Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ବଜେଟ୍‌ ଭାଷଣକୁ ନେଇ ଚର୍ଚ୍ଚା : କିଏ ଦେଇଛନ୍ତି ସବୁଠାରୁ ଲମ୍ବା ଭାଷଣ ତ ପୁଣି କିଏ ଦେଇଛନ୍ତି ସବୁଠାରୁ କ୍ଷୁଦ୍ର ଭାଷଣ

ସମୀକ୍ଷା ବ୍ୟୁରୋ

ଚଳିତ ବଜେଟ୍‌ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠୁ ଦୀର୍ଘ ସମୟ ବଜେଟ୍‌ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଶନିବାର ଦିନ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ 2 ଘଣ୍ଟା 41 ମିନିଟ୍‌ରେ ଲମ୍ବା ଭାଷଣ ଦେଇଛନ୍ତି, ଯାହା ବଜେଟ୍‌ ଇତିହାସରେ ସବୁଠୁ ଲମ୍ବା ଭାଷଣ । 2019 ମସିହାରେ ଅର୍ଥମନ୍ତ୍ରୀ 2 ଘଣ୍ଟା 17 ମିନିଟ୍‌ ପର୍ଯ୍ୟନ୍ତ ବଜେଟ୍‌ ଭାଷଣ ଦେଇଥିବାବେଳେ ଚଳିତ ବର୍ଷ ସବୁଠାରୁ ଦୀର୍ଘ ବଜେଟ୍‌ ଭାଷଣ ଦେଇ ନିଜ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଏତେ ଦୀର୍ଘ ଭାଷଣ ଦେବାପରେ ବି ବଜେଟ୍‌ର ଶେଷ ଦୁଇ ପୃଷ୍ଠାକୁ ପଢି ପାରିନାହାନ୍ତି ଅର୍ଥମନ୍ତ୍ରୀ । 2014ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ 2 ଘଣ୍ଟା 10 ମିନିଟ୍‌ରେ ବଜେଟ୍‌ ଭାଷଣ ପଢିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିଂହ 2003ରେ ପାଖାପାଖି ଦୁଇ ଘଣ୍ଟା 13 ମିନିଟ୍‌ର ବଜେଟ୍‌ ଭାଷଣ ପଢିଥିଲେ । ତେବେ ଶବ୍ଦ ହିସାବରେ ସବୁଠାରୁ ଲମ୍ବା ଭାଷଣ 1991 ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଦେଇଥିଲେ, ଯେଉଁଥିରେ 18,650ଟି ଶବ୍ଦ ରହିଥିଲା । ସେହିପରି 2017ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ୍‌ ଜେଟଲୀ 18,604 ଶବ୍ଦର ବଜେଟ୍‌ ଭାଷଣ ଦେଇଥିଲେ । ସେହିପରି 1977ରେ ହିରୁଭାଇ ପଟେଲ୍‌ ମାତ୍ର 800 ଶବ୍ଦର ସବୁଠୁ ଛୋଟ ବଜେଟ୍‌ ଭାଷଣ ଉପସ୍ଥାପନ କରିଥିଲେ।

ଚଳିତ ବଜେଟ୍‌ ଭାଷଣରେ ନିର୍ମଳା ସୀତାରମଣ ଦୁଇଘଣ୍ଟା ଏକଚାଳିଶ ମିନିଟ୍‌ର ସୁଦୀର୍ଘ ଭାଷଣରେ ଟାକ୍ସ ଶବ୍ଦକୁ 132 ଥର ବ୍ୟବହାର କରିଥିବାବେଳେ କିଶାନ ଶବ୍ଦକୁ 12 ଥର ଯୁବା ଶବ୍ଦକୁ 11ଥର ବ୍ୟବୟହା କରିଛନ୍ତି । ସେହିପରି ରୋଜଗାର ଶବ୍ଦକୁ ମାତ୍ର 7 ଥର ବ୍ୟବହାର କରିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ବ୍ୟାଙ୍କ ଶବ୍ଦକୁ 23 ଥର, ଲୋନ୍‌ ଶବ୍ଦକୁ 6 ଥର, ମହିଳା ଶବ୍ଦକୁ 10 ଥର ବ୍ୟବହାର କରାଯାଇଥିବାବେଳେ ଗ୍ରାମ ଶବ୍ଦକୁ ମାତ୍ର ଥରେ ବ୍ୟବହାର କରିଛନ୍ତି ଅର୍ଥମନ୍ତ୍ରୀ ।  ସେହିପରି ଗ୍ରାମୀଣ ଶବ୍ଦକୁ 4 ଥର, ଅର୍ବାନ ଶବ୍ଦକୁ4 ଥର, ସହର ଶବ୍ଦକୁ 15 ଥର  ଓ ପ୍ରଧାନମନ୍ତ୍ରୀ ଶବ୍ଦକୁ 15 ଥର ବ୍ୟବହାର କରାଯାଇଛି । ଜବ୍‌ ଶବ୍ଦକୁ 8 ଥର ବ୍ୟବହାର କରିଥିବାବେଳେ ଏଜୁକେସନ ଶବ୍ଦକୁ 19 ଥର ବ୍ୟବହାର କରାଯାଇଛି ଚଳିତ ବଜେଟ୍‌ ଭାଷଣରେ । (ଏଜେନ୍ସି)

Categories
ବିଶେଷ ଖବର

ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ଅନାଥ ଓ ଅସହାୟ ହୋଇ ପଡିଥିବା ଦିଲ୍ଲୀ ଗଣମାଧ୍ୟମର ସାମ୍ବାଦିକ ଭାଇ ଓ ଭଉଣୀଙ୍କ ଲାଗି ଏକ ଶୋକବାର୍ତ୍ତା

କେଦାର ମିଶ୍ର

ଅରୁଣ ଜେଟଲି ନିଶ୍ଚିତ ଭାବରେ ଜଣେ ସଫଳ ରାଜନେତା। କୌଣସି ଲୋକସଭା ନିର୍ବାଚନ ନ ଜିତି ସେ ଦେଶର ଅର୍ଥ, ପ୍ରତିରକ୍ଷା ଓ ଆଇନ ବିଭାଗ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ଜଣେ ଦକ୍ଷ କର୍ପୋରେଟ ଆଇନଜୀବୀ ଭାବରେ ମଧ୍ୟ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ। ରାଜନେତା, ଆଇନଜୀବି ଓ ପ୍ରଶାସକ ଭାବରେ ତାଙ୍କର ଅବଦାନକୁ ଅସ୍ଵୀକାର କରିବାର କିଛି କାରଣ ନାହିଁ। ହେଲେ ସାମ୍ବାଦିକତା ସହିତ ତାଙ୍କର ସମ୍ପର୍କ କଣ? ସେ କେବେ କୌଣସି ସମ୍ବାଦପତ୍ରର ସମ୍ପାଦକ ନଥିଲେ ବା କୌଣସି ଗଣମାଧ୍ୟମର ମାଲିକାନା ତାଙ୍କ ପାଖରେ ନଥିଲା। ତଥାପି ତାଙ୍କ ମୃତ୍ୟୁରେ ସାମ୍ବାଦିକମାନେ ଏତେ ଛାତି ବାଡେଇ କାନ୍ଦିବାର କାରଣ କଣ? ସାମ୍ବାଦିକତାର ମହାନାୟକ କୁଲଦୀପ ନାୟାର କିମ୍ବା ଖୁଶୱନ୍ତ ସିଂଙ୍କ ମୃତ୍ୟୁ ପରେ ଏମିତି କାନ୍ଦ ଆମେ ଶୁଣି ନଥିଲୁ। ଅତି କମରେ ୪୫ ଜଣ ଦିଲ୍ଲୀର ବରିଷ୍ଠ ସାମ୍ବାଦିକ ଲେଖିଛନ୍ତି ଅରୁଣ ଜେଟଲି ସେମାନଙ୍କ ଲାଗି ଗୁରୁ ଓ ମାର୍ଗ ଦର୍ଶକ ଥିଲେ। ଗୋଟେ ଗଣତାନ୍ତ୍ରିକ ଦେଶର ଗଣମାଧ୍ୟମ ଯେତେବେଳେ ଜଣେ ରାଜନେତାଙ୍କୁ ଗୁରୁ ବୋଲି ସ୍ଵୀକାର କରେ, ସେଠି ଗଣତନ୍ତ୍ରର ଜୀବନ କୁ ନେଇ ସନ୍ଦେହ ଉଠିବା ସ୍ଵାଭାବିକ।

ଦିଲ୍ଲୀ ଗଣମାଧ୍ୟମରେ ଯେଉଁମାନେ କାମ କରନ୍ତି, ସେମାନେ ଭଲ ଭାବରେ ଜାଣନ୍ତି ଯେ ଅରୁଣ ଜେଟଲି ଥିଲେ ପ୍ରାୟ ସବୁ ସଂବାଦପତ୍ର ଓ ନ୍ୟୁଜ ଚାନେଲର ଅଘୋଷିତ ମୁଖ୍ୟ ସମ୍ପାଦକ। ଅରୁଣ ଜେଟଲିଙ୍କ ପରାମର୍ଶରେ ଗଣମାଧ୍ୟମର ମୁଖ୍ୟ ଖବର ଓ ପ୍ରାଇମ ଟାଇମ ଚାଲୁଥିବାର ଆଲୋଚନା ଦିଲ୍ଲୀରେ ହୋଇଥାଏ। ସବୁ ସାମ୍ବାଦିକ ଜାଣିଥିଲେ, ଅରୁଣ ଜେଟଲିଙ୍କ “ଗୁଡ ବୁକ” ରେ ରହିଲେ “ଭଲ କାହାଣୀ’ ସୂତ୍ର ଆପେ ଆପେ ମିଳିଯିବ ଓ ସାମ୍ବାଦିକତାରେ ସଫଳତା ପାଇବା ସହଜ ହୋଇଯିବ। ତେଣୁ ଅରୁଣ ଜେଟଲିଙ୍କ ଦରବାରରେ ଭାରତୀୟ ସାମ୍ବାଦିକତାର ଭାଗ୍ୟ ନିର୍ଦ୍ଧାରଣ ହେଉଥିବାର ସହଜ ପ୍ରମାଣ ତାଙ୍କ ମୃତ୍ୟୁ ପରେ ମିଳି ଯାଇଛି।

ଟାଇମ୍ସ ନାଓର ମୁଖ୍ୟ ଆଙ୍କର ନବିକା କୁମାର ଲେଖିଛନ୍ତି- ‘ଆପଣ ମୋର ଗୁରୁ ଓ ମାର୍ଗ ଦର୍ଶକ ଥିଲେ। ଆପଣ ଗଲା ପରେ ମୁଁ କାହାକୁ ପ୍ରତିଦିନ ସକାଳୁ ଫୋନ କରିବି? “ ବଡ ବିଚିତ୍ର ଅବସ୍ଥା। ଦେଶର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଦିନ ସାମ୍ବାଦିକଙ୍କୁ ପ୍ରତିଦିନ କି ଗୁରୁ ଜ୍ଞାନ ଦେଉଥିଲେ? ସାମ୍ବାଦିକତାରେ ନିରପେକ୍ଷତା କଣ କେବଳ ଏକ ମୁଖା ମାତ୍ର? ଶାସକ ଦଳର ନିର୍ଦ୍ଦେଶରେ ଦେଶର ଗଣମାଧ୍ୟମ ଓ ସାମ୍ବାଦିକମାନେ ପରିଚାଳିତ ହେଉଥିଲେ ବୋଲି ଜାଣିଲା ପରେ ସାମ୍ବାଦିକତା ପ୍ରତି ଲୋକଙ୍କର ଆସ୍ଥା ରହିବ କେମିତି? କେବଳ ନବିକା କୁମାର ନୁହନ୍ତି, ଛୋଟ ବଡ ସବୁ ଖବର କାଗଜ ଓ ଟେଲିଭିଜନର ସାମ୍ବାଦିକ ଅରୁଣ ଜେଟଲିଙ୍କ ଲାଗି ଗୁରୁ ବନ୍ଦନା ଗାନ କରିଛନ୍ତି।

ଇଣ୍ଡିଆ ଟିଭିର ପ୍ରତିଷ୍ଠାତା ସମ୍ପାଦକ ରଜତ ଶର୍ମା ଅରୁଣ ଜେଟଲିଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ, ଏକଥା ସମସ୍ତେ ଜାଣନ୍ତି। ତେଣୁ ରଜତ ଶର୍ମାଙ୍କୁ  ଜେଟଲିଙ୍କ ଲୋକ ବୋଲି ଗଣନା କରା ଯାଉଥିଲା। ହେଲେ ନବ ପ୍ରଜନ୍ମର ସବୁ ସାମ୍ବାଦିକ ଅରୁଣ ଜେଟଲି ଦରବାରର ପାରିଷଦ ହେବା ପଛର କାରଣ ଖୋଜିବା ବେଶୀ କଷ୍ଟକର ନୁହେଁ। ନିଜ ରାଜନୈତିକ ସ୍ଵାର୍ଥରେ ଗଣମାଧ୍ୟମର ବ୍ୟବହାର ଲାଗି ଏ ପ୍ରକାର କୌଶଳ ସବୁ ରାଜନେତା ଆପଣାର କରିଥାନ୍ତି। ମନମୋହନ ସିଂଙ୍କ ସମୟରେ ଯେତେବେଳେ ନୀରା ରାଡିଆ ପ୍ରସଙ୍ଗ ଉଠିଥିଲା, ସେତେବେଳେ ସରକାରୀ ଦଳ କଂଗ୍ରେସ ସହ ଭାବ ରଖିଥିବା ସାମ୍ବାଦିକମାନଙ୍କୁ କମ ଛି ଛାକର କରା ଯାଇନଥିଲା। କଂଗ୍ରେସ ସମୟରେ ଯାହା ଅନୈତିକ, ବିଜେପି ବେଳକୁ ତାହା ନୈତିକ ହୋଇଗଲା କେମିତି? କଂଗ୍ରେସ ର ଦରବାରିଆ ସାମ୍ବାଦିକ ମାନେ ଆମଠୁ ଭର୍ତ୍ସନା ପାଇଥିଲେ,  ହେଲେ ବିଜେପିର ଦରବାରୀମାନେ ଆଜି ଆମ ମୁଣ୍ଡ ଉପରେ ବସିଛନ୍ତି କାହିଁକି?

ସବୁଠୁ ମଜାର କଥା ହେଉଛି, କେବଳ ସରକାର ସପକ୍ଷବାଦୀ ନୁହନ୍ତି, ସରକାର ବିରୋଧୀ ଭାବେ ଜଣାଶୁଣା ବରଖା ଦତ୍ତ ଓ ରାଜଦୀପ ସରଦେସାଇ ମଧ୍ୟ ଅରୁଣ ଜେଟଲିଙ୍କୁ ନିଜର ଗୁରୁ ବୋଲି ମାନୁଛନ୍ତି। ରାଜଦୀପ ତ ଲେଖିଛନ୍ତି, ଅରୁଣ ଜେଟଲି ଥିଲେ ଭାରତୀୟ ରାଜନୀତିର କପିଲ ଦେବ। ତାଙ୍କୁ ଯେଉଁ ଭୂମିକା ବିଜେପି ଦେଉଥିଲା, ତାକୁ ସେ ଦକ୍ଷତାର ସହ ତୁଲାଉଥିଲେ’। ଏକଥା କହିଲା ବେଳେ ରାଜଦୀପ ବୋଧ ହୁଏ ଜାଣି ନଥିଲେ, କପିଲ ଦେବ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଦେଶ ପାଇଁ ପ୍ରଥମ ବିଶ୍ଵକପ ଜିଣିଥିଲେ। ସେ ଥିଲେ ଭାରତୀୟ କ୍ରିକେଟର ସବୁଠୁ ଆଗୁଆ ଓ ନିର୍ଭୀକ କ୍ରିକେଟିୟର। ଅରୁଣ ଜେଟଲି କିନ୍ତୁ ଠିକ ତାର ବିପରୀତ। ସେ ସାମନାରୁ ଖେଳିବା ଲୋକ ନଥିଲେ। ଲୋକଙ୍କ ପାଖରେ ରହିବା ଅପେକ୍ଷା ରାଜନୈତିକ କୂଟନୀତିରେ ସେ ବେଶ ସିଦ୍ଧହସ୍ତ ଥିଲେ। ତେଣୁ ତାଙ୍କର ଦରବାରରେ ସାମ୍ବାଦିକ ଯଦିଓ ଥିଲେ, ସେ ଦରବାରରେ ଲୋକଙ୍କର ଆତଯାତ ନଥିଲା।

ଭାରତୀୟ ଗଣମାଧ୍ୟମର ଏହି ଦରବାରୀ ଚେହେରା ଯେତିକି ହାସ୍ୟାସ୍ପଦ, ସେତିକି ଭୟାନକ ମଧ୍ୟ।

Categories
ଆଜିର ଖବର

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କଲେ ଜେଟ୍‌ଲୀ

କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ପରେ ଏହାକୁ ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ। ମଙ୍ଗଳବାର କଂଗ୍ରେସର ଇସ୍ତାହାର ପ୍ରକାଶ ପାଇବା ପରେ ଜେଟ୍‌ଲୀ କହିଛନ୍ତି, ରାହୁଲ୍‌ ଗାନ୍ଧୀ ନିଜ ଟୁକୁଡା ଗ୍ୟାଙ୍ଗର କିଛି ବନ୍ଧୁଙ୍କ ମତକୁ ଏହି ଇସ୍ତାହାରରେ ସାମିଲ କରିଛନ୍ତି। କଂଗ୍ରେସ ଇସ୍ତାହାରରେ ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି  ସହିତ ଜମ୍ମୁ କଶ୍ମୀରରେ ସେନାର ସ୍ବତନ୍ତ୍ର ବଳ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ସମାଲୋଚନା କରି ଜେଟ୍‌ଲୀ କହିଥିଲେ, କଂଗ୍ରେସର ଇସ୍ତାହାର ପ୍ରସ୍ତୁତି ନିମନ୍ତେ ଏକ ପ୍ରସ୍ତାବକ ଦଳ ରହିଛି ମାତ୍ର ଦେଶର ସୁରକ୍ଷା ସମ୍ବନ୍ଧିତ ନିଷ୍ପତ୍ତି ନିମନ୍ତେ ରାହୁଲ୍‌ ନିଜ ଟୁକୁଡା ଗ୍ୟାଙ୍ଗରୁ ମତାମତ ନେଇଛନ୍ତି। ଜେଟ୍‌ଲୀ କହିଛନ୍ତି, ଆତଙ୍କବାଦ ପାଇଁ ଦୀର୍ଘ ୭୦ ବର୍ଷ ମଧ୍ୟରେ ବହୁତ କିଛି ହରାଇଛି ତେଣୁ କଂଗ୍ରେସର ଏପରି ନିଷ୍ପତ୍ତି କେତେ ଦୂର ଯଥାର୍ଥ ତାହା ଜନସାଧାରଣ ନିଷ୍ପତ୍ତି ନେବେ। ସେହିପରି ‘ଅଫ୍‌ପ୍ସା’ ନିୟମ ପ୍ରତ୍ୟାହାର ପାଇଁ ମଧ୍ୟ ରାହୁଲ ନିଜ ଇସ୍ତାହାରରେ ଘୋଷଣା କରିବାକୁ ସମାଲୋଚନା କରିଛନ୍ତି ଜେଟ୍‌ଲୀ। ଅଫ୍‌ପ୍ସା ମାଓବାଦୀ ଏବଂ ଜିହାଦୀ ମାନଙ୍କ ନିକଟରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରହିଛି ତେଣୁ ଏପରି ନିଷ୍ପତ୍ତି ନେଇ କଂଗ୍ରେସ ପରୋକ୍ଷରେ ଆତଙ୍କବାଦୀଙ୍କୁ ସହାୟତା କରୁଛି ବୋଲି କହିଛନ୍ତି ଜେଟ୍‌ଲୀ।