Categories
ଆଜିର ଖବର ଜାତୀୟ ଖବର

ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁକାଶ୍ମୀରର ବାନ୍ଦିପୋରାଠାରେ ଆତଙ୍କବାଦୀମାନେ ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କୁ ହତ୍ୟା କରିଛନ୍ତି ।ଶେଖ୍‌ ୱାସୀମ ବରୀ ବାନ୍ଦିପୋରାର ଜିଲ୍ଲା ବିଜେପି ଅଧ୍ୟକ୍ଷ ଥିଲେ ।  ବିଜେପି ନେତା ଶେଖ୍‌  ଓ୍ବାସିମ ବରୀ, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି।

ବିଜେପି ନେତା ତାଙ୍କ ଭାଇ ଓ ପିତାଙ୍କ ସହ ଦୋକାନରେ ଥିବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।  ରାତି ପ୍ରାୟ 9ଟା ସମୟରେ ସେ ତାଙ୍କ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଆତଙ୍କବାଦୀମାନେ ସିଧାସଳଖ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୂଚନା ରହିଛି । ଏହି ଆକ୍ରମଣରେ ବରିଙ୍କ ଭାଇ ଉମର ଏବଂ ବାପା ବଶୀର ଅହମଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବାନ୍ଦିପୋରା ଜିଲ୍ଲା ହସ୍‌ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ବୁଧବାର ରାତି ପ୍ରାୟ ୯ଟାରେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଡିଜିପି ଦିଲ୍‌ବାଗ ସିଂହ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ସରପଞ୍ଚ ଅଜୟ ପଣ୍ଡିତାଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପାଇଁ ଲଶ୍ମର-ଏ – ତୋଏବାର ସହ ସମ୍ପର୍କିତ ସଙ୍ଗଠନ ଦ ରେଜିମେଣ୍ଟନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା । ଅଜୟ ପାଣ୍ଡିତା କଂଗ୍ରେସ ଦଳ ସହ ସମ୍ପର୍କିତ ରହିଥିଲେ । ଏହି ହତ୍ୟା ପରେ ସୁରକ୍ଷା କର୍ମୀଙ୍କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା ।  ଗତ କିଛି ଦିନ ଧରି ଜମ୍ମୁକାଶ୍ମୀରରେ ଆତଙ୍କୀ ଆକ୍ରମଣ ପାଇଁ ଚେଷ୍ଟା ଜାରି ରଖିଥିବାବେଳେ ଅସଫଳ ରହିଥିଲେ । କିନ୍ତୁ ବୁଧବାର ଦିନ ଜଣେ ବିଜେପି ନେତାଙ୍କ ପରିବାରକୁ ଟାର୍ଗେଟ୍‌ କରିଥିଲେ । ଜମ୍ମୁକାଶ୍ମୀରରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଲଗାତାର ସଂଘର୍ଷ ଜାରି ରହିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ 100ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଛନ୍ତି । (ଏଜେନ୍ସି)