ଦେଇନାହିଁ। ସନ୍ତ୍ରାସବାଦର ଭୟଙ୍କର ଜାଲରେ କାଶ୍ମୀରକୁ ଦୀର୍ଘ ବର୍ଷ ଧରି ବ୍ୟବହାର କରିଥିବା ପାକିସ୍ତାନକୁ କାଶ୍ମୀରର ସଂଖ୍ୟାଧିକ ଜନସାଧାରଣ କେବେହେଲେ ବିଶ୍ବାସକୁ ନେଇ ନାହାନ୍ତି।

ତେଣୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତିକ୍ରିୟାର କୌଣସି ମୂଲ୍ୟ ନାହିଁ। ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଭାରତରେ ଏବେ ମଧ୍ୟ ଅନେକ ବିତର୍କ ଓ ସମୀକ୍ଷା ର ବାଟ ଅଛି। ସୁପ୍ରିମ କୋର୍ଟରେ ଏହାକୁ ନେଇ ଶୁଣାଣି ହେବ ଓ ଦେଶରେ ଏହାକୁ ନେଇ ଗଣତାନ୍ତ୍ରିକ ବାଦ ପ୍ରତିବାଦ ଜାରି ରହିବ। କାଶ୍ମୀର ଭାରତର ବୈଧାନିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଭିନ୍ନ ଅଙ୍ଗ ହୋଇ ରହିଛି, ଏବଂ ରହିଥିବ। ଏହାକୁ ନେଇ ପାକସ୍ତାନରେ ଭାରତର ରାଷ୍ଟ୍ରଦୂତଙ୍କୁ ବିଦା କରିବା, କୂଟନୈତିକ ସମ୍ପର୍କ ଛିନ୍ନ କରିବା ଓ ଆକାଶପଥକୁ ବନ୍ଦ କାଲେ, ଏହାର କିଛି ପ୍ରଭାବ ଭାରତ ଉପରେ ପଡିବାର ନାଇଁ। ଅର୍ଥନୈତିକ ବା ରାଜନୈତିକ ଦୃଷ୍ଟିରୁ ପାକିସ୍ତାନ ଭାରତ ପାଇଁ ବିଶେଷ ଗୁରୁତ୍ଵ ବହନ କରେନାହିଁ। ତେଣୁ ପାକିସ୍ତାନ ଯେତେ ପ୍ରତିକ୍ରିୟା ପ୍ରକାଶ କରିବା ତାହା ଭାରତ ପାଇଁ ଏକ ଶୁଭ ସଙ୍କେତ ବୋଲି ବରଂ କୁହାଯାଇପାରେ।

ତେବେ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନର ପ୍ରତିକ୍ରିୟା ଅପେକ୍ଷା ଆନ୍ତର୍ଜାତିକ ଗଣମାଧ୍ୟମ, ଜାତିସଂଘ, ଆମେରିକା ଓ ଇସ୍ଲାମିକ ରାଷ୍ଟ୍ର ଗୁଡିକର ପ୍ରତିକ୍ରିୟା ଉପରେ ସବୁଠୁ ଅଧିକ ନଜର ରଖିବାକୁ ପଡିବ। ଦୀର୍ଘ ଦିନ ଧରି କାଶ୍ମୀରରେ ଯଦି ଅସ୍ଵାଭାବିକ ପରିସ୍ଥିତି ଲାଗିରହେ, ତାହେଲେ ଏହାକୁ ଆନ୍ତର୍ଜାତିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯିବ। ଇତିମଧ୍ୟରେ ୱାଶିଂଟନ ପୋଷ୍ଟ ଓ ଦି ଗାର୍ଡିଏନ ଭଳି ବଡ ଖବରକାଗଜରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମାଲୋଚନା ଆରମ୍ଭ ହେଲାଣି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗର ପ୍ରାରମ୍ଭିକ ପ୍ରତିକ୍ରିୟା ମଧ୍ୟ ଉତ୍ସାହଜନକ ନୁହେଁ।  ତେଣୁ ଏ ସମ୍ପର୍କରେ ଅଧିକ ଛାତି ବାଡଉଥିବା ସରକାର, କୂଟନୈତିକ ସ୍ତରରେ ଏହାର ମୁକାବିଲା କେମିତି କରିବେ ସେକଥା ଭାବିବା ଦରକାର।

ପାକିସ୍ତାନକୁ ଅଣଦେଖା କରିବାର ବେଳ ଏବେ ଆସିଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପକ୍ଷଭୁକ୍ତ କରିବାର ଆବଶ୍ୟକତା ହୁଏତ ନାହିଁ। ହେଲେ ସେଥିଲାଗି କାଶ୍ମୀରରେ ସ୍ଵାଭାବିକ ସ୍ଥିତି ଆସିବା ଜରୁରୀ। ମୁଖ୍ୟଧାରାର କାଶ୍ମିରୀ ରାଜନେତାମାନଙ୍କୁ ଯେଉଁ ପ୍ରକାର ଭାବରେ ସରକାରୀ ଓ ବେସରକାରୀ ସ୍ତରରେ ନିନ୍ଦିତ କରାଯାଉଛି, ଏହା ପରିସ୍ଥିତିକୁ ଅଧିକ ଜଟିଳ କରିବ। କାଶ୍ମୀରର ରାଜନୈତିକ ଦଳ ଓ ନେତାମାନେ ସମସ୍ତେ ରାକ୍ଷସ ବୋଲି କହିବାର ଏକ ବିଚିତ୍ର ଗୁଜବ ତନ୍ତ୍ର ଏବେ ଭାରତରେ ମାଡିଚାଲିଛି। ଏହା ବଦଳିବା ଦରକାର। କାଶ୍ମୀର ଲାଗି ଏବେ ସବୁଠୁ ବଡ ଆବଶ୍ୟକତା ହେଉଛି, ସେଠି ଜନଜୀବନ ତୁରନ୍ତ ସ୍ଵାଭାବିକ ହେବା ଜରୁରୀ ତଥା ସରକାରଙ୍କ ଘୋଷଣା ସପକ୍ଷରେ ବା ବିପକ୍ଷରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କଥା କହିବାର ଅଧିକାର କାଶ୍ମୀରବାସୀଙ୍କୁ ମିଳିବା ଆବଶ୍ୟକ।

Related posts