Categories
ଆଜିର ଖବର ରାଜ୍ୟ ଖବର

ବିଦେଶରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା, ଆବୁଧାବି, ନାଇଜେରିଆ, କାତାର, ଇଥୋପିଆ ସମେତ ବିଭିନ୍ନ ଦେଶରେ ରହିଥିବା ଓଡିଆଙ୍କୁ ଆଣିବା ପାଇଁ ବୈଜୟନ୍ତ ପଣ୍ଡା ଉଦ୍ୟମ କରୁଛନ୍ତି । ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ ପଣ୍ଡା ।

ସୂଚନାଯୋଗ୍ୟ ଯେ, ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକିର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଇଥୋପିଆରେ ଫସି ରହିଥିଲେ । ଭାରତ ଫେରାଇ ଆଣିବାକୁ ପ୍ରଫେସର ଦାସ ଶ୍ରୀ ପଣ୍ଡାଙ୍କୁ ଇମେଲ୍ ଯୋଗେ ଅନୁରୋଧ କରିଥିଲେ । ସେହିପରି ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଭବାନୀ ଶଙ୍କର ମିଶ୍ର ଆମେରିକାରେ ଫସି ରହିଥିବାବେଳେ, କୋଲକତାର ଶ୍ଵେତା ମହାବର ଓ କଟକ ଦରଘାବଜାର ଅଞ୍ଚଳର ସିକୋଲ ମୁରଲି କୃଷ୍ଣ ରାଓ ଆବୁ ଧାବିରେ ଫସି ରହିଛନ୍ତି । ବଲାଙ୍ଗୀର ଜିଲ୍ଲାର ଅଭିଳାସ ଚାନ୍ଦ ଓ ତାଙ୍କ ପତ୍ନୀ ଗୌଧୁଳୀ ପାଣିଗ୍ରାହୀ ନାଇଜେରିଆରେ ଫସି ରହିଛନ୍ତି । ଗୋଧୂଳୀ ଗର୍ଭବତୀ ଅଛନ୍ତି ଏବଂ ତାଙ୍କର ନାଇଜେରିଆ ଭିସା ଅବଧି ସରି ଆସୁଥିବାରୁ ଭାରତ ଫେରିଆସିବାକୁ ଚାହୁଁଛନ୍ତି । ଗଞ୍ଜାମ ଜିଲ୍ଲାର କୁଶ ରାଉତ କତାରରେ ଫସି ରହିଛନ୍ତି । ନିକଟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କାମ ନକରିବାକୁ ପରାର୍ମଶ ଦିଆଯାଇଛି ଏବଂ ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ଭାରତ ଫେରାଇ ଆଣିବାକୁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସଂସଦ ପାଣ୍ଠିର ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ଭୁବନେଶ୍ବର : ସଂସଦୀୟ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନବୀନଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡାର ସାଂସଦ ରହିଥିବା ସମୟରେ 1000 ଲୋକଙ୍କ ବସିବା ଭଳି ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିଥିବା ବେଳେ 15ରୁ ଅଧିକ ବହୁମୁଖୀ ଗୃହ ଏବଂ 24ରୁ ଅଧିକ ମିନି ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ । ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସମାପ୍ତ ହେବାକୁ ଯାଉଥିବାରୁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ଓଡିଶାବାସୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ଅଧିକ କ୍ବାରେଣ୍ଟିନ୍‌ ସେଣ୍ଟରର ଆବଶ୍ୟକତା ପଡିବ ତେଣୁ ଏହି ପ୍ରକଳ୍ପ ଗୁଡିକୁ ବ୍ୟବହାର କରିବା ପାଇଁ ବୈଜୟନ୍ତ ଅନୁରୋଧ କରିଛନ୍ତି ।

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)