Categories
ଆଜିର ଖବର

ସୁଲତାନ ଆଜଲାନ ଶାହ କପ୍‌ ହକି : ପୋଲାଣ୍ଡକୁ ୧୦-୦ରେ ପରାସ୍ତ କଲା ଭାରତ

ସୁଲତାନ ଆଜଲାନ ଶାହ କପ୍‌ ହକିରେ ନିଜର ଶେଷ ମ୍ୟାଚ୍‌ରେ ଭାରତ ୧୦-୦ର ବଡ ବ୍ୟବଧାନରେ ବିଜୟୀ ହୋଇଛି। ଏହିତ ମ୍ୟାଚ୍‌ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ ଆଜିର ମ୍ୟାଚ୍‌ ପାଇଁ ଦୁଇ ପରିବର୍ତ୍ତନ କରିଥିଲା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା।  ସୁରେନ୍ଦ୍ର କୁମାର ଦଳର ନେତୃତ୍ବ ନେଇଥିଲେ। ଭାରତ ପକ୍ଷରୁ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଫିଲ୍‌ଡ ଗୋଲ୍‌ ଜରିଆରେ ଦେଇଥିଲେ ବିବେକ ପ୍ରସାଦ। ଭାରତ ଆଜିର ମ୍ୟାଚ୍‌ରେ ତିନୋଟି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲା। ଭାରତ ପକ୍ଷରୁ ସୁମିତ କୁମାର(୭), ବରୁଣ କୁମାର (୧୮,୨୫), ସୁରେନ୍ଦ୍ର କୁମାର (୧୯), ସିମରନ୍‌ଜିତ୍‌  ସିଂ(୨୯), ନୀଳକଣ୍ଠ (୩୬), ମନ୍‌ଦୀପ୍‌(୫୦,୫୧) ଏବଂ ଅମିତ ରୋହିଦାସ (୫୫) ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ଫାଇନାଲ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି। ମନ୍‌ଦୀପ୍‌ ସିଂ ବର୍ତ୍ତମାନ ସୁଦ୍ଧା ୭ଟି ଗୋଲ୍‌ ସ୍କୋର କରିଛନ୍ତି। ଆସନ୍ତାକାଲି ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌ ଖେଳିବ।

Categories
Uncategorized

ଆଜଲାନ ଶାହ କପ୍‌ ହକି : ମାଲେସିଆକୁ ପରାସ୍ତ କଲା ଭାରତ

ସୁଲତାନ ଆଜଲାନ୍ ସାହ କପ୍‌ ହକି ପ୍ରତିଯୋଗିତାରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲ୍‌ରେ ହରାଇ ଦେଇଛି। ଏଥି ସହିତ ଭାରତ ମଧ୍ୟ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହିତ ଫାଇନାଲ୍ ଖେଳିବା ସମ୍ଭାବନାକୁ ବଢ଼ାଇଛି। ପ୍ରଥମ ମ୍ୟାଚ୍‌ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନକୁ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଶେଷ ମିନିଟରେ‌ ଗୋଲ୍ ବରଣ କରି କୋରିଆ ସହ ପଏଣ୍ଟ ଭାଗ କରିଥିଲା। ମଙ୍ଗଳବାରର ବିଜୟ ପରେ କୋରିଆ ଏବଂ ଭାରତ ସମାନ ୭ ପଏଣ୍ଟ୍ ପାଇ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ମୋଟ ୯ ପେନାଲଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଟିଏ ଗୋଲ୍ ପାଇନଥିଲା। ମାତ୍ର ଭାରତୀୟ ଖେଳାଳି ଆକ୍ରମଣାତ୍ମକ ହକି ଖେଳିବା ସହ ସମସ୍ତ ଗୋଲ୍‌କୁ ଫିଲଡ୍ ଗୋଲରୁ ଦେଇଥିଲା। ଅନ୍ୟପକ୍ଷରେ ମାଲେସିଆ ନିଜର ଉଭୟ ଗୋଲ୍ ପେନାଲଟି କର୍ନରରୁ ଦେଇଥିଲା। ପ୍ରଥମ କ୍ବାର୍ଟର‌ ଗୋଲଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ସୁମିତ (୧୭ ମିନିଟ) ଭାରତକୁ ପ୍ରଥମ ଅଗ୍ରଣୀ ଦେଇଥିଲେ। ୪ ମିନିଟ୍ ପରେ ମାଲେସିଆର ଅଧିନାୟକ ରାଜି ରହିମ୍‌ (୨୧) ପେନାଲଟି କର୍ଣ୍ଣର ଜରିଆରେ ଗୋଲଟିକୁ ପରିଶୋଧ କରି‌ ଦେଇଥିଲେ। ଭାରତୀୟ ଦଳର ବି ସୁମିତ୍‌ କୁମାର (୨୭)ତମ ମିନିଟ୍‌ରେ ଭାରତକୁ ପୁଣି ଥରେ ଆଗୁଆ (୨-୧) କରାଇ ଦେଇଥିଲେ। ଏଥି ସହିତ ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରକୁ ନିଜ ସପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ବରୁଣ କୁମାର ୩୬ତମ ମିନିଟ୍‌ରେ ଆଉ ଏକ ଫିଲଡ୍ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ‌ ଗୋଲ୍ ଦେଇଥିଲେ। ‌ତେଙ୍ଗକୁ ତାଜୁଦ୍ଦିନ୍‌ ୫୭ତମ ମିନିଟ୍‌ରେ ପେନାଲଟି କର୍ନରରୁ‌ ଗୋଲ୍‌ ଦେଇ ଭାରତକୁ ଚାପରେ ପକାଇଥିଲେ।ମନଦୀପ୍ ସିଂହ ୫୮ ମିନିଟ୍‌ରେ ଏକ ସୁନ୍ଦର ଫିଲଡ୍ ଗୋଲ୍‌ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଭାରତ ଏବଂ କୋରିଆ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇଥିବା ବେଳେ ମାଲେସିଆ ଏବଂ କାନାଡ଼ା ସମାନ ୬ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି।