Categories
ଆଞ୍ଚଳିକ

ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର – ବାଲୁଗାଁ ବାଇପାସ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ବାଲୁଗାଁ ଥାନା କୁଲାକୁଣ୍ଡେଇ ନୂଆଗାଁ ଗ୍ରାମର ପ୍ରସନ୍ନ ରାଉତଙ୍କ ପୁତ୍ର ତାରା ପ୍ରସାଦ ରାଉତ(26)।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ତାରା ତାଙ୍କ ସହଯୋଗୀ ବାଇକ ଚାଳକଙ୍କ ସହ ବାଲୁଗାଁ ରୁ ବାଣପୁର ବାଇପାସ ଉପରକୁ ଉଠୁଥିବା ବେଳେ ଭୁବନେଶ୍ୱର ଆଡୁ ବ୍ରହ୍ମପୁର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ସ୍ପୋର୍ଟ ବାଇକ ତାରାଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ତାରା ଗାଡ଼ିରୁ ପଡିଯାଇଥିଲେ।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ତାରାଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ରମେଶ କୁମାର ଦେବତ୍ତା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ସୋଲରୀ ଷ୍ଟେସନରେ ଅଘଟଣ, ଟ୍ରେନ ଆଗରେ ଶୋଇ ପଡିଲେ ଯୁବକ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳୁ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ସୋଲରି ରେଳ ଷ୍ଟେସନ ନିକଟସ୍ଥ ଟ୍ରାକରୁ ଏକ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ଆରପିଏଫ। ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ଆନୁମାନିକ 32 ବର୍ଷ ହେବ ବୋଲି ଜଣାପଡିଛି।

ଆଜି ଭୋର 5 ଟାରେ ସମୟରେ ଉକ୍ତ ଯୁବକ ଜଣକ ଟ୍ରେନ ସମ୍ମୁଖରେ ଶୋଇ ଯାଇଥିଲେ। ଫଳରେ ଅଣ୍ଟାରୁ ତାଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଛି l ତେବେ ଯୁବକ ଜଣକ କିଏ ଏବଂ କଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ପହଞ୍ଚି ଶବକୁ ବାଲୁଗାଁ ମେଡିକାଲ ପଠାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ବ୍ରହ୍ମପୁର ଏମକେସିଜି ଡାକ୍ତର

ସୀତାରାମ ଅଗ୍ରୱାଲ 

ବାଲୁଗାଁ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଳ୍ପକେ ବର୍ତ୍ତିଲେ ଜଣେ ଡାକ୍ତର।

ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ବାର ଘଟିକା ସମୟରେ ବଡ଼ବିଲରୁ ଗୋପାଳପୁର ବନ୍ଦର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ଓଆର ୦୧ ଏଲ ୯୦୪୫) କୁ ବାଲୁଗାଁ ବାଇପାସ ସୁବୁଦ୍ଧିପାଟଣା ଛକ ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଯାଉଥିବା ଏକ ହୁଣ୍ଡାଇ କାର(ଓଡ଼ି ୦୨ ଏଡି ୩୪୭୨) ପଛପଟୁ ଧକ୍କା ଦେଇଥିଲା। ହେଲେ କାର ଚାଳକଙ୍କ ଅସାବଧାନତା ଲାଗି ଏହି ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି।

ଦୁର୍ଘଟଣାରେ କାରର ଆଗ ପାଖ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଦୁର୍ଘଟଣାଗ୍ରସ୍ତ କାରଟିର ମାଲିକ ଡାକ୍ତର ବିଜୟ କୁମାର ନାୟକ। ସେ ନିଜେ ତାଙ୍କ ଗାଡିରେ ଯାତ୍ରା କରୁଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଯେଉଁଥିରେ ସୌଭାଗ୍ୟବଶତଃ ଡାକ୍ତର ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଖବର ପାଇ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଡାକ୍ତରଙ୍କୁ ଉଦ୍ଧାର କରିଥିବାବେଳେ ଗାଡ଼ି ଜବତ କରି ତଦନ୍ତ ଚଳାଇଛି। ଡାକ୍ତର ଶ୍ରୀ ନାୟକ ସୁସ୍ଥ ଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ

ଆସନ୍ତାକାଲି ଠାରୁ ବାଲୁଗାଁର ଏହିସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆସନ୍ତାକାଲି  ଠାରୁ ୨୪ ଜୁଲାଇ ଯାଏଁ ସକାଳ ୯ ଘଟିକାରୁ ଦିବା ୩ ଘଟିକା ଯାଏଁ ବାଲୁଗାଁ ସରଳାପଦର ଛକରୁ ବାଲୁଗାଁ ବଜାର ଦେଇ ବଡକୁଳ ବଜାର ଯାଏଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଉକ୍ତ ସମୟରେ ବାଲୁଗାଁ ୧୧କେଭି ଫିଡ଼ରର ସିଷ୍ଟମ ଇମ୍ପ୍ରୁଭମେଣ୍ଟ କାମ ହେବ ବୋଲି ଟି.ପି.ସି.ଓ.ଡ଼ି.ଲ ବାଲୁଗାଁ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଏବଂ ଏହାସହିତ ବାଲୁଗାଁ ସହରର ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ସମୀକ୍ଷା ନିୟୁଜ ଜରିଆରେ ନିବେଦନ କରିଛନ୍ତି। ଅନୁରୂପଭାବେ ଏହା ସମ୍ବନ୍ଧରେ ଆଜି ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଲୁଗାଁ ଜନସାଧାରଣଙ୍କୁ ଅବଗତ କରାଇଦିଆଯାଇଛି ବୋଲି ଟି.ପି.ସି.ଓ.ଡ଼ି.ଲ ବାଲୁଗାଁ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଜି ପୂର୍ବାହ୍ନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ବାଣପୁର ମା ଭଗବତୀ ମନ୍ଦିର ସମ୍ମୁଖରେ ପ୍ଲାକାଡ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଦେଶର ଜନତା ଅର୍ଥନୈତିକ କ୍ଷେତ୍ରରେ ଚୀନ୍ କୁ ଜବାବ୍ ଦେବା ପାଇଁ ଚୀନ୍ ସାମଗ୍ରୀକୁ ବର୍ଜ୍ଜନ କରିବା ପାଇଁ ନଗର ସମ୍ପାଦକ ବିକାଶ କୁମାର ସେଠୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଲଦାଖର ଗଲାୱାନ ଉପତ୍ୟକାରେ ଚୀନ ଓ ଆମ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ସୈନିକ ସହିଦ ହେବା, ୫୦ ରୁ ଅଧିକ ଆହତ ହେବା ଖବର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ ତଥା କ୍ରୁଦ୍ଧ କରିଛି। ସମଗ୍ର ଦେଶରେ ଚୀନର ବିଶ୍ଵାସ ଘାତକତାକୁ ବରଦାସ୍ତ କରିପାରୁନି। ଧୀରେ ଧୀରେ ସମଗ୍ର ଦେଶରେ ଚୀନର ଏହି ବିଶ୍ଵାସ ଘାତକତା ପ୍ରତି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏନେଇ ସାରା ଦେଶରେ ବିଭିନ୍ନ ସଂଗଠନ ଦ୍ଵାରା ଚୀନର ସାମଗ୍ରୀ ବର୍ଜ୍ଜନ କରିବା ପାଇଁ ଆହ୍ୱାନ ଦିଆଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ ସାମଗ୍ରୀ ବର୍ଜ୍ଜନ ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ, ଗୋଦାବରୀଶ ଜୁନିଅର୍ କଲେଜ କ୍ୟାମ୍ପସ ସଭାପତି ପ୍ରୀୟଂଶୁ ପ୍ରଧାନ, ପି.ବି.ବି କ୍ୟାମ୍ପସ ସଭାପତି ସିଦ୍ଧାର୍ଥ ବାରିକ, ରାଜେଶ୍ ପ୍ରଧାନ, ସୋମନାଥ ପଣ୍ଡା, ଦେବବ୍ରତ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି‌କୁ ଦରମା ଦାନ କଲେ ବାଣପୁର ଓ ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କୋଭିଡ୍‌ -୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସାହାଯ୍ୟ କରିଛନ୍ତି ବାଣପୁର ଓ ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ।

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ଜରିଆରେ ବାଣପୁର ବ୍ଲକ ବିଇଓ ସନାତନ ଜାଲି ଓ ଚିଲିକା ବ୍ଲକ ବିଇଓ ଜିତେନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ଦୁଇ ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ବାଣପୁର ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମୋଟ୍‌ ୪ ଲକ୍ଷ ୫୫ ହଜାର ୯୨୮ ଟଙ୍କା ଦାନ କରିଛନ୍ତି। ସେହିପରି ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷକମାନେ ଗୋଟିଏ ଦିନର ଦରମା ୮ ହଜାର ୫୮୦ ଟଙ୍କାର ଚେକ୍‌ ପ୍ରଦାନ କରିଥିବାବେଳେ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକମାନେ ଗୋଟିଏ ଦିନର ଦରମା ୧୬ ହଜାର ୨୨୮ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

 

ସେହିପରି ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ମାନେ ତାଙ୍କର ଗୋଟିଏ ଦିନର ଦରମା ୪ ଲକ୍ଷ ୪୯୧ ଟଙ୍କାର ଚେକ୍ ଦାନ କରିଛନ୍ତି। ସେହିପରି ବାଲୁଗାଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ତାଙ୍କର ଗୋଟିଏ ଦିନର ଦରମା ୩୪,୮୮୦ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।

Categories
ଆଞ୍ଚଳିକ

ଏବିଭିପି ବାଣପୁର-ବାଲୁଗାଁ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରଓ୍ବାଲ
ବାଣପୁର : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡିଶା ଦ୍ୱାରା ସମଗ୍ର ରାଜ୍ୟରେ ଏକକାଳୀନ ଭାବେ ପାଖାପାଖି 25000 କାର୍ଯ୍ୟକର୍ତାଙ୍କ ଦ୍ୱାରା 10000 ସ୍ଥାନରେ ପ୍ରାୟ ଏକ ଲକ୍ଷ୍ୟ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁରୂପ ଭାବେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର- ବାଲୁଗାଁ ଏ.ବି.ଭି.ପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ବାଣପୁର ଅଞ୍ଚଳର ପ୍ରତାପ ଗ୍ରାମର ଆଶା କର୍ମୀ, ତୁମୁରାପୁଟ ପଞ୍ଚାୟତର ସରପଞ୍ଚ, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳର କରୋନା ଯୋଦ୍ଧମାନେ ଯଥା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଗଣ ଓ କର୍ମଚାରୀ, ଗମ୍ଭାରୀମୁଣ୍ଡା ଫାଣ୍ଡି ଅଧିକାରୀ, କୁଲେଇ ପଞ୍ଚାୟତ ସରପଞ୍ଚ ଓ ୱାର୍ଡ ମେମ୍ବର ବୃନ୍ଦ, ନାଚୁଣୀ ଫାଣ୍ଡି ଅଧିକାରୀ ଓ ନାଚୁଣୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆଳତି କରି ,ପୁଷ୍ପ,ଚନ୍ଦନ ଲଗାଇ, ମିଷ୍ଟାନ ଖୁଆଇ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l

ଏହି କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ସମାଜକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଭାରତ ବର୍ଷ ଯୁଗଯୁଗ ଧରି ଏମାନଙ୍କ ଅବଦାନକୁ ମନେ ରଖିବ ବୋଲି ଏବିଭିପି ଖୋର୍ଦ୍ଧା ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁ ମତ ପ୍ରକାଶ କରିଥିଲେ । ଏବିଭିପି ପର୍ଶୁରାମ ଜୁନିଅର କଲେଜ୍ କ୍ୟାମ୍ପସ ୟୁନିଟ ସଭାପତି ସୁଜିତ୍ କୁମାର ଜେନା ଓ ଏବିଭିପି ନାଚୁଣୀ ଜୁନିଅର୍ କଲେଜ କ୍ୟାମ୍ପସ ୟୁନିଟ ସଭାପତି ସୌମ୍ୟ ରଞ୍ଜନ ସାହୁ ସମ୍ପୂର୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନଗର ସମ୍ପାଦକ ବିକାଶ କୁମାର ସେଠୀ, ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ଓ ନାଚୁଣୀ ଡିଗ୍ରୀ କଲେଜ ଏବିଭିପି କ୍ୟାମ୍ପସ ୟୁନିଟ୍ ସଭାପତି ବିପ୍ଳବ ଗୁରୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏବିଭିପିର ଏତାଦୃଶ କାର୍ଯ୍ୟକୁ ବାଣପୁର, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Categories
ଆଞ୍ଚଳିକ

ବାଣପୁର ଏବିଭିପି ଦ୍ୱାରା କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବାଣପୁର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ। ଏମାନେ କୌଣସି ଯୋଦ୍ଧାରୁ କମ ନୁହନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦାସର୍ବଦା ଶିକ୍ଷା କ୍ଷେତ୍ରରେ କାମ କରିବା ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସେବା କରିଥାଏ। କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର ଏବିଭିପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, ପୋଲିସ୍‌ କର୍ମୀ ଏବଂ ଏନ.ଏ.ସି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜତ୍ତି ପ୍ରସାଦ ମହାପାତ୍ର, ଡାକ୍ତର କୌନ୍ତେୟ ଦାସ, ଡାକ୍ତର ସ୍ମୃତି ସାହୁ, ଡାକ୍ତର ସୁରଜ ମେହେର, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ପାଢ଼ୀ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ ସ୍ୱାଇଁ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଏସ.ଆଇ ଦିଗବିଜୟ ବିଶ୍ୱାଳ, ପ୍ରସନ୍ନ ଜେନା, ସି.ଏସ.ଆଇ ଜ୍ୟୋସ୍ନାରାଣୀ ଖୁଣ୍ଟିଆ, ଆଶୁତୋଷ ପାଇକରାୟ, ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ, ବସନ୍ତ ପଟ୍ଟନାୟକ, ମହେନ୍ଦ୍ର ସେଠି, ମୁରଲୀ ବଳିୟାରସିଂ ଏବଂ ପୀତବାସ ମହାନ୍ତି ପ୍ରମୁଖଙ୍କୁ ଆଜି ଏବିଭିପି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦ୍ବୀପ ଆଳତି କରାଯିବା ସହିତ ପୁଷ୍ପ ଚନ୍ଦନ ଲଗାଇ, ମିଷ୍ଟାନ ଖୁଆଇ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ସମାଜକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଭାରତ ବର୍ଷ ଯୁଗଯୁଗ ଧରି ଏମାନଙ୍କ ଅବଦାନକୁ ମନେ ରଖିବ ବୋଲି ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ବିକାଶ ସେଠି ମତ ପ୍ରକାଶ କରିଥିଲେ। ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରମ ଅଗ୍ରଓ୍ବାଲ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ରୀ ସହ ପ୍ରମୁଖ ସଙ୍ଗୀତା ସ୍ବାଇଁ, ବାଲୁଗାଁ କଲେଜ ଯୁକ୍ତ ତିନି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ବିକ୍ରମ କେଶରୀ ଜେନା, ଏବିଭିପିର ଶୁଭେଚ୍ଛୁ ତଥା ଯୁବ ସମାଜସେବୀ ବୁନୁ ଆଚାର୍ଯ୍ୟ, ଅଜୟ, ସୁଜିତ, ସିଦ୍ଧାର୍ଥ ଏବଂ ବର୍ଷା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାଣପୁର -ବାଲୁଗାଁ ଏବିଭିପି ପକ୍ଷରୁ ନିୟମିତ ଭାବରେ କରୋନା ସଚେତନତା ଏବଂ ସେବା କାର୍ଯ୍ୟ ଜାରି ରହିଛି।

 

Categories
ଆଜିର ଖବର ଆଞ୍ଚଳିକ

ମାସ୍କ ନ ପିନ୍ଧି ଗଣିଲେ ତଣ୍ଡ : ବାଲୁଗାଁ ଏନ୍‌ଏସି ଓ ଚିଲିକା ପ୍ରଶାସନ ଦ୍ବାରା ୩୨ ଜଣଙ୍କୁ ଜରିମାନା

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: କରୋନା ସହ ମୁକାବିଲା କରିବା ନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପମାନ ନେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହି କ୍ରମରେ ବାଲୁଗାଁ ଏନ୍‌ଏସି ଓ ଚିଲିକା ତହସିଲ ପ୍ରଶାସନ ମାସ୍କ ନ ପିନ୍ଧିବା ଅଭିଯୋଗରେ ୩୨ ଜଣଙ୍କଠୁ ଜରିମାନା ଆଦାୟ କରିଛନ୍ତି। ଗତକାଲି ପୂର୍ବାହ୍ନ୧୦ ଟା ସୁଦ୍ଧା ବାଲୁଗାଁ ଗାନ୍ଧି ଛକ ନିକଟରେ ୩୨ଜଣଙ୍କଠାରୁ ୬୪୦୦ ଫାଇନ୍‌ ଆଦାୟ କରାଯାଇଛି। ଏହି ଜରିମାନା ଆଦାୟ ସମୟରେ ଉପସ୍ଥିତ ରହିଥିଲେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ। ବାଲୁଗାଁ ରାଜସ୍ବ ନିରୀକ୍ଷକ ଅଧିକାରୀ, ଏନଏସିର ଟ୍ୟାକ୍ସ କଲେକ୍ଟର ସାମନ୍ତ ଅନନ୍ତ ପଟ୍ଟନାୟକ। ପ୍ରତିଦିନ ତହସିଲଦାରଙ୍କ ଉପସ୍ଥିତରେ ଏପରି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି। ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ତହସିଲଦାର ପରାମର୍ଶ ଦେଇଛନ୍ତି।

ଅପରପକ୍ଷେ ଗତକାଲି ଖୋର୍ଦ୍ଧା ପୋଲିସ୍‌ ଓ ବାଲୁଗାଁ ଥାନା ତରଫରୁ କରୋନା ସଚେତନତା କରାଯିବା ସହ ମାସ୍କ, ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି। ବାଲୁଗାଁ ଗାନ୍ଧି ଛକ, ଉମା ମହେଶ୍ବର ମନ୍ଦିର ନିକଟ ଓ ନାଭାଲ ଫାଣ୍ଡି ନିକଟରେ ଜନସାଧାରଣଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ମାସ୍କ ବଣ୍ଟନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟରେ ଯୋଗଦେଇଥିଲେ ଖୋର୍ଦ୍ଧା ଆଡ଼ିସିନାଲ ଏସ ପି ମାୟାଧର ସେଠୀ, ଆଡ୍‌ସିନାଲ୍‌ ଏସ୍‌ପି କେ.ବି ଜେନା, ଡିଏସ୍‌ପି ସତୀଶ ଚନ୍ଦ୍ର ପାଢୀ, ଡିଏସ୍‌ପି ଓମ୍‌ ପ୍ରକାଶ ପାତ୍ର, ବାଲୁଗାଁ ଏସ୍‌ଡିପିଓ ଏସ୍‌କେ ଦାସ, ବାଲୁଗାଁ ଥାନା  ଅଧିକାରୀ ରମାକାନ୍ତ ମହାଲିକ ଓ ଅନ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଲକଡ଼ାଉନ ସମୟରେ ବାସହୀନଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବାଲୁଗାଁ ପୋଲିସ ଓ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: କରୋନା ଲକଡ଼ାଉନ ସମୟରେ ଆଜି ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ କରାଯାଇଛି। ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ନେତୃତ୍ୱରେ ଏ.ଏସ.ଆଇ ଦିଲୀପ ବିଶ୍ୱାଳ, କନଷ୍ଟେବଳ ଗୋପୀନାଥ ମଙ୍ଗରାଜ, ଓଏପିଫ ପ୍ରକାଶ ନାଏକ ଆଦି ଆଙ୍କୁଲା ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଶ୍ରମିକ ମାନଙ୍କ ସହାୟତା କରିଥିଲେ। ସୁଦୂର ଛତିଶଗଡ଼ରୁ ଆସିଥିବା ୩୬ ଶ୍ରମିକ ପରିବାର ଲକଡ଼ାଉନ ସମୟରୁ ଫସି ରହିଥିବା ବେଳେ ସେମାନଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ଫଳମୂଳ ଆଦି ପ୍ରଦାନ କରିଥିଲେ ଥାନାଧିକାରୀ। ଲକଡ଼ାଉନ ସରିବା ଯାଏଁ ଧୈର୍ଯ୍ୟ ଧରି ସେଠାରେ ରହିବାକୁ ଥାନାଧିକାରୀ ସବୁ ପରିବାରକୁ ପରାମର୍ଶ ଦେଇଥିଲେ। ଏହା ସହିତ ପ୍ରତିଦିନ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଅନୁରୂପ ଭାବେ ବାଲୁଗାଁ ପୋଲିସର ସହଯୋଗରେ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘର ସଭାନେତ୍ରୀ ଉଷାରାଣି ମିଶ୍ର, ସମ୍ପାଦିକା ଚନ୍ଦ୍ରପ୍ରଭା ସାହୁ ଓ ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା ବାଲୁଗାଁ ଉମାମହେଶ୍ୱର ମନ୍ଦିର ବାହାରେ ବସବାସ କରୁଥିବା ବହୁ ଭିକ୍ଷୁକ ମାନଙ୍କୁ ପାଖାପାଖି ୭0 ପ୍ୟାକେଟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଥାନାଧିକାରୀ ଶ୍ରୀ ମାହାଲିକ ଓ ମହିଳା ସଂଘର କର୍ମକର୍ତ୍ତା ମାନେ ସବୁ ଭିକ୍ଷୁକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ କରୋନା ପାଇଁ ସଚେତନ କରାଇଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିଥଲେ ସଙ୍ଘର କର୍ମକର୍ତ୍ତାମାନେ। ଲକଡ଼ାଉନ ସମୟରେ ମାନବିକତାକୁ ଦୃଷ୍ଟିରେ ରଖି ବାଲୁଗାଁ ପୋଲିସ ଓ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘର ଏପରି ସେବା କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଭାଲ ଛକ ନିକଟରେ କାର୍‌-ତେଲ ଟ୍ୟାଙ୍କର ଧକ୍କା: ରାସ୍ତା ପାର୍ଶ୍ବରେ ଥିବା ଅଟୋ ଉପରେ ଚଢିଗଲା ଟ୍ୟାଙ୍କର୍‌

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ନାଭାଲ ଛକ ନିକଟରେ ଏକ କାର ସହ ତେଲ ଟ୍ୟାଙ୍କରର ଧକ୍କା ହୋଇଛି। ମିଳିଥିବା ସୂଚନା ଅନୁସାରେ ତେଲ ଟ୍ୟାଙ୍କର୍‌ ଓ କାର୍‌ଟି ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌କୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କରଟି।  ଓଡି ୦୨ ଏକ୍ସ ୩୦୦୪ ନମ୍ବରର କାରଟିକୁ ଏନଏଲ ୦୧ କେ ୮୭୭୧ ନମ୍ବରର ତେଲ ଟ୍ୟାଙ୍କରଟି ଧକ୍କା ଦେଇଥିଲା।

କାର୍‌ ସହ ତେଲ ଟ୍ୟାଙ୍କରଟି ଧକ୍କା ଦେବା ପରେ ଟ୍ୟାଙ୍କରଟି ଭାରସ୍ୟାମ ହରାଇ ଆଭା ହସ୍ପିଟାଲ ନିକଟରେ ଠିଆ ହୋଇଥିବା ୬ ଟି  ଅଟୋ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬ ଟି  ଅଟୋ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାର୍‌ରେ  ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାର ମାଲିକ ସୁବାସ ସାହୁ(୬୫) ନିଜେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି (୫୨)ଙ୍କ ସହିତ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ପହଞ୍ଚି  ଆହତଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ସ୍ବାମୀଙ୍କ  ସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ବାଲୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଥିବାବେଳେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ଏହି ଘଟଣାର ତଦନ୍ତ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ ରୁହନ୍ତୁ, ଡ୍ରୋନ୍‌ ନଜରରେ ଆପଣ: ଲକ୍‌ଡାଉନ୍‌ ପାଇଁ ରେଳଷ୍ଟେସନ୍‌ ସୁରକ୍ଷା ଦାୟିତ୍ବରେ ଡ୍ରୋନ୍‌

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସଜାଗ ହୋଇ ରୁହନ୍ତୁ, କାରଣ ଏବେ ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ୍‌। ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବ ଡ୍ରୋନ୍‌।ଲକ୍ ଡାଉନ୍‌ ପରିପ୍ରେକ୍ଷୀରେ ସବୁ ଅଞ୍ଚଳରେ ପୋଲିସ୍‌ କର୍ମୀମାନେ ଯାଞ୍ଚକୁ କଡାକଡି କରିଛନ୍ତି। କିଛି ଅସାମାଜିକ ବ୍ୟକ୍ତିମାନେ ଆଜି ବି ତାଙ୍କ କାମରେ ଲିପ୍ତ ରହୁଛନ୍ତି। ଏଥିପାଇଁ ବାଲୁଗାଁ ରେଳ ସୁରକ୍ଷା ବଳ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି।

ଏହି ଡ୍ରୋନ୍‌ ଜରିଆରେ ବାଲୁଗାଁ ରେଳ ଷ୍ଟେସନରେ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରାଯାଇପାରିବ। ଏହି ଡ୍ରୋନ୍‌ ପ୍ରାୟ ୧ କିମି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରିବାରେ ସଫଳ ହେବ। ଏହା ଦ୍ବାରା ଯାତ୍ରୀ ଓ ରେଳ ଷ୍ଟେସନ୍‌ ସୁରକ୍ଷା ହେବା ସହିତ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକୁ ମଧ୍ୟ ନଜର ରଖାଯାଇପାରିବ ବୋଲି ବାଲୁଗାଁ ରେଳ ସୁରକ୍ଷା ବଳ ଆଇଆଇସି ମହେଶ୍ୱର ଚଣ୍ଡରାୟ କହିଛନ୍ତି। ଆସାମାଜିକ ବ୍ୟକ୍ତିମାନଙ୍କ କାର୍ଯ୍ୟକୁ ନିରୀକ୍ଷଣ କରିବା ସହିତ ତାଙ୍କୁ ଧରିବାରେ ଏହି ଉପାୟଟି ବେଶ୍‌ ସଫଳ ହେବ। ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ଖୋର୍ଦ୍ଧା ରୋଡ ଡ଼ିଭିଜନ ଏଲ.ଏନ ସେଲ ଇନ୍ସପେକ୍ଟର ଏସ୍‌.କେ, ସାମଲ୍‌ ଓ ବାଲୁଗାଁ ରେଳ ସୁରକ୍ଷା କର୍ମୀଙ୍କ ଉପସ୍ଥିତିର ଇଞ୍ଜିନିୟର ସୋମ୍ୟରଞ୍ଜନ ନାୟକ ଏକ ଡ୍ରୋନ୍‌ ପ୍ରସ୍ତୁତ କରିଛନ୍ତି।

କରୋନା ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଷ୍ଟେସନ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଥିବା କାରଣରୁ ଡ୍ରୋନ୍‌ ଜରିଆରେ ଉକ୍ତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି। ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ ପକ୍ଷରୁ ଏହି ଡ୍ରୋନ୍‌ ପ୍ରଦାନ କରାଯାଇଛି। ଏହି ଡ୍ରୋନ୍‌ ସୁରକ୍ଷା ବ୍ୟବସ୍ଥା ପୂର୍ବତଟ ରେଳବାଇର ସମସ୍ତ ରେଳ ଷ୍ଟେସନ୍‌ରେ ଲାଗୁ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଷଖାଇ ଆତ୍ମହତ୍ୟା କଲେ ବାଲୁଗାଁର ଜଣେ ଯୁବକ

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: ବାଲୁଗାଁରେ କୀଟନାଶକ ଔଷଧ ପିଇ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି। ବାଲୁଗାଁର ବୋରିଆସାହି ଅନ୍ତର୍ଗତ ଯୁଗଳ ବିଶ୍ବାଳଙ୍କ ପୁଅ ପବିତ୍ର ବିଶ୍ବାଳ (୪୦) ମାନସିକ ଦୁଶ୍ଚିନ୍ତା କାରଣରୁ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ବାଣପୁର କୋର୍ଟରେ ପବିତ୍ରଙ୍କ କୌଣସି ଏକ ମାମଲାର ଶୁଣାଣି ରହିଥିବା ବେଳେ ସେ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହିଥିବା ପବିତ୍ର ଗତକାଲି ରାତିରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଆଜି ସକାଳୁ ଗାଇ ଚରାଇବାକୁ ଯାଇଥିବା କିଛି ଲୋକ ପବିତ୍ରଙ୍କ ଶବ ଗାଁ ବାହାରର ଏକ ବିଲରେ ଦେଖିଥିଲେ। ଶବ ନିକଟରେ କୀଟନାଶକ ଔଷଧ ଏବଂ ପାଣି ବୋତଲ ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ପରସ୍ଥିତିରୁ ବିଷ ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପରିବାରକୁ ଖବର ଦିଆଯାଇଥିଲା। ପବିତ୍ରଙ୍କ ପତ୍ନୀଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ପୋଲିସ୍‌ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କେସ୍‌ ନଂ ୦୪/୨୦୨୦ରେ ତଦନ୍ତ କରାଯାଇଛି। ଏଏସ୍‌ଆଇ ପବିତ୍ର ବିଶ୍ବାଳ ଏହି ମାମଲାର ତଦନ୍ତ କରୁଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

 

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆ ପକ୍ଷରୁ କରୋନା ସଚେତନତା କର୍ଯ୍ୟକ୍ରମ

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: ବୁଧବାର ବାଲୁଗାଁରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିନ ୧୧ଟା ସମୟରେ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆର ମିଳିତ ଆନୁକୂଲ୍ୟରେ ବାଲୁଗାଁ ଏନ୍ଏସିରେ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ୍‌ ପ୍ରଭାବରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଅଭିବୃଦ୍ଧି କାରଣରୁ ସମଗ୍ର ବିଶ୍ବ ସ୍ତବ୍ଧ। ଏହି ଭୂତାଣୁ ଜନିତ ମହାମାରୀର ମୁକାବିଲା କରିବା ପାଇଁ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆ, ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀଙ୍କ ପକ୍ଷରୁ ବାଲୁଗାଁ ସ୍ଥିତ ଗାନ୍ଧିଛକ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ରେଳ ଷ୍ଟେସନ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସାଧାରଣ ଜନତାଙ୍କୁ କରୋନା ଭୁତାଣୁ ଜନିତ ରୋଗ ନ ବ୍ୟାପିବା ସମ୍ବନ୍ଧରେ ବୁଝାଯିବା ସହିତ ବିନା ମୂଲ୍ୟରେ ହାତ ଧୁଆ ସାବୁନ ଓ ମାସ୍କ ପ୍ରଦାନ କରାଯାଇଥିଲା।

ଶାଳିଆ ପ୍ରେସ୍ କ୍ଲବ୍ ସଦସ୍ୟ ସଭାପତି ଅଜିତ୍ କୁମାର ସାହୁ, ସମ୍ପାଦକ ମନୋରଞ୍ଜନ ବେହେରା, କୋଷାଧକ୍ଷ ସଞ୍ଜିବ ପ୍ରଧାନ, ଦିବ୍ୟାକାନ୍ତ ବେହେରା, ଅନିଲ୍ ପାଇକରାୟ, ମନୋଜ ଦଳେଇ, ଚରଣ ମୁଆଁଖିଆ, ଶ୍ରୀମନ୍ତ ରାଉତରାୟ, ବିରଞ୍ଚି ନାରାୟଣ ପ୍ରଧାନ, ଭଗବାନ ଦାସ୍, ତ୍ରିଲୋଚନ ସାହୁ, ପ୍ରଭାତ କୁମାର ନାୟକ, ସୁଧିର ବେହେରା ,ହେଲ୍ପଏଜ ଓଡିଆ ସଭାପତି ରବିନ୍ଦ୍ର ସାହୁଙ୍କ ସହ ବାଲୁଗାଁ ଥାନା ଅଧିକାରି ଶ୍ରୀ ରମାକାନ୍ତ ମାହାଲିକ୍ ଓ ବାଲୁଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରି ସୌମ୍ୟକାନ୍ତ ଦାଶ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ପୁଅର ବାହାଘର ଦିନ ବାପର ମୃତ୍ୟୁ ଘଟଣା: ମୃତକଙ୍କ ପରିବାକୁ ଭେଟିଲେ ବିଧାୟକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାହାଘରର ଏକ ଖୁସିର ଦିନରେ ମୃତ୍ୟୁଖବର କେବଳ ପରିବାର ନୁହେଁ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଏପର ଘଟଣା ଘଟିଯାଇଛି ବାଲୁଗାଁ ନିକଟସ୍ଥ ସରଳାପଦା ଗ୍ରାମରେ। ଗତ ୨୦ତାରିଖରେ ବାହାଘର ପାଇଁ ବରଯାତ୍ରୀ ସହ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। କନ୍ୟା ଘର ଆଗରେ ବାଣ, ରୋଶଣି ସହ ଡିଜେ ସାଉଣ୍ଡରେ ଗାଁ ଉଠପଡ ହେଉଥିବାବେଳେ ଏଭଳି ଶବ୍ଦକୁ ସହ୍ୟ କରିପାରିନଥିଲେ ବରର ପିତା। ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଖ ସମୟରେ ଏପରି ଦୁଃଖଦ ଘଟଣା ଘଟିଯାଇଥିବାରୁ ସମ୍ପୃକ୍ତ ପରିବାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛି। ଶୋକରେ ଆତୁର ଥିବା ଏହି ପରିବାରକୁ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଭେଟିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ମୃତକ ଜଣକ ହେଉଛନ୍ତି ବାଲୁଗାଁ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସାହୁ। ତାଙ୍କ ପୁତ୍ର ଅନିଲ୍‌ଙ୍କ ବାହାଘର ସମୟରେ ଏପରି ଅଘଟଣ ଘଟିଯାଇଛି। ବାଲୁଗାଁ ଗାନ୍ଧି ଛକ ନିକଟରେ ବିଜୟା ହୋଟେଲ୍‌ ରହିଥିବାବେଳେ ଏହି ହୋଟେଲଟି ସମଗ୍ର ଅଞ୍ଚଳରେ ବେଶ୍‌ ଲୋକପ୍ରିୟ। ବିଜୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ସ୍ଥାନୀୟ ହୋଟେଲ୍‌ ସଂଘ ତରଫରୁ ଶୋକ ପାଳନ କରାଯିବା ସହ ସେହି ଅଞ୍ଚଳରେ ସମସ୍ତ ହୋଟେଲ୍‌କୁ ବନ୍ଦ ରଖିଥିଲେ।  ପରିବାରର ଏପରି ଦୁଃଖଦ ସମୟରେ ଖୋର୍ଦ୍ଧାଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ତଥା ବାଲୁଗାଁ ବିଜେପି ନଗରମଣ୍ଡଳର ସଭାପତି ସତ୍ୟ ନାରାୟଣ ସେନାପତି, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

Categories
ଆଞ୍ଚଳିକ ରାଜ୍ୟ ଖବର

ୟୋର୍‌ସ ହୋପ୍‌ ଫାଉଣ୍ଡେସନ୍‌ ପକ୍ଷରୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ ଅଭିଯାନ

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ : ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୟୋର୍‌ସ ହୋପ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୀନାରାଣୀ ନାୟକଙ୍କ ପକ୍ଷରୁ ଏହି ସଫେଇ ଅଭିଯାନ କରାଯାଇଛି। ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମରେ ବାଲୁଗାଁ ହସ୍ପିଟାଲର ଡାକ୍ତର ଯୋଗେନ୍ଦ୍ର ବେହେରା ଉପସ୍ଥିତ ରହି ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ୟୋର୍‌ସ ହୋପ୍‌ ଫାଉଣ୍ଡେସନ୍‌ର ଖୋର୍ଦ୍ଧା ଜିଲ୍ଲା ସଞ୍ଜୋଯକ ସୀମାଞ୍ଚଳ ସ୍ବାଇଁଙ୍କ ସମେତ ମୁକେଶ ଜେନା, ବିଜୟ ମହାରଣା, ସଂଗ୍ରାମ ରଣା, ପ୍ରିୟବ୍ରତ ସାମନ୍ତରାୟ, ସନ୍ତୋଷ ସ୍ବାଇଁ, ଅଂଶୁମାନ ସ୍ବାଇଁ, ସୌଭାଗ୍ୟ ସ୍ବାଇଁ, ମୁନା ବେହେରା ଏବଂ ଏବିଭିପି ଖୋର୍ଦ୍ଧା ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଏହି ସଫେଇ ଅଭିଯାନକୁ ସଫଳ କରିଥିଲେ।

ଏତଦ୍‌ ବ୍ୟତିତ ୟୋର୍‌ସ ହୋପ୍‌ ପକ୍ଷରୁ ବାଣପୁରରେ ଅବସ୍ଥାପିତ ବୃଦ୍ଧାଶ୍ରମରେ ମଧ୍ୟ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ପରିଶେଷରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ସଙ୍ଗଠନ ପକ୍ଷରୁ ଫଳ ବଣ୍ଟନ କରାଯାଇଛି। ଏପରି ମହତ ପଦକ୍ଷେପକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ୍‌ରେ ଟିକଟ ଦଲାଲଙ୍କ ଦୌରାତ୍ମ୍ୟ : ‘ସମୀକ୍ଷା’ ପ୍ରତିନିଧିଙ୍କ ଅଭିଯୋଗ ପରେ ଜିଆର୍‌ପି ମୁତୟନ

ସମୀକ୍ଷା ବ୍ୟୁରୋ
ବାଲୁଗାଁ : ବାଲୁଗାଁ ରେଳଷ୍ଟେସନରେ ଟିକଟ ଦଲାଲଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ବିଗତ 10 ବର୍ଷ ଧରି ଦଲାଲଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି ରେଳଯାତ୍ରୀ। ବାଲୁଗାଁ ନିକଟସ୍ଥ ଚିଲିକା ନୌସେନା ବେସ୍‌ର ବିଭିନ୍ନ ଅଧିକାରୀ ଏହି ସମସ୍ୟା ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି। ବିନା ଦଲାଲରେ ତତ୍କାଳ ଟିକେଟ ହାସଲ କରିବା ଆପାତତଃ ଅସମ୍ଭବ। ଏହା ପରେ ଦଲାଲଙ୍କ ଗୁଣ୍ଡାଗର୍ଦ୍ଦିରେ ମଧ୍ୟ ସାଧାରଣ ଲୋକ ହନ୍ତସନ୍ତ। ଏହାକୁ ନେଇ ସାଧାରଣରେ ଅନେକ ଥର ଅଭିଯୋଗ ଆସିଛି, ମାତ୍ର ରେଳବାଇ ଅଧିକାରୀ ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକା କାରଣରୁ ଏହି ଘଟଣା ସମ୍ମୁଖକୁ ଆସିନଥାଏ ବୋଲି ଜନସାଧାରଣଙ୍କ ପକ୍ଷରୁ ମତପ୍ରକାଶ ପାଇଛି। ଏପରି ଏକ ଘଟଣା ଆଜି ପୁଣିଥରେ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ସମୀକ୍ଷା ପ୍ରତିନିଧି ସୁନୀଲ କୁମାର ଭୋଳ ଟିକେଟ କାଉଣ୍ଟର ଧାଡିରେ ରହି ଟିକଟ କାଟିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦଲାଲ ମାନେ ଧାଡି ଭାଙ୍ଗି ଜୋରଜବରଦସ୍ତ ଟିକଟ କାଟିବାର ପ୍ରୟାସ କରିଥିଲେ। ଧାଡିରେ ଥିବା ଲୋକ ଏହାକୁ ବିରୋଧ କରିଥିଲେ ମଧ୍ୟ ଦଲାଲ ମାନେ କାହା କଥାକୁ ଭୃକ୍ଷେପ ନକରି ଟିକଟ କରିବାରେ ବ୍ୟସ୍ତ ରହିଥିଲେ। ଧାଡିରେ ରହିଥିବା ଭାରତୀୟ ସେନାର ଜଣେ ଯବାନ ରହିଥିଲେ ମଧ୍ୟ ତାଙ୍କୁ ଟିକଟ କାଟିବାର ସୁଯୋଗ ଦେଇନଥିଲେ ଦଲାଲ। ଦଲାଲଙ୍କ ଦୌରାତ୍ମ୍ୟ ସହ୍ୟ କରିନପାରି ଆମ ପ୍ରତିନିଧି ଏହାର ବିରୋଧ କରିବାରୁ ଦଲାଲଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଏହି ବଚସା ସମୟରେ ରେଳବାଇ ଅଧିକାରୀ ନିଦାବିଷ୍ଣୁ ପାଲଟି ଯାଇଥିଲେ। ଟିକଟ କାଉଣ୍ଟରରେ ରହିଥିବା ରେଳବାଇ ଅଧିକାରୀ ନୀରବ ରହିବାରୁ ଶ୍ରୀ ଭୋଳ ଜିଆର୍‌ପି ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରେଳବାଇ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବକ ଜିଆର୍‌ପି ଯବାନଙ୍କୁ ମୁତୟନ କରିଥିଲେ। ଏହା ସହିତ ଭବିଷ୍ୟତରେ ଏପରି ଘଟଣାକୁ ଏଡାଇବା ନିମନ୍ତେ ଟିକଟ କାଉଣ୍ଟର ସମ୍ମୁଖରେ ଦୁଇ ଜଣ ଜିଆର୍‌ପି ପୁଲିସ ମୁତୟନ ନେଇ ପ୍ରତିଶ୍ରୁତି ଦେଇଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ଏବିଭିପି ପକ୍ଷରୁ ବାଲୁଗାଁ-ବାଣପୁର ଏବଂ ନାଚୁଣୀରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ସମୀକ୍ଷା ବ୍ୟୁରୋ
ବାଣପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଛି। ବାଣପୁର,ବାଲୁଗାଁ ଏବଂ ନାଚୁଣୀରେ ଏକକାଳୀନ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ବାଣପୁରର ସହୀଦ କୃତିବାସ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଓଡିଶା ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭେଟେଶ୍ବର ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ଏବିଭିପିର ଶୁଭେଚ୍ଛୁ ତଥା 13 ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ, ଖୋର୍ଦ୍ଧା ଅମରେନ୍ଦ୍ର ରଣସିଂହ ଓ ବାଣପୁର ଅଞ୍ଚଳର ସମାଜସେବୀ ଭଗବାନ ପ୍ରଧାନ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନଗର ସମ୍ପାଦକ ବିକାଶ କୁମାର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଛାତ୍ରୀ ପ୍ରମୁଖ ସଙ୍ଗୀତା ସ୍ବାଇଁ ପରିଷଦ ଗୀତ ଗାନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏବିଭିପିର ରାଜ୍ୟ ଏସ୍‌ଏଫ୍‌ଡି ଯୁଗ୍ମ ସଂଯୋଜକ ତଥା ଖୋର୍ଦ୍ଧା ଜିଲ୍ଲା ସହପ୍ରମୁଖ ସୀତାରାମ ଅଗ୍ରଓ୍ବାଲ ପରିଚାଳନା କରିଥିବା ବେଳେ ନଗର ସହ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଫୁଲତୋଡା ପ୍ରତିବଦଳରେ ଅଭିନବ ଭାବରେ ଚାରାବୃକ୍ଷ ପ୍ରଦାନ କରାଯାଇଥିଲା।

ଅନୁରୂପ ଭାବରେ ନାଚୁଣୀ ଏବଂ ବାଲୁଗାଁ ଶାଖା ପକ୍ଷରୁ ମଧ୍ୟ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ନାଚୁଣୀ ଶାଖା ପକ୍ଷରୁ ବିଦ୍ୟାର୍ଥୀ ଟ୍ୟୁଟୋରିଆଲ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବାଲୁଗାଁ ଶାଖା ପକ୍ଷରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାର୍ଥୀ ଟ୍ୟୁଟୋରିଆଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଳିଜାଇ ଜୁନିୟର ରେସିଡନ୍ସିଆଲ କଲେଜର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ସମାଜସେବୀ ନିରଞ୍ଜନ ଦାଶ ଯୋଗ ଦେଇଥିଲେ । ନାଚୁଣୀ କଲେଜ ଯୁକ୍ତ ୩ ଏବିଭିପି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ବିପ୍ଲବ ଗୁରୁ ଏବଂ ଜିଲ୍ଲା କମିଟି ସଦସ୍ୟ ରବୀନ୍ଦ୍ର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବାଲୁଗାଁରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲୁଗାଁ କଲେଜ ଯୁକ୍ତ ୩ ଏବିଭିପି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ତରୁଣ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଲୁଗାଁ ସରସ୍ବତୀ ଶିଶୁ ମନ୍ଦିର ସମ୍ପାଦକ ରଞ୍ଜିତ କୁମାର ବଡଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୂର୍ବତନ ଏବିଭିପି କାର୍ଯ୍ୟକର୍ତ୍ତା ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସତ୍ୟନାରାୟଣ ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ବାଣପୁର ପରି ବାଲୁଗାଁ ଏବଂ ନାଚୁଣୀରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ କାମର ଅଗ୍ରଗତି ନେଇ ଏସ୍‌ଡିଓଙ୍କୁ ଭେଟିଲେ ଚିଲିକା ବିଧାୟକ

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୦୨/୧: ବାଲୁଗାଁ ରେଳବାଇ ଓଭରବ୍ରିଜ୍‌ରେ କାମର ଅଗ୍ରଗତିକୁ ନେଇ ଆଜି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଅଧିକାରୀଙ୍କୁ ଭେଟିଛନ୍ତି। ଶ୍ରୀ ଜଗଦ୍ଦେବ ସଡକ ଏବଂ ଗୃହନିର୍ମାଣ ବିଭାଗ ଏସ୍‌ଡିଓ, ରେଳବାଇ କନିଷ୍ଠଯନ୍ତ୍ରୀ ଏବଂ କାର୍ଯ୍ୟରତ କମ୍ପାନୀ ନନ୍ଦ କନ୍‌ଷ୍ଟ୍ରକ୍‌ସନ୍‌ର ଅଧିକାରୀଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀ ଜଗଦ୍ଦେବ ରେଳବାଇ ବ୍ରିଜ୍‌ କାମ ତ୍ବରାନ୍ବିତ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖ ସୁଦ୍ଧା କାର୍ଯ୍ୟସମାପ୍ତ କରିବା ପାଇଁ ବିଧାୟକ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ରେଳବାଇ ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ ହେଉନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଏକ ସମୟରେ ଓଡିଶାରେ ୬ଟି ରେଳବାଇ ବ୍ରିଜ୍‌ର କାମ ଆରମ୍ଭ କରାଯାଇଥିବା ବେଳେ ତନ୍ମଧ୍ୟରୁ ୫ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ମାତ୍ର ବାଲୁଗାଁ ରେଳବାଇ ବ୍ରିଜ୍‌ଟି ଅସମ୍ପୂର୍ଣ୍ଣ ରହିଛି। ଏହାକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ ହେଲ୍ପ କ୍ଳବ୍‌ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ବହୁ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ୨୦୧୯ ବିଧାନସଭା ନିର୍ବାଚନର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ଶତ୍‌ପଥୀ ଏହି ଆନ୍ଦୋଳନରେ ଯୋଗ ଦେଇ ଆନ୍ଦୋଳନକୁ ତୀବ୍ର କରିଥିଲେ। ୬ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନ ପରେ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ମଧ୍ୟ ଅଳ୍ପ କିଛି ଦିନପରେ ପୁନର୍ବାର କାମରେ ଶିଥିଳତା ଦେଖା ଦେଇଥିଲା।

ଆଜି ବିଧାୟକଙ୍କ ଏହି ଆଲୋଚନାକୁ ନେଇ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ସନ୍ତୋଷ ବ୍ୟକ୍ତ କରିବା ସହିତ ବିଧାୟକଙ୍କ ପ୍ରଚେଷ୍ଟାରେ ବ୍ରିଜ୍‌ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶାପ୍ରକାଶ କରିଛନ୍ତି।

Categories
ଆଜିର ଖବର

ବାଲୁଗାଁରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିକଟରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ କେହି ଦୁର୍ବୃତ ଜାଳିଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ବାଲୁଗାଁ ସରନଇ ନିକଟରେ ଥିବା ଏକ ବଗିଚାରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହିଥିଲା। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଆସି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କେହି ବ୍ୟକ୍ତି ଟାୟାର ଜାଳି ମହିଳାଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହର ଉପରି ଭାଗ ସଂପୂର୍ଣ୍ଣ ଜଳି ଯାଇଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି।