ନୂଆଦିଲ୍ଲୀ: ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶ ଶିଳ୍ପ ବିକାଶ ପ୍ରାଧିକରଣ (ବିଡା) ଅଧ୍ୟକ୍ଷ ଆଶିକ ଚୌଧୁରୀ କହିଛନ୍ତି ଯେ, ଚଟଗାଓଁ ଜିଲ୍ଲାର ମିରସରାୟରେ ଭାରତର କୌଣସି ଅର୍ଥନୈତିକ କ୍ଷେତ୍ର ନାହିଁ। ଏପରି ପଦକ୍ଷେପ କେବଳ କାଗଜପତ୍ରରେ ରହିଛି।” ଏହା ପୂର୍ବରୁ ବାଂଲାଦେଶ ମୀରସରାୟରେ ଭାରତର ନିବେଶକୁ ସ୍ୱାଗତ କରିଥିଲା। ୨୦୨୦ ମସିହାରେ ଭାରତ ବଙ୍ଗବନ୍ଧୁ ଶେଖ ମୁଜିବ ଶିଳ୍ପ ନଗରୀର ୯୦୦ ଏକର ଜମିରେ ଭିତ୍ତିଭୂମି ନିର୍ମାଣ ପାଇଁ ୧୧୫ ମିଲିୟନ ଡଲାରର ଋଣ ମଞ୍ଜୁର କରିଥିଲା।
ବିଡା ଅଧ୍ୟକ୍ଷ ଆଶିକ ଚୌଧୁରୀ କହିଛନ୍ତି ଯେ, “ଯଦି ଆମେ ମୀରସରାୟ ଅର୍ଥନୈତିକ କ୍ଷେତ୍ରର ମୁଖ୍ୟ ଯୋଜନାକୁ ଦେଖିବା, ତେବେ ଏହା ୩୩,୦୦୦ ଏକର ଜମି ପାଇଁ ଯୋଜନା କରାଯାଇଥିଲା। ଆମେ ପ୍ରଥମ ପର୍ଯ୍ୟାୟରେ ଏହାକୁ ୧୦,୦୦୦ ରୁ ୧୫,୦୦୦ ଏକରକୁ ହ୍ରାସ କରିଛୁ। ଆମକୁ ଏତେ ଜମିର ଆବଶ୍ୟକତା ନାହିଁ। ଆମେ ଦୁଇ କିମ୍ବା ତିନୋଟି ପର୍ଯ୍ୟାୟରେ ବାକି ଜମି ବିଷୟରେ ବିଚାର କରିପାରିବା।”
ସେ କହିଥିଲେ ଯେ, “ଏଠାରେ ଭାରତୀୟ ଅର୍ଥନୀତି କ୍ଷେତ୍ର କେବଳ କାଗଜପତ୍ରରେ ଲେଖାଯାଇଛି। ଏହା ମୁଖ୍ୟ ଯୋଜନାର ଏକ ଅଂଶ ଥିଲା, କିନ୍ତୁ ଏଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇ ନଥିଲା।” ସେ କହିଛନ୍ତି ଯେ, ଗତ ବର୍ଷ ଅଗଷ୍ଟ (୨୦୨୪)ରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର କ୍ଷମତାକୁ ଆସିବା ପରଠାରୁ ଏହି ପ୍ରକଳ୍ପରେ କୌଣସି ବିକାଶ ହୋଇନାହିଁ।
ଆଶିକ୍ ଚୌଧୁରୀ କହିଛନ୍ତି ଯେ, ”ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ସ୍ଥଗିତ ରହିବା ଅବସ୍ଥାରେ ଅଛି। ଚଟଗାଓଁ ବନ୍ଦର ହେଉଛି ସମଗ୍ର ବାଂଲାଦେଶର ବନ୍ଦର। ଏହା ସମଗ୍ର ଦକ୍ଷିଣ ଏସିଆ ପାଇଁ, ଏପରିକି ଭାରତ, ନେପାଳ ଏବଂ ଭୁଟାନର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”
ଚଳିତ ବର୍ଷ ଆରମ୍ଭରେ ଚୀନ୍ ସମ୍ମୁଖରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ ମହମ୍ମଦ ୟୁନୁସଙ୍କ ମନ୍ତବ୍ୟ ପରେ ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ଆସିଛି। ଭାରତ ସମ୍ପ୍ରତି ଭାରତୀୟ ସ୍ଥଳ ବନ୍ଦରରୁ ବାଂଲାଦେଶରୁ ଆସୁଥିବା ଅନେକ ସାମଗ୍ରୀକୁ ନିଷିଦ୍ଧ କରିଛି। ଭାରତ ବାଂଲାଦେଶରୁ ସଡ଼କ ପଥରେ ପ୍ରସ୍ତୁତ ପୋଷାକ, କାର୍ବୋନେଟେଡ ପାନୀୟ, ଖାଦ୍ୟ, କପା ଏବଂ ସୂତା ସମେତ ଅନେକ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପୂର୍ବରୁ ବାଂଲାଦେଶ ଭାରତରୁ ସ୍ଥଳପଥ ଦେଇ ସୂତା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା।