Categories
ଆଜିର ଖବର ଜାତୀୟ ଖବର

ଆସାମରେ ବନ୍ୟା ପରିସ୍ଥିତି ଗୁରୁତର, ପାଣିଘେରରେ କାଜିରଙ୍ଗା ଜାତୀୟ ପାର୍କ

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗୁରୁତର ଆକାର ଧାରଣ କରିଛି। ରାଜ୍ୟରେ ଏ ବର୍ଷର ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୦୭ରେ ପହଞ୍ଚିଛି। ୮୧ ଜଣଙ୍କର ବନ୍ୟାରେ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଭୂସ୍ଖଳନ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ପ୍ରଳୟଙ୍କରୀ ବନ୍ୟାରେ ଆସମର ୩୩ଟି ଜିଲ୍ଲାରୁ ୨୬ଟି ଜିଲ୍ଲାର ୨୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶହ ଶହ ଘରଦ୍ବାର, ରାସ୍ତା ଓ ସେତୁ ଏବଂ ଫସଲ ବନ୍ୟାରେ ନଷ୍ଟ ହୋଇ ଯାଇଛି। କାଜିରଙ୍ଗା ଜାତୀୟ ପାର୍କରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ଶତାଧିକ ପଶୁଙ୍କ ପ୍ରାଣହାନୀ ଘଚିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ପରିସ୍ଥିତି ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ସହ ଫୋନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ ରାଜ୍ୟରେ କୋଭିଡ୍-୧୯ଜନିତ ପରିସ୍ଥିତି ଏବଂ ଅଏଲ୍ ଇଣ୍ଡିଆର ବାଘଜାନ ବାଷ୍ପକୂପରେ ଜଳୁଥିବା ନିଆଁ ଲିଭାଇବା ପ୍ରସଙ୍ଗରେ ବି ପଚାରି ବୁଝିଥିଲେ।