ଆଜଲାନ ଶାହ କପ୍‌ ହକି : ମାଲେସିଆକୁ ପରାସ୍ତ କଲା ଭାରତ

Published: Mar 27, 2019, 1:23 pm IST

ସୁଲତାନ ଆଜଲାନ୍ ସାହ କପ୍‌ ହକି ପ୍ରତିଯୋଗିତାରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲ୍‌ରେ ହରାଇ ଦେଇଛି। ଏଥି ସହିତ ଭାରତ ମଧ୍ୟ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହିତ ଫାଇନାଲ୍ ଖେଳିବା ସମ୍ଭାବନାକୁ ବଢ଼ାଇଛି। ପ୍ରଥମ ମ୍ୟାଚ୍‌ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନକୁ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଶେଷ ମିନିଟରେ‌ ଗୋଲ୍ ବରଣ କରି କୋରିଆ ସହ ପଏଣ୍ଟ ଭାଗ କରିଥିଲା। ମଙ୍ଗଳବାରର ବିଜୟ ପରେ କୋରିଆ ଏବଂ ଭାରତ ସମାନ ୭ ପଏଣ୍ଟ୍ ପାଇ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ମୋଟ ୯ ପେନାଲଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଟିଏ ଗୋଲ୍ ପାଇନଥିଲା। ମାତ୍ର ଭାରତୀୟ ଖେଳାଳି ଆକ୍ରମଣାତ୍ମକ ହକି ଖେଳିବା ସହ ସମସ୍ତ ଗୋଲ୍‌କୁ ଫିଲଡ୍ ଗୋଲରୁ ଦେଇଥିଲା। ଅନ୍ୟପକ୍ଷରେ ମାଲେସିଆ ନିଜର ଉଭୟ ଗୋଲ୍ ପେନାଲଟି କର୍ନରରୁ ଦେଇଥିଲା। ପ୍ରଥମ କ୍ବାର୍ଟର‌ ଗୋଲଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ସୁମିତ (୧୭ ମିନିଟ) ଭାରତକୁ ପ୍ରଥମ ଅଗ୍ରଣୀ ଦେଇଥିଲେ। ୪ ମିନିଟ୍ ପରେ ମାଲେସିଆର ଅଧିନାୟକ ରାଜି ରହିମ୍‌ (୨୧) ପେନାଲଟି କର୍ଣ୍ଣର ଜରିଆରେ ଗୋଲଟିକୁ ପରିଶୋଧ କରି‌ ଦେଇଥିଲେ। ଭାରତୀୟ ଦଳର ବି ସୁମିତ୍‌ କୁମାର (୨୭)ତମ ମିନିଟ୍‌ରେ ଭାରତକୁ ପୁଣି ଥରେ ଆଗୁଆ (୨-୧) କରାଇ ଦେଇଥିଲେ। ଏଥି ସହିତ ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରକୁ ନିଜ ସପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ବରୁଣ କୁମାର ୩୬ତମ ମିନିଟ୍‌ରେ ଆଉ ଏକ ଫିଲଡ୍ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ‌ ଗୋଲ୍ ଦେଇଥିଲେ। ‌ତେଙ୍ଗକୁ ତାଜୁଦ୍ଦିନ୍‌ ୫୭ତମ ମିନିଟ୍‌ରେ ପେନାଲଟି କର୍ନରରୁ‌ ଗୋଲ୍‌ ଦେଇ ଭାରତକୁ ଚାପରେ ପକାଇଥିଲେ।ମନଦୀପ୍ ସିଂହ ୫୮ ମିନିଟ୍‌ରେ ଏକ ସୁନ୍ଦର ଫିଲଡ୍ ଗୋଲ୍‌ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଭାରତ ଏବଂ କୋରିଆ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇଥିବା ବେଳେ ମାଲେସିଆ ଏବଂ କାନାଡ଼ା ସମାନ ୬ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି।

Related posts