ବଜେଟ୍‌ ଭାଷଣକୁ ନେଇ ଚର୍ଚ୍ଚା : କିଏ ଦେଇଛନ୍ତି ସବୁଠାରୁ ଲମ୍ବା ଭାଷଣ ତ ପୁଣି କିଏ ଦେଇଛନ୍ତି ସବୁଠାରୁ କ୍ଷୁଦ୍ର ଭାଷଣ

Published: Feb 2, 2020, 1:53 pm IST

ସମୀକ୍ଷା ବ୍ୟୁରୋ

ଚଳିତ ବଜେଟ୍‌ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠୁ ଦୀର୍ଘ ସମୟ ବଜେଟ୍‌ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଶନିବାର ଦିନ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ 2 ଘଣ୍ଟା 41 ମିନିଟ୍‌ରେ ଲମ୍ବା ଭାଷଣ ଦେଇଛନ୍ତି, ଯାହା ବଜେଟ୍‌ ଇତିହାସରେ ସବୁଠୁ ଲମ୍ବା ଭାଷଣ । 2019 ମସିହାରେ ଅର୍ଥମନ୍ତ୍ରୀ 2 ଘଣ୍ଟା 17 ମିନିଟ୍‌ ପର୍ଯ୍ୟନ୍ତ ବଜେଟ୍‌ ଭାଷଣ ଦେଇଥିବାବେଳେ ଚଳିତ ବର୍ଷ ସବୁଠାରୁ ଦୀର୍ଘ ବଜେଟ୍‌ ଭାଷଣ ଦେଇ ନିଜ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଏତେ ଦୀର୍ଘ ଭାଷଣ ଦେବାପରେ ବି ବଜେଟ୍‌ର ଶେଷ ଦୁଇ ପୃଷ୍ଠାକୁ ପଢି ପାରିନାହାନ୍ତି ଅର୍ଥମନ୍ତ୍ରୀ । 2014ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ 2 ଘଣ୍ଟା 10 ମିନିଟ୍‌ରେ ବଜେଟ୍‌ ଭାଷଣ ପଢିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିଂହ 2003ରେ ପାଖାପାଖି ଦୁଇ ଘଣ୍ଟା 13 ମିନିଟ୍‌ର ବଜେଟ୍‌ ଭାଷଣ ପଢିଥିଲେ । ତେବେ ଶବ୍ଦ ହିସାବରେ ସବୁଠାରୁ ଲମ୍ବା ଭାଷଣ 1991 ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଦେଇଥିଲେ, ଯେଉଁଥିରେ 18,650ଟି ଶବ୍ଦ ରହିଥିଲା । ସେହିପରି 2017ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ୍‌ ଜେଟଲୀ 18,604 ଶବ୍ଦର ବଜେଟ୍‌ ଭାଷଣ ଦେଇଥିଲେ । ସେହିପରି 1977ରେ ହିରୁଭାଇ ପଟେଲ୍‌ ମାତ୍ର 800 ଶବ୍ଦର ସବୁଠୁ ଛୋଟ ବଜେଟ୍‌ ଭାଷଣ ଉପସ୍ଥାପନ କରିଥିଲେ।

ଚଳିତ ବଜେଟ୍‌ ଭାଷଣରେ ନିର୍ମଳା ସୀତାରମଣ ଦୁଇଘଣ୍ଟା ଏକଚାଳିଶ ମିନିଟ୍‌ର ସୁଦୀର୍ଘ ଭାଷଣରେ ଟାକ୍ସ ଶବ୍ଦକୁ 132 ଥର ବ୍ୟବହାର କରିଥିବାବେଳେ କିଶାନ ଶବ୍ଦକୁ 12 ଥର ଯୁବା ଶବ୍ଦକୁ 11ଥର ବ୍ୟବୟହା କରିଛନ୍ତି । ସେହିପରି ରୋଜଗାର ଶବ୍ଦକୁ ମାତ୍ର 7 ଥର ବ୍ୟବହାର କରିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ବ୍ୟାଙ୍କ ଶବ୍ଦକୁ 23 ଥର, ଲୋନ୍‌ ଶବ୍ଦକୁ 6 ଥର, ମହିଳା ଶବ୍ଦକୁ 10 ଥର ବ୍ୟବହାର କରାଯାଇଥିବାବେଳେ ଗ୍ରାମ ଶବ୍ଦକୁ ମାତ୍ର ଥରେ ବ୍ୟବହାର କରିଛନ୍ତି ଅର୍ଥମନ୍ତ୍ରୀ ।  ସେହିପରି ଗ୍ରାମୀଣ ଶବ୍ଦକୁ 4 ଥର, ଅର୍ବାନ ଶବ୍ଦକୁ4 ଥର, ସହର ଶବ୍ଦକୁ 15 ଥର  ଓ ପ୍ରଧାନମନ୍ତ୍ରୀ ଶବ୍ଦକୁ 15 ଥର ବ୍ୟବହାର କରାଯାଇଛି । ଜବ୍‌ ଶବ୍ଦକୁ 8 ଥର ବ୍ୟବହାର କରିଥିବାବେଳେ ଏଜୁକେସନ ଶବ୍ଦକୁ 19 ଥର ବ୍ୟବହାର କରାଯାଇଛି ଚଳିତ ବଜେଟ୍‌ ଭାଷଣରେ । (ଏଜେନ୍ସି)

Related posts